ବାରିପଦା, ୧୬।୧୨ : ଭୁଶୁଡିଲା ବାରିପଦାର ଐତିହାସିକ ଶତାୟୁ ଜୁବୁଲି ଲାଇବ୍ରେରୀ । ଏହାର ଗୋଟିଏ ପଟୁ ଧସିପଡିବା ଫଳରେ ଭିତରେ ରହିଥିବା ଆସବାବପତ୍ର ଓ ଅନେକ ପୁସ୍ତକ ସବୁ ନଷ୍ଟ ହୋଇଥିବା ଜଣାପଡିଛି । ସୌଭାଗ୍ୟ ବଶତଃ କାହାରି କିଛି କ୍ଷତି ହୋଇନାହିଁ।
ରାଜା ରାଜୁଡ଼ା ଅମଳରେ ୧୮୭୮ ମସିହାରେ ପ୍ରତିଷ୍ଠିତ ଜୁବୁଲି ଲାଇବ୍ରେରୀର ନାମ ପରିବର୍ତ୍ତନ କରାଯାଇ "ଶ୍ରୀରାମଚନ୍ଦ୍ର ପାଠାଗାର" କରାଯାଇଥିଲା । ଦୀର୍ଘଦିନରୁ ଏହାର ରକ୍ଷଣାବେକ୍ଷଣ ପାଇଁ ଦାବି ହୋଇ ଆସୁଥିବା ବେଳେ କିଛି ଦିନ ପୂର୍ବରୁ ଏହାର ମରାମତି କାର୍ଯ୍ୟ ଆରମ୍ଭ ହୋଇଥିଲା ।

ପ୍ରାୟ ୮ବର୍ଷ ପୂର୍ବରୁ ଏହାର ରକ୍ଷଣାବେକ୍ଷଣ କାର୍ଯ୍ୟ ଆରମ୍ଭ ହୋଇ ଅଧା ପନ୍ତରିଆ ହୋଇ ପଡ଼ି ରହିଥିଲା । ବିଭିନ୍ନ ବିଭାଗ ର ବହୁ ମୂଲ୍ୟବାନ ବହି ସହିତ ପୁରାତନ ଗ୍ରନ୍ଥାବଳୀ ର ବିଶାଳ ସଂଗ୍ରହ ଏଠାରେ ରହିଛି। ସେଗୁଡିକ ମଧ୍ୟ ରକ୍ଷଣାବେକ୍ଷଣ ଅଭାବରୁ ନଷ୍ଟ ହୋଇ ଗଲାଣି। ଏହାକୁ ନେଇ ସ୍ଥାନୀୟ ଲୋକଙ୍କ ସହିତ ଲାଇବ୍ରେରୀ ର ସଦସ୍ୟ ମାନେ ଅସନ୍ତୋଷ ପ୍ରକାଶ କରିଛନ୍ତି।