ନୂଆଦିଲ୍ଲୀ : ଆଇସିସି ପୁରୁଷ ଟି-୨୦ ବିଶ୍ୱକପ୍ ୨୦୨୪ର ଆରମ୍ଭ ହେବାକୁ ଆଉ ଅଳ୍ପ ଦିନ ରହିଛି। ଆଗାମୀ ଟି-୨୦ ବିଶ୍ୱକପ୍ ୧ଜୁନ୍ରୁ ନେଇ ୨୯ ଜୁନ୍ ଯାଏ ୱେଷ୍ଟଇଣ୍ଡିଜ୍ ଓ ୟୁଏସଏରେ ଖେଳାଯିବ। ଏବେ ଏହି ଟି-୨୦ ବିଶ୍ୱକପ୍କୁ ନେଇ ଅନ୍ତରାଷ୍ଟ୍ରୀୟ କ୍ରିକେଟ୍ ପରିଷଦ (ଆଇସିସି) ବଡ଼ ନିଷ୍ପତ୍ତି ନେଇଛି। ଆଇସିସି ଟିମ୍ ଇଣ୍ଡିଆର ପୂର୍ବତନ ଅଲରାଉଣ୍ଡର ଯୁବରାଜ ସିଂହଙ୍କୁ ଟି-୨୦ ବିଶ୍ୱକପ୍ ୨୦୨୪ର ଆମ୍ୱାସଡର ନିଯୁକ୍ତ କରିଛି। ଯୁବୀଙ୍କ ପୂର୍ବରୁ ଆଇସିସି କିମ୍ୱଦନ୍ତୀ ଦ୍ରୁତ ଧାବକ ଉସେନ ବୋଲ୍ଟଙ୍କୁ ମଧ୍ୟ ଆମ୍ୱାସଡର ନିଯୁକ୍ତ କରିଥିଲା
ଯୁବରାଜ ସିଂହ ଟି-୨୦ ବିଶ୍ୱକପ୍ ୨୦୨୪ର ଆମ୍ୱାସଡର ହେବା ନେଇ ଖୁବ୍ ଖୁସି ବ୍ୟକ୍ତ କରିଛନ୍ତି। ଯୁବରାଜ କୁହନ୍ତି , ‘ ଟି-୨୦ ବିଶ୍ୱକକପ୍ ସହ କିଛି ମଧୁର ସ୍ମୃତି ଜଡ଼ିତ ରହିଛି, ଯେଉଁଥିରେ ଗୋଟିଏ ଓଭରରେ ୬ଟି ଛକା ମାରିବା ମଧ୍ୟ ସାମିଲ ଅଛି। ଏଥିପାଇଁ ଆଗାମୀ ବିଶ୍ୱକପ୍ର ସଦସ୍ୟ ହେବା ଖୁବ୍ ରୋମାଞ୍ଚକର , ଯାହା ବର୍ତ୍ତମାନ ସୁଦ୍ଧା ସବୁଠୁ ବଡ଼ ସଂସ୍କରଣ ହେବାକୁ ଯାଉଛି।' ଯୁବରାଜ ୨୦୦୭ର ଟି-୨୦ ବିଶ୍ୱକପ୍ରେ ଇଂଲଣ୍ଡ ବୋଲର ଷ୍ଟୁଆର୍ଟ ବ୍ରାଡ୍ଙ୍କ ଓଭରରେ ୬ଟି ଛକା ମାରିଥିଲେ।
ଯୁବରାଜ ଆହୁରି କହିଛନ୍ତି , ୱେଷ୍ଟଇଣ୍ଡିଜ୍ କ୍ରିକେଟ୍ ଖେଳିବା ପାଇଁ ଏକ ଆକର୍ଷଣୀୟ ସ୍ଥାନ, ଯେଉଁଠିକୁ ପ୍ରଶଂସକ ଏହାକୁ ଦେଖିବା ପାଇଁ ଆସନ୍ତି ଏବଂ ଏମିତି ମାହୋଲ ସୃଷ୍ଟି କରନ୍ତି , ଯାହା ସଂପୂର୍ଣ୍ଣ ନିଆରା । ୟୁଏସଏରେ ମଧ୍ୟ କ୍ରିକେଟ୍ର ବିସ୍ତାର ହେଉଛି ଏବଂ ମୁଁ ଟି-୨୦ ବିଶ୍ୱକପ୍ର ମାଧ୍ୟମରେ ଏହି ବିକାଶର ସଦସ୍ୟ ହେବାରେ ଉତ୍ସାହିତ ଅଛି।
୪୨ ବର୍ଷିୟ ଯୁବରାଜ ସିଂହ କହିଛନ୍ତି ,ନ୍ୟୁୟର୍କରେ ପାକିସ୍ତାନ ଓ ଭାରତର ମୁକାବିଲା ହେବାକୁ ଯାଉଛି, ଯାହା ଚଳିତ ବର୍ଷ ଦୁନିଆର ସବୁଠୁ ବଡ଼ ବଡ଼ ମୁକାବିଲା ମଧ୍ୟରେ ଗୋଟିଏ ହେବାକୁ ଯାଉଛି । ଏଥିପାଇଁ ଏହାର ସଦସ୍ୟ ହେବା ଓ ଦୁନିଆର ସର୍ବଶ୍ରେଷ୍ଠ ଖେଳାଳିଙ୍କୁ ଏକ ନୂଆ ଷ୍ଟାଡିୟମରେ ଖେଳିବାର ଦେଖିବା ବଡ଼ ସୌଭାଗ୍ୟର କଥା।
Who will make it to India’s squad for the ICC Men’s #T20WorldCup 2024? 🤔
— ICC (@ICC) April 26, 2024
Event Ambassador Yuvraj Singh has some exciting prospects on his list 👀https://t.co/zMjeIig7qF
ଉଲ୍ଲେଖନୀୟ ଯେ, ଯୁବରାଜ ସିଂହ ୨୦୦୭ର ଟି-୨୦ ବିଶ୍ୱକପ୍ ଓ କ୍ରିକେଟ୍ ବିଶ୍ୱକପ୍ ୨୦୧୧ରେ ଭାରତୀୟ ଟିମ୍ର ଟାଇଟଲ ଜିତିବାରେ ପ୍ରମୁଖ ଭୂମିକାରେ ଥିଲେ। ଯୁବରାଜ ୩୦୪ଟି ଦିନିକିଆ ଇଣ୍ଟରନ୍ୟାସନାଲ ମ୍ୟାଚ୍ ଖେଳିଛନ୍ତି , ଯେଉଁଥିରେ ସେ ୩୬.୫୫ ପ୍ରତିଶତ ହାରରେ ୮୭୦୧ ରନ୍ କରିଛନ୍ତି । ଯୁବୀଙ୍କ ନାମରେ ୱାନଡେ ଇଣ୍ଟରନ୍ୟାସନାଲରେ ମୋଟ ୧୪ଟି ଶତକ ଓ ୫୨ଟି ଅର୍ଦ୍ଧ ଶତକ ରହିଛି। ଯୁବରାଜ ସିଂହ ୪୦ଟି ଟେଷ୍ଟ ମ୍ୟାଚ୍ରେ ମୋଟ ୧୯୦୦ ରନ୍ କରିଛନ୍ତି, ଯେଉଁଥିରେ ୩ଟି ଶତକ ଓ ୧୧ଟି ଅର୍ଦ୍ଧ ଶତକ ରହିଛି। ଏହା ବ୍ୟତୀତ ଯୁବରାଜ ୫୮ଟି ଟି-୨୦ ଇଣ୍ଟରନ୍ୟାସନାଲ ଖେଳି ୧୧୭୭ ରନ୍ ମଧ୍ୟ କରିଛନ୍ତି। ଯୁବରାଜଙ୍କ ନାମରେ ଇଣ୍ଟରନ୍ୟାସନାଲ କ୍ରିକେଟ୍ରେ ମୋଟ ୧୪୮ଟି ୱିକେଟ୍ ରହିଛି।