ଆଜି ବିଶ୍ବ ଫଟୋଗ୍ରାଫି ଦିବସ : ଯୁବ ଫଟୋଗ୍ରାଫରଙ୍କ ଟାର୍ଗେଟ ମହାକାଶ

ଭୁବନେଶ୍ୱର,୧୯।୮: ନୀଳ ସମୁଦ୍ରରୁ ବନ୍ୟଜନ୍ତୁଙ୍କ ଯାଏ, ଘାସ ବିଲଠାରୁ ମାଟି ମଟାଳ ଯାଏ । ବଲିଉଡ଼ଠାରୁ ଡେଷ୍ଟିନେସନ୍‌ ୱେଡିଂ ପର୍ଯ୍ୟନ୍ତ । ସବୁଥିରେ ନିଜ କମାଲ ଦେଖାଇ ସାରିଲେଣି ଓଡ଼ିଶାର ଅନେକ ଫଟୋଗ୍ରାଫର । ତେଣୁ ବର୍ତ୍ତମାନ ମହାକାଶ ବା ଅନ୍ତରୀକ୍ଷ ହେଉଛି ଏହି ପେଶାଦାର ଫଟୋଗ୍ରାଫରଙ୍କ ବଡ଼ ଟାର୍ଗେଟ । ପୃଥିବୀ ପୃଷ୍ଠରେ କ୍ୟାମେରା ଲେନ୍ସରେ ପ୍ରକୃତିରାଣୀର ସୌନ୍ଦର୍ଯ୍ୟ, କଳାକୃତି, ଆମ ଐତିହ୍ୟ, ପରମ୍ପରା ଓ ଜୀବନ ଯାତ୍ରାର ଫଟୋ ଉତ୍ତୋଳନ କରି ଆସୁଥିବା ଫଟୋଗ୍ରାଫରମାନେ କ୍ୟାମେରା ଫ୍ରେମରେ ଏବେ ମହାକାଶର ଫଟୋ ଉଠାଇବା ଆରମ୍ଭ କଲେଣି । କାରଣ ଏବେ ସମୟ ବଦଳିଛି । ତା’ସହିତ ଅନ୍ତରୀକ୍ଷ ମଣ୍ଡଳରେ କ’ଣ ଘଟୁଛି ତାହା ଜାଣିବାକୁ ଆଗ୍ରହ ବଢିଛି । ତେଣୁ କ୍ୟାମେରା ଲେନ୍ସରେ ତାକୁ ତୋଳି ଧରିବାକୁ ବ୍ୟଗ୍ର ହୋଇପଡ଼ିଲେଣି ଏହି ଫଟୋଗ୍ରାଫରମାନେ । ସମୟ ଯେତେ ବଦଳୁଛି ଆଷ୍ଟ୍ରୋ ଫଟୋଗ୍ରାଫି (ଖଗୋଳ ଆଲୋକ ଚିତ୍ରକଳା) ଉପରେ ସେତେ ମନ ବଳୁଛି । ବଡ଼ କଥା ହେଲା ଏଥିପାଇଁ ଲଦାଖ କିମ୍ବା ଓଡ଼ିଶା ବାହାରକୁ ଯିବାକୁ ପଡୁନି । ଓଡ଼ିଶା ଭିତରେ ଓଡ଼ିଶାର ଅନେକ ଯୁବ ଫଟୋଗ୍ରାଫର ହାତରେ କ୍ୟାମେରା ଧରି ରାତି ରାତି ଅନିଦ୍ରା ହୋଇ ନିଜ ସ୍ୱପ୍ନକୁ ସାକାର କରିବାରେ ଲାଗିପଡ଼ିଛନ୍ତି ।

ଆଷ୍ଟ୍ରୋ ବା ମହାକାଶ ଫଟୋଗ୍ରାଫି ବିଦେଶରେ ବହୁଳ ଭାବେ ଆଦୃତ ଥିଲେ ହେଁ ଆମ ରାଜ୍ୟରେ ବହୁତ କମ୍‌ ବ୍ୟକ୍ତି ଆପଣାଇଛନ୍ତି । ଚଳିତ ବର୍ଷ ସାରା ବିଶ୍ୱରେ ନିଓୱାଇଜ ଧୂମକେତୁର ଫଟୋଗ୍ରାଫି ପାଇଁ ହଜାର ହଜାର ଫଟୋଗ୍ରାଫର ଉତ୍ସାହିତ ଥିବାବେଳେ ଏଥିରୁ ବାଦ ପଡ଼ିନି ଓଡ଼ିଶା । ମେଘାଚ୍ଛନ୍ନ ଆକାଶ ଏବଂ ପ୍ରଦୂଷଣ ସତ୍ତେ୍ୱ ଏହି ସୁନ୍ଦର ଧୂମକେତୁ କଏଦ ହୋଇଛି ଓଡ଼ିଶାର ଆଷ୍ଟ୍ରୋ ଫଟୋଗ୍ରାଫରଙ୍କ କ୍ୟାମେରାରେ ।

ରାତି ରାତି ଅନିଦ୍ରା ହେବାକୁ ପଡ଼େ
ଚଳିତବର୍ଷ ଧୂମକେତୁ ଫଟୋ ଉତ୍ତୋଳନ କରିଥିବା ଓଡ଼ିଶାର ଦ୍ୱିତୀୟ ଏବଂ ରାଜଧାନୀର ପ୍ରଥମ ଫଟୋ ସାମ୍ବାଦିକ ହେଲେ ରାକେଶ କୁମାର ରାଉଳ । ସେ ମଧ୍ୟ ଦୁଇ ବର୍ଷ ହେବ ଆଷ୍ଟ୍ରୋ ଫଟୋଗ୍ରାଫି କରୁଛନ୍ତି । ରାକେଶଙ୍କ କହିବାନୁସାରେ ଆଷ୍ଟ୍ରୋ ଫଟୋଗ୍ରାଫି କରିବା ପାଇଁ ବହୁତ କିଛି ଜାଣିବାର ଆବଶ୍ୟକତା ଅଛି । ହେଲେ ଓଡ଼ିଶାରେ ସେମିତି କିଛି ସୁଯୋଗ କି ଶିକ୍ଷାନୁଷ୍ଠାନ ନାହିଁ । ଇଣ୍ଟରନେଟ୍‌ ଓ ଅନ୍‌ଲାଇନ୍‌ରେ ପଢ଼ି ଯାହା ଯେତିକି ଶିଖିବା କଥା । ଏଥର ଧୂମକେତୁ ଫଟୋ ଉଠାଇବା ଭୁବନେଶ୍ୱରରେ ସମ୍ଭବ ନଥିଲା । ପାଗ ବହୁତ ଖରାପ ଥିଲା । ରାକେଶଙ୍କ ମତରେ ଆକାଶ ମେଘାଛନ୍ନ ଓ ପ୍ରଦୂଷଣ ମୁକ୍ତ ଥିଲେ ଏପରି ଫଟୋ ଉଠାଇବା ସହଜ ହୁଏ । ମେଘାଛନ୍ନ ଆକାଶ କାରଣରୁ ଦେଶ ତଥା ଦେଶ ବାହାରେ ଧୂମକେତୁ ଫଟୋ ଉଠାଇବା ସମ୍ଭବ ପର ହୋଇଥିଲା । ହେଲେ ଓଡ଼ିଶାରେ ଖାଲି ଆଖିରେ ଓ କ୍ୟାମେରା ଲେନ୍ସରେ ଏହାକୁ କଏଦ କରିବା ଏତେ ସହଜ ସାଧ୍ୟ ନଥିଲା । ଏଥିରୁ ଅନେକ ଲୋକ ବଞ୍ଚିତ ହୋଇଥିଲେ । ଦୀର୍ଘ ୧୦ଦିନର ଅପେକ୍ଷା ପରେ ୨୫ ତାରିଖଠାରୁ ଏହାକୁ ଉଠାଇବାରେ ସକ୍ଷମ ହୋଇଥିଲି । ଧଉଳି, ବାଳକାଟି, ଖୋର୍ଦ୍ଧା, ଡେରାସ ଆଦି ସ୍ଥାନରେ ରାତି ରାତି ଅନିଦ୍ରା ରହି ଫଟୋ ଉଠାଇଥିଲି । ଏହାସହ ବୃହସ୍ପତି, ବୁଧ, ଶନି, ବିଭିନ୍ନ ଗ୍ରହଣ, ଧୂମକେତୁ ଓ ଚନ୍ଦ୍ରର ଫଟୋ ଉଠାଇଛି । ଆକାଶ ଗଙ୍ଗାର ଫଟୋ ମଧ୍ୟ ଉଠାଏ । ଏଥର ଅଗଷ୍ଟ ମାସରେ ବହୁତ ଉଲକା ପିଣ୍ଡ ଖସୁଥିବାର ଫଟୋ ମଧ୍ୟ ମୋ କ୍ୟାମେରା ଲେନ୍ସରେ ଉତ୍ତୋଳନ କରିଛି । ଫଟୋଗ୍ରାଫରଟି ଫଟୋ ଉଠାଇବା ପାଇଁ ରାତି ରାତି ଅନିଦ୍ରା ହୋଇଥାଏ । ଏଥିପାଇଁ ଫଟୋଗ୍ରାଫରକୁ ସମ୍ମାନ ଦେବା କଥା । ତାଙ୍କ ବିନା ଅନୁମତିରେ ଫଟୋ ଚୋରି କରିବା କଥା ନୁହେଁ ।

ଡିଜିଟାଲ କ୍ୟାମେରାରେ ଆଷ୍ଟ୍ରୋ ଫଟୋଗ୍ରାଫି ସହଜ
ପିଲାବେଳୁ ନକ୍ଷତ୍ର ଓ ତାରାମାନଙ୍କ ଗତିବିଧି ଲକ୍ଷ୍ୟ କରିବା ତାଙ୍କର ଅଭ୍ୟାସ । କିଛିଦିନ ପୂର୍ବରୁ ଧୂମକେତୁ ସି-୨୦୨୦ ଏଫ-୩ର ଫଟୋ ଉଠାଇଥିଲେ । ଏହି ଫଟୋ ଉଠାଇବାରେ ସେ ହେଉଛନ୍ତି ଓଡ଼ିଶାର ପ୍ରଥମ ବ୍ୟକ୍ତି । ସେ ହେଲେ ଜୟପୁରର ଆଷ୍ଟ୍ରୋ ଫଟୋଗ୍ରାଫର ମଳୟ ପାତ୍ର । ମଳୟ କୁହନ୍ତି, ୧୯୯୪ରୁ ଆକାଶରେ ତାରାମାନଙ୍କ ଗତିପଥ ଲକ୍ଷ୍ୟ କରିଆସୁଛି । ଯେତେବେଳେ ଫିଲ୍ମ କ୍ୟାମେରା ଥିଲା ଆଷ୍ଟ୍ରୋ ଫଟୋଗ୍ରାଫି ବହୁତ କଷ୍ଟକର ହେଉଥିଲା । ବର୍ତ୍ତମାନ ଡିଜିଟାଲ କ୍ୟାମେରାରେ ଏହା ଉଠାଇବା ବହୁତ ସହଜ ହୋଇଯାଇଛି । ଫଳରେ ଆମେ ମହାକାଶର ଏପରି ଦୁର୍ଲଭ ଫଟୋ ପାଇବାରେ ସଫଳ ହେଉଛୁ । କାଳ ପୁରୁଷ, ମରାଳ ମଣ୍ଡଳ, କୃତ୍ତିକା ପରି ଆକଶରେ ଏମିତି ତାରକା ମଣ୍ଡଳକୁ ରାତି ଅନିଦ୍ରା ହୋଇ ଅନୁଧ୍ୟାନ କରେ । ବିଭିନ୍ନ ଋତୁ, ସୂର୍ଯ୍ୟୋଦୟ ଓ ଅସ୍ତ ହେବା ଭିତରେ ଏମାନଙ୍କ ସ୍ଥାନରେ ପରିବର୍ତ୍ତନ ଆସିଥାଏ । ତାରା ଓ ମହାକାଶର ଫଟୋ ଉତ୍ତୋଳନ କରିବା ଏକ ଅଭ୍ୟାସ । ତାରା ଓ ଧୁମକେତୁ, ଆକାଶ ଗଙ୍ଗାର ସ୍ଥିତି ବିଷୟରେ ଜାଣିବା ପାଇଁ ବହୁତ ପଢ଼ିବାର ଆବଶ୍ୟକତା ଅଛି । ମୁଁ ଦୁଇଟି କାରଣ ଲାଗି ଫଟୋଗ୍ରାଫି ପ୍ରତି ମନ ବଳାଇଥିଲି । ପ୍ରଥମତଃ ମୋର ନିଶା ଥିଲା । ଦ୍ୱିତୀୟରେ କୋରାପୁଟ ଜିଲ୍ଲାର ସୌନ୍ଦର୍ଯ୍ୟ ଓ ଏହି ଜିଲ୍ଲାର ପ୍ରାକୃତିକ ପରିବେଶକୁ ଲୋକଲୋଚନକୁ ଆଣିବା ମୋର ଲକ୍ଷ୍ୟ ।

ଆଷ୍ଟ୍ରୋ ଫଟୋଗ୍ରାଫି ଓଡ଼ିଶାରେ ନାହିଁ କହିଲେ ଚଳେ
ଆଷ୍ଟ୍ରୋ ଫଟୋଗ୍ରାଫି ଓଡ଼ିଶାରେ ନାହିଁ କହିଲେ ଚଳେ । ଏପରି ଫଟୋଗ୍ରାଫି କେହି କରୁନାହାନ୍ତି । ହାତଗଣତି ହିସାବ କଲେ ଚାରି ପାଞ୍ଚ ଜଣ ଲୋକ ଏ ଫଟୋ ଉଠାଇବା ପାଇଁ ଆଗ୍ରହ ଦେଖାଉଛନ୍ତି । କିନ୍ତୁ ଭାରତରେ ଏହାର ଚାହିଦା ବହୁତ ରହିଛି । ଆଷ୍ଟ୍ରୋ ଫଟୋଗ୍ରାଫିକୁ ନେଇ ଭାରତରେ ବିଭିନ୍ନ ପ୍ରତିଯୋଗିତା ମଧ୍ୟ ହୋଇଥାଏ । ଓଡ଼ିଶାରେ ଯେଉଁ କିଛି ପିଲା କରୁଛନ୍ତି ତାଙ୍କ ପାଖରେ ଏହି ଫଟୋଗ୍ରାଫି ପାଇଁ ଉପାଦାନ ଅଛି ଓ ସେମାନେ ଜାଣିଛନ୍ତି । ଏହି ଫଟୋଗ୍ରାଫି ପ୍ରତି ଅଧିକ ଲୋକ ଆଗ୍ରହ ଦେଖାଇବା ଦରକାର । ଆଷ୍ଟ୍ରୋ ଫଟୋଗ୍ରାଫି ଏକ ବିସ୍ତୃତ ବିଷୟ । ଏଥିରେ ବହୁ ସୁନ୍ଦର ସୁନ୍ଦର ଫଟୋ ମଧ୍ୟ ଉତ୍ତୋଳନ କରାଯାଇ ପାରିବ । ଏଥିପାଇଁ ନିଷ୍ଠା ଦରକାର । କାରଣ ଏହି ଫଟୋଗ୍ରାଫିରେ ଲାଇଟ ବହୁତ କମ୍‌ ଥାଏ, ଯାହା ଉଠାଇବା ପାଇଁ ବହୁ ପରିଶ୍ରମ କରିବା ପାଇଁ ପଡ଼େ । ଯିଏ ଏପରି ଫଟୋ ଉଠାଇବା ପାଇଁ ଚାହିଁବେ ତାଙ୍କୁ ଆମେ ପ୍ରମୋଟ କରିବାକୁ ପ୍ରସ୍ତୁତ ।
-ଶୁଭେନ୍ଦୁ ପଟ୍ଟନାୟକ,
ଉପନିର୍ଦ୍ଦେଶକ, ପଠାଣି ସାମନ୍ତ ପ୍ଲାନେଟାରିୟମ୍‌

   ସମ୍ବନ୍ଧିତ ଖବର


‘ଏକ ଫୁଲ୍ ଚାର ମାଲି’! ସରକାରୀ ଗାଡ଼ିରେ ଅସଂଜତ ପ୍ରେମ, ଜଣେ ବଙ୍ଗୀୟ ଯୁବତୀଙ୍କ ସହ ୪ ରୋମିଓ ଥାନାରେ କାଟିଲେ ଅଧାରାତି

‘ପ୍ରମେୟ’ର ନବମ ସ୍ୱନକ୍ଷତ୍ର

ଜମିବାଡ଼ି ବିବାଦକୁ କେନ୍ଦ୍ର କରି ମହିଳା ଓ ପରିବାର ସଦସ୍ୟଙ୍କୁ ଗାଁ ଦାଣ୍ଡରେ ମରଣାନ୍ତକ ଆକ୍ରମଣ, ଭିଡିଓ ଭାଇରାଲ୍…

ପୁଣି କରୋନା ନେଲା ୫ ମୁଣ୍ଡ: ମୃତକଙ୍କ ସଂଖ୍ୟା ୧୭୪୪କୁ ବୃଦ୍ଧି

କରୋନାମୁକ୍ତ ରାସ୍ତାରେ ଓଡ଼ିଶା: ୨୪ଘଣ୍ଟା ଆଉ ୩୭୮ ପଜିଟିଭ ଚିହ୍ନଟ୍, ଆକ୍ରାନ୍ତଙ୍କ ସଂଖ୍ୟା ୩ ଲକ୍ଷ ୧୯ ହଜାର ପାର୍

କାର୍ତ୍ତିକେଶ୍ୱର ଭସାଣି ପାଇଁ କଟକରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି, ୧୬ ପ୍ଲାଟୁନ୍‌ ଫୋର୍ସ ମୁତୟନ: ବିସର୍ଜନ ପାଇଁ ପ୍ରସ୍ତୁତ ରହିଛି ୧୦ ଅସ୍ଥାୟୀ ଜଳାଶୟ