ଏବେ ହ୍ୱାଟ୍ସଆପ୍ରେ ହ୍ୟାକର: ସନ୍ଦିଗ୍ଧ ମେସେଜ୍ରେ ଚୋରି ହୋଇଯିବ ବ୍ୟାଙ୍କ ବିବରଣୀ, ସାବଧାନ କରାଇଲା ଭାରତୀୟ ଷ୍ଟେଟ୍ ବ୍ୟାଙ୍କ

ନୂଆଦିଲ୍ଲୀ,୧୩ା୩(ଏଜେନ୍ସି):ତଥ୍ୟ ଚୋରି କରିବା ପାଇଁ ଦିନକୁ ଦିନ ନୂଆ ଫର୍ମୁଲା ଆପଣାଉଛନ୍ତି ହ୍ୟାକର୍ । ଏବେ ଏମାନେ ହ୍ୱାଟ୍ସଆପ୍କୁ ମାଧ୍ୟମ କରିଛନ୍ତି । ଏହି ମେସେଜିଂ ଆପ୍ରେ ସନ୍ଦିଗ୍ଧ ଏସ୍ଏମ୍ଏସ୍ ପଠାଇ ଏମାନେ ଲୋକଙ୍କ ବ୍ୟାଙ୍କ ବିବରଣୀ ହାସଲ କରିବାକୁ ସକ୍ଷମ ହେଉଛନ୍ତି । ଏଭଳି ଏକ ସ୍କାମ୍ ବର୍ତ୍ତମାନ ଚଳଚଞ୍ଚଳ ଅଛି । ଏଥିରେ ନ ଫସିବା ପାଇଁ ଭାରତୀୟ ଷ୍ଟେଟ୍ ବ୍ୟାଙ୍କ(ଏସ୍ବିଆଇ) ଗ୍ରାହକଙ୍କୁ ସାବଧାନ କରିଛି ।
ହ୍ୟାକର୍ମାନେ ପ୍ରଥମେ ଗ୍ରାହକଙ୍କୁ ହ୍ୱାଟ୍ସଆପ୍ ମେସେଜ୍ ପଠାଉଛନ୍ତି । ଏଥିରେ ସେମାନେ ଓଟିପି ସଂକ୍ରାନ୍ତ ପରାମର୍ଶ ଦେଇ ଲୋକଙ୍କ ମନରେ ନିଜ ପ୍ରତି ଭରସା ସୃଷ୍ଟି କରୁଛନ୍ତି । ଏଥିରେ ସଫଳ ହୋଇଗଲେ କାମ ଶେଷ । ଗ୍ରାହକଙ୍କଠାରୁ ସେମାନଙ୍କ ବ୍ୟାଙ୍କ ବିବରଣୀ ହାତେଇ ସେମାନଙ୍କ ଆକାଉଣ୍ଟରୁ ଲକ୍ଷ ଲକ୍ଷ ଟଙ୍କା ଉଠାଇ ନେଉଛନ୍ତି ।
କିପରି ୟୁଜରଙ୍କ ପାଇଁ ବିଛାଯାଉଛି ଜାଲ
ପ୍ରଥମେ ହ୍ୟାକରମାନେ ୟୁଜରଙ୍କୁ ଓଟିପି ବିଷୟରେ ଜ୍ଞାନ ଦେଉଛନ୍ତି । ଏହା ମାଧ୍ୟମରେ ସେମାନେ ଲୋକଙ୍କ ବିଶ୍ୱାସ ଜିତିିବାକୁ ଚେଷ୍ଟା କରୁଛନ୍ତି । କାରଣ ଏହା ହେଲେ ହିଁ ସେମାନେ ୟୁଜରଙ୍କଠାରୁ ଓଟିପି ହାତେଇ ପାରିବେ ।
ହ୍ୟାକରଙ୍କ ନିକଟରୁ ଆସୁଥିବା ଅନେକ ସନ୍ଦିଗ୍ଧ ମେସେଜ୍ ଏକ ଲିଙ୍କ୍ ସହ ଆସୁଛି । ଏହା ଆପଣଙ୍କ ଫୋନ୍ର ବ୍ୟାଗ୍ଗ୍ରାଉଣ୍ଡ୍ରେ ଆପଣାଛାଏଁ ଏକ ଅନିଷ୍ଟକାରୀ ଆପ୍କୁ ଇନ୍ଷ୍ଟଲ କରିଦେବ ।
ଏହା ପରେ ଉକ୍ତ ଆପ୍କୁ ୟୁଜରଙ୍କ ଫୋନ୍ରୁ ଓଟିପି ହାସଲ କରିବାରେ ବ୍ୟବହାର କରାଯାଇଥାଏ । ଏହା ସ୍କାମ୍ର ଦ୍ୱିତୀୟ ଭାଗ ।
ପୂରା ପ୍ରକ୍ରିୟା ଆରମ୍ଭ କରିବା ପାଇଁ ହ୍ୟାକର୍ ନିଜକୁ ଏକ ବ୍ୟାଙ୍କ କର୍ମଚାରୀ ଭାବେ ଉପସ୍ଥାପନ କରିଥାଏ । ଶିକାରକୁ ଜାଲରେ ଫସାଇବା ପାଇଁ ଏହା ଉକ୍ତ ବ୍ୟକ୍ତିଙ୍କୁ ନିଜର ଡେବିଟ୍ ତଥା କ୍ରେଡିଟ୍ କାର୍ଡକୁ ଅପ୍ଗ୍ରେଡ କରିବା ପାଇଁ କହିଥାଏ ।
ଏହା ପରେ କାର୍ଡକୁ ଅପ୍ଗ୍ରେଡ୍ କରିବା ପାଇଁ ହ୍ୟାକର୍ ୟୁଜରଙ୍କ ଡେବିଟ୍/କ୍ରେଡିଟ୍ କାର୍ଡ ନମ୍ବର, ସିଭିଭି, କାର୍ଡର ଅବଧି ସଂକ୍ରାନ୍ତ ତଥ୍ୟ ମାଗିଥାଏ ।
ତା’ପରେ ସ୍କାମ୍ର ଦ୍ୱିତୀୟ ଭାଗ ଆରମ୍ଭ ହେବ । ହ୍ୟାକର୍ଙ୍କ ପାଖରୁ ଆସିଥିବା ଉକ୍ତ ଏସ୍ଏମ୍ଏସ୍ ତଥା ହ୍ୱାଟ୍ସଆପ୍ ମେସେଜ୍ ଏକ ଲିଙ୍କ୍ ସହ ଆସିଥାଏ । କାର୍ଡ ଅପ୍ଗ୍ରେଡ୍କୁ ସୁନିଶ୍ଚିତ କରିବା ପାଇଁ ଏହି ଲିଙ୍କ୍ ଉପରେ କ୍ଲିକ୍ କରିବା ପାଇଁ ୟୁଜରଙ୍କୁ କୁହାଯାଇଥାଏ । ଅଜାଣତରେ ୟୁଜର ଉକ୍ତ ଲିଙ୍କ୍ରେ କ୍ଲିକ୍ କରିବା ମାତ୍ରେ ହ୍ୟାକର୍ର ଫାନ୍ଦରେ ଫସିଯାଆନ୍ତି ।
ଏସ୍ଏମ୍ଏସ୍ ଜରିଆରେ ଆସିଥିବା ଉକ୍ତ ଲିଙ୍କ୍ରେ କ୍ଲିକ୍ କରିବା ମାତ୍ରେ ଏକ ଅନିଷ୍ଟକାରୀ ଆପ୍ ୟୁଜରଙ୍କ ଫୋନ୍ରେ ଇନ୍ଷ୍ଟଲ୍ ହୋଇଯାଏ । ଏହି ଆପ୍ ଜରିଆରେ ୟୁଜରଙ୍କ ଫୋନ୍କୁ ଆସୁଥିବା ପ୍ରତିଟି ଓଟିପି ହ୍ୟାକର୍ଙ୍କ ନିକଟକୁ ଚାଲିଯାଏ ।
ଯେହେତୁ ହ୍ୟାକର୍ କାର୍ଡ ବିବରଣୀ ଆଗରୁ ପାଇସାରିଛି ସେ ବର୍ତ୍ତମାନ ଓଟିପି ଜରିଆରେ କାର୍ଡର ଅପ୍ରାଧିକୃତ ବ୍ୟବହାର କରିବାକୁ ସକ୍ଷମ ହୋଇଥାଏ ।
ଅନିଷ୍ଟକାରୀ ଆପ୍ ଜରିଆରେ ଓଟିପି ପାଇ ହ୍ୟାକର୍ ଅତି ସହଜରେ ୟୁଜରଙ୍କ ବ୍ୟାଙ୍କ ଆକାଉଣ୍ଟରୁ ଟ୍ରାଞ୍ଜାକ୍ସନ କରିଚାଲେ ।
ଏଭଳି ଘଟଣାର ଶିକାର ହୋଇଥିବା ବ୍ୟକ୍ତିବିଶେଷଙ୍କୁ ୩ଟି କାର୍ଯ୍ୟଦିବସ ମଧ୍ୟରେ ଏ ସମ୍ପର୍କରେ ବ୍ୟାଙ୍କରେ ଜଣାଇବାକୁ ପଡିବ ।
ରିପୋର୍ଟ କରିବା ପାଇଁ ୧୮୦୦-୧୧୧୧୦୯ରେ କଲ୍ କରିବାକୁ ପଡିବ । ଏହା ପରେ ବ୍ୟାଙ୍କକୁ ଠକେଇ ବିଷୟରେ ସବୁ କିଛି ଜଣାଇଦେବାକୁ ହେବ । ୯୨୧୨୫୦୦୮୮୮କୁ ‘ପ୍ରୋବ୍ଲେମ୍’ ଟାଇପ୍ କରି ମେସେଜ୍ ଜରିଆରେ ବି ଘଟଣା ସମ୍ପର୍କରେ ଜଣାଇହେବ । ଟୁଇଟର୍ରେ ମଧ୍ୟ ଏ ବିଷୟରେ ବ୍ୟାଙ୍କକୁ ରିପୋର୍ଟ କରିହେବ ।
ଯଦି ଏସ୍ବିଆଇର ତ୍ରୁଟି ଯୋଗୁ କୌଣସି ପ୍ରକାର ଠକେଇ ହୋଇଥାଏ ତା’ହେଲେ ଗ୍ରାହକ ମାମଲା ବିଷୟରେ ରିପୋର୍ଟ ନ କଲେ ବି ସମ୍ପୂର୍ଣ୍ଣ କ୍ଷତିପୂରଣ ପାଇବେ ।
ଯଦି ନିଜ ତ୍ରୁଟି ଯୋଗୁ ଗ୍ରାହକ ଜାଲିଆତିକୁ ଡାକିଥିବେ ଏବଂ ଜାଣିଶୁଣି ନିଜ ବ୍ୟାଙ୍କ ବିବରଣୀ ସେୟାର୍ କରିଥିବେ ତା’ହେଲେ ସେମାନଙ୍କୁ କୌଣସି କ୍ଷତିପୂରଣ ଦିଆଯିବ ନାହିଁ ବୋଲି ବ୍ୟାଙ୍କ ପକ୍ଷରୁ ପ୍ରକାଶ ।