ଦୁଇ ପୁଅଙ୍କୁ ବିଷ ପିଆଇ ମା’ର ଆତ୍ମହତ୍ୟା

ମାଲକାନଗିରି ୮/୯ : ଦାରିଦ୍ର‌୍ୟର ତାଡ଼ନାରୁ ପୁଣି ଚାଲିଯାଇଛି ୨ ଜୀବନ । ଦୁଇ ଶିଶୁପୁତ୍ରଙ୍କୁ ବିଷ ପିଆଇବା ପରେ ନିଜେ ବିଷ ପିଇ ଆତ୍ମହତ୍ୟା କରିଛି ମା’ । ବିଷ ପିଆଇଥିବା ଦୁଇ ଶିଶୁପୁତ୍ରଙ୍କ ମଧ୍ୟରୁ ଜଣକର ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଜଣେ ଗୁରୁତର ଅବସ୍ଥାରେ ଚିକିିତ୍ସିତ ହେଉଛି । ଏଭଳି ହୃଦୟ ବିଦାରକ ଘଟଣା ଘଟିଛି ମାଲକାନଗିରି ଜିଲ୍ଲା କାଲିମେଳା ବ୍ଲକ୍‌ ତେଲରାଇ ପଞ୍ଚାୟତର ତେଲରାଇ ଗାଁରେ । ମୃତ ମହିଳାଙ୍କ ନାଁ ମୁକେ ପଡିଆମୀ(୩୨) । ଆଜି ପୂର୍ବାହ୍ନ ୧୦ଟାରୁ ୧୧ଟା ମଧ୍ୟରେ ଏହି ଘଟଣା ଘଟିଛି, ଯାହା ସମଗ୍ର ମାଲକାନଗିରି ଜିଲ୍ଲାରେ ପୁଣି ଆଲୋଡନ ସୃଷ୍ଟି କରିଛି ।

ମିଳିଥିବା ସୂଚନା ଅନୁଯାୟୀ, ମୁକେଙ୍କ ସ୍ୱାମୀ ଶିଙ୍ଗା ପଡିଆମୀ ଯକ୍ଷ୍ମାରେ ଆକ୍ରାନ୍ତ ହୋଇ ୩ ବର୍ଷ ତଳେ ପ୍ରାଣ ହରାଇଥିଲେ । ତାଙ୍କ ମୃତ୍ୟୁରେ କୁନି କୁନି ୪ ପୁଅଝିଅ ବାପଛେଉଣ୍ଡ ହୋଇଯାଇଥିଲେ । ସେମାନେ ହେଲେ ମହେନ୍ଦ୍ର ପଡିଆମି (୧୧), ଦେବେନ୍ଦ୍ର ପଡିଆମି(୮), ମୁନା ପଡିଆମି(୬) ଓ ଝିଅ ଆରତୀ ପଡ଼ିଆମି(୧୦) । ସରକାରଙ୍କ ପକ୍ଷରୁ ଇନ୍ଦିରା ଆବାସଟିଏ ମିଳିନଥିବାରୁ ବୃଦ୍ଧା ଶାଶୂ ଶ୍ୱଶୁରଙ୍କ ପାଖରେ ରହୁଥିଲେ ବିଧବା ମୁକେ । ବହୁ କଷ୍ଟରେ ପରଘରେ ମୂଲ ଲାଗି ପିଲାଙ୍କ ପେଟକୁ ଦାନା ଯୋଗାଡ଼ କରିଆସୁଥିଲେ । ଘରେ ଯାହା ଗାଈଗୋରୁ ଏବଂ ଅନ୍ୟାନ୍ୟ ଜିନିଷ ଥିଲା-ସବୁ ସ୍ୱାମୀଙ୍କ ଚିକିତ୍ସାରେ ବିକ୍ରୀ ହୋଇଯାଇଥିଲା । ବଡ଼ ପୁଅ ମହେନ୍ଦ୍ର ଓ ଝିଅ ଆରତୀ ମଙ୍ଗଳ ବିଭାଗ ହଷ୍ଟେଲରେ ରହି ପଢୁଥିବା ବେଳେ ମୁକେଙ୍କ ନିକଟରେ ରହୁଥିଲେ ମୁନା ଓ ଦେବେନ୍ଦ୍ର । ସେମାନେ ଗାଁ ସ୍କୁଲରେ ପଢୁଥିଲେ । ଦିନକୁ ଦିନ ମୁକେଙ୍କ ପରିସ୍ଥିତି ଖରାପ ହେବାରେ ଲାଗିଥିଲା । ସ୍ୱାମୀଙ୍କ ମୃତ୍ୟୁକୁ ୩ ବର୍ଷ ବିତିଯାଇଥିଲେ ମଧ୍ୟ ତାଙ୍କୁ ପରିବାର କଲ୍ୟାଣ ଯୋଜନାରୁ ୨୦ହଜାର ଟଙ୍କାର ସହାୟତା ମିଳିନଥିଲା । ଅଭାବ ଅନଟନ ଯୋଗୁ ଅଧିକାଂଶ ସମୟରେ ଶାଶୂ ଏବଂ ବୋହୂଙ୍କ ମଧ୍ୟରେ ଝଗଡା ଲାଗୁଥିଲା ।

ଆଜି ପୂର୍ବାହ୍ନରେ ମୁକେ ତାଙ୍କ ପାଖରେ ରହୁଥିବା ଦୁଇ ପୁଅଙ୍କୁ ବିଷ ପିଆଇଦେବା ପରେ ନିଜେ ପିଇ ଦେଇଥିଲେ । ପିଲାମାନଙ୍କ ଚିତ୍କାର ଶୁଣି ଶାଶୂ ଶ୍ୱଶୁର, ଦିଅର ଏବଂ ଗ୍ରାମବାସୀ ଦେଖବା ବେଳକୁ ମୁକେ ଅଚେତ ହୋଇ ପଡ଼ିଥିଲେ । ତାଙ୍କ ପାଟିରୁ ଫେଣ ବାହାରୁଥିଲା । ଦୁଇଟି ପିଲାଙ୍କ ପାଟିରୁ ମଧ୍ୟ ଫେଣ ବାହାରୁଥିଲା । ସଙ୍ଗେ ସଙ୍ଗେ ସେମାନଙ୍କୁ କାଲିମେଳା ହସପିଟାଲ୍‌ ନିଆଯାଇଥିଲା । ସେଠାରେ ମୁକେ ଓ ମୁନାଙ୍କୁ ମୃତ ଘୋଷଣା କରିଥିଲେ ଡାକ୍ତର । ଗୁରୁତର ଅସୁସ୍ଥ ଥିବା ଦେବେନ୍ଦ୍ରର ଚିକିତ୍ସା କରାଯାଇଥିଲା । ଦାରିଦ୍ର‌୍ୟର ତାଡ଼ନାରେ ମାଆ ଏଭଳି ପଦକ୍ଷେପ ନେବାକୁ ବାଧ୍ୟ ହେଲା ବୋଲି ଗାଁରେ ଚର୍ଚ୍ଚା ହେଉଛି । ନିଜ ଜନ୍ମିତ ଶିଶୁଙ୍କୁ ବିଷ ଦେଇଦେଲା । ମୁକେଙ୍କ ଅନ୍ତେ ଏବେ ୩ ପିଲା ଅନାଥ ହୋଇ ପଡ଼ିଛନ୍ତି ।

ଘଟଣା ସମ୍ପର୍କରେ ତେଲରାଇ ସରପଞ୍ଚ ମୁକ୍ତା ସୋଡି ଏମ୍‌ଭି-୭୯ ଥାନାରେ ଅଭିଯୋଗ କରିଥିଲେ । ଅପରାହ୍ଣରେ ଏଏସ୍‌ଆଇ ନରସିଂହ ମାଝୀଙ୍କ ନେତୃତ୍ୱରେ ଏକ ପୁଲିସ୍‌ ଟିମ୍‌ ଗାଁରେ ପହଞ୍ଚି ତଦନ୍ତ କରିଛି । ମୃତ ମୁକେ ଓ ମୁନାଙ୍କ ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ପଠାଇଛି । ଆଜି ସନ୍ଧ୍ୟା ହୋଇଯିବାରୁ ରବିବାର ଶବ ବ୍ୟବଚ୍ଛେଦ କରାଯିବ ବୋଲି କହିଛନ୍ତି ଥାନା ଆଇଆଇସି ମମତା ପାଣିଗ୍ରାହୀ । ଏ ସମ୍ପର୍କରେ ଏମ୍‌ଭି-୭୯ ଥାନାରେ ଏକ ମାମଲା ରୁଜୁ କରାଯାଇଛି ।

ସୂଚନାଥାଉକି, ଦୁଇମାସ ତଳେ ମାଲକାନଗିରି ବ୍ଲକ ଗୌଡଗୁଡା ପଞ୍ଚାୟତର ଗରେଇଗୁଡା ଗାଁରେ ଦାରିଦ୍ର‌୍ୟ ଯୋଗୁ ସୀତା ମାଡକାମି ନାମ୍ନୀ ବିଧବା ମହିଳା ନିଜେ ବିଷ ପିଇବା ସହ ତାଙ୍କର ଦୁଇ ଶିଶୁଙ୍କୁ ବିଷ ଦେଇଥିଲେ । ସୌଭାଗ୍ୟବଶତଃ ଦୁଇ ଶିଶୁ ଡାକ୍ତରଖାନାରେ ଚିକିତ୍ସିତ ହେବା ପରେ ସୁସ୍ଥ ହୋଇଯାଇଥିଲେ । ହେଲେ ସୀତା ଆଖି ବୁଜି ଥିଲେ । ଏଭଳି ଦୁଃଖଦ ଘଟଣା ଲୋକଙ୍କ ମାନସ ପଟରୁ ନ ଲିଭୁଣୁ ପୁଣି କାଲିମେଳା ଅଞ୍ଚଳରେ ଆଜିର ଘଟଣା ଆଲୋଡନ ସୃଷ୍ଟି କରିଛି । ଆଦିବାସୀଙ୍କ ପାଇଁ ସରକାର କୋଟି କୋଟି ଟଙ୍କାର ଯୋଜନା କରୁଥିବା ବେଳେ ଏଠାରେ ପେଟ ପାଇଁ ଦାନା ଯୋଗାଡ଼ କରିନପାରି ଅସହାୟ ବିଧବା ମାଆମାନେ ନିଜ ଜନ୍ମିତ ଶିଶୁଙ୍କୁ ବିଷ ପିଆଇ ନିଜେ ଆତ୍ମହତ୍ୟା କରିବା ଘଟଣା ପ୍ରଶାସନର ପାରିବା ପଣିଆକୁ ପଦାରେ ପକାଇ ଦେଇଛି ।

   ସମ୍ବନ୍ଧିତ ଖବର


ମହୁମାଛି ଆକ୍ରମଣରେ ଦୁଇ ବୃଦ୍ଧ ଗୁରୁତର, ହସ୍ପିଟାଲରେ ଭର୍ତ୍ତି

ଡାକ୍ତରଖାନାରେ ଯୁବକଙ୍କ ଉନ୍ମତ୍ତକାଣ୍ଡ: ଆକ୍ରମଣରେ ସୁରକ୍ଷାକର୍ମୀ ଆହତ, ଧାରଣାରେ କର୍ମଚାରୀ

ଫସର ଫାଟିଲା ଫେସ୍‌ବୁକ୍‌ ପ୍ରେମ: ନାବାଳିକା ବିବାହ ବନ୍ଦ କଲା ପ୍ରଶାସନ, ପ୍ରେମୀ ଯୁଗଳ ଥାନାରେ ଅଟକ

ସିସିଟିଭି ଫୁଟେଜରୁ ମିଳିଲା ସ୍କୁଟିଚୋରି ସୁରାକ, ୫ଜଣକୁ ଗରିଫ କଲା ପୁଲିସ

ବାଲେଶ୍ବରରେ ବେଣୁଧରକଙ୍କ ପଲା ଭାରି : ‘ଏଥର ବେଣୁ ମଉସା’ ଗୀତ ଗାଇଲେ ଅଭିଜିତ୍ ଓ କାକା‌, ପୂର୍ବରୁ ପ୍ରଚାର ସାମିଲ ହୋଇଛନ୍ତି ଅଭିନେତ୍ରୀ

ପ୍ରେମରେ ବିଫଳ: ପ୍ରେମିକାର ତଣ୍ଟି କାଟିବା ପରେ ନିଜେ ସାନିଟାଇଜର ପିଇ ଆତ୍ମହତ୍ୟା ଉଦ୍ୟମ କଲା ହତାସିଆ ଯୁବକ