ଅନ୍ତର୍ଜାତୀୟ ମହିଳା ଦିବସରେ ସରକାରଙ୍କ ଉପହାର : ଆଜି ତାଜମହଲ, କୁତବମିନାର ଭଳି ଐତିହାସିକ ସ୍ମାରକ ସ୍ଥଳୀରେ ମାଗଣାରେ ବୁଲିବେ ମହିଳା

ନୂଆଦିଲ୍ଲୀ, ୦୮/୦୩ : ଆଜି ଅନ୍ତର୍ଜାତୀୟ ମହିଳା ଦିବସ। ମହିଳାଙ୍କ ପାଇଁ ଦିନଟିଏ। ପ୍ରତି ବର୍ଷ ମାର୍ଚ୍ଚ ୮ ତାରିଖକୁ ମହିଳାଙ୍କ ତ୍ୟାଗ, ସଙ୍ଘର୍ଷ ଓ ବଳିଦାନର ସମ୍ମାନାର୍ଥେ ଏହି ଦିବସକୁ ପାଳନ କରାଯାଏ। ନାରୀଶକ୍ତିକୁ ସମ୍ମାନ ଦେବା ଏହି ଦିବସର ଉଦ୍ଦେଶ୍ୟ। ତେବେ ଏହି ଅବସରରେ ଭାରତ ସରକାର ଦେଶ ବିଦେଶର ମହିଳାମାନଙ୍କୁ ଏକ ଖାସ୍ ଉପହାର ଦେଇଛନ୍ତି। ଆଜିର ଦିନରେ ଆର୍କିଓଲୋଜିକାଲ ସର୍ଭେ ଅଫ ଇଣ୍ଡିଆ ଦ୍ଵାରା ସଂରକ୍ଷିତ ସମସ୍ତ ଐତିହାସିକ ସ୍ମାରକ ସ୍ଥଳୀ ଗୁଡିକରେ ମହିଳାମାନଙ୍କ ପାଇଁ ନିଃଶୁକ୍ଳ ପ୍ରବେଶ ବ୍ୟବସ୍ଥା କରାଯାଇଛି। ଏଏସଆଇର ସଂଯୁକ୍ତ ମହାନିର୍ଦ୍ଦେଶକ ଏମ ନମ୍ବିରାଜନ ଏନେଇ ସୂଚନା ଦେଇଛନ୍ତି।
ଆଜି ସମସ୍ତ ଭାରତୀୟ ଏବଂ ବିଦେଶୀ ମହିଳା ପର୍ଯ୍ୟଟକଙ୍କୁ ସମସ୍ତ ସଂରକ୍ଷିତ ସ୍ମାରକ ସ୍ଥଳୀରେ ମାଗଣା ପ୍ରବେଶ ପାଇଁ ଅନୁମତି ମିଳିବ। ଯେପରିକି ତାଜମହଲ, ଲାଲ କିଲ୍ଲା, କୁତବ ମିନ୍ନାର, ହୁମାୟୁଁଙ୍କ ଦରବାର, ସୂର୍ଯ୍ୟ ମନ୍ଦିର, ଅଜନ୍ତା-ଏଲୋରା ଗୁମ୍ଫା ଭଳି ସ୍ମାରକ ସ୍ଥଳୀରେ ଆଜି ମିଳିବ ନିଃଶୁକ୍ଳ ଏଣ୍ଟ୍ରି। ସଂସ୍କୃତି ମନ୍ତ୍ରାଳୟ ଏନେଇ ଏକ ଟ୍ଵିଟ୍ କରି ସୂଚନା ଦେଇଛି।

ପ୍ରତି ବର୍ଷ ମାର୍ଚ୍ଚ ୮ ତାରିଖରେ ସାମାଜିକ, ଆର୍ଥିକ, ସାଂସ୍କୃତିକ ଏବଂ ରାଜନୈତିକ ଜଗତରେ ମହିଳାଙ୍କ ଉପଲବ୍ଧିକୁ ମନେ ପକାଇ ଅନ୍ତର୍ଜାତୀୟ ମହିଳା ଦିବସ ପାଳନ କରାଯାଏ।