କେଉଁ ଦଳରୁ ନିର୍ବାଚନ ଲଢ଼ିବେ ପାରିକରଙ୍କ ପୁଅ ଉତ୍ପଳ ? ଆପ୍ର ଆମନ୍ତ୍ରଣ, ବୁଝାଇବାରେ ବ୍ୟସ୍ତ ବିଜେପି

pic-indiatoday
ପାଣାଜୀ: ମନୋହର ପାରିକରଙ୍କ ପୁଅ ଉତ୍ପଳ ପାରିକରଙ୍କୁ ଗୋଆ ବିଧାନସଭା ନିର୍ବାଚନ ଲଢ଼ିବା ପାଇଁ ଟିକେଟ ଦେଇ ନାହିଁ ବିଜେପି। ତେଣୁ ଉତ୍ପଳ ଏନେଇ ଅସନ୍ତୋଷ ଥିବା ବେଳେ ଦଳୀୟ ନେତା ତାଙ୍କୁ ବୁଝାଇବାରେ ଲାଗିପଡ଼ିଛନ୍ତି। ଏତିକି ବେଳେ ବିଜେପି ଉପରେ କଡ଼ା ପ୍ରହାର କରି ଉତ୍ପଳଙ୍କୁ ଦଳରେ ସାମିଲ କରିବାକୁ ନିମନ୍ତ୍ରଣ କରିଛି ଆପ୍।
ଆପ୍ ମୁଖ୍ୟ ଅରବିନ୍ଦ କେଜରିୱାଲ୍ ଗୁରୁବାର(ଜାନୁଆରୀ ୨୦) ଟ୍ୱିଟ୍ କରି ଉତ୍ପଳ ପାରିକରଙ୍କୁ ଆପ୍ରେ ସାମିଲ ହୋଇ ନିର୍ବାଚନ ଲଢ଼ିବାକୁ ଆମନ୍ତ୍ରଣ କରିଛନ୍ତି। ସେ ଟ୍ୱିଟ୍ କରି ଲେଖିଛନ୍ତି “ଗୋଆର ଲୋକ ଏହା ଦେଖି ଦୁଃଖ ପ୍ରକାଶ କରୁଥିବେ ଯେ ପାରିକରଙ୍କ ପରିବାର ପ୍ରତି ବି ବିଜେପି ୟୁଜ୍ ଆଣ୍ଡ ଥ୍ରୋ ନିୟମ(ବ୍ୟବହାର କର ଆଉ ଫିଙ୍ଗି ଦିଅ) ଆପଣାଇଲା। ମୁଁ ମନୋହର ପାରିକରଙ୍କୁ ସୁବୁବେଳେ ସମ୍ମାନ କରେ। ଉତ୍ପଳ ଆଜ୍ଞା ଆପଣ ଆମ ସହ ସାମିଲ ହୋଇ ଆପ୍ ଟିକେଟ୍ରୁ ନିର୍ବାଚନ ଲଢ଼ନ୍ତୁ।”

ଗୋଆ ନିର୍ବାଚନ ପ୍ରାର୍ଥୀଙ୍କ ତାଲିକାରୁ ଉତ୍ପଳ ବାଦ ପଡ଼ିବା ପରେ କେଜରିୱାଲଙ୍କ ଏହି ଟ୍ୱିଟ୍ ସାମ୍ନାକୁ ଆସିଛି। ମିଳିଥିବା ସୂଚନା ଅନୁସାରେ ବିଜେପି ଲଗାତର ଉତ୍ପଳଙ୍କୁ ମନାଇବାକୁ ଚେଷ୍ଟା କରୁଛି। ନିର୍ବାଚନ ଲଢ଼ିବା ପାଇଁ ଦଳ ଟିକେଟ୍ ଦେବ ବୋଲି ବିଜେପି ନେତାମାନେ କହୁଥିବା ଖବର ଆସୁଛି।
୨୦୧୯ରେ ବାପା ମନୋହର ପାରିକରଙ୍କ ଦେହାନ୍ତ ପରେ ଉତ୍ପଳ ବାପାଙ୍କ ବିଧାନସଭା ଆସନ ପଞ୍ଜିମ ବିଧାନସଭା ମଣ୍ଡଳୀରେ ଘରକୁ ଘର ଯାଇ ନିର୍ବାଚନ ପ୍ରଚାର ଆରମ୍ଭ କରିଦେଇଛନ୍ତି। ମନୋହର ପାରିକରଙ୍କ ଦେହାନ୍ତ ପରେ ବିଜେପି ଉପ ନିର୍ବାଚନରେ ଜଣେ ଯୁବ ଚେହେରା ସିଦ୍ଧାର୍ଥ କୁନକଲେଙ୍କରଙ୍କୁ ଏହି ଆସନରୁ ପ୍ରାର୍ଥୀ କରିଥିଲା। ହେଲେ ତାଙ୍କୁ ଗୋଆର ବରିଷ୍ଠ କଂଗ୍ରେସ ନେତା ଅଟାନାସିଓ ବାବୁଶ ମନସେରେଟ୍ଟ ପାରସ୍ତା କରିଦେଇଥିଲେ। ଏହାପରେ ବିଜେପି ହାତରୁ ଆସନଟି କଂଗ୍ରେସ ହାତକୁ ଖସିଯାଇଛି।