ଏକାମ୍ର ଚନ୍ଦନ ମହୋତ୍ସବ ୨୦୨୩: ହିନ୍ଦୀ ଭଜନ ଗାଇଲେ ରାଜ୍ୟପାଳ, ପୁଅ ମନୀଷ

ଭୁବନେଶ୍ୱର,୨୩/୦୫: ଭୁବନେଶ୍ୱର ସାଂସ୍କୃତିକ ପରିଷଦ ପକ୍ଷରୁ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡାଙ୍କ ନେତୃତ୍ୱରେ ପୁରୁଣା ଭୁବନେଶ୍ୱରସ୍ଥିତ ଗୁଆଝର ଠାରେ ସୋମବାର ସଂନ୍ଧ୍ୟାରେ ଏକାମ୍ର ଚନ୍ଦନ ମହୋତ୍ସବ ୨୦୨୩ ମହାସମାରୋହରେ ପାଳିତ ହୋଇଯାଇଛି । ଉତ୍ସବ ପାଳନ ନିମନ୍ତେ ଗୁଆଝରରେ ବ୍ୟାପକ ବ୍ୟବସ୍ଥା କରାଯାଇଥିଲା । ପୁରା ଗୁଆଝର ଅଗୁର,ଚନ୍ଦନ,କର୍ପୁର ଆଦିରେ ମହକି ଉଠୁଥିଲା । ଏହା ସହିତ ପଦ୍ମ ଓ କଇଁ ଫୁଲରେ ସମଗ୍ର ପୁସ୍କରିଣୀ ଓ କୁଣ୍ଡକୁ ସଜା ଯାଇଥିଲା । ସମସ୍ତଙ୍କ ପାଇଁ ପ୍ରସାଦ ସେବନ ସହିତ ମନୋରଞ୍ଜନ ନିମନ୍ତେ ଭଜନ କାର୍ଯ୍ୟକ୍ରମ ମଧ୍ୟ ବ୍ୟବସ୍ଥା ହୋଇଥିଲା ।
ଏହି ଉତ୍ସବରେ ସବୁଠାରୁ ବଡ ଆକର୍ଷଣ ଥିଲେ ରାଜ୍ୟପାଳ ପ୍ରଫେସର ଗଣେଷୀଲାଲ ଓ ତାଙ୍କ ସୁପୁତ୍ର ମନିଷ ସିଂଘଲା। ଉଭୟେ ମିଶି ଯୁଗଳବନ୍ଦୀରେ ହିନ୍ଦୀ ଭଜନ ‘ହର ସାଁଶ ମେଁ ହୈ ସୁମିରଣ ତେରା’ ଗାଇଥିଲେ । ଏହା ସହିତ ରାଜ୍ୟପାଳ ନିଜେ ଏକ ସୋଲୋ ଭଜନ ମଧ୍ୟ ଗାଇଥିଲେ। ଉତ୍ସବରେ ଅନ୍ୟମାନଙ୍କ ମଧ୍ୟରେ ବିଧାୟକ ଅନନ୍ତ ନାରାୟଣ ଜେନା,ଦେବୀ ପ୍ରସାଦ ମିଶ୍ର,ବିଜେଡି ନେତା ମୁନା ଖାଁ,ସାଂସଦ ସୁଲତା ଦେଓ,ପୂର୍ବତନ ସାଂସଦ ପ୍ରଶନ୍ନ ପାଟ୍ଟଶାଣୀ,ପୂର୍ବତନ ବିଧାୟକ ଦେବାଶିଷ ସାମନ୍ତରାୟ,ମେୟର ସୁଲୋଚନା ଦାସ, ଓଡିଶା ମୋ ପରିବାରର ଅରୂପ ପଟ୍ଟନାୟକ ଓ ଅନେକ ସ୍ଥାନୀୟ କର୍ପୋରେଟରଙ୍କ ସମେତ ମାନ୍ୟଗନ୍ୟ ବ୍ୟକ୍ତି ମାନେ ଉପସ୍ଥିତ ଥିଲେ ।