ରାଜ୍ୟ ଭିତରେ କାମ କରିବାକୁ ଶ୍ରମିକଙ୍କୁ ଅନୁମତି,ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ଜାରି କଲା ଏସ୍‌ଓପି

ନୂଆଦିଲ୍ଲୀ ୨୦/୪: ଲକ୍‌ଡାଉନ ଯୋଗୁ ଗୋଟିଏ ରାଜ୍ୟ ଭିତରେ ଅଟକି ରହିଥିବା ପ୍ରବାସୀ ଶ୍ରମିକମାନେ ସେହି ରାଜ୍ୟରେ କାମ କରିପାରିବେ । କେନ୍ଦ୍ର ସରକାର ଏଥିପାଇଁ ଅନୁମତି ଦେଇଛନ୍ତି । ସରକାରଙ୍କ ଏଭଳି ନିଷ୍ପତ୍ତି ଫଳରେ ବିଭିନ୍ନ ରାଜ୍ୟରେ ଅଟକି ରହିଥିବା ଲକ୍ଷାଧିକ ଶ୍ରମିକଙ୍କୁ ସାମାନ୍ୟ ଆଶ୍ୱସ୍ତି ମିଳିଛି । ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ପକ୍ଷରୁ ରବିବାର ଏ ସମ୍ପର୍କରେ ଏସ୍‌ଓପି (ଷ୍ଟାଣ୍ଡାର୍ଡ ଅପରେଟିଂ ପ୍ରୋସିଡ୍ୟୁର) ଜାରି କରାଯାଇଛି । କିନ୍ତୁ ଲକ୍‌ଡାଉନ ସମୟରେ ଗୋଟିଏ ରାଜ୍ୟରେ ଅଟକି ରହିଥିବା ଶ୍ରମିକମାନେ ଅନ୍ୟ ରାଜ୍ୟକୁ ଯାଇପାରିବେ ନାହିଁ ବୋଲି ମନ୍ତ୍ରଣାଳୟ ପକ୍ଷରୁ ସ୍ପଷ୍ଟ କରିଦିଆଯାଇଛି ।

ମନ୍ତ୍ରଣାଳୟ ପକ୍ଷରୁ ଜାରି ଏସ୍‌ସପିରେ କୁହାଯାଇଛି ଯେ ବିଭିନ୍ନ ଶିଳ୍ପ ସଂସ୍ଥା, କଳ କାରଖାନା, କୃଷି ଓ ନିର୍ମାଣ କ୍ଷେତ୍ରରେ ଯେଉଁ ଶ୍ରମିକମାନେ କାର୍ଯ୍ୟ କରୁଥିଲେ ଏବଂ ଲକ୍‌ଡାଉନ ଯୋଗୁ ତାହା ବନ୍ଦ ହୋଇଯିବାରୁ ରିଲିଫ କ୍ୟାମ୍ପ କିମ୍ବା ଆଶ୍ରୟ ଶିବିର ଗୁଡ଼ିକରେ ରହିଛନ୍ତି ସେମାନେ ସମ୍ପୃକ୍ତ ଅଞ୍ଚଳରେ କାର୍ଯ୍ୟ କରିପାରିବେ କିମ୍ବା ନିଜ କର୍ମକ୍ଷେତ୍ରକୁ ଫେରିପାରିବେ । ରାଜ୍ୟ କିମ୍ବା କେନ୍ଦ୍ର ଶାସିତ ଅଞ୍ଚଳର ସରକାର, ଘରୋଇ କମ୍ପାନି ଓ ବ୍ୟକ୍ତି ବିଶେଷଙ୍କ ଦ୍ୱାରା ପରିଚାଳିତ ସଂସ୍ଥା ପକ୍ଷରୁ ଶ୍ରମିକମାନଙ୍କୁ ସେଠାରେ ରହିବା ଓ ଖାଇବାର ବ୍ୟବସ୍ଥା କରିବାକୁ ପଡିବ । ଶ୍ରମିକମାନଙ୍କର ସ୍କ୍ରିନିଂ କରାଯିବ ଓ ସାମାଜିକ ଦୂରତା ବଜାୟ ରଖିବା ଲାଗି ବିଶେଷ ଭାବେ ଧ୍ୟାନ ଦେବାକୁ ହେବ । କଣ୍ଟେନମେଣ୍ଟ ଜୋନ୍‌କୁ ବାଦ୍‌ ଦେଲେ ଅନ୍ୟ ଅଞ୍ଚଳ ପାଇଁ ଏପ୍ରିଲ ୨୦ ତାରିଖ(ସୋମବାର) ରୁ କିଛି କ୍ଷେତ୍ରକୁ ରିହାତି ମିଳିଥିବାରୁ ପ୍ରବାସୀ ଶ୍ରମିକମାନେ କୃଷି, କାରଖାନା, ଶିଳ୍ପସଂସ୍ଥା, ନିର୍ମାଣ ସଂସ୍ଥା ଓ ଏମ୍‌ଜିଏନ୍‌ଆରଇଜିଏ ଭଳି ଯୋଜନାରେ କାର୍ଯ୍ୟ କରିପାରିବେ ବୋଲି ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି ।

ଏସ୍‌ଓପି ଅନୁସାରେ ଯେଉଁ ରାଜ୍ୟ ବା କେନ୍ଦ୍ର ଶାସିତ ଅଞ୍ଚଳରେ ପ୍ରବାସୀ ଶ୍ରମିକମାନେ ରିଲିଫ କେନ୍ଦ୍ର କିମ୍ବା ଆଶ୍ରୟ ଶିବିରଗୁଡ଼ିକରେ ରହିଛନ୍ତିସେମାନେ ସ୍ଥାନୀୟ କର୍ତ୍ତୃପକ୍ଷଙ୍କ ନିକଟରେ ନିଜର ପଞ୍ଜୀକରଣ କରିବେ । ଏହା ପରେ ସମ୍ପୃକ୍ତ କର୍ତ୍ତୃପକ୍ଷ ସେମାନଙ୍କ ଦକ୍ଷତା ପରଖିବେ ଓ ଦକ୍ଷତା ଅନୁସାରେ ସେମାନଙ୍କୁ କାର୍ଯ୍ୟରେ ନିୟୋଜିତ କରାଯାଇପାରିବ । ଯଦି ଶ୍ରମିକମାନେ ନିଜ କର୍ମକ୍ଷେତ୍ରକୁ ଫେରିଯିବାକୁ ଚାହାନ୍ତି ଓ ସେହି ରାଜ୍ୟ ଭିତରେ କର୍ମକ୍ଷେତ୍ର ରହିଥିବ କିମ୍ବା ସେମାନେ ରାଜ୍ୟ ଭିତରେ ଅନ୍ୟ କୌଣସି ସ୍ଥାନରେ କାମ କରିବାକୁ ଯିବା ଲାଗି ଆଗ୍ରହ ପ୍ରକାଶ କରନ୍ତି ତେବେ ପ୍ରଥମେ ସେମାନଙ୍କର ସ୍କ୍ରିନିଂ କରାଯିବ ।

ସେଥିରୁ ସେମାନେ ସୁସ୍ଥ ଥିବାର ଜଣାପଡ଼ିବା ପରେ ସେମାନଙ୍କୁ ଚାହୁଁଥିବା ସ୍ଥାନରେ ପହଞ୍ଚାଯିବାର ବ୍ୟବସ୍ଥା କରାଯିବ । କିନ୍ତୁ କୌଣସି ରାଜ୍ୟ ବା କେନ୍ଦ୍ର ଶାସିତ ଅଞ୍ଚଳରେ ରହୁଥିବା ଶ୍ରମିକଙ୍କୁ ବାହାର ରାଜ୍ୟକୁ ଯିବାକୁ ଅନୁମତି ମିଳିବ ନାହିଁ । ଶ୍ରମିକମାନେ ବସ୍‌ରେ ଯାତ୍ରା କରୁଥିବା ବେଳେ ସାମାଜିକ ଦୂରତା ବଜାୟ ରଖିବାକୁ ପଡ଼ିବ । ଯେଉଁ ବସ୍‌ରେ ଏହି ଶ୍ରମିକମାନେ ଗୋଟିଏ ସ୍ଥାନରୁ ଅନ୍ୟତ୍ର ଯାତ୍ରା କରୁଥିବେ ବସ୍‌ଟି ଗନ୍ତବ୍ୟସ୍ଥଳରେ ପହଞ୍ଚିବା ପରେ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ଗାଇଡ୍‌ଲାଇନ ଅନୁସାରେ ସେହି ବସ୍‌କୁ ସାନିଟାଇଜ ବା ବିଶୋଧନ କରାଯିବ । ଏପ୍ରିଲ ୧୫ ତାରିଖରେ ଜାରି କୋଭିଡ-୧୯ ଗାଇଡ୍‌ଲାଇନକୁ କଡ଼ାକଡ଼ି ପାଳନ କରାଯିବ । ପ୍ରବାସୀ ଶ୍ରମିକମାନଙ୍କ ଯାତାୟାତ ସମୟରେ ସ୍ଥାନୀୟ କର୍ତ୍ତୃପକ୍ଷ ସେମାନଙ୍କ ଖାଇବା ଓ ପିଇବାର ସବୁ ପ୍ରକାର ବ୍ୟବସ୍ଥା କରିବେ ବୋଲି ଏସ୍‌ଓପିରେ କୁହାଯାଇଛି ।

   ସମ୍ବନ୍ଧିତ ଖବର


ABP CVoterର ରିପୋର୍ଟ: ବିହାରରେ ସରକାର ଗଢ଼ିବ କିଏ? ଜନତାଙ୍କ ନଜରରେ ଏହି ନେତା ହେବେ ମୁଖ୍ୟମନ୍ତ୍ରୀ

ମୋ ସିନ୍ଦୂର ମୋର – ସ୍ୱାମୀଙ୍କ ପ୍ରେମିକାଙ୍କୁ ଛୁରୀରେ ଆକ୍ରମଣ କଲେ ମହିଳା !

ବିହାର ରାଜନୀତି: ଆଶାୟୀ ବିଧାୟକ ପ୍ରାର୍ଥୀ ଶ୍ରୀନାରାୟଣଙ୍କୁ ଗୁଳିକରି ହତ୍ୟା, ତାଙ୍କ ନାମରେ ଥିଲା ଅପରାଧିକ ମାମଲା

ଆମେରିକାରେ ସମସ୍ତଙ୍କୁ ମାଗଣା କୋରନା ଟିକା ଦେବା ପାଇଁ ଘୋଷଣା କଲେ ରାଷ୍ଟ୍ରପତି ପ୍ରାର୍ଥୀ ବିଡେନ୍‌

ଆଣ୍ଡ୍ରଏଡ୍‌ ୟୁଜର୍ସ ସାବଧାନ, ଭୁଲରେ ବି ଡାଉନଲୋଡ କରନ୍ତୁ ନାହିଁ ଏହି ୧୯ ଆପ୍ସ

ଟ୍ରାଫିକ୍ କନଷ୍ଟେବଳଙ୍କୁ ମାଡ଼ ମାରିଲେ ମହିଳା , ଭିଡ଼ିଓ ଭାଇରାଲ