୧ ଅକ୍ଟୋବରରୁ ବଦଳିବ ଡିଏଲ୍, ଗାଡ଼ିର ଆର୍ସି, ଦେଶବ୍ୟାପୀ ଲାଗୁ ହେବ ବୋଲି ସରକାର ଦେଲେ ଆଦେଶ

ନୂଆଦିଲ୍ଲୀ,୯।୩: ଦେଶରେ ସବୁ ରାଜ୍ୟର ପରିବହନ ବିଭାଗ ପକ୍ଷରୁ ଆସନ୍ତା ଅକ୍ଟୋବର ୧ରୁ ଗୋଟିଏ ପ୍ରକାରର ଡ୍ରାଇଭିଂ ଲାଇସେନ୍ସ(ଡିଏଲ୍) ଏବଂ ପଞ୍ଜୀକରଣ ପ୍ରମାଣପତ୍ର (ଆର୍ସି) ଜାରି କରାଯିବ। ଏଗୁଡ଼ିକ ସବୁ ଏକା ପ୍ରକାରର ହେବ। ସବୁ ଡିଏଲ୍ ଓ ଆର୍ସି ଗୁଡ଼ିକ ଦେଖିବାକୁ ଏକାଭଳି ହେବ। ସେଗୁଡ଼ିକର ରଙ୍ଗ ଗୋଟିଏ ଧରଣର ହେବା ସହିତ ନିରାପତ୍ତା ବୈଶିଷ୍ଟ୍ୟ ମଧ୍ୟ ରହିବ।

ଅତୀତରେ ଯଦି କୌଣସି ଗାଡ଼ି ଚାଳକ ଟ୍ରାଫିକ୍ ନିୟମ ଉଲ୍ଲଂଘନ କରିଥିବେ ତାହେଲେ ସେଗୁଡ଼ିକୁ ନୂଆ ଡିଏଲ୍ ଓ ଆର୍ସିରେ ଲୁଚାଇବା ସହଜ ହେବନାହିଁ। କାରଣ ଏଗୁଡ଼ିକରେ କ୍ୟୁଆର୍ କୋଡ୍ ରହିବ। ଟ୍ରାଫିକ୍ ପୁଲିସ ମାନେ ହାତରେ ଧରିଥିବା ଡିଭାଇସରେ କ୍ୟୁଆର୍ କୋଡ୍କୁ ସ୍କାନ କରି ଚାଳକମାନଙ୍କ ଅତୀତର ନିୟମ ଉଲ୍ଲଂଘନ ଗୁଡ଼ିକୁ ଧରିବେ। କେନ୍ଦ୍ରୀୟ ଡାଟାବେସରୁ ଅନଲାଇନରେ ଡ୍ରାଇଭର ଓ ଗାଡ଼ିର ନିୟମ ଉଲ୍ଲଂଘନ ସମ୍ପର୍କରେ ଜାଣିହେବ। କେନ୍ଦ୍ର ସଡ଼କ ପରିବହନ ଓ ରାଜପଥ ମନ୍ତ୍ରାଳୟ ପକ୍ଷରୁ ଏକ ବିଜ୍ଞପ୍ତି ଜାରି ହୋଇଛି।

ଏହି ବିଜ୍ଞପ୍ତିରେ ରାଜ୍ୟଗୁଡ଼ିକୁ ଡିଏଲ୍ ଓ ଆର୍ସି ପ୍ରସ୍ତୁତି ବେଳେ ଗୋଟିଏ ପ୍ରକାର ଢାଞ୍ଚା ଅନୁସରଣ କରିବାକୁ କୁହାଯାଇଛି। ରାଜ୍ୟଗୁଡ଼ିକ ଚାହିଁଲେ ଅତିରିକ୍ତ ଚିପ୍ ଏବଂ ଏନଏଫସି (ନିଅର୍ ଫିଲ୍ଡ କମ୍ୟୁନିକେସନ) ଲଗାଇପାରିବେ। ତେବେ ଚିପ୍ରେ ଚାଳକ ଓ ଗାଡ଼ି ସମ୍ପର୍କରେ ୧୦ ବର୍ଷର ତଥ୍ୟ ରହି ପାରୁଥିବା ଆବଶ୍ୟକ। ଉଲ୍ଲେଖଯୋଗ୍ୟ, ଏନଏଫସି ବୈଶିଷ୍ଟ୍ୟ ସ୍ମାର୍ଟକାର୍ଡ ଗୁଡ଼ିକରେ ବ୍ୟବହାର ହୋଇଥାଏ। ପ୍ରଥମେ ଯଦିଓ ଡିଏଲ୍ ଏବଂ ଆର୍ସିରେ ଚିପ୍ ଓ ଏନଏଫସିକୁ ବାଧ୍ୟତାମୂଳକ କରିବା ଲାଗି ପ୍ରଥମେ ସ୍ଥିର ହୋଇଥିଲା କିନ୍ତୁ ପରେ ଏହାକୁ ରାଜ୍ୟ ଗୁଡ଼ିକ ଉପରେ ଛାଡ଼ି ଦିଆଯାଇଛି ବୋଲି ଜଣେ ଅଧିକାରୀ ସୂଚନା ଦେଇଛନ୍ତି।

ଡ୍ରାଇଭର ଅଙ୍ଗଦାନ କରିବାକୁ ଘୋଷଣା କରିଛନ୍ତି କି ନାହିଁ ଏବଂ ସେ ଚଳାଉଥିବା ଗାଡ଼ିଟି ସ୍ବତନ୍ତ୍ର ଭାବେ ଭିନ୍ନକ୍ଷମମାନଙ୍କ ପାଇଁ ଉଦ୍ଦିଷ୍ଟ କି ଭଳି ବିସ୍ତୃତ ତଥ୍ୟ ରହିବ। ଡିଏଲ୍ ଏବଂ ଆର୍ସିରେ ସମତା ଆଣିବା ଲାଗି କେନ୍ଦ୍ର ସରକାର ଏଭଳି ପ୍ରଚେଷ୍ଟା ଚଳାଇଛନ୍ତି। ଦେଶରେ ଦୈନିକ ୩୨ ହଜାର ଡିଏଲ୍ ନୂଆକରି ଦିଆଯାଉଛି କିମ୍ବା ନବୀକରଣ ହେଉଛି। ସେହିଭଳି ଦେଶରେ ଦିନକୁ ୪୩ ହଜାର ଗାଡ଼ିର ପଞ୍ଜୀକରଣ କିମ୍ବା ପୁନଃପଞ୍ଜୀକରଣ ହେଉଛି