ଚିରା ପାସପୋର୍ଟ ଯୋଗୁଁ ଏୟାରପୋର୍ଟରେ ଖୋଲିଗଲା ପତିଙ୍କ ରାଜ୍, ରାଗରେ ପତ୍ନୀ ନେଲେ ଏମିତି ନିଷ୍ପତ୍ତି…

ନୂଆଦିଲ୍ଲୀ ୨୩/୧୧: ଏୟାରପୋର୍ଟରେ ଖୋଲିଗଲା ବ୍ୟବସାୟୀଙ୍କ ରାଜ୍ । ନିଜ ପତ୍ନୀଙ୍କୁ ଲୁଚାଇ ଦୁଇ ଦୁଇ ଥର ଥାଇଲାଣ୍ଡ ବୁଲି ଯାଇଥିଲେ । କିନ୍ତୁ ଶେଷରେ ଧରାପଡିଗଲେ । ଆଇଜିଆଇ ଏୟାରପୋର୍ଟ ଟି-୩ରେ ନିଜ ପତ୍ନୀଙ୍କ ସହିତ ଦୁବାଇ ବୁଲି ଯାଉଥିବା ସମୟରେ ଅଚାନକ ଘଟିଗଲା ଏହି ଘଟଣା । ସତ ଜାଣିବା ପରେ ଆଉ ବୁଲା ନୋହିଲା । ଏୟାରପୋର୍ଟରୁ ହିଁ ପତ୍ନୀ ରାଗରେ ନିଆଁ ହୋଇ ଘରକୁ ଫେରିଗଲେ ।

ପୂର୍ବରୁ ଦେଶ ଭିତରେ ହିଁ ବିଜନେସ୍ ଟୁର ଯାଉଛି ବୋଲି କହି ବ୍ୟବସାୟୀଜଣକ ଥାଇଲାଣ୍ଡ ପଳେଇଥିଲେ । ପୁଣି ୨ ଥର । କିନ୍ତୁ ଶନିବାର ଏୟାରପୋର୍ଟରେ ଯାଞ୍ଚ ସମୟରେ ଏନେଇ ଖୁଲାସା ହୋଇଗଲା । ଏହି ସତ ଜାଣିବା ପରେ ପତ୍ନୀ ଜଣକ ଖପ୍ପା ହୋଇଗଲେ । ମାମଲାଟି ଶନିବାରର ପ୍ରାୟ ରାତି ୯ଟା ସମୟର । ଇମିଗ୍ରେସନ କାଉଣ୍ଟରରେ ଦମ୍ପତି ଦୁବାଇ ଯିବା ପାଇଁ ନିଜ କ୍ଲିୟରାନ୍ସ କରାଇବାକୁ ଆସିଲେ । ବାରଣାସୀରେ ରହୁଥିବା ବ୍ୟବସାୟୀଙ୍କ ପାସପୋର୍ଟ ଯାଞ୍ଚ ସମୟରେ ଇମିଗ୍ରେସନ ଅଧିକାରୀ ଜାଣିବାକୁ ପାଇଲେ ଯେ ସେଥିରେ ୨ ପେଜ୍ ଚିରାଯାଇଛି ।

ବ୍ୟବସାୟୀଙ୍କୁ ଏହାର କାରଣ ପଚାରିବାରୁ ସେ କହିଲେ କି ସେ କିଛି ଜାଣିନାହାଁନ୍ତି । କେହି ଚିରି ଦେଇଥିବ ବୋଲି କହିଲେ । ପରେ ଯାଞ୍ଚରେ ଜଣାପଡିଲା କି ସେ ପୂର୍ବରୁ ୨ ଥର ଥାଇଲାଣ୍ଡ ଯାଇସାରିଛନ୍ତି । ଏହାର କାରଣ ପଚାରିବାରୁ ସେ ନିଜ ପତ୍ନୀଙ୍କୁ ଟିକେ ଦୂରକୁ ପଠାଇଦେଇ ଅଧିକାରୀମାନଙ୍କୁ ବୁଝାଇବା ପାଇଁ ଚେଷ୍ଟା କଲେ । କିନ୍ତୁ ପତ୍ନୀ ଜଣକ ଖପ୍ପା ହୋଇ କହିଲେ ‘ଯାହା କହିବା କଥା ମୋ ଆଗରେ କୁହ ।’ ଶେଷରେ ବିଚରା ପତିଙ୍କୁ ସତ ଖୋଲିବାକୁ ପଡିଲା ।

ପତି ଥାଇଲାଣ୍ଡ ଯିବା କଥା ଶୁଣି ପତ୍ନୀ ରାଗରେ ନିଆଁ ହୋଇଗଲେ । ସେ ଦୁବାଇ ଯିବା ପାଇଁ ମନା କରିଦେଲେ । ଅନ୍ୟପଟେ ପାସପୋର୍ଟରେ ଏଭଳି ଚିରାଚିରି କରିଥିବାରୁ ମାମଲାର ସୂଚନା ଏୟାରପୋର୍ଟ ପୋଲିସକୁ ଦିଆଗଲା । ପୋଲିସ ପାସପୋର୍ଟ ଆକ୍ଟ ଅନୁସାରେ ମାମଲା ରୁଜୁ କଲା । ଶେଷରେ ଜଣାପଡିଲା ଯେ ବ୍ୟବସାୟୀଜଣକ ଥରେ କୋଲକାତାରୁ ଏବଂ ଆଉ ଥରେ ବନାରସରୁ ଥାଇଲାଣ୍ଡ ଯାତ୍ରା କରିଥିଲେ । ତେବେ ଥାଇଲାଣ୍ଡ ଯିବା କଥା ଶୁଣି ପତ୍ନୀ କାହିଁକି ଖପ୍ପା ହେଲେ ଏକଥା ଆପଣ ଜାଣିପାରୁଥିବେ । କହିରଖୁଛୁ ଥାଇଲାଣ୍ଡ ସ୍ପା ଏବଂ ମସାଜ ପାଇଁ ମଧ୍ୟ ଫେମସ ଏବଂ ଏଥିପାଇଁ ମଧ୍ୟ ଅନେକ ଲୋକ ସେଠାକୁ ବୁଲିବାକୁ ଯାଇଥାନ୍ତି ।