କୂଳପତି ପଦ ପାଇଁ ଆଶାୟୀ ରାଜବନରେ ଦେଇଥିଲେ ଲିଖିତ ପରୀକ୍ଷା, ଏତିକିଟି ପ୍ରଶ୍ନର ଉତ୍ତର ରଖିଲେ ଆଶାୟୀ…

ଭୁବନେଶ୍ବର,୨୮/ ୧୧: ନିକଟରେ ରାଜ୍ୟ ସରକାର ଓଡ଼ିଶା ବିଶ୍ବ ବିଦ୍ୟାଳୟ ଆଇନରେ ସଂଶୋଧନ କରିଥିଲେ। ଏହି ପ୍ରକ୍ରିୟାରେ ରାଜ୍ୟରେ ଥିବା ୬ଟି ବିଶ୍ବବିଦ୍ୟାଳୟ ପାଇଁ କୂଳପତି ଚୟନ ପ୍ରକ୍ରିୟା ଆରମ୍ଭ ହୋଇଥିଲା। କୂଳପତି ପଦବୀ ପାଇଁ ୧୬ ଜଣ ଅଧ୍ୟାପକ ଓ ଅଧ୍ୟାପିକା ସର୍ଟଲିଷ୍ଟେଡ ହୋଇଥିଲେ।

୧୬ ଜଣ ଆଶାୟୀ ପ୍ରାର୍ଥୀ ସୋମବାର ଦିନ ରାଜଭବନରେ ରାଜ୍ୟପାଳଙ୍କୁ ସାକ୍ଷାତ କରିବାର କାର୍ଯ୍ୟକ୍ରମ ଥିଲା। ହେଲେ ରାଜ୍ୟପାଳଙ୍କ ଧର୍ମପତ୍ନୀଙ୍କ ବିୟୋଗ ହୋଇଥିବାରୁ ତାଙ୍କ ସହିତ ସାକ୍ଷାତ ହୋଇ ପାରିନଥିଲା।

ପରେ ସମସ୍ତ କୂଳପତି ଆଶାୟୀଙ୍କୁ ରାଜ୍ୟପାଳଙ୍କ ସଚିବ ପ୍ରମୋଦ କୁମାର ମେହେର୍ଦ୍ଦା ଲିଖିତ ପରୀକ୍ଷା ବାବଦରେ ସୂଚନା ଦେଇଥିଲେ। ପରେ ଏହି ଲିଖିତ ପରୀକ୍ଷା ରାଜଭବନରେ ଅନୁଷ୍ଠିତ ହୋଇଥିଲା। ସଚିବ ପ୍ରମୋଦ କୁମାର ସମସ୍ତଙ୍କୁ ଖଣ୍ଡିଏ ପେପର ଓ ୪ଟି ପ୍ରଶ୍ନ ଦେଇଥିଲେ। ଏବଂ ପରୀକ୍ଷାର ଅବଧି ୪୫ ମିନିଟ୍‌ ଥିଲା। ଏଥିସହିତ ପରୀକ୍ଷା ହଲରେ ୩ ଜଣ ସରକାରୀ କର୍ମଚାରୀ ପରୀକ୍ଷା ସମୟରେ ଉପସ୍ଥିତ ଥିଲେ ବୋଲି ଜଣେ ଆଶାୟୀ ପ୍ରାର୍ଥୀ କହିଛନ୍ତି।

ସେହି ପ୍ରାର୍ଥୀ ଜଣକ ଆହୁରି କହିଛନ୍ତି ଯେ, ୪ଟି ପ୍ରଶ୍ନ ପଚରାଯାଇଥିଲା। ପ୍ରଶ୍ନଗୁଡିକ ଥିଲା ବ୍ରହ୍ମାଣ୍ଡ କିପରି ଗଠନ ହୋଇଛି। ବ୍ରହ୍ମାଣ୍ଡ ଗଠନରେ ବିଶ୍ୱ ବିଦ୍ୟାଳୟର ଭୂମିକା କଣ, କାମ କରିବାର କଳା ଓ ଇଚ୍ଛାଶକ୍ତି କିପରି ହେବା ଉଚିତ। ଆହୁରି ମଧ୍ୟ ଯଦି ଭଗବାନ ସାମ୍ନାକୁ ଆସନ୍ତି ଏବଂ କିଛି ଗୋଟେ ଆପଣଙ୍କୁ ମାଗିବା ପାଇଁ କୁହାଯାଏ ତେବେ ଆପଣ କଣ ମାଗିବେ। ସୂଚନାଥାଉକି, ପରୀକ୍ଷା ଫଳ ସେହି ଦିନ ସନ୍ଧ୍ୟାରେ ଘୋଷଣା କରାଯାଇଥିଲା।

ନିକଟରେ ୬ଟି ବିଶ୍ବବିଦ୍ୟାଳୟରେ କୂଳପତି ନିଯୁକ୍ତ ପାଇଥିବା ସମସ୍ତେ ଏହି ଲଖିିତ ପରୀକ୍ଷା ଦେଇଥିଲେ।