ନୂଆଦିଲ୍ଲୀ, ୧୫/୦୫ : ଆଇନଜୀବୀଙ୍କ ପେସା ଖାଉଟି ସୁରକ୍ଷା ଅଧିନିୟମ, ୧୯୮୬ ଅଧୀନରେ ଆସେନାହିଁ ବୋଲି ସୁପ୍ରିମକୋର୍ଟ ମଙ୍ଗଳବାର ଏକ ଗୁରୁତ୍ୱପୂର୍ଣ୍ଣ ଟିପ୍ପଣୀ ଦେଇଛନ୍ତି । ଓକିଲଙ୍କ କାମର ସଫଳତା ଅନେକ କାରକ ଉପରେ ନିର୍ଭର କରିଥାଏ, ଯାହା ଉପରେ ସେମାନଙ୍କ ନିୟନ୍ତ୍ରଣ ନ ଥାଏ । ତେଣୁ ସେମାନଙ୍କ ସେବା କିମ୍ବା ଓକିଲାତିରେ କିଛି ଅଭାବ ରହିଥିବା ନେଇ ଦାବି କରାଯାଇପାରିବ ନାହିଁ । ଓକିଲଙ୍କ କାମ ଅନ୍ୟ ବୃତ୍ତିଠାରୁ ଭିନ୍ନ । ସେମାନଙ୍କୁ ଉଚ୍ଚସ୍ତରୀୟ ଶିକ୍ଷା, ଦକ୍ଷତା ଏବଂ ମାନସିକ ଦୃଢ଼ତାର ଆବଶ୍ୟକ ରହିଥାଏ । ତେଣୁ ସେମାନଙ୍କ ସହ ବ୍ୟବସାୟୀଙ୍କ ପରି ବ୍ୟବହାର କରଯାଇପାରିବ ନାହିଁ । ତେଣୁ ଓକିଲ ସେବା କରିବାରେ ହେଳା କରୁଥିବା ନେଇ କଞ୍ଜ୍ୟୁମର କୋର୍ଟରେ ସେମାନଙ୍କ ବିରୋଧରେ ମାମଲା ଚାଲିପାରିବ ନାହିଁ ବୋଲି ଜଷ୍ଟିସ୍ ବେଲା ତ୍ରିବେଦୀ ଏବଂ ଜଷ୍ଟିସ୍ ପଙ୍କଜ ମିତ୍ତଲଙ୍କ ଖଣ୍ଡପୀଠ କହିଛନ୍ତି ।
ଖଣ୍ଡପୀଠ ଆହୁରି କହିଥିଲେ, ଓକିଲଙ୍କ ଉପରେ ଅଧିକାଂଶ ଭାବେ ତାଙ୍କ ମହକିଲ ବା କ୍ଲାଇଣ୍ଟଙ୍କ ନିୟନ୍ତ୍ରଣ ରହିଥାଏ । ଉଭୟଙ୍କ ଭିତରେ ହୋଇଥିବା ଚୁକ୍ତି ବ୍ୟକ୍ତିଗତ ସେବା । ତେଣୁ ଏହାକୁ ଖାଉଟି ସୁରକ୍ଷା ଅଧିନିୟମ ଆଇନ ଅଧୀନରେ ସେବାର ପରିଭାଷାରୁ ବାହାରେ ରଖାଯାଇଛି । ଏଥିସହ ସୁପ୍ରିମକୋର୍ଟ ନ୍ୟାସନାଲ କଞ୍ଜ୍ୟୁମର ଡିସ୍ପୁଟ୍ ରିଡ୍ରେସାଲ କମିଶନ (ଏନ୍ସିଡିଆର୍ସି)ର ୨୦୦୭ର ଏକ ନିଷ୍ପତ୍ତିକୁ ପଲଟାଇଦେଇଛନ୍ତି । ଏଥିରେ କୁହାଯାଇଥିଲା ଯେ, ଓକିଲଙ୍କ ସେବା ଖାଉଟି ସୁରକ୍ଷା ଅଧିନିୟମ ୧୯୮୬ର ଧାରା ୨(ଓ) ଅଧୀନରେ ଅସୁଛି ।
ଏନ୍ସିଡିଆର୍ସିର ଏହି ନିଷ୍ପତ୍ତି ବିରୋଧରେ ବାର୍ କାଉନ୍ସିଲ ଅଫ୍ ଇଣ୍ଡିଆ, ଦିଲ୍ଲୀ ହାଇକୋର୍ଟ ବାର୍ ଆସୋସିଏସନ ଏବଂ ବାର୍ ଅଫ୍ ଇଣ୍ଡିଆନ୍ ଲୟର୍ସ ପ୍ରମୁଖ ସୁପ୍ରିମକୋର୍ଟରେ ପିଟିସନ ଦାଖଲ କରିଥିଲେ । ଇଣ୍ଡିଆନ୍ ମେଡିକାଲ ଆସୋସିଏସନ ବନାମ ଭିପି ଶାନ୍ତା ମାମଲାରେ ସୁପ୍ରିମକୋର୍ଟ ୧୯୯୬ରେ ଦେଇଥିବା ନିଜ ନିଷ୍ପତ୍ତି ପ୍ରସଙ୍ଗ ଉଠାଇଥିଲେ । ସେତେବେଳେ ସୁପ୍ରିମକୋର୍ଟ ଏକ ମାମଲାରେ ରାୟ ଦେଇ କହିଥିଲେ ଯେ, ମେଡିକାଲ ବୃତ୍ତି ଥିବା ବ୍ୟକ୍ତି ଖାଉଟି ସୁରକ୍ଷା ଅଧିନିୟମ ପରିସରକୁ ଆସିବେ । ଏହି ଆଇନରେ ସେବାର ପରିଭାଷାରେ ସ୍ୱାସ୍ଥ୍ୟସେବା ଏବଂ ମେଡିକାଲ ସେକ୍ଟରକୁ ସାମିଲ କରାଯାଇଥିଲା । ମଙ୍ଗଳବାର ଏହା ଉପରେ ସୁପ୍ରିମକୋର୍ଟ କହିଛନ୍ତି ଯେ, ଚିକିତ୍ସାରେ ଅବହେଳା ସହ ଜଡ଼ିତ ଏହି ମାମଲାରେ ପୁନର୍ବିଚାରର ଆବଶ୍ୟକତା ରହିଛି । ତେଣୁ ଭିପି ଶାନ୍ତା ମାମଲାକୁ ବୃହତ୍ତର ଖଣ୍ଡପୀଠକୁ ପଠାଯିବାକୁ ଖଣ୍ଡପୀଠ ପ୍ରଧାନ ବିଚାରପତିଙ୍କୁ ନିବେଦନ କରିଛନ୍ତି । ଖାଉଟି ସୁରକ୍ଷା ଆଇନର ମୂଳ ଲକ୍ଷ୍ୟ ଉପଭୋକ୍ତାଙ୍କୁ ଭୁଲ୍ ବ୍ୟବହାର ପ୍ରଥାରୁ ସୁରକ୍ଷା ଦେବା । କିନ୍ତୁ ଏଥିରେ ସବୁ ପ୍ରକାର ପେସାକୁ ସାମିଲ କରାଯିବାକୁ କୋର୍ଟ ଚାହୁଁନାହାନ୍ତି ବୋଲି ଖଣ୍ଡପୀଠ କହିଛନ୍ତି ।