ଜମିବାଡ଼ି ବିବାଦକୁ କେନ୍ଦ୍ର କରି ମହିଳା ଓ ପରିବାର ସଦସ୍ୟଙ୍କୁ ଗାଁ ଦାଣ୍ଡରେ ମରଣାନ୍ତକ ଆକ୍ରମଣ, ଭିଡିଓ ଭାଇରାଲ୍…

ଡେଲାଙ୍ଗ ୦୧/୧୨: ଡେଲାଙ୍ଗ ଥାନା ଅନ୍ତର୍ଗତ ହରିରାଜପୁର ଗ୍ରାମରେ ପୂର୍ବ ଶତ୍ରୁତା ତଥା ଜମିବାଡ଼ି ବିବାଦକୁ କେନ୍ଦ୍ର କରି ଜଣେ ମହିଳା ଓ ତାଙ୍କ ପରିବାର ସଦସ୍ୟଙ୍କୁ ସଂଘବଦ୍ଧ ଆକ୍ରମଣ କରାଯାଇଥିବା ନେଇ ଡେଲାଙ୍ଗ ଥାନାରେ ଲିଖିତ ଅଭିଯୋଗ ହୋଇଛି। ପୁଲିସ ଏତଲା ଆଧାରରେ ଘଟଣାର ତଦନ୍ତ କରୁଛି ।

ଅଭିଯୋଗରୁ ପ୍ରକାଶ ଯେ, ସୋମବାର ସକାଳ ପ୍ରାୟ ସାଢ଼େ ୮ଟାରେ ଜମିବାଡ଼ି ବିବାଦକୁ କେନ୍ଦ୍ର କରି ଗଣ୍ଡଗୋଳ ହେବାରୁ ୧୩ ଜଣ ଅଂଶୀଦାର ହାତରେ ଶାବଳ, କଟୁରୀ, ଠେଙ୍ଗା ଆଦି ମାରଣାସ୍ତ୍ର ଧରି କବିତା ପ୍ରଧାନଙ୍କ ଘରେ ପଶି ଆକ୍ରମଣ କରିଥିଲେ । ସେମାନେ କବିତାଙ୍କୁ ଘୋଷାରି ଆଣିବା ସହ ତଳେ ପକାଇ ବିଧା ଗୋଇଠା ଓ ଠେଙ୍ଗାରେ ମାଡ଼ ମାରିଥିଲେ । ଏହା ସହ ତାଙ୍କ ସ୍ୱାମୀ ଓ ଝିଅକୁ ଆକ୍ରମଣ କରି ଦୁଇଟି ମୋବାଇଲ୍‌ ଛଡ଼ାଇ ନେଇଥିଲେ । କବିତା ଏବେ ଗୁରୁତର ଅବସ୍ଥାରେ ମେଡିକାଲରେ ଚିକିତ୍ସିତ ହେଉଛନ୍ତି । ତାଙ୍କ ପରିବାର ପ୍ରତି ବିପଦ ରହିଛି ଓ ଅଭିଯୁକ୍ତମାନେ ତାଙ୍କ ପରିବାର ସଦସ୍ୟଙ୍କୁ ଜୀବନରେ ମାରି ଦେବାକୁ ଧମକ ଦେଇଥିବା ନେଇ କବିତା ଏତଲାରେ ଦର୍ଶାଇଛନ୍ତି । ଡେଲାଙ୍ଗ ଥାନା ଅଧିକାରୀ ରଶ୍ମି ରଞ୍ଜନ ପଟ୍ଟନାୟକଙ୍କୁ ଘଟଣା ସମ୍ପର୍କରେ ପଚାରିବାରେ ଘଟଣାର ତଦନ୍ତ କରାଯାଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛନ୍ତି ।