୧୦୨ ଆମ୍ବୁଲାନ୍ସ ଡ୍ରାଇଭର ଗାଡ଼ି ଭଡ଼ା ନେଉଥିବା ଘଟଣା, କାର୍ଯ୍ୟାନୁଷ୍ଠାନ ଭୟରେ ମାଲିକଙ୍କ ହାଇଡ୍ରାମା

ନୀଳଗିରି,୧୩/୧୨: ଗାଡ଼ି ଭଡ଼ା ନେଉଥିଲେ ୧୦୨ ଆମ୍ବୁଲାନ୍ସ ଡ୍ରାଇଭର । କାର୍ଯ୍ୟାନୁଷ୍ଠାନ ଭୟରେ ଏବେ ମାଲିକଙ୍କ ହାଇଡ୍ରାମା । ଆଦିବାସୀ ବହୁଳ ଅଞ୍ଚଳରେ ଜଣେ ନିରୀହ ଆଦିବାସୀଙ୍କ ସରଳତାର ସୁଯୋଗ ନେଇ ୧୦୨ ଆମ୍ବୁଲାନ୍ସ ୧୪୦୦ ଟଙ୍କା ଗାଡ଼ି ଭଡ଼ା ନେବାର ତଥ୍ୟଭିତ୍ତିକ ଖବର ପ୍ରମେୟରେ ପ୍ରକାଶ ପାଇଥିଲା । ଗତକାଲିଠାରୁ ଘଟଣାକୁ ଚାପିବାକୁ ଭରପୁର ପ୍ରୟାସ କରାଯାଇଥିବା ବେଳେ କାର୍ଯ୍ୟାନୁଷ୍ଠାନ ଭୟରେ ଆମ୍ବୁଲାନ୍ସ ମାଲିକ ଟଙ୍କା ଫେରାଇବା ଓ ୧୦୮ରୁ କଲ ଆସିଲେ କ’ଣ କହିବ ବୋଲି ଆଦିବାସୀ ଯୁବକଙ୍କୁ ଚାପ ପକାଉଥିବା ଦୃଶ୍ୟ ହସ୍ତଗତ ହୋଇଛି । ତେବେ ବର୍ତ୍ତମାନ ପର୍ଯ୍ୟନ୍ତ ବିଭାଗ ତରଫରୁ କୌଣସି ତଦନ୍ତ କିମ୍ବା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇନଥିବା ବେଳେ ଆହୁରି ଲୁକ୍କାୟିତ କଥା ପଦାକୁ ଆସିବ ବୋଲି ଜଣାପଡ଼ିଛି ।
ସୂଚନାଯୋଗ୍ୟ, ବାଲେଶ୍ଵର ଜିଲ୍ଲା ନୀଳଗିରି ବ୍ଲକ ଅଧିନ ତେଣ୍ଡା ଗ୍ରାମର ରାଜେନ୍ଦ୍ର ସିଂ ତାଙ୍କ ସ୍ତ୍ରୀ ଗୁରୁବାରୀଙ୍କୁ ଡେଲିଭରି ପାଇଁ ୧୦୨ ଆମ୍ବୁଲାନ୍ସରେ ନୀଳଗିରି ହସ୍ପିଟାଲକୁ ଆଣିଥିଲେ । ବାଲେଶ୍ଵର ହସ୍ପିଟାଲ ସ୍ଥାନାନ୍ତର କରାଯିବାରୁ ପୁନର୍ବାର ସେ ସେହି ଆମ୍ବୁଲାନ୍ସରେ ଯୋଗେ ଯାଇଥିଲେ । ହସ୍ପିଟାଲରେ ବିଭିନ୍ନ ଖର୍ଚ୍ଚ ହେବ କହି ଡ୍ରାଇଭର ତାଙ୍କଠୁ ୧୪୦୦ ଟଙ୍କା ଠକି ନେଇଥିଲେ । ଏଭଳି ଘଟଣାର ଖୋଳତାଡ଼ କରାଯିବା ପରେ ସତ ସାମନାକୁ ଆସିଥିଲା । ପରେ ଘଟଣା ଚାପିବାକୁ ଟଙ୍କା ଫେରାଇଥିଲେ ଆମ୍ୱୁଲାନ୍ସର ମାଲିକ । କେବଳ ଏତିକି ନୁହେଁ ମାଲିକ ଜଣକ ରାଜେନ୍ଦ୍ର ସିଂଙ୍କୁ ଏ ବାବାଦରେ ପ୍ରବର୍ତ୍ତାଇଥିଲେ । ତେବେ ପୂରା ଘଟଣାର ଭିଡିଓ କରି ତଥ୍ୟ ଓ ପ୍ରମାଣ ହସ୍ତଗତ ହୋଇଛି । କେବଳ ରାଜେନ୍ଦ୍ର ନୁହେଁ ବିଭିନ୍ନ ଆଶାକର୍ମୀଙ୍କୁ ଲଗାଇ ହିତାଧିକାରୀଙ୍କଠାରୁ ଟଙ୍କା ହଡ଼ପ ହୋଇଥିବା ମଧ୍ୟ ଅଭିଯୋଗ ହୋଇଛି । ଏଭଳି ଏକ ସାଙ୍ଘାତିକ ଅଭିଯୋଗ ପରେ ଜିଲ୍ଲାପାଳଙ୍କ କାର୍ଯ୍ୟନୁଷ୍ଠାନ ଅପେକ୍ଷାରେ ଅଞ୍ଚଳବାସୀ ।