ବିଶ୍ୱ ବକ୍ସିଂ ଚାମ୍ପିଅନସିପ୍‌ରେ ଅମିତ ଫାଇନାଲ୍‌ରେ, ମନୀଷଙ୍କୁ ବ୍ରୋଞ୍ଜ

ଏକତେରିନ୍‌ବର୍ଗ ୨୧/୯: ଚଳିତ ବିଶ୍ୱ ବକ୍ସିଂ ଚାମ୍ପିଅନସିପ୍‌ରେ ଇତିହାସ ରଚିଛନ୍ତି ଭାରତର ଷ୍ଟାର୍‌ ବକ୍ସର ଅମିତ୍‌ ପଙ୍ଘାଲ । ୫୨ କିଲୋ ବର୍ଗରେ ବିଜୟ ଜାରି ରଖି ସେ ଫାଇନାଲ୍‌ରେ ପ୍ରବେଶ କରିଛନ୍ତି । ଅମିତ ପ୍ରଥମ ଭାରତୀୟ ବକ୍ସର ଭାବେ ବିଶ୍ୱ ଚାମ୍ପିଅନସିପ୍‌ରେ ରୌପ୍ୟ ପଦକ ଜିତିବା ନିଶ୍ଚିତ ହୋଇଛି । ସେମି ଫାଇନାଲ୍‌ରେ ଅମିତ୍‌ କାଜାଖସ୍ତାନର ସାକେନ୍‌ ବିବୋସିନୋଭ୍‌ଙ୍କୁ ୩-୨ରେ ପରାସ୍ତ କରିଥିଲେ ।

ଅନ୍ୟ ବକ୍ସର ମନୀଷ କୌଶିକ୍‌ଙ୍କୁ ୬୩କିଲୋ ବର୍ଗ ସେମି ଫାଇନାଲ୍‌ରେ ପରାଜୟର ସାମ୍ନା କରିବାକୁ ପଡ଼ିଛି । ବିଶ୍ୱ ଚାମ୍ପିଅନ୍‌ସିପ୍‌ ପଦାର୍ପଣରେ ବ୍ରୋଞ୍ଜ ପଦକ ଜିତି ସେ ଇତିହାସ ପୃଷ୍ଠାରେ ନିଜକୁ ସାମିଲ କରିଛନ୍ତି । ପଞ୍ଚମ ଭାରତୀୟ ଭାବେ ମନୀଷ ବିଶ୍ୱ ଚାମ୍ପିଅନସିପ୍‌ରେ ବ୍ରୋଞ୍ଜ ପଦକ ହାସଲ କରିଛନ୍ତି । ପ୍ରଥମ ଭାରତୀୟ ଭାବେ ବିଜେନ୍ଦର ସିଂହ (ଏବେ ପେଶାଦାର ବକ୍ସର) ୨୦୦୯ରେ ବ୍ରୋଞ୍ଜ ପଦକ ଜିତିଥିଲେ । ଏହାପରେ ୨୦୧୧ରେ ବିକାଶ କ୍ରିଷ୍ଣନ୍‌, ୨୦୧୫ରେ ଶିବା ଥାପା ଓ ୨୦୧୭ରେ ଗୌରବ ବିଧୁରି ବିଶ୍ୱ ଚାମ୍ପିଅନସିପ୍‌ରେ ବ୍ରୋଞ୍ଜ ପଦକ ଜିତିଥିଲେ ।
୫୨ କିଲୋ ବର୍ଗ ସେମିରେ କାଜାଖସ୍ତାନ ବକ୍ସର ସାକେନ୍‌ଙ୍କୁ ଭେଟିଥିଲେ ଏସିଆନ୍‌ ଚାମ୍ପିଅନ୍‌ ଅମିତ୍‌ ।

ଏହି ବାଉଟ୍‌ କଡ଼ା ସଂଘର୍ଷପୂର୍ଣ୍ଣ ହୋଇଥିଲା । ଉଭୟ ବକ୍ସର ପରସ୍ପରକୁ ଜୋରଦାର ଆକ୍ରମଣ କରିଥିଲେ । କିନ୍ତୁ ସଂଘର୍ଷପୂର୍ଣ୍ଣ ଏହି ବାଉଟ୍‌କୁ ଦ୍ୱିତୀୟ ସିଡ୍‌ ଅମିତ୍‌ ୩-୨ରେ ଜିତି ନେଇଥିଲେ । ଫାଇନାଲ୍‌ରେ ଅମିତ୍‌ଙ୍କର ଭେଟ ହେବ ରିଓ ଅଲିମ୍ପିକ୍ସ ସ୍ୱର୍ଣ୍ଣ ପଦକ ବିଜେତା ତଥା ଉଜବେକିସ୍ତାନର ତାରକା ବକ୍ସର ଶାଖୋବିଦିନ ଜୋଇରୋଭଙ୍କ ସହ । ଏହି ବାଉଟ୍‌ ଜିତିବା ଅମିତ୍‌ ପାଇଁ କଷ୍ଟସାଧ୍ୟ ହେବ । ଜୋଇରୋଭ ସେମି ମୁକାବିଲାରେ ଫ୍ରାନ୍ସ ବକ୍ସର ବିଲାଲ୍‌ ବିନାମାଙ୍କୁ ହରାଇ ଥିଲେ ।

୨୦୧୭ ଏସିଆନ୍‌ ଚାମ୍ପିଅନସିପ୍‌ରେ ଅମିତ୍‌ ୪୯କିଲୋ ବର୍ଗରେ ବ୍ରୋଞ୍ଜ ଜିତି ନିଜର ପରିଚୟ ସୃଷ୍ଟି କରିଥିଲେ ।ଏହାପରେ ସେ ଗୋଟିଏ ପରେ ଗୋଟିଏ ସଫଳତା ହାତେଇ ଚାଲିଛନ୍ତି । ୨୦୧୭ ବିଶ୍ୱ ଚାମ୍ପିଅନସିପ୍‌ରେ ପଦାର୍ପଣ କରି ସେ କ୍ୱାର୍ଟର ଫାଇନାଲ୍‌ରେ ପ୍ରବେଶ କରିଥିଲେ ମଧ୍ୟ ଅଳ୍ପକେ ପଦକରୁ ବଞ୍ଚିତ ହୋଇଥିଲେ । ଏହି ବର୍ଷ ସେ ବୁଲଗାରିଆ ଷ୍ଟ୍ରାଞ୍ଜା ମେମୋରିଆଲ୍‌ରେ ସ୍ୱର୍ଣ୍ଣ ଜିତିଥିବାବେଳେ ୨୦୧୮ରେ ଏସିଆନ୍‌ ଗେମ୍ସ ଚାମ୍ପିଅନ୍‌ ଆଖ୍ୟା ଅର୍ଜନ କରିଥିଲେ । ଚଳିତ ବର୍ଷ ସେ ୫୨କିଲୋ ବର୍ଗରେ ଭାଗ ନେବା ସହ ଏସିଆନ୍‌ ଚାମ୍ପିଅନସିପ୍‌ ସ୍ୱର୍ଣ୍ଣ ପଦକ ଜିତିଥିଲେ । ସେହିପରି ମନୀଷ ପଞ୍ଚମ ଭାରତୀୟ ଭାବେ ବିଶ୍ୱ ଚାମ୍ପିଅନସିପ୍‌ରେ ବ୍ରୋଞ୍ଜ ପଦକ ଲାଭ କରିଛନ୍ତି ।

ସେ ୬୩କିଲୋ ବର୍ଗ ସେମି ଫାଇନାଲ୍‌ରେ ଟପ୍‌ ସିଡ୍‌ କ୍ୟୁବା ବକ୍ସର ଆଣ୍ଡି ଗୋମେଜ୍‌ କ୍ରୁଜ୍‌ଙ୍କ ନିକଟରୁ ୫-୦ରେ ପରାଜିତ ହୋଇଥିଲେ । ପାନ୍‌ ଆମେରିକାନ୍‌ ଗେମ୍ସ ଚାମ୍ପିଅନ୍‌ ଗୋମେଜ ଆକ୍ରମଣାତ୍ମକ ପ୍ରଦର୍ଶନ ସହ ବାଜି ମାରି ନେଇଥିଲେ । ସେ ୩୦-୨୭, ୩୦-୨୭, ୨୦-୨୭, ୨୯-୨୮, ୩୦-୨୭ରେ ବାଉଟ୍‌କୁ ଜିତି ନେଇଥିଲେ । ଅମିତ୍‌ ଓ ମନୀଷ ଚଳିତ ସଂସ୍କରଣରେ ୨ଟି ପଦକ ଜିତି ଭାରତର ବିଶ୍ୱ ଚାମ୍ପିଅନସିପ୍‌ ଇତିହାସ ବଦଳାଇଥିଲେ । ପୂର୍ବରୁ କେବେ ଗୋଟିଏ ସଂସ୍କରଣରେ ଭାରତକୁ ୨ଟି ପଦକ ମିଳିନଥିଲା ।

   ସମ୍ବନ୍ଧିତ ଖବର


ISL‌-7 ପାଇଁ କ୍ରୀଡ଼ାସୂଚୀ ଘୋଷଣା: ଉଦ୍‌ଘାଟନୀ ମ୍ୟାଚ୍‌ରେ ହାଇଦ୍ରାବାଦକୁ ଭେଟିବ ଓଡ଼ିଶା, ଏଥର ସିଜନରେ ୧୧୫ଟି ମ୍ୟାଚ୍‌ ଖେଳାଯିବ

‘ମୋ ପରିବାର ଲୋକ ମୋତେ ଗ୍ରହଣ କରୁ ନାହାନ୍ତି’: ଦୂତି

IPL-2020: ଆଜି ଡିଫେଣ୍ଡିଂ ଚାମ୍ପିଅନ୍‌ ମୁମ୍ବାଇ ଇଣ୍ଡିଆନ୍ସ ଓ ଦିଲ୍ଲୀ କ୍ୟାପିଟାଲ୍ସ ମଧ୍ୟରେ ମୁକାବିଲା, ପ୍ଲେ-ଅଫ୍‌ ସ୍ଥାନ ପକ୍କା କରିବାକୁ ଶକ୍ତି ଖଟାଇବ ‘କ୍ୟାପିଟାଲ୍ସ ‘

ମୁମ୍ବାଇ ଫୁଟବଲ୍‌ ଖେଳାଳିଙ୍କ ଅକାଳ ବିୟୋଗ, ମ୍ୟାଚ୍ ଖେଳୁଥିବା ବେଳେ ଟଳି ପଡଲେ

ରନ୍ ଆଉଟ୍ ହେଲେ ଇମାମ ଉଲ୍ ହକ୍, ଟ୍ୱିଟରରେ ହେଲେ ଟ୍ରୋଲ୍

କ୍ରିସ୍‌ ଗେଲଙ୍କ ଛକା ରେକର୍ଡ, ପ୍ରଥମ କ୍ରିକେଟର ଭାବେ ଟି-୨୦ରେ ୧୦୦୦ ଛକା ମାରିଲେ ବସ୍