ଡାହାଣୀ ସନ୍ଦେହରେ ମହିଳାଙ୍କୁ ହତ୍ୟା: ୫ ଦିନ ପରେ ନଦୀରୁ ମିଳିଲା ମୃତଦେହ

ଲହୁଣିପଡ଼ା ୧୪/୯: ସୁନ୍ଦରଗଡ଼ ଜିଲ୍ଲା ଚାନ୍ଦିପୋଷ ଥାନା ଅନ୍ତର୍ଗତ ରାବଣଝୁଲା ବସ୍ତିର ଗାଇଡେଗାପଡ଼ାରେ ଗତ ୯ ତାରିଖ ସଂଧ୍ୟାରେ ଡାହାଣୀ ସନ୍ଦେହରେ ଜଣେ ମହିଳା, ତାଙ୍କ ସ୍ୱାମୀ ଓ ଶିଶୁକନ୍ୟାକୁ କିଛି ଲୋକ ଘରୁ ଟାଣି ଆଣିଥିଲେ । ସ୍ୱାମୀ ଲୋକଙ୍କ କବଳରୁ ଖସି ଯିବାରେ ସକ୍ଷମ ହୋଇଥିବା ବେଳେ ମହିଳାଙ୍କୁ ନିସ୍ତୁକ ମାଡ଼ ମାରି ବ୍ରାହ୍ମଣୀ ନଦୀରେ ଫିଙ୍ଗି ଦେଇଥିଲେ । ୫ ଦିନ ପରେ ଅର୍ଥାତ୍‌ ଆଜି ମହିଳାଙ୍କ ମୃତ ଦେହକୁ ନଦୀରୁ ପୁଲିସ୍‌ ଠାବ କରିଥିବା ବେଳେ ଶିଶୁ କନ୍ୟାର କୌଣସି ପତ୍ତା ମିଳିନାହିଁ । ଏହି ଘଟଣାସମ୍ପୃକ୍ତ ଅଞ୍ଚଳରେ ବେଶ ଆଲୋଚନାରେ ବିଷୟ ହୋଇଛି ।

ଗାଇଡେଗାପଡ଼ାରେ ବିର୍ସା କେର୍କେଟା (୩୨), ତାଙ୍କ ପତ୍ନୀ ଗାଙ୍ଗି (୨୮) ଓ ୫ ବର୍ଷର ଶିଶୁ କନ୍ୟା ଶିବାନୀ ବସବାସ କରନ୍ତି । ଗତ ୯ ତାରିଖ ସଂଧ୍ୟାରେ ପଡ଼ାର କିଛି ଲୋକ ବୈଠକ କରିଥିଲେ । ଏହା ପରେ ସେହି ଲୋକମାନେ ବିର୍ସାଙ୍କ ଘରକୁ ଯାଇ ତାଙ୍କୁ, ଗାଙ୍ଗି ଓ ଶିବାନୀଙ୍କୁ ଘର ଭିତରୁ ଟାଣି ଆଣିଥିଲେ । ତେବେ ଲୋକଙ୍କ କବଳରୁ ବିର୍ସା ଖସି ଯାଇଥିବା ବେଳେ ଗାଙ୍ଗିଙ୍କୁ ନିସ୍ତୁକ ମାଡ଼ ମାରିଥିଲେ । ଲୋକଙ୍କ ଆକ୍ରମଣରେ ମହିଳାଙ୍କ ମୃତ୍ୟୁ ଘଟିଥିଲା । ଏହା ପରେ ଉକ୍ତ ପଡ଼ାରୁ ୫ କିଲୋମିଟର ଦୂରରେ ଥିବା ବ୍ରାହ୍ମଣୀ ନଦୀ ଆଡକୁ ଗାଙ୍ଗିଙ୍କୁ ଘୋଷାଡି ଘୋଷାଡି ନେଇ ଯାଇ ନଦୀରେ ଫିଙ୍ଗି ଦେଇଥିଲେ । ଲୋକଙ୍କ ଭୟରେ ୧୦ ତାରିଖ ଦିନ ବିର୍ସା ଘରୁ ନ ଆସି ୧୧ ତାରିଖ ଦିନ ଫୋନ ଯୋଗେ ପୁଲିସ୍‌କୁ ସୂଚନା ଦେଇଥିଲେ । ପୁଲିସ୍‌ ବହୁ ଖୋଜାଖୋଜି କରିଥିଲେ ହେଁ ଗାଙ୍ଗିଙ୍କ ସନ୍ଧାନ ପାଇ ନଥିଲା ।

ଆଜି ନଦୀରେ ଜଣେ ମହିଳାଙ୍କ ଶବ ଭାସୁଥିବା ଦେଖି କେତେକ ଲୋକ ପୁଲିସ୍‌କୁ ସୂଚନା ଦେଇଥିଲେ । ଖବର ପାଇ ପୁଲିସ୍‌ ସେଠାରେ ପହଞ୍ଚି ଶବକୁ ଜବତ କରି ବିର୍ସାଙ୍କୁ ସେଠାକୁ ଡକାଇଥିଲେ । ମିଳିଥିବା ମୃତ ଦେହ ତାଙ୍କ ପତ୍ନୀଙ୍କ ବୋଲି ସେ ଚିହ୍ନଟ କରିଥିଲେ । ଏହା ପରେ ପୁଲିସ୍‌ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିବା ସହ ଶବ ବ୍ୟବଚ୍ଛେଦ କରାଇଛି । ହେଲେ ଶିଶୁକନ୍ୟା ଶିବାନୀ ଏବେ କେଉଁଠି ତାର କୌଣସି ପତ୍ତା ମିଳି ପାରିନାହିଁ । କେଉଁମାନେ ଏଭଳି କାଣ୍ଡ ଭିଆଇଛନ୍ତି ସେମାନଙ୍କୁ ଧରିବା ଲାଗି ପୁଲିସ୍‌ ଏକ ଟିମ ଗଠନ କରିଛି ।

   ସମ୍ବନ୍ଧିତ ଖବର


ପୁଅର ଅସ୍ଥି ଟିକକ ମିଳିଲେ ଗଙ୍ଗାରେ ବିସର୍ଜନ କରନ୍ତି…

ଉତ୍ତରପ୍ରଦେଶ ଆମେଠିରେ ଦଳିତ ଗାଁ ମୁଖିଆଙ୍କ ସ୍ବାମୀକୁ ଜୀଅନ୍ତା ଜଳାଇ ହତ୍ୟା…

ହାତୀ ଆକ୍ରମଣରେ ଜଣେ ମୃତ, ସୁରକ୍ଷା ଦାବି କଲେ ସ୍ଥାନୀୟ ଲୋକେ

ଫେସବୁକ୍‌ରେ ପ୍ରେମ ନିବେଦନ ପଡ଼ିଲା ମହଙ୍ଗା : ବିଚ୍‌ ରାସ୍ତାରେ ଯୁବକଙ୍କୁ ଘୋଷାରି ଘୋଷାରି ବାଡ଼େଇଲେ ବିବାହିତା ମହିଳା

ରୋଗୀଙ୍କ ପାଇଁ ସୁରକ୍ଷିତ ନୁହେଁ ହସ୍ପିଟାଲ ICU ; ଭେଣ୍ଟିଲେଟରରେ ଥାଇବି ଦୁଷ୍କର୍ମର ଶିକାର ହେଲେ ଯୁବତୀ…

ହସ୍ପିଟାଲର ଆଇସିୟୁ ଭିତରେ ଯୁବତୀଙ୍କୁ ଦୁଷ୍କର୍ମ: ଅଭିଯୁକ୍ତୁକୁ ଧରିବାକୁ ସିସିଟିଭ ଯାଞ୍ଚ କରୁଛି ପୁଲିସ