ଏକ୍ସ-ରେରୁ ଜଣାପଡ଼ିବ ହୃଦ୍ଘାତ ଆଶଙ୍କା, ସୂଚନା ଦେଲେ ଗବେଷକ

ନୂଆଦିଲ୍ଲୀ ୧୯/୦୧: ହୃଦ୍ଘାତ ହେବ କି ନାହିଁ, ଏହି ସୂଚନା କିଛି ବର୍ଷ ପୂର୍ବରୁ ଏକ୍ସ-ରେ ମାଧ୍ୟମରେ ଜଣିପଡ଼ିବ । ଏ ନେଇ ଅଧ୍ୟୟନ କରିଥିବା ଅଷ୍ଟ୍ରେଲିଆର ଏଡିଥ୍ କୋୱାନ୍ ୟୁନିଭର୍ସିଟିର ବୈଜ୍ଞାନିକଙ୍କ ସୂଚନା ଅନୁସାରେ, ହୃତ୍ପିଣ୍ଡ ସହ ସଂଶ୍ଳିଷ୍ଟ ମହାଧମନୀରେ ଯେତେବେଳେ କ୍ୟାଲ୍ସିୟମ ସ୍ତର ଅଧିକ ବଢ଼ିଯାଏ, ହୃଦ୍ଘାତ ଆଶଙ୍କା ୪ ଗୁଣ ପର୍ଯ୍ୟନ୍ତ ବଢ଼ିଯାଏ ।
ଅଧ୍ୟୟନ ଅନୁସାରେ, ବିଶ୍ୱରେ ସର୍ବାଧିକ ମୃତ୍ୟୁ ହୃଦ୍ଘାତ ଯୋଗୁ ହେଉଛି । କିନ୍ତୁ ଏହି ଏକ୍ସ-ରେ ସାହାଯ୍ୟରେ ପ୍ରତି ବର୍ଷ ହଜାର ହଜାର ଜୀବନ ରକ୍ଷା ହୋଇପାରିବ । ଅଧ୍ୟୟନରେ ସାମିଲ ଉକ୍ତ ୟୁନିଭର୍ସିଟିର ପ୍ରଫେସର ଜୋଶ ଲେଭିସ୍ କହିଛନ୍ତି, ଅଧିକାଂଶ ଲୋକେ ଜାଣିନଥାନ୍ତି ଯେ ସେମାନେ ହୃତ୍ପିଣ୍ଡ ସମ୍ବନ୍ଧୀୟ ରୋଗରେ ପୀଡ଼ିତ । ଧମନୀରେ କ୍ୟାଲ୍ସିୟମ ଜମା ହେବାର କୌଣସି ଲକ୍ଷଣ ମଧ୍ୟ ସେମାନେ ଜାଣିପାରନ୍ତି ନାହିଁ ।
ମହାଧମନୀ ଶରୀରର ସେହି ଅଂଶ, ଯେଉଁଠି ହୃତ୍ପିଣ୍ଡ ପୂର୍ବରୁ କ୍ୟାଲ୍ସିୟମ ଜମା ହୋଇଥାଏ । ବୈଜ୍ଞାନକ ଭାଷାରେ ଏହାକୁ ଏଓର୍ଟିକ୍ କ୍ୟାଲ୍ସିଫିକେସନ୍ କହନ୍ତି । ଯଦି ସମୟ ଥାଇ ଏ ବିଷୟରେ ଜଣାପଡ଼ିଯାଏ, ତେବେ ଔଷଧ ଜରିଆରେ ରୋଗ ବୃଦ୍ଧିକୁ ରୋକାଯାଇପାରେ । ମହାଧମନୀ ରକ୍ତକୁ ହୃତ୍ପିଣ୍ଡ ପର୍ଯ୍ୟନ୍ତ ପହଞ୍ଚାଇଥାଏ । କିନ୍ତୁ ଏଥିରେ ଯେତେବେଳେ କ୍ୟାଲ୍ସିୟମ ଜମା ହେବା ଆରମ୍ଭ ହୁଏ, ତାହା ଧୀରେ ଧୀରେ ସଙ୍କୁଚିତ ହେବାରେ ଲାଗେ । କ୍ୟାଲ୍ସିୟମ ବଢ଼ିବା ଦ୍ୱାରା ଏଥିରେ ରକ୍ତ ସଞ୍ଚାଳନ ଠିକ୍ରେ ହୋଇପାରେ ନାହିଁ । ଫଳରେ ହୃଦ୍ଘାତ ଆଶଙ୍କା ବୃଦ୍ଧିପାଏ ।
ବିଶେଷଜ୍ଞଙ୍କ କହିବା ଅନୁସାରେ, ଖାଦ୍ୟପେୟରେ ଅନିୟମିତତା, ଧୂମପାନ, ଦୀର୍ଘ ସମୟ ବସି ରହୁଥିବା ଚାକିରି ଆଦି କାରଣରୁ ଶରୀରରେ ଏ ଭଳି ସ୍ଥିତି ହୋଇଥାଏ । କେତେକ ମାମଲାରେ ଏହା ବଂଶାନୁକ୍ରମିକ ମଧ୍ୟ ହୋଇଥାଏ । ଗତ ୨୦ ବର୍ଷ ମଧ୍ୟରେ ଭାରତରେ ସର୍ବାଧିକ ମୃତ୍ୟୁ ହୃଦ୍ରୋଗ ଯୋଗୁ ହୋଇଛି । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଅନୁସାରେ, ଏହି ଅବଧିରେ ୨୦ ଲକ୍ଷରୁ ଅଧିକ ମୃତ୍ୟୁ ହୃଦ୍ରୋଗ ଯୋଗୁ ହୋଇଛି । ପବ୍ଲିକ୍ ହେଲ୍ଥ ଫାଉଣ୍ଡେସନ୍ ଅଫ୍ ଇଣ୍ଡିଆର ରିପୋର୍ଟ ଅନୁସାରେ, ଦେଶରେ ହୃଦ୍ରୋଗ ବୃଦ୍ଧି ମାମଲାର ସବୁଠୁ ବଡ଼ କାରଣ ଉଚ୍ଚ ରକ୍ତଚାପ ଓ ଖାଦ୍ୟପେୟରେ ଅନିୟମିତତା ।