ଗଣେଶ ପୂଜା ପାଇଁ ଟୁଇନ୍ ସିଟି ପୁଲିସର ସ୍ୱତନ୍ତ୍ର ବ୍ୟବସ୍ଥା: ଲାଇସେନ୍ସ ପାଇଁ କେମିତି ଆବେଦନ କରିବେ ଜାଣନ୍ତୁ…

କଟକ ୨୬/୮ : ଗଣେଶ ପୂଜା ତଥା ଭସାଣି ପାଇଁ କମିସନରେଟ୍‌ ପୁଲିସ ପକ୍ଷରୁ ଲାଇସେନ୍ସ ବ୍ୟବସ୍ଥାକୁ ସରଳୀକରଣ କରାଯାଇଛି । ବିଭିନ୍ନ ପୂଜା କମିଟିର ଦାବି ପରେ ପୁଲିସ ଏଭଳି ବ୍ୟବସ୍ଥାକୁ ଆପଣାଇଛି । ଏଣିକି ଲାଇସେନ୍ସ ପାଇଁ ଏକାଧିକ କାର୍ଯ୍ୟାଳୟକୁ ଦୌଡ଼ିବାକୁ ପଡ଼ିବ ନାହିଁ । କେବଳ ଗୋଟିଏ କିମ୍ବା ଦୁଇଟି ଅଫିସ ଯିବା ପରେ ଏହି ଲାଇସେନ୍ସ ମିଳିଯିବ । ତେବେ ଏହି ବ୍ୟବସ୍ଥାକୁ ପୂଜା କମିଟି ପକ୍ଷରୁ ସ୍ୱାଗତ କରାଯାଇଛି । ଯୋଜନାଟିକୁ ପୁଲିସ ବିଭାଗ ଠିକ୍‌ ଭାବେ ଲାଗୁ କରାଇବା ଦିଗରେ ଯତ୍ନବାନ ହେଉ ବୋଲି ସାଧାଣରେ ଦାବି ହୋଇଛି ।

ଚଳିତ ବର୍ଷ ପ୍ରାୟ ୧ ହଜାରେରୁ ଅଧିକ ଅନୁଷ୍ଠାନ ପକ୍ଷରୁ କଟକରେ ଗଣେଶ ପୂଜା ଅନୁଷ୍ଠିତ ହେବ ବୋଲି ଆକଳନ କରାଯାଇଛି । ଏହି ସବୁ କ୍ଲବ୍‌ ବା ଅନୁଷ୍ଠାନ ପୂଜା କରିବା ଓ ଭସାଣି ଯାତ୍ରା ଆୟୋଜନ ପାଇଁ ପୁଲିସ ଠାରୁ ଲାଇସେନ୍ସ ଆବଶ୍ୟକ । ଏହି ଲାଇସେନ୍ସ ସଂଗ୍ରହ କରିବାରେ ସାମାନ୍ୟ ଅଡ଼ୁଆ ରହିଥିବାରୁ ତାହାକୁ ସରଳୀକରଣ କରିବା ପାଇଁ ଏଥର ପୁଲିସ ଏକ ନୂଆ ପଦକ୍ଷେପ ନେଇଛି । ଲାଇସେନ୍ସ ପାଇଁ ଟ୍ରେଜେରି ଚାଲାଣ କରି ତାହାକୁ ବ୍ୟାଙ୍କ୍‌ରେ ଡିପୋଜିଟ୍‌ କରିବାକୁ ପଡ଼େ ।

ଏହି ଚାଲାଣ କାଟିବା ଓ ପରେ ବ୍ୟାଙ୍କ୍‌ରେ ଡିପୋଜିଟ୍‌ କରିବାରେ ବହୁ ବିଳମ୍ବ ହୋଇଥାଏ । ଘଣ୍ଟା ଘଣ୍ଟା ଲାଇନ୍‌ରେ ଛିଡ଼ା ହେବାକୁ ପଡ଼େ । ଏଥିରେ ଦୁଇ ଦିନ ପର୍ଯ୍ୟନ୍ତ ସମୟ ଦେବାକୁ ପଡ଼ିଥାଏ । ସେଠାରେ କର୍ମଚାରୀ ଅଭାବ ପାଇଁ ଏଭଳି ଅବସ୍ଥା ସୃଷ୍ଟି ହୋଇଥାଏ । ତେଣୁ ଅଧିକ ଲାଇସେନ୍ସ ଆବେଦନ ବେଳେ ଏଭଳି ଭିଡ଼ ସୃଷ୍ଟି ହେବା ସ୍ୱାଭାବିକ । ତେବେ ଏହି ଭିଡ଼କୁ କମାଇବା ତଥା ସହଜରେ ଲାଇସେନ୍ସ ପାଇବା ପାଇଁ ପୂର୍ବଭଳି ଚାଲାଣକୁ ଆଉ ଟ୍ରେଜେରିକୁ ନେଇ ପରେ ବ୍ୟାଙ୍କ୍‌ରେ ଡିପୋଜିଟ୍‌ କରିବା ବଦଳରେ ସିଧାସଳକ ଡିସିପିଙ୍କ ଅଫିସରେ ଡିପୋଜିଟ୍‌ କରିବା ପାଇଁ ବ୍ୟବସ୍ଥା କରାଯାଇଛି । ଲାଇସେନ୍ସ ପାଇଁ ଅନ୍ୟାନ୍ୟ କାଗଜପତ୍ର ସହିତ ଏହି ଟଙ୍କା ଡିପୋଜିଟ୍‌ କରିବା ପରେ ଆବେଦନକାରୀଙ୍କୁ ଲାଇସେନ୍ସ ମିଳିବ । ଏଥିପାଇଁ ଅଧିକ ଦେୟ ମଧ୍ୟ ଦେବାକୁ ପଡ଼ିବ ନାହିଁ ।

ତେବେ କେଉଁ କମିଟିକୁ କେଉଁ ରୁଟ୍‌ରେ ଓ କେଉଁ ସମୟରେ ଯିବାକୁ ଅନୁମତି ପ୍ରଦାନ କରାଯିବ ତାହା ସଂପୃକ୍ତ ଥାନା ସ୍ଥିର କରିବ । ସୁରକ୍ଷା ତଥା ଟ୍ରାଫିକ୍‌ କଟକଣାକୁ ଆଖି ଆଗରେ ରଖି ଏହି ଲାଇସେନ୍ସ ପ୍ରଦାନ କରାଯିବ । ଅନ୍ୟପଟେ ଚଳିତ ଥର ଡିଜେ ବଜାଇବା ଉପରେ ଅଧିକ କଟକଣା ଜାରି କରାଯାଇଛି । ଶୋଭାଯାତ୍ରାରେ ସାଉଣ୍ଡ୍‌ ବକ୍ସ ବଜାଇବା ନେଇ କୌଣସି କଟକଣା ନାହିଁ । ମାତ୍ର ଅଧିକ ଓ ବିକଟାଳ ଶବ୍ଦ କରୁଥିବା ଡିଜେ ସାଉଣ୍ଡ୍‌ ଉପରେ ଅଧିକ କଟକଣା ରହିବ ।

ଏହାକୁ ଯାଞ୍ଚ କରିବା ପାଇଁ ପୁଲିସ ଅଧିକାରୀମାନଙ୍କୁ ସ୍ୱତନ୍ତ୍ର ଅଧିକାର ମଧ୍ୟ ପ୍ରଦାନ କରାଯାଇଛି । ସେହିପରି ପ୍ରତି ପୂଜାମଣ୍ଡପ ବା ଲାଇସେନ୍ସ ନେଇଥିବା ଅନୁଷ୍ଠାନ ତାର ଭସାଣିକୁ ଶାନ୍ତି ଶୃଙ୍ଖଳାର ସହିତ କରିବା ପାଇଁ ୫ ଜଣ ଭଲ୍ୟୁଣ୍ଟିୟର ଦିଆଯିବ । ପ୍ରତି ଅନୁଷ୍ଠାନ ପକ୍ଷରୁ ୫ଟି ନାଁ ସ୍ଥାନୀୟ ଥାନା ଅଧିକାରୀଙ୍କୁ ପ୍ରଦାନ କରାଯିବା ପରେ ପୁଲିସ ସେମାନଙ୍କୁ ଆଇକାର୍ଡ ସହିତ ଭଲ୍ୟୁଣ୍ଟିୟର୍‌ ଦାୟିତ୍ୱ ପ୍ରଦାନ କରିବ ।

ଭସାଣି ପାଇଁ ଅଧିକ ଅସ୍ଥାୟୀ ଜଳାଶୟ
ଗଣେଶ ପୂଜାର ଭସାଣି ସେପ୍ଟେମ୍ବର ୮ ତାରିଖରୁ ଆରମ୍ଭ ହେବ । ଏହା ତିନିଟି ପର୍ଯ୍ୟାୟରେ ୧୫ ଓ ୨୯ ତାରିଖରେ ଶେଷ ହେବ । ତେବେ ହାଇକୋର୍ଟଙ୍କ ନିର୍ଦ୍ଦେଶ ଅନୁସାରେ ପ୍ରତିମା ଗୁଡ଼ିକ ନଦୀ, ନାଳରେ ପଡ଼ି ପାରିବ ନାହିଁ । ଏଥିପାଇଁ ପୂର୍ବ ବର୍ଷ ଭଳି ଏବର୍ଷ ମଧ୍ୟ ଅସ୍ଥାୟୀ ପୋଖରୀ ବା ଜଳାଶୟ ନିର୍ମାଣ କରାଯିବ । ଏଥିପାଇଁ ପ୍ରଶାସନ ପକ୍ଷରୁ ବ୍ୟବସ୍ଥା କରାଯାଇଛି । ତେବେ ଚଳିତ ବର୍ଷ ଅଧିକରୁ ଅଧିକ ଅସ୍ଥାୟୀ ଜଳାଶୟ ନିର୍ମାଣ କରିବାକୁ ନିଷ୍ପତ୍ତି ହୋଇଛି । ଫଳରେ ମେଢ଼ଗୁଡ଼ିକ ଗୋଟିଏ ସ୍ଥାନକୁ ଯାଇ ଭିଡ଼ କରିବା ଅପେକ୍ଷା ଭିନ୍ନ ଭିନ୍ନ ରୁଟ୍‌ରେ ଭସାଣି ଆୟୋଜନ ପରେ ମୂର୍ତ୍ତି ବିସର୍ଜନ କରିବେ ।

ଏହି କ୍ରମରେ ଚଳିତ ବର୍ଷ ପୁରୀଘାଟ ଥାନା ଅଧୀନରେ ଦେବୀଗଡ଼ା, କ୍ୟାଣ୍ଟନ୍‌ମେଣ୍ଟ୍‌ ଥାନା ଅଧିନରେ କାର୍ତ୍ତିକେଶ୍ୱର ଗଡ଼ା, ବାଦାମବାଡ଼ି ଥାନା ଅଧୀନରେ ଖାନ୍‌ନଗର, ଚାଉଳିଆଗଞ୍ଜ ଥାନା ଅଧିନରେ ନେହେରୁପଲ୍ଲୀ, ବିଡ଼ାନାସୀ ଥାନା ଅଧିନରେ ଭୁଆସୁଣି ଗଡ଼ା, ମଧୁପାଟଣା ଥାନା ଅଧୀନରେ ଘାଟକୂଳ ଓ ଅଭିରାମ ମଠ ନିକଟ, ମଙ୍ଗଳାବାଗ ଥାନା ଅଧୀନରେ ମାତାମଠ ଓ ମାଲଗୋଦାମ ଥାନା ଅଧୀନରେ ଯୋବ୍ରା ଦଶତୁଠ ଘାଟରେ ଏହି ଅସ୍ଥାୟୀ ଜଳାଶୟ ନିର୍ମାଣ କରାଯିବ । ଏହା ଛଡ଼ା ପ୍ରଶାସନ ଆଉ କିଛି ସ୍ଥାନ ଚିହ୍ନଟ କରୁଛି । ଯେଉଁଠାରେ ଅଧିକରୁ ଅଧିକ ଜଳାଶୟ ନିର୍ମାଣ ହୋଇପାରିବ । ଭିଡ଼ କମାଇବା ଓ ଶାନ୍ତି ଶୃଙ୍ଖଳାର ସହିତ ଭସାଣି ଶେଷ କରିବା ପାଇଁ ପ୍ରଶାସନ ପକ୍ଷରୁ ଏଭଳି ବ୍ୟବସ୍ଥା କରାଯାଉଥିବା ସୂଚନା ଦିଆଯାଇଛି ।

   ସମ୍ବନ୍ଧିତ ଖବର


ବରିଷ୍ଠ ଦଇତା ସେବାୟତ ପ୍ରେମାନନ୍ଦ ଦାସମହାପାତ୍ରଙ୍କ ଦେହାନ୍ତ

୭ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସମ୍ଭାବନା : ୧୦ ଜିଳ୍ଲାକୁ ୟଲୋ ଓ୍ବାର୍ଣ୍ଣିଂ, ୭ ଜିଳ୍ଲାକୁ ଅରେଞ୍ଜ ଓ୍ବାର୍ଣ୍ଣିଂ ଜାରି

ମହିଳା IICଙ୍କୁ ନିର୍ଯାତନା : ସ୍ବାମୀଙ୍କ ବିରୋଧରେ ଆଣିଲେ ସଙ୍ଗିନ ଅଭିଯୋଗ, ଥାନାରେ ଏତଲା

ବିଜେଡି ପ୍ରାର୍ଥୀ ହେବେ ଓଡିଆ ସିନେଷ୍ଟାର ଅରିନ୍ଦମ୍ !

ବିବାହ ବିଛେଦ ମାମଲା : ସୁପ୍ରିମକୋର୍ଟ ଗଲେ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ

ଖବର କାଗଜ ଉଦ୍ୟୋଗି ବିଜୟ କୁମାର ପଟ୍ଟନାୟକଙ୍କ ପରଲୋକ