ନୟାନ୍ତ କରୁଛି ମୂକବଧିର ନାବାଳକ, ଡାକ୍ତରଖାନାରୁ ଖସି କାରନାମା ଚଳାଉଛି

source:pxhere.com
କଟକ,୨୮ା୩(ବ୍ୟୁରୋ): ଜଣେ ମୂକ,ବଧିର ଓ ମାନସିକ ଭିନ୍ନକ୍ଷମ ନାବାଳକ ଦ୍ୱୈତନଗରୀରେ ବସ୍ ମାଲିକମାନଙ୍କ ଆଖିରୁ ନିଦ ହଜେଇ ସାରିଲାଣି । ଏସ୍ସିବି ଡାକ୍ତରଖାନାର ମାନସିକ ରୋଗ ବିଭାଗରେ ଚିକିତ୍ସା ପାଇଁ ଭର୍ତ୍ତି ହୋଇଥିବା ଏହି ନାବାଳକଜଣକ ବିଭିନ୍ନ ସମୟରେ ଡାକ୍ତରଖାନାରୁ ଖସି ଆସି ବାଦାମବାଡ଼ି ବସ୍ଷ୍ଟାଣ୍ଡ ଆଖପାଖ ଅଞ୍ଚଳରୁ ବସ୍ ନେଇ ଚମ୍ପଟ ମାରୁଥିବା ଜଣାପଡିଛି । ନାବାଳକ ଜଣକ ଗାଡ଼ି ଚଳାଇବାରେ ମାହିର୍ । ସମ୍ପୃକ୍ତ ନାବାଳକ ରାତି ବେଳା ବସ୍ ରହଣି ସ୍ଥାନରୁ ବସ୍ ଧରି ଦୂରଦୂରାନ୍ତ ଜାଗାକୁ ଯାଇ ସେଠାରେ ବସ୍ ଥୋଇ ଦେଇ ଚୁପଚାପ୍ ଫେରିଆସୁଛି । ନାବାଳକର ଏପରି ଅଜବ କାରନାମାକୁ ନେଇ ପୁଲିସ୍ ମଧ୍ୟ ଏବେ ଅଡୁଆରେ ପଡିଛି । ଅଭିଯୁକ୍ତ ଜଣକ ଏକାଧିକ ବାର ଗିରଫ ହେଉଥିଲେ ମଧ୍ୟ ମାନସିକ ଭିନ୍ନକ୍ଷମ ଓ ନାବାଳକ ହୋଇଥିବାରୁ ଜେଲ ଦଣ୍ଡରୁ ବର୍ତ୍ତି ଯାଉଛି । ଫଳରେ ଗିରଫଦାରୀ ଅଭିଯୁକ୍ତ ନାବାଳକ ଉପରେ କୌଣସି ପ୍ରଭାବ ପକାଇ ପାରିନାହିଁ ବୋଲି ପୁଲିସ କହିଛି ।
ଏଣେ ଜଣେ ମୂକବଧିର ଓ ମାନସିକ ଭିନ୍ନକ୍ଷମ ନାବାଳକ କପିର ରାତିରେ ବସ୍ ନେଇ ପଳାଉଛି ତାହା କୌତୂହଳ ମିଶା ଚର୍ଚ୍ଚା ସୃଷ୍ଟି କରିଛି । ମିଳିଥିବା ସୂଚନାନୁସାରେ, ସଂପୃକ୍ତ ନାବାଳକର ଘର ଜଗତସିଂହପୁର ଜିଲ୍ଲା ତିର୍ତ୍ତୋଲ୍ ଥାନା ମୂଳସିିଂ ଅଞ୍ଚଳରେ । ତାର ବାପା ଜଣେ ଟ୍ରକ୍ ଡ୍ରାଇଭର । ନାବାଳକ ଜଣକ ମାନସିକ ଭିନ୍ନକ୍ଷମ ହୋଇଥିଲେ ମଧ୍ୟ ସେ ତାର ବାପାଙ୍କଠାରୁ ବଡ ଗାଡି ଡ୍ରାଇଭିଂ ଶିଖିଯାଇଛି । ସବୁବେଳେ ତାର ଟାର୍ଗେଟ୍ରେ ରହଛିି ବସ୍ । ଅଭିଯୁକ୍ତ ସାମାନ୍ୟ ସୁଯୋଗ ପାଇଲା ମାତ୍ରେ ରହଣି ସ୍ଥାନରୁ ବସ୍ ନେଇ ଚମ୍ପଟ ମାରୁଛି । ସବୁଠାରୁ ଆଶ୍ଚର୍ଯ୍ୟଜନକ ଘଟଣା ହେଉଛି, ରାତି ସମୟରେ ବିଭିନ୍ନ ବସ୍ରହଣି ସ୍ଥାନରୁ ଅଭିଯୁକ୍ତ ବସ୍କୁ ନେଇଯାଉଥିଲେ ହେଁ କାହାରି ହାତରେ ଧରାପଡୁନାହିଁ ।
କଟକରୁ ବସ୍ ନେଇ ଅଭିଯୁକ୍ତ ନୟାଗଡ଼, ଖୋର୍ଦ୍ଧା, ଜଟଣୀ, ପିପିଲି ଆଦି ଦୂରଦୂାରାନ୍ତରେ ଗାଡ଼ି ଥୋଇ ଦେଇ ପଳାଇ ଆସୁଛି । ପ୍ରାୟ ବର୍ଷେରୁ ଅଧିକ ସମୟ ହେବ ଅଭିଯୁକ୍ତ ନାବାଳକ ଜଣକ ଏହି କାରସାଦି କଟକ ଏବଂ ଭୁବନେଶ୍ୱରରେ ଚଳାଇ ଆସୁଛି । ମୂକବଧିର ଓ ମାନସିକ ଭିନ୍ନକ୍ଷମ ନାବାଳକ ଜଣକ ଏମିତି କରିବା ପଛରେ କାରଣ କଣ ତାହା ଜଣାପଡୁନାହିଁ । ପରିବାର ଲୋକେ ମଧ୍ୟ ପୁଅର ଏପରି ପାଗଳାମି ପାଇଁ ପ୍ରମାଦ ଗଣୁଛନ୍ତି । ପୁଲିସ୍ ବିଭିନ୍ନ ସମୟରେ ତାକୁ ଅଟକ ରଖି ପଚରାଉଚରା କରୁଥିଲେ ମଧ୍ୟ ନାବାଳକ ଜଣକ ବସ୍ ଗାଏବ୍ କରିବା ପଛର କାରଣ ଜାଣିପାରୁନାହିଁ । ଅନ୍ୟପକ୍ଷରେ ବସ୍ ଚୋରି ଅଭିଯୋଗରେ ବାଦାମବାଡ଼ି ଥାନା ପୁଲିସ୍ ଅଭିଯୁକ୍ତକୁ ଦୁଇ ଥର ଗିରଫ କରିଥିବା ସୂଚନା ମିଳିଛି ।
ସେହିପରି ବରମୁଣ୍ଡା ବସ୍ଷ୍ଟାଣ୍ଡ୍ରୁ ମଧ୍ୟ ବସ୍ ଚୋରି କରିବା ମାମଲାରେ ଖଣ୍ଡଗିରି ଥାନା ପୁଲିସ୍ ସମ୍ପୃକ୍ତ ଅଭିଯୁକ୍ତ ନାବାଳକକୁ ଗିରଫ କରଥିବା ସୂଚନା ମିଳିଛି । ନିକଟ ଅତୀତରେ ଲିଙ୍କରୋଡ଼ ଅଞ୍ଚଳରେ ବସ୍ ରହଣି ସ୍ଥାନରୁ ଅଭିଯୁକ୍ତ ନାବାଳକ ୩/୪ଟି ବସ୍କୁ ନେଇ ଅନ୍ୟତ୍ର ଥୋଇ ଦେଇ ଖସିଆସିଥିବା ବାଦାମବାଡ଼ି ଥାନା ପୁଲିସ୍ ସୂଚନା ଦେଇଛି । ପୁଲିସ୍ଠାରୁ ମିଳିଥିବା ସୂଚନାନୁସାରେ, ନାବାଳକ ଜଣକ ମାନସିକ ଭିନ୍ନକ୍ଷମ ହୋଇଥିବାରୁ ବିଭିନ୍ନ ସମୟରେ ପରିବାର ଲୋକେ ତାକୁ ଚିକିତ୍ସା ପାଇଁ ଏସ୍ସିବି ମାନସିକ ରୋଗ ବିଭାଗରେ ଭର୍ତ୍ତି କରୁଛନ୍ତି ।
ମାନସିକ ୱାର୍ଡରେ ରହିବା ମଧ୍ୟରେ ଅଭିଯୁକ୍ତ ନାବାଳକ ଜଣକ ଡାକ୍ତରଖାନାରୁ ଖସି ଆସି ବାଦାମବାଡ଼ି ଓ ଲିଙ୍କରୋଡ଼ ଅଞ୍ଚଳରେ ପହଞ୍ଚି ରାତିବେଳା ରାସ୍ତାଘାଟରେ ଥୁଆ ହୋଇଥିବା ବସ୍କୁ ନେଇ ଚମ୍ପଟ ମାରୁଛି । ଅନ୍ୟପକ୍ଷରେ ମାନସିକ ରୋଗ ଚିକିତ୍ସା କେନ୍ଦ୍ରରେ ରୋଗୀମାନେ ଖସି ପଳାଇବା ଆଶଙ୍କା ଥିବାରୁ ୱାର୍ଡରେ ଥିବା ଗେଟ୍ ସମେତ ବାହାର ଗେଟ୍ ବନ୍ଦ ରହୁଛି । ସେହିପରି ୱାଡ୍ର୍ ଆଟେଣ୍ଡାଣ୍ଟ୍ ଏବଂ ସୁରକ୍ଷା କର୍ମୀମାନେ ମଧ୍ୟ ଜଗି ରହୁଛନ୍ତି । ଏତେ ସବୁ ସୁରକ୍ଷା ବ୍ୟବସ୍ଥା ଥାଇ ରାତି ସମୟରେ ଅଭିଯୁକ୍ତ ନାବାଳକ ଜଣକ କିଭଳି ୱାର୍ଡ ଭତିରୁ ଖସି ବାହାରକୁ ପଳାଉଛି, ତାହା ପ୍ରଶ୍ନବାଚୀ ସୃଷ୍ଟି କରିଛି ।