PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ଵର : ବହୁ ଚର୍ଚ୍ଚିତ ବୁଲିବାଇ ଆପ୍ ମାମଲା, ଭୁବନେଶ୍ଵରରୁ ମୁଖ୍ୟ ଅଭିଯୁକ୍ତ ଗିରଫ
  • ||
  • ମାଲକାନଗିରି : ଦାନ୍ତେୱାଡାରେ ଏନକାଉଣ୍ଟର, ହାର୍ଡକୋର୍ ମାଓନେତା ମୁଇଆ ମାଡକାମ ନିହତ
  • ||
  • ବାଲିପାଟଣା : କଟନି ଛଟନୀକୁ ବିରୋଧ କରି ଚାଷୀଙ୍କ ରାସ୍ତାରୋକ
  • ||
  • ରାୟଗଡ଼ା : ବିଷାକ୍ତ ମଦ୍ୟପାନ କରି ଦୁଇ ଭାଇଙ୍କ ମୃତ୍ୟୁ ଅଭିଯୋଗ
  • ||
  • କାମାକ୍ଷାନଗର : ସାହି ଭିତରେ ପଶି ଆକ୍ରମଣ କଲା ଜଙ୍ଗଲୀ ବାରହା, ୬ ଆହତ ଜଣେ ଗୁରୁତର
  • ||
  • ଭୁବନେଶ୍ଵର: ଆଇସିୟୁରେ ରୋଗୀ ନାହାଁନ୍ତି, ଅକ୍ସିଜେନ୍‌ର ଆବଶ୍ୟକତା ନାହିଁ, ସ୍ଥିତି ନିୟନ୍ତ୍ରଣାଧୀନ : ଜନସ୍ଵାସ୍ଥ୍ୟ ନିର୍ଦ୍ଦେଶକ
  • ||
  • ଭୁବନେଶ୍ୱର: ରାଜ୍ୟରେ ଆଉ ୭ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୫୦୧କୁ ବୃଦ୍ଧି
  • ||
  • କଟକ : ଲିଙ୍ଗ ନିରୂପଣ ମାମଲାରେ ଦୁଇ ଦଲାଲ୍‌ ଗିରଫ, ଦେଢ଼ ହଜାର କମିସନ୍‌ ରଖି ମହିଳାଙ୍କୁ ପଠାଉଥିଲେ
  • ||
  • ଚୌଦ୍ଵାର : ସୁନା ବ୍ୟବସାୟୀଙ୍କ ଉପରକୁ ଗୁଳିମାଡ଼, ଲକ୍ଷାଧିକ ଟଙ୍କାର ସୁନାଗହଣା ଲୁଟିନେଲେ ୩ ଦୁର୍ବୃତ୍ତ
  • ||
  • ଭୁବନେଶ୍ୱର : ରାଜ୍ୟରେ ୨୪ ଘଣ୍ଟା ମଧ୍ୟରେ ଚିହ୍ନଟ ହେଲେ ୧୦,୩୬୮ ଜଣ କରୋନା ପଜିଟିଭ
  • ||
  • ଭୁବନେଶ୍ୱର : ବଦଳିଲା ପାଗ, ଆସନ୍ତାକାଲିଠୁ ପୁଣି ବର୍ଷିବ
  • ||

ଶୀତରେ ଆସୁଛି ବାତ୍ୟା : ୩ରାତିରୁ ଉପକୂଳରେ ପ୍ରବଳ ବର୍ଷା, ପବନ

ଭୁବନେଶ୍ୱର,୧/୧୨ : ଶୀତରେ ଆସୁଛି ବାତ୍ୟା । ଭୀଷଣ ରୂପ ନେଇ ଆସନ୍ତା ୪ ତାରିଖ (ଶନିବାର) ଦକ୍ଷିଣ ଓଡ଼ିଶା କିମ୍ବା ଉତ୍ତର ଆନ୍ଧ୍ର ଉପକୂଳ ଛୁଇଁବ । ପବନ ବହିବ ୧୦୦ କିମିରୁ ଅଧିକ ବେଗରେ । ପ୍ରବଳରୁ ପ୍ରବଳତର ବର୍ଷା ଅଜାଡ଼ିବ ସାରା ଉପକୂଳ ଓଡ଼ିଶାରେ । ସିଧା ମାଡ଼ ହେଉ କି ଘଷି ହୋଇ ଯାଉ, ସମ୍ଭାବ୍ୟ ବାତ୍ୟାରେ ପ୍ରଭାବିତ ହେବ ଓଡ଼ିଶା ।

ଦକ୍ଷିଣ ଥାଇଲାଣ୍ଡ ଓ ପାଶ୍ୱର୍ବର୍ତ୍ତୀ ଅଞ୍ଚଳରେ ସୃଷ୍ଟି ହୋଇଛି ଲଘୁଚାପ । ମଙ୍ଗଳବାର ସକାଳ ସୁଦ୍ଧା ଆଣ୍ଡାମାନ ସାଗରରେ ପହଞ୍ଚିଯିବ । ପ୍ରଥମେ ପଶ୍ଚିମ-ଉତ୍ତର ପଶ୍ଚିମରେ ମୁହାଁଇବ । ଆସନ୍ତା ୨ ତାରିଖରେ ଏହା ଅବପାତ ରୂପ ନେବ । ଆହୁରି ଘନୀଭୂତ ହୋଇ ୩ ତାରିଖ (ଶୁକ୍ରବାର) ବାତ୍ୟାରେ ପରିଣତ ହେବ । ବାତ୍ୟାର ନାଁ ରହିବ ‘ଜୋୱାଦ୍‌’ । ଭାରତୀୟ ପାଣିପାଗ କେନ୍ଦ୍ର (ଆଇଏମଡି)ର ଅଧିକାଂଶ ମଡେଲ ଆକଳନ କରିଛନ୍ତି ଯେ, ଏହା ଆହୁରି ବଳ ଜୁଟାଇ ଭୀଷଣ ବାତ୍ୟା ରୂପ ନେଇପାରେ । ସାଧାରଣତଃ ଭୀଷଣ ବାତ୍ୟା (ସିଭିୟର ସାଇକ୍ଲୋନ) ହେଲେ ପବନ ବେଗ ଘଣ୍ଟା ପ୍ରତି ୯୦ରୁ ୧୨୦ କିମି ପର୍ଯ୍ୟନ୍ତ ରହିଥାଏ ।

ପ୍ରଥମେ ଏହା ପଶ୍ଚିମ-ଉତ୍ତର ପଶ୍ଚିମ ଦିଗରେ ତାମିଲନାଡ଼ୁ ଆଡ଼କୁ ମୁହାଁଇବ । ପରେ ଦିଗ ବଦଳାଇ ଉତ୍ତର-ଉତ୍ତର ପଶ୍ଚିମରେ ଆନ୍ଧ୍ର-ଓଡ଼ିଶାକୁ ମୁହାଁଇବ । ୪ ତାରିଖ ସକାଳେ ଉତ୍ତର ଆନ୍ଧ୍ର ଏବଂ ଦକ୍ଷିଣ ଓଡ଼ିଶା ଉପକୂଳର ପାଖରେ ଥିବ ବାତ୍ୟା । ଶନିବାର ହିଁ ସ୍ଥଳଭାଗ ଛୁଇଁବା ସମ୍ଭାବନା ଅଧିକ । ଭାରତୀୟ ପାଣିପାଗ ବିଭାଗ ନିର୍ଦ୍ଦେଶକ ଡକ୍ଟର ମୃତ୍ୟୁଞ୍ଜୟ ମହାପାତ୍ର କହିଛନ୍ତି, ସମ୍ଭାବ୍ୟ ବାତ୍ୟା ଭୀଷଣ ରୂପ ନେବାର ଅଧିକ ସମ୍ଭାବନା ରହିଛି । ଉପକୂଳ ଓଡ଼ିଶାକୁ ଏହା ପ୍ରଭାବିତ କରିବ । ପ୍ରବଳ ବର୍ଷା ସହ ପବନ ବି ହେବ । ତେବେ ସ୍ଥଳଭାଗ ଛୁଇଁବା ନେଇ ଏବେଠାରୁ ନିର୍ଦ୍ଦିଷ୍ଟ ଆକଳନ କରିହେବନି ।

ଆସନ୍ତା ୩ ରାତିରୁ ବର୍ଷା ଆରମ୍ଭ ହେବା ସହ ଓଡ଼ିଶା ଉପକୂଳରେ ୪୫ରୁ ୫୫ କିମି ଓ ମଝିରେ ମଝିରେ ପବନ ଧକ୍କା ୬୫ କିମି ଛୁଇଁପାରେ । ୪ ତାରିଖ ଅପରାହ୍ନରୁ ୫ ତାରିଖ ଭୋର ପର୍ଯ୍ୟନ୍ତ ୭୦-୮୦ କିମି ଓ ସର୍ବାଧିକ ୯୦ କିମି ବେଗରେ ପବନ ମାଡ଼ ହୋଇପାରେ । କୃଷି ପାଣିପାଗ ବୈଜ୍ଞାନିକ ଡକ୍ଟର ସୁରେନ୍ଦ୍ରନାଥ ପଶୁପାଳକ କହିଛନ୍ତି, ପ୍ରଥମେ ଏହା   ପଶ୍ଚିମ-ଉତ୍ତର ପଶ୍ଚିମକୁ ଗତି କରିବ । ୪୮ ଘଣ୍ଟା ପରେ ଉତ୍ତର ପଶ୍ଚିମ ଏବଂ ୭୨ ଘଣ୍ଟା ପରେ ପୁଣି ଦିଗ ବଦଳାଇ ଉତ୍ତର-ଉତ୍ତର ପୂର୍ବରେ ମୁହାଁଇବ ।  ଗୋଟିଏ ସମ୍ଭାବନା ହେଲା ଯେ ଏହା ଓଡ଼ିଶାକୁ ମୁହାଁଇବ । ଦିଗ ବଦଳାଇବା ପୂର୍ବରୁ ଉପକୂଳର ଅଧିକ ନିକଟତର ହେବ । ଶ୍ରୀକାକୁଲମରୁ ପୁରୀ ଭିତରେ ସ୍ଥଳଭାଗ  ଛୁଇଁ ଓଡ଼ିଶାର ଗଞ୍ଜାମ ଓ ପରେ ଉପକୂଳ ଜିଲ୍ଲା ଏବଂ ସଂଲଗ୍ନ ଜିଲ୍ଲା ମଧ୍ୟ ଦେଇ ଉପକୂଳର ସମାନ୍ତରାଳରେ ସ୍ଥଳଭାଗରେ ଗତି କରି ପଶ୍ଚିମବଙ୍ଗ ଆଡ଼କୁ ମୁହାଁଇବା ସମ୍ଭାବନା ଅଛି ।

ତେବେ ଦ୍ୱିତୀୟ ସମ୍ଭାବନା ହେଲା, ଏହା ଓଡ଼ିଶା ଉପକୂଳର ସମାନ୍ତରାଳରେ ପ୍ରାୟ ୭୦ କିମି ଦୂରରେ ସମୁଦ୍ରରେ ଗତି କରିବ । ଅର୍ଥାତ୍‌ ଉପକୂଳରେ ଘଷି ହୋଇ ୫ ତାରିଖ ମଧ୍ୟରାତ୍ରିରେ ବାଂଲାଦେଶ କିମ୍ବା ପଶ୍ଚିମବଙ୍ଗ ଛୁଇଁପାରେ । ଓଡ଼ିଶା ଉପକୂଳ ପାଖକୁ ଆସିବା ପରେ ଏହା ଅଧିକ ଘନୀଭୂତ ହେବ । ଏଭଳି ହେବାର ଅଧିକ ସମ୍ଭାବନା ରହିଛି । ଯେଉଁଠାରେ ସ୍ଥଳଭାଗ ଛୁଇଁଲେ ମଧ୍ୟ ରାଜ୍ୟରେ ପ୍ରବଳ ବର୍ଷା ହେବ । ୪ ତାରିଖ ମଧ୍ୟରାତ୍ରିରୁ ୫ ତାରିଖ ମଧ୍ୟାହ୍ନ ଯାଏ ଅତି ପ୍ରବଳ ବର୍ଷା ହୋଇପାରେ । ଓଡ଼ିଶା ପାଖ ଦେଇ ଯିବାବେଳେ ଏହା ଭୀଷଣ ବାତ୍ୟା ଅବସ୍ଥାରେ ଥିବା ସମ୍ଭାବନା ଅଛି । ଯଦି ବି ଏହା ଆନ୍ଧ୍ର ଉପକୂଳ ଛୁଏଁ, ତଥାପି ଓଡ଼ିଶାରେ ଆସନ୍ତା ୩ରୁ ପାଗ ବଦଳିବ । ଏମିତି ହେଲେ ୩ ଓ ୪ରେ ଦୁଇଦିନ ରାଜ୍ୟରେ ବର୍ଷା ହେବ ।

ପାଣିପାଗ ବିଭାଗ କହିଛି, ଆସନ୍ତା ୩ ତାରିଖରେ ଗଜପତି, ଗଞ୍ଜାମ, ପୁରୀ, ଜଗତସିଂହପୁରର ଗୋଟିଏ ଦୁଇଟି ସ୍ଥାନରେ ପ୍ରବଳ ବର୍ଷା ହେବ । ୪ରେ ଗଜପତି, ଗଞ୍ଜାମ, ପୁରୀ, ଖୋର୍ଦ୍ଧା, ନୟାଗଡ଼, ଜଗତସିଂହପୁର, କେନ୍ଦ୍ରାପଡ଼ା, କଟକ, ଭଦ୍ରକ, ବାଲେଶ୍ୱର, ଯାଜପୁରରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ । ଗଞ୍ଜାମ, ପୁରୀ, ଜଗତସିଂହପୁରରେ ସ୍ଥାନେ ସ୍ଥାନେ ଅତ୍ୟନ୍ତ ପ୍ରବଳ ବର୍ଷା ଆଶଙ୍କା ଅଛି । ୫ରେ ଜଗତସିଂହପୁର, କେନ୍ଦ୍ରାପଡ଼ା, କଟକ, ଭଦ୍ରକ, ବାଲେଶ୍ୱର, ଯାଜପୁର, ମୟୂରଭଞ୍ଜ, କେନ୍ଦୁଝର, ଢେଙ୍କାନାଳରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହୋଇପାରେ । ସମୁଦ୍ର ଅଶାନ୍ତ ରହିବ । ତେଣୁ ୩ରୁ ୫ ତାରିଖ ଯାଏ ମତ୍ସ୍ୟଜୀବୀଙ୍କୁ ସମୁଦ୍ର ଭିତରକୁ ଯିବା ପାଇଁ ବାରଣ କରାଯାଇଛି । ସମ୍ଭାବ୍ୟ ବାତ୍ୟା ନେଇ ସ୍ୱତନ୍ତ୍ର ରିଲିଫ୍‌ କମିଶନର ସମସ୍ତ ଜିଲ୍ଲାପାଳଙ୍କୁ ସତର୍କତା ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦେଇଛନ୍ତି ।