ନୂଆଦିଲ୍ଲୀ,୨।୧୨: ବେଲଜିୟମ୍‌ର ଲରେଣ୍ଟ ସିମନ୍ସ ମାତ୍ର ୧୫ ବର୍ଷ ବୟସରେ କ୍ବାଣ୍ଟମ୍ ଫିଜିକ୍ସରେ ଡକ୍ଟରେଟ୍ ବା ପିଏଚ୍‌ଡି ହାସଲ କରି ବିଶ୍ବରେକର୍ଡ ସୃଷ୍ଟି କରିଛନ୍ତି। ଏଟଓ୍ବର୍ପ ବିଶ୍ବବିଦ୍ୟାଳୟରେ ନିଜର ଡକ୍ଟରେଟ୍ ଥେସିସ୍ ଜମା କରିବା ପରେ ଲରେଣ୍ଟ ଔପଚାରିକା ଭାବରେ ଦୁନିଆର ସବୁଠାରୁ କମ୍ ବୟସ୍କ ପିଏଚ୍‌ଡିଧାରୀଙ୍କ ଭିତରେ ଅନ୍ୟତମ ହୋଇଛନ୍ତି। ତାଙ୍କର ଏହି ଉପଲବ୍ଧି ବିଜ୍ଞାନ ଦୁନିଆରେ ସବୁଠାରୁ ବଡ଼ ସଫଳତା। ତାଙ୍କୁ ‘ଲିଟିଲ ଆଇନଷ୍ଟାଇନ୍’ ମଧ୍ୟ କୁହାଯାଉଛି।

ଭିଟିଏମ୍ ନ୍ୟୁଜ ଅନୁସାରେ, ଲରେଣ୍ଟଙ୍କ ମତରେ ସେ ପିଏଚ୍‌ଡି ହାସଲ କରିଥିବା ସବୁଠାରୁ କମ୍ ବୟସ୍କର ବ୍ୟକ୍ତି। ଏହି ଉପଲବ୍ଧି ବହୁ ବର୍ଷ ପୂର୍ବରୁ ଆରମ୍ଭ ହୋଇଥିଲା ଓ ତାଙ୍କ ଯାତ୍ରାର ହେଉଚି ଏହା ପ୍ରତୀକ। ୮ ବର୍ଷରେ ହାଇସ୍କୁଲ ପୁରା କରିବା, ୧୨ ବର୍ଷ ବୟସରେ ଭୌତିକ ବିଜ୍ଞାନରେ ବ୍ୟାଚଲର ଡିଗ୍ରୀ ଓ ପରେ ମାଷ୍ଟର ଡିଗ୍ରୀ ହାସଲ କରିଥିଲେ। ସେ କହିଛନ୍ତି ତାଙ୍କର ଲକ୍ଷ୍ୟ କେବଳ ଏକାଡେମିକ ପୁରସ୍କାର ପର୍ଯ୍ୟନ୍ତ ସୀମିତ ନୁହେଁ। ତାଙ୍କର ଜୀବନର ସ୍ବପ୍ନ ମାନବ ଜୀବନକୁ ବଢାଇବା। ମନୁଷ୍ୟକୁ ଜୈବିକ ରୂପରେ ଅମର କରିବା। ପୂର୍ବରୁ ସେ କହିଥିଲେ ଭୌତିକ, ରସାୟନ ବିଜ୍ଞାନ, ଚିକିତ୍ସା ଓ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସକୁ ଏକାଠି ଯୋଡିବାକୁ ଚାହେଁ। ସେ ମଣିଷକୁ ‘ସୁପର-ହ୍ୟୁମାନ’ ତିଆରି କରିବା ଦିଗରେ କାମ କରିବେ ବୋଲି ଲରେଣ୍ଟ କହିଛନ୍ତି।

ଲରେଣ୍ଟ ମାଷ୍ଟର୍ସ ରିସର୍ଚ୍ଚରେ ବ୍ଲାକ ହୋଲ୍ ଭିତରେ ସମାନତାର ସନ୍ଧାନ କରିଛନ୍ତି। ଏଥିରେ ସେ ଅତ୍ୟନ୍ତ କମ୍ ତାପମାତ୍ରାରେ ବୋସ୍-ଆଇନଷ୍ଟିନ୍ କଣ୍ଡେନସେଟ୍‌ର ଅଧ୍ୟୟନ କରିଛନ୍ତି। ଜର୍ମାନୀର ମ୍ୟାକ୍ସ ପ୍ଲାକ୍ ଇନଷ୍ଟିଚ୍ୟୁଟ୍‌ରେ ଇଣ୍ଟର୍ନସିପ୍ ବେଳେ ସେ କ୍ବାଣ୍ଟମ୍ ଅପ୍ଟିକ୍ସ ଓ ଏଆଇ ସଞ୍ଚାଳିତ ପ୍ଲାଜମା ବିଶ୍ଲେଷଣର ବ୍ୟବହାର କରି କ୍ୟାନସରର ପ୍ରାରମ୍ଭିକ ସୂଚନା ଜାଣିବାର କାମ କରିଥିଲେ। ସେ କହିଥିଲେ, ଆମେ ଏହି ମେସିନ୍ ଲର୍ନିଂ ଆଲଗୋରିଦିମ୍‌କୁ ଟ୍ରେନିଂ ଦେଇଛୁ, ଯାହାକି କ୍ୟାନସର ଓ ସୁସ୍ଥ ଲୋକଙ୍କ ଭିତରେ ସଠିକ୍ ପ୍ରଭେଦ୍ୟ କ’ଣ ତାହା ଜାଣିପାରିବ।ଉଲ୍ଲେଖନୀୟ ଯେ, ଲରେଣ୍ଟ ଆମେରିକାନ୍ ଓ ଚୀନର ବଡ଼ ବଡ଼ ଟେକ୍ କମ୍ପାନୀର ବହୁ ଅଫରକୁ ପ୍ରତ୍ୟାଖାନ କରିସାରିଛନ୍ତି। ତାଙ୍କ ବାପା ଆଲେକଜାଣ୍ଡର ଓ ମା’ ଲିଣ୍ଡିୟା କହିଛନ୍ତି, ତାଙ୍କ ପୁଅର ରିସର୍ଚ୍ଚ ପ୍ରଥମେ ଚିକିତ୍ସା କ୍ଷେତ୍ରରେ ରହିବ। ପିଏଚ୍‌ଡି କରିବା ପରେ ଲରେଣ୍ଟ ମ୍ୟୁନିଖ୍ ଚାଲିଯାଇଥିଲେ। ସେଠାରୁ ଚିକିତ୍ସାରେ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ଉପରେ କେନ୍ଦ୍ରିତ ନିଜର ଦ୍ବିତୀୟ ଡକ୍ଟରେଟ୍ କାର୍ଯ୍ୟକ୍ରମ ଆରମ୍ଭ କରିବାକୁ ଯାଉଛନ୍ତି।