PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ଵର : ରାଜ୍ୟରେ ହାରୁଛି କରୋନା, ୨୪ ଘଣ୍ଟା ମଧ୍ୟରେ ୩ ପଜିଟିଭ୍ ଚିହ୍ନଟ
  • ||
  • ଭୁବନେଶ୍ୱର : ୧୦ ଜିଲ୍ଲାରେ ପ୍ରବଳ ବର୍ଷିଲା, ଆଜିଠୁ ବଢ଼ିବ ତାପମାତ୍ରା
  • ||
  • ଭଞ୍ଜନଗର : ଭାରସାମ୍ୟ ହରାଇ ଓଲଟିଲା ଟୁରିଷ୍ଟ ବସ୍, ୬ ମୃତ ୩୦ରୁ ଉର୍ଦ୍ଧ୍ଵ ଆହତ
  • ||
  • ରାଇରଙ୍ଗପୁର : ସାପ୍ତାହିକ ହାଟରେ ଗୁଳିକାଣ୍ଡ, ଗୋରୁ ବେପାରୀଙ୍କୁ ଗୁଳି କରି ୨୦ଲକ୍ଷ ଟଙ୍କା ଲୁଟିନେଲେ ଦୁର୍ବୃତ୍ତ
  • ||

ୱିପ୍ରୋ ଜମି ଫେରାଇ ନେବେ ସରକାର

ଭୁବନେଶ୍ୱର,୧୫ା୪(ବ୍ୟୁରୋ): ୱିପ୍ରୋ, ଭୁବନେଶ୍ୱର ପ୍ରକଳ୍ପର ସମ୍ପ୍ରସାରଣ କାର୍ଯ୍ୟ ଅତ୍ୟନ୍ତ ଧୀମା ରହିଛି । ପ୍ରକଳ୍ପର ଅଗ୍ରଗତିକୁ ନେଇ ଓଡ଼ିଶା ସରକାର ତୀବ୍ର ଅସନ୍ତୋଷ ପ୍ରକାଶ କରିଛନ୍ତି । ଭୁବନେଶ୍ୱର ସେଣ୍ଟରର ସମ୍ପ୍ରସାରଣ ପାଇଁ ରାଜ୍ୟ ସରକାର କମ୍ପାନିକୁ ଦେଇଥିବା ଜମିକୁ ଏହା ବ୍ୟବହାର କରୁନାହିଁ । ଏକ ପୂର୍ଣ୍ଣାଙ୍ଗ ସେଣ୍ଟର ବିକାଶ କରିବାରେ କମ୍ପାନି ବିଫଳ ହୋଇଛି । ତେଣୁ ଅବ୍ୟବହୃତ ଜମିକୁ ଫେରାଇ ନେବା ପାଇଁ ବିଚାର କରାଯାଉଥିବା ଜଣେ ସରକାରୀ ଅଧିକାରୀ ସୂଚନା ଦେଇଛନ୍ତି ।
ରାଜ୍ୟର ଆଇଟି ଶିଳ୍ପର ସର୍ବପ୍ରଥମ ପ୍ରବର୍ତ୍ତକ ସାଜିଥିଲା ୱିପ୍ରୋ । କିନ୍ତୁ ସମ୍ପ୍ରସାରଣ କାର୍ଯ୍ୟକୁ ଆଗେଇ ନେବାରେ ଏହା ମନ୍ଥର ଆଭିମୁଖ୍ୟ ପ୍ରକାଶ କରିଛି । ପ୍ରତିଯୋଗୀ ଟାଟା କନ୍‌ସଲ୍‌ଟାନ୍ସି ସର୍ଭିସେସ୍‌(ଟିସିଏସ୍‌) ଏବଂ ଇନ୍‌ଫୋସିସ୍‌ ଏ ଦିଗରେ ଯଥେଷ୍ଟ ଆଗକୁ ବଢ଼ିଯାଇଥିବାବେଳେ ପଛରେ ପଡିଛି ୱିପ୍ରୋ । ଭୁବନେଶ୍ୱର ସେଣ୍ଟରକୁ ସମ୍ପ୍ରସାରଣ କରିବା ପାଇଁ କମ୍ପାନି ଦେଇଥିବା ପ୍ରତିଶ୍ରୁତିରେ ବିଫଳ ହୋଇଛି । ତେଣୁ ଏହା ରାଜ୍ୟ ସରକାରଙ୍କ କଡା ଆକ୍ରୋଶର ଶିକାର ହୋଇଛି । ରାଜଧାନୀ ଭୁବନେଶ୍ୱରସ୍ଥିତ ଆଇଟି ପାର୍କ ‘ଇନ୍‌ଫୋସିଟି’ରେ କମ୍ପାନିକୁ ରାଜ୍ୟ ସରକାର ୨୬ ଏକର ଜମି ଲିଜ୍‌ ବାବଦ ପ୍ରଦାନ କରିଛନ୍ତି ।
ଏହି ପରିପ୍ରେକ୍ଷୀରେ ଜଣେ ସରକାରୀ ଅଧିକାରୀ ପ୍ରକାଶ କରିଛନ୍ତି ଯେ, ୱିପ୍ରୋଠାରୁ ଅବ୍ୟବହୃତ ଜମିକୁ ଫେରାଇ ନେବା ପାଇଁ ଆମେ ଯୋଜନା କରିଛୁ । ଇନ୍‌ଫୋସିଟିରେ ଜମିର ଅଭାବ ରହିଛି । ବହୁ କ୍ଷୁଦ୍ର ତଥା ମଧ୍ୟମ ଧରଣ କମ୍ପାନି ଏଠାରେ ଜମି ଆବଶ୍ୟକ କରୁଛନ୍ତି । ୱିପ୍ରୋଠାରୁ ଜମି ଫେରାଇ ଆଣି ତାହାକୁ ଆଗ୍ରହୀ କମ୍ପାନିଗୁଡିକୁ ଆବଣ୍ଟନ କରାଯିବାର ଯୋଜନା ହେଉଛି ।
ସରକାରୀ ସୂତ୍ରରୁ ଜଣାଯାଇଛି ଯେ, ୱିପ୍ରୋକୁ ଯେତିକି ଜମି ରାଜ୍ୟ ସରକାର ପ୍ରଦାନ କରିଥିଲେ ତାହାର ୪୦% ଏହା ବ୍ୟବହାର କରିଛି । ଏହାର ସେଣ୍ଟରରେ ବର୍ତ୍ତମାନ ୬୦୦ ଜଣ କାର୍ଯ୍ୟ କରୁଛନ୍ତି ।
୨୦୦୫ରେ ରାଜ୍ୟ ସରକାର କମ୍ପାନିକୁ ୨୬ ଏକର ଜମି ଦେଇଥିଲେ । ୨୦୦୭ରେ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଥିଲା । ୨୦୧୨ ସେପ୍ଟେମ୍ବର ୨୪ରେ ଏହାର ଶୁଭାରମ୍ଭ ହୋଇଥିଲା ।
ପ୍ରଥମ ଥର ପାଇଁ ସରକାର ୱିପ୍ରୋ ଉପରେ ଅସନ୍ତୋଷ ପ୍ରକାଶ କରୁନାହାନ୍ତି । ୨୦୧୫ରେ ବି ସରକାର କମ୍ପାନିଠାରୁ ଅବ୍ୟବହୃତ ଜମି ଫେରାଇନେବାକୁ ଚେତାବନୀ ଦେଇଥିଲେ । ଏହାର ଉତ୍ତରରେ ୱିପ୍ରୋ କହିଥିଲା ଯେ, ଏହା ଭୁବନେଶ୍ୱର ସେଣ୍ଟରର ସମ୍ପ୍ରସାରଣ କରିବ ଏବଂ ଏଠାରେ କମ୍ପାନି ଏକ ପୂର୍ଣ୍ଣାଙ୍ଗ ୟୁନିଟ୍‌ ପ୍ରସ୍ତୁତ କରିବାକୁ ଚାହୁଁଛି, ଯେଉଁଠି ୨୮୦୦୦ ଲୋକ କାର୍ଯ୍ୟ କରିପାରିବେ । ତେବେ ନିଜ ପ୍ରତିଶ୍ରୁତିକୁ ଆଗେଇ ନେବାରେ କମ୍ପାନି ଅତ୍ୟନ୍ତ ଧୀମା ରହିଛି । ନିର୍ଦ୍ଧାରିତ ସମୟସୀମା ମଧ୍ୟରେ ଏହା ଭୁବନେଶ୍ୱର ସେଣ୍ଟରର ସମ୍ପ୍ରସାରଣ କରିପାରିନାହିଁ ।
ଟିସିଏସ୍‌, ଇନ୍‌ଫୋସିସ୍‌ ଏବଂ ଟେକ୍‌ ମହିନ୍ଦ୍ରା ନିଜ ନିଜର କର୍ମଚାରୀ ସଂଖ୍ୟା ବଢ଼ାଇଥିବାବେଳେ ଏଥିରେ ୱିପ୍ରୋ ବିଫଳ ହୋଇଛି । ଅନ୍ୟ କମ୍ପାନିଗୁଡିକ ଭୁବନେଶ୍ୱରରେ ପୂର୍ଣ୍ଣକ୍ଷମ ସେଣ୍ଟର ବିକାଶ କରିଥିବାବେଳେ ୱିପ୍ରୋ ଏଥିରେ ସଫଳ ହୋଇ ନ ଥିବା ସରକାରୀ ଅଧିକାରୀଜଣକ କହିଛନ୍ତି ।

ସମ୍ବନ୍ଧିତ ଖବର