PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଦେବଗଡ : ରିଆମାଳ ରେଞ୍ଜ ନୁଆଁଡିହି ସେକ୍ସନ ଖିଲେଇ ଜଙ୍ଗଲରେ ହାତୀ ଆକ୍ରମଣ ଯୋଗୁଁ ବନ ଶ୍ରମିକ ଗୁରୁତର
  • ||
  • କୋଣାର୍କ : ରୋଗ କଷ୍ଟ ସହିନପାରି ସ୍କୁଲ ହତାରେ ଆତ୍ମହତ୍ୟା କଲେ ବୃଦ୍ଧ
  • ||
  • ଭୁବନେଶ୍ଵର : ରାଜ୍ୟରେ ଆଉ ୪ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୧୫୦କୁ ବୃଦ୍ଧି
  • ||
  • ଭୁବନେଶ୍ୱର : ରାଜ୍ୟରେ ଉପର ତଳ ହେଉଛି କରୋନା ଗ୍ରାଫ୍, ୨୪ ଘଣ୍ଟାରେ ଚିହ୍ନଟ ହେଲେ ୭୩୪ ପଜେଟିଭ୍
  • ||
  • ନୀଳଗିରି : ମାଡ଼ିଆସୁଛନ୍ତି ନୀଳଗିରି ଆଡକୁ ଝାଡ଼ଖଣ୍ଡ ହାତୀ, ଚାଷୀ ଆତଙ୍କିତ
  • ||
  • କଳାହାଣ୍ଡି : ପୋଖରୀରେ ବୁଡି ୨ ଶିଶୁ ମୃତ
  • ||
  • ଜଳେଶ୍ଵର : ବିପଦ ସଂକେତ ଉପରେ ପ୍ରବାହିତ ହେଉଛି ଜଳକା, ବନ୍ୟା ପାଣି ଘେରରେ ୧୦ରୁ ଉର୍ଦ୍ଧ୍ଵ ଗ୍ରାମ
  • ||
  • ଲମତାପୁଟ : ଅଟୋରୁ ୧୦ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ, ଗାଡି ଛାଡି ୨ ମାଫିଆ ଫେରାର୍
  • ||

ଆଜି ବିଶ୍ୱ ଐତିହ୍ୟ ଦିବସ; କବ୍‌ଜାରେ ପ୍ରାଚୀନ ମନ୍ଦିର, ପ୍ରଶାସନ ନିରବ

ଭୁବନେଶ୍ୱର,୧୭ ।୪(ବ୍ୟୁରୋ): ବିଶ୍ୱ ଐତିହ୍ୟ ତାଲିକାରେ ସ୍ଥାନ ପାଇଛି ମନ୍ଦିରମାଳିନୀ ଭୁବନେଶ୍ୱର । ଗତ କିଛିବର୍ଷ ହେବ ୟୁନେସ୍କୋ ପକ୍ଷରୁ କରାଯାଇଥିବା ସର୍ଭେ ତାଲିକାରେ ସ୍ଥାନ ପାଇଥିଲା ଏକାମ୍ରକ୍ଷେତ୍ର । ଏକାଠି ୭୦୦ ଶିବ ମନ୍ଦିର ଥିବା ଏହି ଅଞ୍ଚଳ ପ୍ରାଚୀନ କୀର୍ତ୍ତିରାଜିରେ ଅନନ୍ୟ । ଏହାଛଡ଼ା ଏକାମ୍ରକ୍ଷେତ୍ରର ଚାରିପଟେ ଶିଶୁପାଳଗଡ଼, ଧଉଳି, ଖଣ୍ଡଗିରି ଉଦୟଗିରି ଭଳି ଐତିହ୍ୟସ୍ଥଳୀ ରହିଛି । ଆସନ୍ତା ଦିନରେ ମହାରାଷ୍ଟ୍ରର ହାମ୍ପି ଭଳି ଏକାମ୍ରକ୍ଷେତ୍ର ମଧ୍ୟ ବିଶ୍ୱ ଐତିହ୍ୟ ତାଲିକାରେ ସ୍ଥାନ ପାଇବ । ମାତ୍ର ସରକାରୀ ଅବହେଳାରୁ ଏହି ପ୍ରାଚୀନ କ୍ଷେତ୍ର ଅସୁରକ୍ଷିତ ହୋଇ ପଡିଛି । ଉଭୟ ସର୍ବସାଧାରଣ ଓ ସରକାରୀସ୍ତରରେ କୀର୍ତ୍ତିରାଜି କାଳକ୍ରମେ ଜବରଦଖଲ ହେବାରେ ଲାଗିଛି ।

ଐତିହ୍ୟ କବଜାର ସବୁଠୁ ବଡ଼ ନିଦର୍ଶନ ହେଉଛି ରଥରୋଡ଼ରେ ଥିବା କାଠଗୋଲା ଭିତର ମନ୍ଦିର । ବୈତାଳ ମନ୍ଦିର ଭିତରେ ପଶି ନିରେଖି ଦେଖିଲେ ଯଦିଓ ଏହି ମନ୍ଦିରର କିଛି ଭାଗ ଆଖିରେ ପଡ଼େ, ତେବେ ସେଠାରେ ପହଞ୍ଚିବାକୁ କୌଣସି ବାଟନାହିଁ । ମନ୍ଦିର ସମ୍ପର୍କରେ ମଧ୍ୟ କୌଣସି ସୂଚନା ଦିଆଯାଇନାହିଁ । ଜବରଦଖଲକାରୀ କାଠ ଗୋଦାମ ମାଲିକଙ୍କ ପତିଆରା ଏତେ ଯେ ସେଠାକୁ କୌଣସି ପ୍ରତ୍ନତତ୍ତ୍ୱ ଅଧିକାରୀ ଯିବାକୁ ଡରୁଛନ୍ତି । ତାଛଡା ତହସିଲ ରେକର୍ଡରେ ମଧ୍ୟ ମନ୍ଦିରର ସ୍ୱତ୍ତ୍ୱାଧୀକାରୀ ଘରୋଇ ବୋଲି ଦର୍ଶାଯାଇଛି । ଏହା କିପରି ସମ୍ଭବ ତାହାର ଉତ୍ତର ଦେବାକୁ କେହି ନାହାନ୍ତି ।

ଏକାମ୍ରକ୍ଷେତ୍ରରେ ଏମିତି ଆଉ କିଛି ମନ୍ଦିର ହେଲା ଶୁକସାରୀ ମନ୍ଦିର, ଜଟେଶ୍ୱର ମହାଦେବ, ଐଶାନେଶ୍ୱର, କୁକୁଟେଶ୍ୱର, ଗଡ଼ମହାବୀର, ଗୋକର୍ଣ୍ଣେଶ୍ୱର, ଦୈତେଶ୍ୱର, ଶ୍ରୀରାମନଗର ଅଞ୍ଚଳରେ ଥିବା ଶ୍ରୀ ଲିଙ୍ଗରାଜଙ୍କ ଶ୍ରୀପଞ୍ଚମୀ ବିଜେସ୍ଥଳୀ, ବୈତାଳ ମନ୍ଦିର, ସ୍ୱର୍ଣ୍ଣ ଜଳେଶ୍ୱର ମନ୍ଦିର, ଅମଣିଆ ମନ୍ଦିର ଭଳି ଆହୁରି ଅନେକ । ଏହି ସମସ୍ତ କୀର୍ତ୍ତିରାଜୀ ଚାରିପାଖରେ ମଧ୍ୟ ଏବେ ମାଳମାଳ ଘର । ବିନ୍ଧ୍ୟବାସିନୀ ଓ ଶୁକସାରୀ ମନ୍ଦିର ପଛପଟେ ଜମା ହୋଇ ରହିଛି ଆବର୍ଜନାର ପାହାଡ଼ । ଦେବୀପାଦହରା ଏବେ ଘୋର ପ୍ରଦୂଷିତ କୁଣ୍ଡ । ଗଙ୍ଗାଯମୁନା ସମ୍ମୁଖରେ ଜଣେ ବ୍ୟକ୍ତିଙ୍କ ବାସଭବନ ପରିସରରେ ରହିଛି ୧୦ମଶତାବ୍ଦୀର ଏକ ପ୍ରାଚୀନ ମନ୍ଦିର । କେଦାରଗୌରୀ କଲୋନୀରେ ଜଣେ ପ୍ରଶାସନିକ ଅଧିକାରୀଙ୍କ ବାସଭବନ ପରିସୀମାରେ ଏକ ୩୦ ଫୁଟ ଉଚ୍ଚତା ବିଶିଷ୍ଟ ପ୍ରାଚୀନ ମନ୍ଦିର ବି ରହିଛି । ଏହାଛଡା ପୂର୍ବେଶ୍ୱର ମନ୍ଦିର ବେଢ଼ାର କିଛି ଅଂଶ ନେଇଯାଇଛି ଏକ ଘରୋଇ ଶିକ୍ଷାନୁଷ୍ଠାନ । ବାରେଣୀଶ୍ୱର ମନ୍ଦିର ବେଢ଼ା ଏବେ ଜଣେ ବିଲଡରଙ୍କ କବ୍‌ଜାରେ । ଚକ୍ରେଶ୍ୱର ମନ୍ଦିର ବେଢ଼ା ଓ ପ୍ରାଚୀନ ପୁଷ୍କରିଣୀକୁ ମିଶାଇ ପ୍ରାୟ ଅଧ ଏକର ପରିମିତ ସ୍ଥାନକୁ ନେଇ ଯାଇଛନ୍ତି ଜବରଦଖଲକାରୀ । ଦୈତେଶ୍ୱର ମନ୍ଦିରକୁ ଘୋଡ଼ାଇ ଦେଇଛି ଏକ କଲ୍ୟାଣ ମଣ୍ଡପ । କୁକୁଟେଶ୍ୱର ମନ୍ଦିର ଓ ରାଜ୍ୟ ପ୍ରତ୍ନତତ୍ତ୍ୱ ବିଭାଗ ଅଧୀନରେ ଥିବା ପୁରାତନ ରାଜବାଟୀକୁ ଏବେ ଚଞ୍ଚକତା କରି ବିକ୍ରି କରାଯାଉଛି ।

ଖଣ୍ଡଗିରି ଅଞ୍ଚଳରେ ମଧ୍ୟ ଜବରଦଖଲକାରୀଙ୍କ ପ୍ରାଦୁର୍ଭାବ ଯୋଗୁ ଖଣ୍ଡଗିରି-ଉଦୟଗିର ରାସ୍ତା ବନ୍ଦ ହୋଇ ପାରୁନି । ଦୁଇଟିଯାକ ପର୍ଯ୍ୟଟନସ୍ଥଳୀକୁ ଏକତ୍ର କରାଯାଇ ତା ଚାରିପାଖରେ ଲୁହାବାଡ଼ ଦିଆଯିବା ଲାଗି ୨୦୧୦ରେ ନିଷ୍ପତ୍ତି ହୋଇଥିଲା । ଉକ୍ତ ନିଷ୍ପତ୍ତି ଏବେ ବି ଅନିଶ୍ଚିତତା ଭିତରେ ରହିଛି । ସବୁଠାରୁ ବଡ଼କଥା ଦୀର୍ଘବର୍ଷ ହେବ ତିଆରି ହୋଇଥିବା ବ୍ୟାଖ୍ୟାନକେନ୍ଦ୍ର ଏଯାଏ କାର୍ଯ୍ୟକ୍ଷମ ହୋଇପାରିନି । ଐତିହ୍ୟସ୍ଥଳୀରେ ନିଜର ହକ୍‌ ଜାହିର କରି ଏହି ତଥା କଥିତ ଜବରଦଖଲକାରୀମାନେ ଖଣ୍ଡଗିରି-ଉଦୟଗିରିର ବିକାଶ କରିବାକୁ ଦେଉନାହାନ୍ତି ।