ବିଶ୍ୱ ନାଟ୍ୟ ଦିବସ: ଲୋକଙ୍କ ପାଇଁ ଲୋକପ୍ରିୟ ନାଟକ

ଭୁବନେଶ୍ୱର,୨୬ା୩(ବ୍ୟୁରୋ): ଲୋକପ୍ରିୟ ହୋଇପାରୁନି ଲୋକପ୍ରିୟ ନାଟକ । ଖାଲି ସେତିକି ନୁହେଁ, ସିଭିଲ୍‌ ସୋସାଇଟି ପାଇଁ ନାଟକର ଅବଦାନ ପୂରଣ ହେଇପାରୁନି । ଅତ୍ୟାଧୁନିକ ସଭ୍ୟତାରେ, ସାମ୍ପ୍ରତିକ ଘଟଣାଭିତରେ ବଞ୍ଚୁଥିବା ଦର୍ଶକଙ୍କ ସମସ୍ତ ଆଶା, ଅଭିଳାଶାକୁ ପୂରଣ କରିପାରୁନି ଏ ନାଟକ । ଆହ୍ୱାନ ଆସିଛି, ଏ ସମସ୍ୟାକୁ ସାମ୍ନା କରିବାକୁ । ସେ ଭିତରେ ପୁଣି କଥା ଉଠୁଛି³ ନାଟକରେ ମହିଳାଙ୍କୁ ଅଗ୍ରାଧିକାର ସହ ଆଞ୍ଚଳିକ ନାଟକ, ନାଟ୍ୟଦଳ ଏବଂ କଳାକାରଙ୍କୁ ସୁଯୋଗ ଦେବା । ନିର୍ଦ୍ଦେଶକ ଅଭିନ୍ନ ରାଉତରାୟ କହିଛନ୍ତି, ଲୋକପ୍ରିୟ ନାଟକ କହିଲେ, ସିଧାସଳଖ ଲୋକନାଟକକୁ ବୁଝିବା ନାହିଁ ବରଂ ଲୋକଙ୍କ ପାଇଁ ହେଉଥିବା ନାଟକ । ଯାହା ଲୋକଙ୍କ କଥା କହୁଥିବା, ଭାଷା ବୁଝୁଥିବ । ସେଥିରେ ଲୋକନାଟକ ଏକ ଅଂଶ ହୋଇପାରେ । ରାଜ୍ୟର କୋଣଅନୁକୋଣରେ ବିଭିନ୍ନ ପ୍ରକାର ଭାଷାରେ ନାଟକ ହେଉଛି । ତା’ର ରଙ୍ଗ ଅଲଗା ଆଉ ଢଙ୍ଗ ବି । ତାକୁ ଦୃଷ୍ଟି ଦେବାକୁ ପଡ଼ିବ ।

ପ୍ରତିଟି ନାଟକରେ କେବଳ ଭାଷା ବା ଭାବ ଅଲଗା ନଥାଏ, ଅନେକ କିଛି ପାର୍ଥକ୍ୟ ଦେଖିବାକୁ ମିଳେ । ଏଥିସହ ସାମ୍ପ୍ରତିକ ସମାଜରେ ଘଟୁଥିବା ଘଟଣାବଳୀ ଏବଂ ସିଭିଲ୍‌ ସୋସାଇଟିର ଆବଶ୍ୟକତାକୁ ପୂରଣ କରି ନାଟକର ଏ କ୍ଷେତ୍ର ପ୍ରତି ଥିବା ଅବଦାନକୁ ଯଥେଷ୍ଟ ଗୁରୁତ୍ୱ ଦେବାକୁ ହେବ । ନିର୍ଦ୍ଦେଶକ ସୁବୋଧ ପଟ୍ଟନାୟକ କହିଛନ୍ତି, ଅନେକଙ୍କ ଧାରଣା ରହିଛି ଲୋକ ଯାହା ଦାବି କରୁଛନ୍ତି ତାକୁ ନେଇ ନାଟକ କରିବା । କିନ୍ତୁ ତାହା ନୁହେଁ, ଆମେ ତାକୁ ଉଚିତ ଢଙ୍ଗରେ କରିବା । ଯେମିତି ନାଟକଟି ଲୋକପ୍ରିୟ ହେବ । ସେହିଭିତରେ ସିଭିଲ୍‌ ସୋସାଇଟି କଥାକୁ ଦୃଷ୍ଟି ଦେବା ଏବଂ ପ୍ରଥମେ ନିଜ ନିଜ ଦଳରୁ ମହିଳାଙ୍କୁ ନାଟ୍ୟକର୍ମୀ ଭାବେ ପ୍ରୋତ୍ସାହିତ କରିବା । ସାମାଜିକ ନିରାପତ୍ତା ଓ ଶୃଙ୍ଖଳିତ ଭିତ୍ତିରେ ସେମାନଙ୍କୁ ଆଗକୁ ବଢ଼ିବାକୁ ସାହସ ଦେବା । ନିର୍ଦ୍ଦେଶକ ଧୀରେନ୍ଦ୍ରନାଥ ମଲ୍ଲିକ କହିଛନ୍ତି, କୌଣସି ନିର୍ଦ୍ଧିଷ୍ଟ ବର୍ଗ ନୁହେଁ ସାମଗ୍ରିକ ସମାଜ ପାଇଁ ନାଟକ ହେଉଛି । ସେଥିରେ ନାରୀମାନେ ଅଭିନୟ କରୁଛନ୍ତି ଆଉ ସେମାନଙ୍କୁ ନେଇ ବି ନାଟକ ହେଉଛି । କିନ୍ତୁ କୌଣସି ଦଳର ମୁଖ୍ୟ ଭାବେ ରଚନା ଓ ନିର୍ଦ୍ଦେଶନା ଦେଇ ମହିଳାମାନେ ନାଟକ କରିବାରେ କେବଳ ଓଡ଼ିଶା ନୁହେଁ ସମଗ୍ର ଭାରତ ପଛରେ ।

ଓଡ଼ିଶାରେ ମାତ୍ର ୩-୪ଜଣ ନଜର ଆସିବେ ଯେଉଁମାନେ ଏ କ୍ଷେତ୍ରରେ କାର୍ଯ୍ୟ କରୁଛନ୍ତି । ନାଟ୍ୟକାର ପଞ୍ଚାନନ ଦାଶ କହିଛନ୍ତି, ଅବକ୍ଷୟମୂଖୀ, ଅପସଂସ୍କୃତି ଏବଂ ଅବିଶ୍ୱାସ ସମାଜରେ ନାଟକ ସିଭିଲ୍‌ ସୋସାଇଟି ପ୍ରତି ଅବଦାନକୁ ନଭୁଲି ଲୋକଙ୍କ କଥା କହିବା ଜରୁରୀ । ତାହା ଯଦି ଆଞ୍ଚଳିକ ନାଟକ ମାଧ୍ୟମରେ ମହିଳା କୈନ୍ଦ୍ରିକ ଧାରା ଉପରେ ଆଧାରିତ ରହେ ତେବେ ବହୁତ ଭଲ ହେବ । ନାଟ୍ୟକର୍ମୀ ଅଶୋକ କର କହିଛନ୍ତ, ନାଟକ ମାଧ୍ୟମରେ ସାମାଜର ଉନ୍ନତି କରିବା । ନକଲି ଅଭିନେତା ନହୋଇ ଅସଲି କଳାକାର ହେବ ।

ନାଟ୍ୟସଂଘ ପାଳନ କରିବ ନାଟ୍ୟ ଦିବସ: ଓଡ଼ିଶା ନାଟ୍ୟସଂଘ ପାଳନ କରୁଛି ବିଶ୍ୱ ନାଟ୍ୟ ଦିବସ । ଏହି ଅବସରରେ ଆସନ୍ତାକାଲି ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି । ଅପରାହ୍ନ ୪ଟାରେ ଭୁବନେଶ୍ୱର ହାଉସିଂବୋର୍ଡ ଛକଠାରୁ ଏକ ନାଟ୍ୟ ପଦଯାତ୍ରା ବାହାରି ରବୀନ୍ଦ୍ର ମଣ୍ଡପରେ ପହଞ୍ଚିବ । ରବୀନ୍ଦ୍ର ମଣ୍ଡପରେ ସନ୍ଧ୍ୟା ସାଢ଼େ ୫ଟାରୁ ସନ୍ଧ୍ୟା ୭ଟା ପର୍ଯ୍ୟନ୍ତ ନାଟ୍ୟ ଆଲୋଚନାଚକ୍ର ଅନୁଷ୍ଠିତ ହେବ । ସନ୍ଧ୍ୟା ୭ଟା ପରେ ବଭିନି୍ନ ଅନୁଷ୍ଠାନ ତରଫରୁ ସ୍ୱଳ୍ପ ସମୟ ଅବଧି ବିଶିଷ୍ଟ ନାଟକ ମଞ୍ଚାୟନ ହେବ ବୋଲି ନାଟ୍ୟସଂଘ ସଭାପତି ହରେନ୍‌ ସାହୁ ଏବଂ ସମ୍ପାଦକ ଲାଲା ବିରେନ୍‌ ରାୟ କହିଛନ୍ତି ।