‘ମେଁ ଭି ଚୌକିଦାର’ ଜବାବରେ ଯୁବ କଂଗ୍ରେସ ଆରମ୍ଭ କଲା ‘ମେଁ ଭି ବେରୋଜଗାର’ ଅଭିଯାନ

ନୂଆଦିଲ୍ଲୀ,୩୧।୩: ଲୋକସଭା ନିର୍ବାଚନରେ ବିଜେପି ‘ମେଁ ଭି ଚୌକିଦାର’ ଅଭିଯାନ ସହିତ ନିର୍ବାଚନ ମଇଦାନକୁ ଓହ୍ଲାଇଛି। ଏହାର ଜବାବରେ ଯୁବ କଂଗ୍ରେସ ପକ୍ଷରୁ ହ୍ୟାସଟ୍ୟାଗ ‘ମେଁ ଭି ବେରୋଜଗାର’ ଅଭିଯାନ ଆରମ୍ଭ ହୋଇଛି। ଏହା ସୋସିଆଲ ମିଡିଆରେ ଟ୍ରେଣ୍ଡରେ ଅଛି। କଂଗ୍ରେସର କହିବା ଅନୁସାରେ ଏହି କ୍ୟାମ୍ପେନିଂ ବିଜେପିର ଅଭିଯାନ ଉପରେ ଭାରି ପଡିବ। ଏହି ହ୍ୟାସଟ୍ୟାଗ ସହିତ ଲକ୍ଷାଧିକ ବେରୋଜଗାର ଯୁବକ ଟ୍ବିଟରରେ ନିଜର ଦୁଃଖ ପ୍ରକାଶ କରିଛନ୍ତି।
ଯୁବ କଂଗ୍ରେସରେ ସୋସିଆଲ ମିଡିଆ ସେଲର ପ୍ରଭାରି ବୈଭବ ଭାଲିଆ କହିଛନ୍ତି, ‘ମେଁ ଭି ବେରୋଜଗାର’ ହ୍ୟାସଟ୍ୟାଗ ଗତ ଶନିବାର ସକାଳ ୧୧ଟା ବେଳେ ଲଞ୍ଚ କରାଯାଇଛି। ସନ୍ଧ୍ୟା ପର୍ଯ୍ୟନ୍ତ ଏହାକୁ ୧ଲକ୍ଷ ଥର ବ୍ୟବହାର କରାଯାଇଛି। ହ୍ୟାସଟ୍ୟାଗ କେବଳ ଭାରତ ନୁହେଁ ସାରା ବିଶ୍ବରେ ଏହାର ଧାରା ଜାରି ରହିଛି।