ଭୋଟ ଦେବାର ଉତ୍ସାହ: କିଏ ଲେବର ପେନରେ ଥାଇ ତ, ଆଉ କିଏ ସାଲାଇନ୍ ଲଗାଇ କଲେ ମତଦାନ

ନୂଆଦିଲ୍ଲୀ,୧୯।୪: ଲୋକସଭା ନିର୍ବାଚନର ଦ୍ବିତୀୟ ପର୍ଯ୍ୟାୟ ମତଦାନ ଗତ ଗୁରୁବାର ଶେଷ ହୋଇଛି। ତେବେ ଏହି ସମୟରେ ଭୋଟ ଦେବା ପାଇଁ ଲୋକଙ୍କ ଭିତରେ ପ୍ରବଳ ଉତ୍ସାହ ଦେଖିବାକୁ ମିଳିଛି। ଭୋଟ ଦେଇ ନିଜର ପନପସନ୍ଦ ପ୍ରାର୍ଥୀଙ୍କୁ ଚୟନ କରିବା ପାଇଁ ପ୍ରତିକୂଳ ପରିସ୍ଥିତିରେ ମଧ୍ୟ କିଭଳି ଲୋକ ମତଦାନ କରିଛନ୍ତି ତାହା ଦେଖିବାକୁ ମିଳିଛି ଏଥର। ସବୁଠାରୁ ବଡ ଘଟଣା ଦେଖିବାକୁ ମିଳିଥିଲା କର୍ଣ୍ଟାକର ମାଣ୍ଡଭପୁରାରେ ଯେତେବେଳେ ମଙ୍ଗଳା ନାମକ ଜଣେ ଗର୍ଭବତୀ ମହିଳା ଲେବର ହେବା ସତ୍ବେ ମଧ୍ୟ ସକାଳ ସାଢେ ୭ଟା ବେଳେ ଭୋଟ ଦେବାକୁ ପହଁଞ୍ଚିଥିଲେ ପୋଲିଂ ବୁଥରେ। ଏହାପରେ ତାଙ୍କୁ ତୁରନ୍ତ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଠିକ୍ ୨ ଘଣ୍ଟା ପରେ ସକାଳ ୯ଟା ୩୦ ମିନିଟରେ ସେ ଏକ କନ୍ୟା ସନ୍ତାନକୁ ଜନ୍ମ ଦେଇଥିଲେ।ଡାକ୍ତରଙ୍କ କହିବା ଅନୁସାରେ ଆଉ ଟିକେ ବିଳମ୍ବ ହୋଇଥିଲେ ତାଙ୍କୁ ଖୁବ୍ କ୍ଷତି ହୋଇଥାନ୍ତା।

କେବଳ ଏହି ଘଟଣା ନୁହେଁ ବିହାରର କଟିହାରାର ହସନଗଞ୍ଜରେ ୮୦ ବର୍ଷୀୟ ଜଣେ ବୃଦ୍ଧ ମହିଳା ଦୁଲାରୀ ଦେବୀ ମଧ୍ୟ ଭୋଟ ଦେବାକୁ ଆସିଥିଲେ। ତେବେ ପୋଲିଂ ବୁଥକୁ ତାଙ୍କର ପ୍ରବେଶ ଥିଲା ଖୁବ୍ ରୋଚକ। କାରଣ ସେ ଖୁବ୍ ଅସୁସ୍ଥ ଥିଲେ ମଧ୍ୟ ସେ ଭୋଟ ଦେବାକୁ ଇଛା ପ୍ରକାଶ କରିବାରୁ ପରିବାର ଲୋକ ଏକ ଖଟିଆରେ ବୋହିଆଣିଥିଲେ ପୋଲିଂ ବୁଥ ନିକଟକୁ। ଏହି ସମୟରେ ତାଙ୍କ ଦେହରେ ସାଲାଇନ୍ ମଧ୍ୟ ଲଗାଯାଇଥିଲା।