ମାଧ୍ୟମିକ ଶିକ୍ଷା ପରିଷଦରେ ପ୍ରାଶାସନିକ ଅଚଳାବସ୍ଥା, ବିନା ସଭାପତିରେ ଚାଲିଛି ବୋର୍ଡ: ଦରମା ପାଉନାହାନ୍ତି ଅସ୍ଥାୟୀ କର୍ମଚାରୀ

କଟକ ୧୭/୯ : ରାଜ୍ୟରେ ମାଧ୍ୟମିକ ଶିକ୍ଷା ବ୍ୟବସ୍ଥା ପରିଚାଳନା କରୁଥିବା ସ୍ୱୟଂଶାସିତ ସଂସ୍ଥା ମାଧ୍ୟମିକ ଶିକ୍ଷା ପରିଷଦ (ବୋର୍ଡ)ରେ ଏବେ ପ୍ରଶାସନିକ ଅଚଳାବସ୍ଥା ସୃଷ୍ଟି ହୋଇଛି । ବୋର୍ଡର ସଭାପତି ପଦରେ ଏବେ କେହି ନଥିବାରୁ ବୋର୍ଡର ଦୈନନ୍ଦିନ କାର୍ଯ୍ୟ ବାଧାପ୍ରାପ୍ତ ହେବା ସହ ଆର୍ଥିକ ଦେଣନେଣ କାରବାର ବି ପ୍ରଭାବିତ ହୋଇଛି । ଏପରିକି ସଭାପତିଙ୍କ ଅନୁପସ୍ଥିତି କାରଣରୁ ବୋର୍ଡର ୭୯ ଜଣ କର୍ମଚାରୀ ଗତମାସର ଦରମା ପାଇ ପାରିନାହାନ୍ତି । ବୋର୍ଡ ସଭାପତି କେବେ ନିଯୁକ୍ତ ହେବେ ସେନେଇ କୌଣସି ସ୍ପଷ୍ଟ ସୂଚନା ମିଳୁନଥିବାରୁ ପ୍ରଶାସନିକ ସ୍ତରରେ ବିଭିନ୍ନ କାର୍ଯ୍ୟ ଦିଗହରା ହୋଇଯାଇଛି ।

ମିଳିଥିବା ସୂଚନା ମୁତାବକ, ମାଧ୍ୟମିକ ଶିକ୍ଷା ପରିଷଦ(ବୋର୍ଡ)ର ସଭାପତି ଥିବା ଡକ୍ଟର ଜାହାନ ଆରା ବେଗମ୍‌ ଗଲା ଅଗଷ୍ଟ ୩୧ରୁ ଅବସର ନେଇଛନ୍ତି । ସାଧାରଣତଃ ଜଣେ ସଭାପତି ଅବସର ନେବା ପରେ ପରେ ହିଁ ଅତିକମ୍‌ରେ ଜଣେ ଭାରପ୍ରାପ୍ତ ସଭାପତି ନିଯୁକ୍ତି ପାଆନ୍ତି । ପରେ ବୋର୍ଡର ନୂତନ ସଭାପତି ନିଯୁକ୍ତି ହୋଇଯାଆନ୍ତି । କିନ୍ତୁ ଚଳିତଥର ଏକ ବ୍ୟତିକ୍ରମ ଭାବେ ଏଯାବତ୍‌ ଭାରପ୍ରାପ୍ତ କିମ୍ବା ନୂତନ ବୋର୍ଡ ସଭାପତି ଭାବେ ସରକାର କାହାକୁ ନିଯୁକ୍ତି ଦେଇନାହାନ୍ତି । ବୋର୍ଡ ଦ୍ୱାରା ପ୍ରତ୍ୟେକ ବର୍ଷ ଗୁରୁତ୍ୱପୂର୍ଣ୍ଣ ମାଟ୍ରିକ୍‌ ପରୀକ୍ଷା କରାଯିବା ସହ ମାଟ୍ରିକ୍‌ ସପ୍ଲିମେଣ୍ଟାରୀ ପରୀକ୍ଷା, ଓଡ଼ିଶା ଶିକ୍ଷକ ଯୋଗ୍ୟତା ପରୀକ୍ଷା, ଓଏସ୍‌ଟିଇଟି, ସଂସ୍କୃତ ମଧ୍ୟମା, ରାଜ୍ୟ ମୁକ୍ତ ବିଦ୍ୟାଳୟ ସାର୍ଟିଫିକେଟ୍‌ ପରୀକ୍ଷା, ଅର୍ଦ୍ଧବାର୍ଷିକ ଏକକ ଓଡ଼ିଆ ପରୀକ୍ଷା, ବାର୍ଷିକ ଓଡ଼ିଆ ଏକକ ପରୀକ୍ଷା ଓ ବିଭିନ୍ନ ବୃତ୍ତି ପରୀକ୍ଷା ଆଦି କରାଯାଇଥାଏ ।

ପ୍ରତିବର୍ଷ ନବମ ଓ ଦଶମ ଶ୍ରେଣୀ ପିଲାମାନଙ୍କ ପାଇଁ ବହି ମୁଦ୍ରଣ ମଧ୍ୟ କରାଯାଇଥାଏ । ରାଜ୍ୟରେ ଥିବା ୫ଟି ବୋର୍ଡ ଜୋନାଲ୍‌ କାର୍ଯ୍ୟାଳୟ ସହିତ ସେକେଣ୍ଡାରୀ ବୋର୍ଡ ହାଇସ୍କୁଲ ଓ କଟକ କେନ୍ଦ୍ରୀୟ କାର୍ଯ୍ୟାଳୟରେ ୨୨୦ ସ୍ଥାୟୀ ଓ ୭୯ ଜଣ ଅସ୍ଥାୟୀ କର୍ମଚାରୀ ଏବେ ବୋର୍ଡରେ କାର୍ଯ୍ୟ କରୁଛନ୍ତି । ୨୨୦ ଜଣ ସ୍ଥାୟୀ କର୍ମଚାରୀଙ୍କୁ ଦରମା ମିଳିସାରିଥିବା ବେଳେ ୭୯ ଜଣ ଅସ୍ଥାୟୀ କର୍ମଚାରୀ ଦରମା ପାଇନାହାନ୍ତି । ଯାହାକୁ ନେଇ କର୍ମଚାରୀ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି । ଅନ୍ୟପକ୍ଷରେ ସଭାପତିଙ୍କ ଅନୁପସ୍ଥିତି କାରଣରୁ ଅନ୍ୟାନ୍ୟ ପ୍ରଶାସନିକ କାର୍ଯ୍ୟ ବି ହୋଇପାରୁନାହିଁ । ତେଣୁ ଯଥାଶୀଘ୍ର ବୋର୍ଡ ସଭାପତି ନିଯୁକ୍ତି ଦେବାକୁ ବିଭିନ୍ନ ମହଲରେ ମତପ୍ରକାଶ ପାଉଛି ।

   ସମ୍ବନ୍ଧିତ ଖବର


ଗ୍ୟାଙ୍ଗଷ୍ଟର ରାଜା ଆଚାର୍ଯ୍ୟ ବିରୋଧରେ ଲାଗିପାରେ NSA

ଉଠିଲା କଟକଣା : ଏଣିକି ଶ୍ରୀମନ୍ଦିରରେ ମିଳିବ ମହାପ୍ରସାଦ, ଭକ୍ତ ଦେଇପାରିବେ ବରାଦ

ଏମିତି ବି ଆସେ ମୃତ୍ୟୁ: ଟେଲର ମାଷ୍ଟରଙ୍କ ଦୋକାନ ସାମ୍ନରେ ସ୍ତ୍ରୀ ଓ ପୁଅ ଉପରେ ଚଢିଗଲା ଟ୍ରକ୍

ପୂର୍ବତନ ବିଧାୟକ ତଥା ବରିଷ୍ଠ କଂଗ୍ରେସ ନେତା ଗୁରୁପଦ ନନ୍ଦଙ୍କ ପରଲୋକ

ରଙ୍ଗ ନମ୍ବର କେଳେଙ୍କାରୀ: ପୋଲିସ ବାବୁଙ୍କ ଲଭ୍-ସେକ୍ସ- ଧୋକ୍କା, ଯୁବତୀ ଆଣିଲେ ସାଙ୍ଘାତିକ ଅଭିଯୋଗ

ଏଥର ଚାନ୍ଦା ଆଦାୟକାରୀଙ୍କ ଉପରେ କଡ଼ା ନଜର : କଟକ ପୂଜାରେ ୩୦ ପ୍ଲାଟୁନ ଫୋର୍ସ, ୧୦୦ ଅଫିସର ହେବେ ମୁତୟନ