PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବଦଳିଲେ ବିଏମସି କମିଶନର, ସଞ୍ଜୟ କୁମାର ସିଂହ ହେଲେ ନୂଆ କମିଶନର
  • ||
  • ବିନିକା : ପରିବା ବୋଝେଇ ପିକଅପ ଭ୍ୟାନକୁ ପିଟିଲା ଟ୍ରକ୍, ୩ ଗୁରୁତର
  • ||
  • ରାଜସୁନାଖଳା : ବନ୍ଧୁକ ମୁନରେ ଦମ୍ପତିଙ୍କୁ ଲୁଟ୍
  • ||
  • କେନ୍ଦୁଝର : କେନ୍ଦୁଝର ଜେଲରେ ପଶିଲା କରୋନା, ୯ କଏଦୀ ପଜିଟିଭ ଚିହ୍ନଟ
  • ||
  • ମାଲକାନଗିରି : ମାଓବାଦୀଙ୍କ ବର୍ବରକାଣ୍ଡ, ଯବାନଙ୍କୁ ଗଳାକାଟି ହତ୍ୟା
  • ||
  • ବୋରିଗୁମ୍ମା : ବୋରିଗୁମ୍ମା ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରରେ ଟିକା ନେବାକୁ ଛକାପଞ୍ଝା, ସାମାଜିକ ଦୂରତାକୁ ଫୁ, ଯେତିକି ଆସୁଛି ଅଣ୍ଟୁନି, ସ୍ଥାନୀୟ ଲୋକେ ଅସନ୍ତୋଷ
  • ||
  • ଭୁବନେଶ୍ଵର : ରାଜ୍ୟରେ ପୁଣି ୧୦ ହଜାର ଟପିଲା ଦୈନିକ ସଂକ୍ରମଣ, ୨୪ ଘଣ୍ଟାରେ ଚିହ୍ନଟ ହେଲେ ୧୦ ହଜାର ୯୮୨ ପଜିଟିଭ୍, ସଂକ୍ରମିତଙ୍କ ସଂଖ୍ୟା ୫ଲକ୍ଷ ୬୫ ହଜାର ପାର୍
  • ||
  • ଭୁବନେଶ୍ଵର : ଓଡ଼ିଶାରେ ଆଉ ୧୭ ମୁଣ୍ଡ ନେଲା କରୋନା, ମୃତ୍ୟୁ ସଂଖ୍ୟା ୨୨୩୨କୁ ବୃଦ୍ଧି
  • ||

ବିଜେଡିରେ କମ୍ପନ: ନୂଆ ମହିଳା ମୁହଁ କିଏ ?

source:http://www.newindianexpress.com

ଭୁବନେଶ୍ୱର,୧୧ ।୩(ବ୍ୟୁରୋ): ଏବେ ୩ ଲୋକସଭା ଆସନ ମହିଳାଙ୍କ କବ୍‌ଜାରେ । ଆଉ ୪ ଯିବ । କେଉଁ କେଉଁ ଆସନ ଏଥର ମହିଳାଙ୍କ ପାଇଁ ସଂରକ୍ଷିତ କରିବ ଦଳ? କିଏ କଟିବ ଆଉ କିଏ ବର୍ତ୍ତିଯିବ? କାହାକୁ ମିଳିବ ଟିକେଟ- ନୂଆ ନା ପୁରୁଣା ମୁହଁ?
ଲୋକସଭା ନିର୍ବାଚନରେ ବିଜେଡି ୩୩ ପ୍ରତିଶତ ମହିଳା ପ୍ରାର୍ଥୀ ଦେବ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଘୋଷଣା କରିବା ପରେ ଏମିତି ଅନେକ ପ୍ରଶ୍ନ ଉଡ଼ିଲାଣି ପବନରେ । ବିଜେଡିରେ କମ୍ପନ ଖେଳିଗଲାଣି । ଅନେକ ନେତା ଛାନିଆଁ । କେଉଁ ଆସନକୁ ମହିଳା ଛଡ଼ାଇ ନେବେ ସେକଥା ଠଉରାଇ ପାରୁ ନାହାନ୍ତି ।
ଅତି ବିଶ୍ୱସ୍ତ ସୂତ୍ରରୁ ମିଳିଥିବା ଖବର କହୁଛି, ମହିଳାଙ୍କ ପାଇଁ ୭ଟି ଲୋକସଭା ଆସନ ବଛା ସରିଛି । ପ୍ରାର୍ଥୀ ବି ଏକ ପ୍ରକାର ସ୍ଥିର ହୋଇ ସାରିଛି । ମାର୍ଚ୍ଚ ୧୮ରେ ପ୍ରଥମ ପର୍ଯ୍ୟାୟ ଭୋଟ ବିଜ୍ଞପ୍ତି ପରେ ଦୁଇଟି ଆସନ ପାଇଁ ଘୋଷଣା ହୋଇପାରେ ପ୍ରାର୍ଥୀ ।
ବିଜେଡି ଅନ୍ଦର ମହଲରୁ ଲିକ୍‌ ହୋଇଥିବା ଖବରକୁ ବିଶ୍ୱାସ କରାଗଲେ ବାଲେଶ୍ୱର, ଯାଜପୁର, ଜଗତସିଂହପୁର, ସୁନ୍ଦରଗଡ଼, ବ୍ରହ୍ମପୁର, ବଲାଙ୍ଗୀର ଏବଂ ନବରଙ୍ଗପୁରରେ ମହିଳା ପ୍ରାର୍ଥୀ ଦେବାକୁ ବିଚାର କରିଛି । କଟକ କିମ୍ବା କେନ୍ଦ୍ରାପଡ଼ା ବି ତାଲିକାରେ ଅଛି ।
ଏବେ ତିନିଟି ଆସନରେ ଯାଜପୁର (ରୀତା ତରାଇ), କନ୍ଧମାଳ (ପ୍ରତ୍ୟୁଷା ଦେବୀ) ଏବଂ କେନ୍ଦୁଝର (ଶକୁନ୍ତଳା ଲାଗୁରୀ) ମହିଳା ସାଂସଦ ଅଛନ୍ତି । ହେଲେ ଏଥର କନ୍ଧମାଳ ଏବଂ କେନ୍ଦୁଝରରେ ଦଳ ମହିଳା ପ୍ରାର୍ଥୀ ଦେଇ ନ ପାରେ ।
ପ୍ରଥମ ପର୍ଯ୍ୟାୟରେ ବ୍ରହ୍ମପୁର ଏବଂ ନବରଙ୍ଗପୁର ଆସନ ପାଇଁ ଭୋଟ ଗ୍ରହଣ ହେବ । ନବରଙ୍ଗପୁର ପାଇଁ ଜଣେ ଆଦିବାସୀ ମହିଳାଙ୍କୁ ଚିହ୍ନଟ ସରିଛି । କଂଗ୍ରେସରୁ ସେ ଚାରି ଚାରି ଥର ବିଧାୟିକା ଭାବେ ନିର୍ବାଚିତ ହୋଇ ସାରିଛନ୍ତି । ଶେଷ ଥର ଜିତିଥିଲେ ୨୦୦୦ ମସିହାରେ । ଖୁବ୍‌ଶୀଘ୍ର ସେ ବିଜେଡିରେ ସାମିଲ ହେବେ ବୋଲି ସୂଚନା ମିଳିଛି । ବ୍ରହ୍ମପୁର ଆସନରେ ଏଥର ସିଦ୍ଧାନ୍ତ ମହାପାତ୍ରଙ୍କ ବଦଳରେ ଜଣେ ମହିଳା ପ୍ରାର୍ଥୀଙ୍କୁ ବିଜେଡି ଟିକେଟ ମିଳିବ । ନିକଟରେ ବିଜେଡିରେ ସାମିଲ ହୋଇଥିବା ପାରଳା ରାଜକୁମାରୀ କଲ୍ୟାଣୀ ଦେବୀଙ୍କ ମୁଣ୍ଡରେ କଳସ ଢଳାଯାଇପାରେ ବୋଲି କୁହାଯାଉଛି ।
ବାଲେଶ୍ୱର ପାଇଁ ଏଥର ସାଂସଦ ରବିନ୍ଦ୍ର ଜେନାଙ୍କ ବଦଳରେ ତାଙ୍କ ପତ୍ନୀଙ୍କୁ ପ୍ରାର୍ଥୀ କରିବାକୁ ବିଚାର କରାଯାଉଥିବା ବେଳେ ଯାଜପୁରରୁ ଦଳର ବରିଷ୍ଠ ନେତ୍ରୀ ପ୍ରମିଳା ମଲ୍ଲିକ କିମ୍ବା ନିକଟରେ ଓଏଏସ୍‌ ଚାକିରିରୁ ଇସ୍ତଫା ଦେଇଥିବା ଶର୍ମିଷ୍ଠା ସେଠୀଙ୍କ ନାମ ଶୁଣାଯାଉଛି । ସେହିପରି ଜଗତସିଂହପୁରରୁ ତିର୍ତ୍ତୋଲ ବିଧାୟିକା ଡାକ୍ତର ରାଜଶ୍ରୀ ମଲ୍ଲିକଙ୍କୁ ଲୋକସଭା ଟିକେଟ ମିଳିପାରେ ।
ପୂର୍ବତନ ମୁଖ୍ୟମନ୍ତ୍ରୀ ହେମାନନ୍ଦ ବିଶ୍ୱାଳଙ୍କ ଝିଅ ସୁନିତା ବିଶ୍ୱାଳଙ୍କୁ ସୁନ୍ଦରଗଡ଼ ପ୍ରାର୍ଥୀ କରିବାକୁ ବିଚାର ଚାଲିଛି । ବଲାଙ୍ଗୀରରୁ ଏଥର ରାଜ ପରିବାର ନେତାଙ୍କୁ ଟିକେଟ ମିଳିବା ଆଶା କମ୍‌ ବୋଲି କୁହାଯାଉଛି । କଳିକେଶଙ୍କ ସ୍ଥାନରେ ଜଣେ ମହିଳାଙ୍କୁ ଟିକେଟ ମିଳିବ । ଅଭିନୟ ଜଗତରୁ ରାଜନୀତିକୁ ଆସିଥିବା ଶ୍ରୀମୟୀ ମିଶ୍ରଙ୍କ ନାମ ବିଚାର କରାଯାଉଥିବା ଶୁଣାଯାଉଛି ।
କଟକ ପାଇଁ ଓଡ଼ିଆ ଚଳଚିତ୍ର ଜଗତର ଆଉ ଜଣେ ଅଭିନେତ୍ରୀଙ୍କୁ ବିଚାର କରାଯାଉଛି । ତାଙ୍କ ସ୍ୱାମୀ ଏବେ ଜଣେ ସାଂସଦ । କେନ୍ଦ୍ରାପଡ଼ାରୁ ଜଣେ ମହିଳା ବ୍ୟୁରୋକ୍ରାଟଙ୍କ ନାମ ବି ଟିକେଟ ଚର୍ଚ୍ଚାରେ ରହିଛି । ଆଜି ଦିନସାରା ନବୀନ ନିବାସରେ ମହିଳା ପ୍ରାର୍ଥୀ କିଏ ହେବ ସେ ନେଇ କସରତ ଚାଲିଥିଲା । କେଉଁ କେଉଁ ଲୋକସଭା ଆସନରେ ଓ କେଉଁମାନେ ବିଜେଡିର ମହିଳା ପ୍ରାର୍ଥୀ ହେବେ ତାହା ଏବେବି ସସ୍‌ପେନ୍ସରେ ଅଛି । ସବୁବେଳେ ଆଶ୍ଚର୍ଯ୍ୟଜନକ ଓ ଅପ୍ରତ୍ୟାଶିତ ନିଷ୍ପତ୍ତି ନେବାରେ ଧୂରନ୍ଧର ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଖୁବଶୀଘ୍ର ଏ ନେଇ ବିଧିବଦ୍ଧ ଘୋଷଣା କରିବେ ବୋଲି ଦଳୀୟ ମହଲରେ ଆଲୋଚନା ଚାଲିଛି ।