ଟ୍ରାଫିକ୍‌ ପୁଲିସ ଟାର୍ଗେଟରେ ରଙ୍ଗରୁଟ୍‌ ଡ୍ରାଇଭିଂ: ଚେକିଂ ଚାଲିଛି, ରଙ୍ଗରୁଟ୍‌ ଡ୍ରାଇଭିଂ ବି ହେଉଛି

ଭୁବନେଶ୍ୱର ୪/୧୨: ଟ୍ରାଫିକ କଟକଣା ଧରପଗଡ଼କୁ ତିନି ଦିନ ପୂରିଲା । ଟ୍ରାଫିକ୍‌ ପୁଲିସ ଟାର୍ଗେଟ କରିଥିଲା ରଙ୍ଗରୁଟ୍‌ ଡ୍ରାଇଭିଂ ଉପରେ । ରାଜଧାନୀର ୨୭ ଛକରେ ଏହି ଡ୍ରାଇଭ୍‌ ଚାଲିଥିଲା । ଏଥିରେ ରଙ୍ଗରୁଟ୍‌ ଧରୁଥିବା ଗାଡି଼ ଚାଳକଙ୍କୁ ପୁଲିସ ଗୋଡ଼ାଇ ଗୋଡ଼ାଇ ଧରି ଜରିମାନା ଲଗାଇଛି । ଖୋଦ୍‌ ଟ୍ରାଫିକ୍‌ ଡିସିପିଙ୍କ ତତ୍ତ୍ୱାବଧାନରେ ଏହି ଚେକିଂ ଚାଲିଥିଲା। ହେଲେ ୨୭ ଜାଗାରେ ଚେକିଂ ବେଳେ ରଙ୍ଗରୁଟ୍‌ ଯାଉଥିବା ଚାଳକଙ୍କୁ ପୁଲିସ ଧରିଲା ସିନା କିନ୍ତୁ ଏପଟେ ପ୍ରାୟ ୨୦୦ ଜାଗାରେ ନିୟମ ଫାଙ୍କି ମନଇଚ୍ଛା ରଙ୍ଗରୁଟ୍‌ରେ ଲୋକେ ଗାଡି଼ ଚଳାଉଥିବା ଦେଖାଗଲା। ରାଜଧାନୀ ରାସ୍ତାରେ କେଉଁଠି କେମିତି ରଙ୍ଗରୁଟ୍‌ ଡ୍ରାଇଭିଂ ଚାଲିଛି, ତାହାର ରିଅଲିଟି ଚେକ୍‌ କରିବାକୁ ଆମ ଟିମ୍‌ ପ୍ରୟାସ କରିଥିଲା।

ପ୍ରଥମେ ପହଞ୍ଚିଥିଲୁ ରାଜଧାନୀର ହାର୍ଟ ତଥା ମାଷ୍ଟରକ୍ୟାଣ୍ଟିନ ଛକରେ। ଏଠାରେ ଲାଲ୍‌ଚନ୍ଦ ଜୁଏଲାରୀ ସାମ୍ନାରେ ଟ୍ରାଫିକ୍‌ ଚେକିଂ ଚାଲିଥିଲା । ଯେଉଁଠି ପୁଲିସ୍‌କୁ ଦେଖି ଗାଡି଼ଚାଳକ ପୂର୍ବଭଳି ରଙ୍ଗରୁଟ୍‌ରେ ଶ୍ରୀୟା ଟକିଜ୍‌ ଆଡ଼େ ଯାଉନଥିଲେ । କି ପୂର୍ବଭଳି ଶ୍ରୀୟା ଟକିଜ୍‌ ଆଡୁ ଆସୁଥିବା ଗାଡି଼ ମାଷ୍ଟରକ୍ୟାଣ୍ଟିନ ଗୋଲେଇ ବୁଲିବା ବଦଳରେ ଲାଲଚାନ୍ଦ ଜୁଏଲାରୀ ସାମ୍ନା କଟ୍‌ରେ ୟୁ-ଟର୍ଣ୍ଣ ମାରୁନଥିଲେ । ହେଲେ ଖାରବେଳନଗର ଥାନା ଆଡ଼କୁ ମାତ୍ର ୧୦୦ ମିଟର ଯିବା ପରେ ଆରମ୍ଭ ହେଉଥିଲା ରଙ୍ଗରୁଟ୍‌ରେ ବେଧଡ଼କ ଡ୍ରାଇଭିଂ । ମାଷ୍ଟରକ୍ୟାଣ୍ଟିନ-ଶ୍ରୀୟା ଟକି୍‌ଜ୍‌ ଛକ ମଧ୍ୟରେ ୪-୫ ଗଳି ରାସ୍ତାରହିଛି । ଯେଉଁଗୁଡିକ ଜନପଥକୁ ସଂଯୋଗ କରୁଛି । ଲାଲ୍‌ଚନ୍ଦ ଜୁଏଲାରୀ ନିକଟ ଗଳି ରାସ୍ତାକୁ ଛାଡି଼ିଲେ, ବାକି ସବୁ ରାସ୍ତାରୁ ଗାଡି଼ ବାହାରି ଶ୍ରୀୟା ଟକିଜ୍‌ ଯାଏଁ ରଙ୍ଗସାଇଡ୍‌ରେ ଯାଉଥିଲା । ଖାରବେଳନଗର ଥାନା ପଛ ହରିଜନ ବସ୍ତି ଅଞ୍ଚଳରୁ ଅନ୍ୟ ଗଳି ଅପେକ୍ଷା ଅଧିକ ଗାଡି଼ ସର୍ଟକର୍ଟ ପାଇଁ ରଙ୍ଗରୁଟ୍‌ ଯା’ ଆସ ଚାଲିଥିଲା । ଶ୍ରୀୟା ଟକିଜ୍‌ ରୋଡ କଥା ଛାଡ଼ନ୍ତୁ, ମାଷ୍ଟରକ୍ୟାଣ୍ଟିନ ଗୋଲେଇ ଛକରେ ଷ୍ଟେସନ ଆଡକୁ, ରାଜମହଲ ଆଡୁ ଆସୁଥିବା ଗାଡି଼ ଗୋଲେଇ ଛକ ନ ବୁଲି କଂଗ୍ରେସ ଭବନ ସାମ୍ନା କଟ୍‌ରେ ୟୁ ଟର୍ଣ୍ଣ ଦେଇ ରାସ୍ତା ବଦଳାଉଥିଲେ ।

ସେହିପରି ଖୋଦ୍‌ ଟ୍ରାଫିକ୍‌ ଡିସିପି ସାଗରିକା ନାଥ ଆଜି ଏୟାରପୋର୍ଟ ଟ୍ରାଫିକ୍‌ ଛକ-ଫାୟାର ଷ୍ଟେସନ ରାସ୍ତାର ସିଟି ୱେମେନ୍ସ କଲେଜ ଛକରେ ଚେକିଂର ଦାୟିତ୍ୱ ସମ୍ଭାଳିଥିଲେ । ଓୟୁଏଟି କଲୋନିରୁ ସର୍ଟକର୍ଟ ଦେଇ ଟ୍ରାଫିକ୍‌ ଆଡେ ରଙ୍ଗରୁଟ୍‌ ଯାଉଥିବା ବାଇକ୍‌ ଆରୋହୀଙ୍କୁ ଅଟକାଇ ବୁଝାଉଥିଲେ । ସେମାନଙ୍କୁ ଟ୍ରାଫିକ୍‌ର ପାଠ ପଢ଼ାଉଥିଲେ । ସର୍ଟକର୍ଟ ପାଇଁ ରଙ୍ଗରୁଟ୍‌ରେ ଯାଇ ନିଜ ଜୀବନକୁ ବିପଦ ନ ପକାଇବାକୁ ପରାମର୍ଶ ବି ଦେଇଥିଲେ । ଏହି ଚେକିଂଠୁ ମାତ୍ର ୧.୫ କିମି ଦୂରରେ ପଡୁଛି ‘ପ୍ରମେୟ ଛକ’। ଏଠି କିନ୍ତୁ ଦୀର୍ଘ ଦିନ ଧରି ଚାଲୁଥିବା ଟ୍ରାଫିକ୍‌ ଚେକିଂ ଆଜି ବନ୍ଦ ଥିଲା । ସିଟି ୱେମେନ୍ସ କଲେଜ ଆଡୁ ଡିସିପିଙ୍କଠାରୁ ଟ୍ରାଫିକ୍‌ର ପାଠ ପଢ଼ି ଆସୁଥିବା ଲୋକ ଠିକ୍‌ ‘ପ୍ରମେୟ’ ଅଫିସ ସାମ୍ନାରେ ନିୟମ ଭାଙ୍ଗୁଥିଲେ । ଟ୍ରାଫିକ୍‌ ଡେଇଁ ପ୍ରମେୟ ଅଫିସ୍‌ କଡ଼ରେ ରଙ୍ଗରୁଟ୍‌ ଦେଇ ବେଧଡ଼କ ଗାଡି଼ ଗଡ଼ାଉଥିଲେ ଗଣ୍ଡମୁଣ୍ଡା ଛକ ଆଡ଼େ । ସର୍ଟକର୍ଟ ପାଇଁ ଜଗମୋହନଗର, ପଞ୍ଚସାଖା ନଗର ଆଉ ଗ୍ରୀନ୍‌ ପାର୍କର ଅଧିକାଂଶ ବାସିନ୍ଦାଙ୍କ ଏଇଟା ହେଉଛି ନିତିଦିନିଆ ବିପରୀତ ଦିଗ ରାସ୍ତା । କାଁ ଭାଁ କିଛି ଲୋକେ ଗଣ୍ଡମୁଣ୍ଡା ରିଲାଏନ୍ସ ଫ୍ରେସ୍‌ ଦେଇ ୨ କିମି ଅଧିକ ରାସ୍ତା ଅତିକ୍ରମ କରି ଘରକୁ ଯାଉଛନ୍ତି ।

ସେହିପରି ରାଜଭବନ ସାମ୍ନାରେ ପେଟ୍ରୋଲ ଟାଙ୍କି ରାସ୍ତାରେ ଚେକିଂ ହେଉଥିଲା। ସେଠାରୁ ପେଟ୍ରୋଲ ଟାଙ୍କିରୁ ରାଜଭବନ ଆଡେ ରଙ୍ଗରୁଟ୍‌ରେ ଯାଉଥିବା ଗାଡି଼ ବନ୍ଦ ଥିଲା। କିନ୍ତୁ ଗୋପବନ୍ଧୁ ଛକ ଆଡୁ ଆସୁଥିବା ଗାଡି଼ ଭିଜିଲାନ୍ସ ଅଫିସ୍‌ କଟ୍‌ଠାରୁ ରଙ୍ଗରୁଟ୍‌ ଦେଇ ସେଇ ପେଟ୍ରୋଲ ଟାଙ୍କିକୁ ପଶୁଥିଲେ ।

ଏଭଳି ରଙ୍ଗରୁଟ୍‌କୁ ଅବମାନନା କେବଳ ୨-୩ଟି ସ୍ଥାନରେ ନୁହେଁ, ବରଂ ସବୁଠି ଖୁଲମଖୁଲା ଚାଲିଥିଲା । ଟ୍ରାଫିକ୍‌ ପୁଲିସ୍‌ର ୭ଟି ଏନ୍‌ଫୋର୍ସମେଣ୍ଟ ଟିମ୍‌ ଓ ୨୦ଟି ଥାନାର ଗୋଟିଏ ଲେଖାଏଁ ଟିମ୍‌ ଦ୍ୱାରା ରାଜାଧାନୀର ମୋଟ ୨୭ଟି ସ୍ଥାନରେ ଏଭଳି ରଙ୍ଗରୁଟ୍‌ ଡ୍ରାଇଭିଂର ଚେକିଂ ହେଉଥିଲା । ମାତ୍ର ଲୋକମାନେ ଏହାକୁ ଭୂକ୍ଷେପ ନକରି ଅନେକ ସ୍ଥାନରେ ସର୍ଟକର୍ଟ ପାଇଁ ରଙ୍ଗରୁଟ୍‌ ଆପଣାଉଥିଲେ। ଏନେଇ ଜାତୀୟ ସଡକ ସୁରକ୍ଷା କାଉନ୍‌ସିଲର ପୂର୍ବତନ ସଦସ୍ୟ ସୟଦ ମକବୁଲ ଅଲ୍ଲୀ କହିଛନ୍ତି, ଟ୍ରାଫିକ୍‌ ପୁଲିସ କିମ୍ବା ଏନ୍‌ଫୋର୍ସମେଣ୍ଟ ଟିମ୍‌ ଯେତେ ଜଗିଲେ ବି ଏହି ରଙ୍ଗରୁଟ୍‌ ଡ୍ରାଇଭିଂକୁ ରୋକି ପାରିବନି। ଗାଡି଼ଚାଳକ ପ୍ରଥମେ ନିଜ ମାନସିକତାରେ ପରିବର୍ତ୍ତନ ଆଣିବା ଦରକାର । ସର୍ଟକର୍ଟ ପାଇଁ କୌଣସି ମତେ ରଙ୍ଗରୁଟ୍‌ ରାସ୍ତା ନ ବାଛିବା ଉଚିତ୍‌ । କାରଣ, ଶହେ ଦିନ ଆପଣଙ୍କ ବେଳା ଭଲ ଥିଲେ, ଦିନ ଖରାପ ପଡିବ । ଯେଉଁଦିନ ଆପଣ ରଙ୍ଗରୁଟ୍‌ରେ ଯାଇ ଦୁର୍ଘଟଣାରେ ସାମ୍ନା କରିବେ ।

   ସମ୍ବନ୍ଧିତ ଖବର


କୋଭିଡ୍ ମୃତ୍ୟୁରେ ଲାଗିଲା ବ୍ରେକ୍: ୨୪ଘଣ୍ଟାରେ ଆଖିବୁଜିଲେ ୫ ଜଣ ଆକ୍ରାନ୍ତ, ମୃତକଙ୍କ ସଂଖ୍ୟା ୧୭୩୯କୁ ବୃଦ୍ଧି

ରାଜ୍ୟରେ ତଳ ମୁହାଁ କରୋନା ଗ୍ରାଫ୍‌: ୨୪ଘଣ୍ଟା ଆଉ ୪୧୮ ପଜିଟିଭ ଚିହ୍ନଟ୍, ଆକ୍ରାନ୍ତଙ୍କ ସଂଖ୍ୟା ୩ ଲକ୍ଷ ୧୮ ହଜାର ୭୨୫କୁ ବୃଦ୍ଧି

ଆଜି ଚଳିତ ବର୍ଷର ଶେଷ ଚନ୍ଦ୍ର ଗ୍ରହଣ, ଓଡ଼ିଶାରେ ଦିନ ୧ଟାରେ ଆରମ୍ଭ ହେବ

କୋଭିଡ୍ ମୃତ୍ୟୁରେ ଲାଗିଲା ବ୍ରେକ୍: ୨୪ଘଣ୍ଟାରେ ଆଖିବୁଜିଲେ ୪ ଜଣ ଆକ୍ରାନ୍ତ, ମୃତକଙ୍କ ସଂଖ୍ୟା ୧୭୩୪କୁ ବୃଦ୍ଧି

ଓଡ଼ିଶାରେ ‌୫ ହଜାରକୁ ଖସିଲା ଆକ୍ଟିଭ୍‌ କେସ୍: ୨୪ଘଣ୍ଟା ଆଉ ୫୧୮ ପଜିଟିଭ ଚିହ୍ନଟ୍, ଆକ୍ରାନ୍ତଙ୍କ ସଂଖ୍ୟା ୩ ଲକ୍ଷ ୧୮ ହଜାର ଟପିଲା

ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ ବିଜେଡିରୁ ବହିଷ୍କୃତ