ମାଲକାନଗିରି -ମାଲକାନଗିରି ଜିଲ୍ଲା ଏମଭି ୭୯ରେ ଥିବା ଡ଼ ଶ୍ୟାମା ପ୍ରସାଦ ମୁଖାର୍ଜୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଅଧ୍ୟକ୍ଷ ପ୍ରଶାନ୍ତ କୁମାର ପାଢ଼ୀ ଗିରଫ। ଛାତ୍ରୀଙ୍କୁ ଅସଦାଚରଣ କରିବା ଅଭିଯୋଗରେ ତାଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ପୋଲିସ। ମିଳିଥିବା ସୂଚନା ଅନୁଯାୟୀ, ଗତକାଲି ରାତି ଅଧରେ ଶ୍ରୀ ପାଢୀଙ୍କୁ ମାଲକାନଗିରି ପୋଲିସ ଏମଭି ୭୯ ତାଙ୍କ ବାସଭବନରୁ ଗିରଫ କରିଥିବା ବେଳେ ତାଙ୍କୁ କୋର୍ଟ ଚାଲାଣ କରାଯାଇଛି।
ମାଲକାନଗିରି ପୋଲିସ ନିକଟରୁ ମିଳିଥିବା ସୂଚନା ଅନୁସାରେ ମାଲକାନଗିରି ଜିଲ୍ଲା ଏମଭି ୭୯ ସ୍ଥିତ ଡ. ଶ୍ୟାମା ପ୍ରସାଦ ମୁଖାର୍ଜୀ ଉଚ୍ଚମାଧ୍ୟମିକ ବିଦ୍ୟାଳୟର ଜଣେ ଜୈନିକ ଛାତ୍ରୀଙ୍କୁ ଅଧକ୍ଷ ଶ୍ରୀ ପାଢୀ ମୋବାଇଲ ଯୋଗେ ବିଭିନ୍ନ ଆପତ୍ତିଜନକ ମେସେଜ ଓ ଅସଦାଚରଣ କରିଥିବା ନେଇ ଛାତ୍ରୀ ଜଣଙ୍କ ନିଜ ପିତାଙ୍କୁ ଜଣାଇ ଥିଲେ।
ଏନେଇ ଛାତ୍ରୀଙ୍କ ପିତା ମାଲକାନଗିରି ଜିଲ୍ଲା ଆଇନ ସେବା ପ୍ରାଧିକରଣ ନିକଟରେ ଲିଖିତ ଅଭିଯୋଗ କରି ଥିଲେ। ତେବେ ଏହି ଅଭିଯୋଗ ଆଧାରରେ ମାଲକାନଗିରି ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିବା ସହ ଶ୍ରୀ ପାଢୀଙ୍କୁ ଗତ ରାତିରେ ଗିରଫ କରିଛି ଏବଂ ୨୨୮/୨୪ରେ ଏକ ମାମଲା ରୁଜୁ କରି ଶ୍ରୀ ପାଢୀଙ୍କୁ ପୋଲିସ ପକ୍ଷରୁ କୋର୍ଟ ଚାଲାଣ କରାଯାଇ ଥିବା ଥାନା ଅଧିକାରୀ ରିଗାନ କିଣ୍ଡୋ ଆଜି ଗଣମାଧ୍ୟମକୁ ସୂଚନା ଦେଇଛନ୍ତି।