ଭୁବନେଶ୍ୱର, ୨୦/୧୧ : ଏମ୍‌ସରେ ଚାକିରି କରାଇ ଦେବା ନାଁରେ ୧୨ ଲକ୍ଷ ଟଙ୍କା ଠକି ଫେରାର୍‌ ଥିବା ସିକ୍ୟୁରିଟି ଗାର୍ଡକୁ ଖଣ୍ଡଗିରି ଥାନା ପୁଲିସ ଗିରଫ କରିଛି । ତାଙ୍କ ନାମ କାର୍ତ୍ତିକ ଗିରି(୩୧) । ଘର ବାଲେଶ୍ୱର ବାଲିଆପାଳ । ସେ ଖଣ୍ଡଗିରି ଥାନା ପାତ୍ରପଡ଼ାରେ ରହୁଥିଲେ । 

ସୂଚନାନୁଯାୟୀ, କାର୍ତ୍ତିକ ଏମ୍‌ସ ହସ୍ପିଟାଲରେ ଏକ ସିକ୍ୟୁରିଟି ସଂସ୍ଥା ଅଧୀନରେ ସିକ୍ୟୁରିଟି ଗାର୍ଡ ଭାବେ ନିୟୋଜିତ ଥିଲେ । ପ୍ରାୟ ୭ ବର୍ଷ ହେବ ସିକ୍ୟୁରିଟି ଗାର୍ଡ ଥିବାରୁ ଏମ୍‌ସ ହସ୍ପିଟାଲରେ ଉଚ୍ଚ କର୍ତ୍ତୃପକ୍ଷଙ୍କ ସହ ତାଙ୍କର ଉତ୍ତମ ସଂପର୍କ ଓ ସେ ଚାହିଁଲେ ଟଙ୍କା ନେଇ ଚାକିରିରେ ରଖାଇ ଦେବାକୁ ସମସ୍ତଙ୍କୁ କହୁଥିଲେ । ହରପ୍ରସାଦ ହୋତା ନାମକ ଜଣେ ଯୁବକ ଏମ୍‌ସରେ ଚାକିରି ପାଇଁ କାର୍ତ୍ତିକଙ୍କୁ ଗତ ଜାନୁଆରୀ ମାସରେ ୨ ଲକ୍ଷ ଟଙ୍କା ଦେଇଥିଲେ । ଏହିପରି କାର୍ତ୍ତିକ ଅନେକ ଆଶାୟୀଙ୍କଠାରୁ ସମୁଦାୟ ୧୨ ଲକ୍ଷ ଟଙ୍କା ନେଇଯାଇଥିଲେ । ହେଲେ ସେ କାହାକୁ ଚାକିରି ଦେଇ ପାରି ନଥିଲେ । ଟଙ୍କା ଫେରସ୍ତ ମାଗିବାରୁ କାର୍ତ୍ତିକ ଆଉ ଧରାଛୁଆଁ ଦେଇ ନଥିଲେ । ଠକାମିର ଶିକାର ହରପ୍ରସାଦଙ୍କ ସମେତ ଅନ୍ୟମାନେ ଏନେଇ ଖଣ୍ଡଗିରି ଥାନାରେ ଅଭିଯୋଗ କରିଥିଲେ । ହରପ୍ରସାଦଙ୍କ ଅଭିଯୋଗ ଆଧାରରେ ପୁଲିସ ଏକ ଠକେଇ ମାମଲା ରୁଜୁକରି ତଦନ୍ତ ଚଳାଇଥିଲା । ଆଜି ପୁଲିସ ଏମ୍‌ସ ହସ୍ପିଟାଲ ନିକଟରୁ କାର୍ତ୍ତିକଙ୍କୁ ଗିରଫ କରିବାରେ ସଫଳ ହୋଇଥିଲା । ଅପରାହ୍ଣରେ କାର୍ତ୍ତିକଙ୍କୁ କୋର୍ଟଚାଲାଣ କରାଯାଇଥିଲା । ଜାମିନ ନାମଞ୍ଜୁର ହେବାରୁ ତାଙ୍କୁ ଜେଲ୍‌ ହାଜତକୁ ପଠାଇ ଦିଆଯାଇଛି।