ଭୁବନେଶ୍ୱର,୨୪/୧୨: ଜମିରେ ଧାନ ପାଚି ଅମଳ ହେବାକୁ ବସିଲାଣି । ହେଲେ ଏ ପର୍ଯ୍ୟନ୍ତ  ୧୬ ଜିଲ୍ଲାରେ ଖୋଲିପାରିନି ମଣ୍ଡି । ସେପଟେ ଏହି  ଜିଲ୍ଲାଗୁଡ଼ିକରେ ଧାନ ବିକିବା ପାଇଁ ପାଖାପାଖି ୪ ଲକ୍ଷ  ଚାଷୀ ପଞ୍ଜୀକରଣ କରିଛନ୍ତି । କେବେ ଖୋଲିବ ମଣ୍ଡି,  କେବେ ବିକିବେ ଧାନ ଅପେକ୍ଷା କରିଛନ୍ତି । ତେବେ ଏହି  ଦାୟିତ୍ୱ ଜିଲ୍ଲା ପ୍ରଶାସନକୁ ଦିଆଯାଇଥିଲେ ବି ଅହେତୁକ  ବିଳମ୍ବ ଯୋଗୁଁ ଚାଷୀ ଏବେ ଚିନ୍ତାରେ । ତା ସାଙ୍ଗକୁ ଅଦିନିଆ  ବର୍ଷା ଏବେ ଚାଷୀକୁଳକୁ ହତାଶ କରିଦେଇଛି । ବର୍ଷ ଯାକ  କଷ୍ଟ କରି ଅମଳ କରିଥିବା ଧାନ ମଣ୍ଡିରେ ବିକ୍ରି ନ କରି  ନଷ୍ଟ ହେବା ଆଶଙ୍କାରେ ଚାଷୀ ଗୁମୁରି କାନ୍ଦୁଛି । ଅନୁଗୁଳ,  ବାଲେଶ୍ୱର, ଭଦ୍ରକ, କଟକ, ଢ଼େଙ୍କାନାଳ, ଗଜପତି,  ଗଞ୍ଜାମ, ଜଗତସିଂହପୁର, ଯାଜପୁର, କନ୍ଧମାଳ,  କେନ୍ଦ୍ରାପଡ଼ା, ଖୋର୍ଦ୍ଧା, ମୟୂରଭଞ୍ଜ, ନୟାଗଡ଼, ପୁରୀ ଓ  ରାୟଗଡ଼ା ଜିଲ୍ଲାରେ ମଣ୍ଡି ଖୋଲିନି । ସେଠାରେ କେହି  ଧାନ ବିକ୍ରି କରିନାହାନ୍ତି ବୋଲି ରାଜ୍ୟ ଯୋଗାଣ ବିଭାଗର  ‘ଫୁଡ୍‌ ଓଡ଼ିଶା ପୋର୍ଟାଲ’ରେ ସ୍ପଷ୍ଟ ସୂଚନା ଦିଆଯାଇଛି ।

ବାଲେଶ୍ୱର ଜିଲ୍ଲାରେ ଆସନ୍ତା ୨୭ରେ ମଣ୍ଡି ଖୋଲିବ ।  ହେଲେ ଏହା ପଶ୍ଚିମବଙ୍ଗର ସୀମାକୁ ଲାଗିଥିବାରୁ  ଚାଷୀମାନେ ବାହାର ରାଜ୍ୟର ବ୍ୟବସାୟୀଙ୍କୁ ଧାନ  ବିକିବା ଆରମ୍ଭ କଲେଣି । ବିଶେଷ କରି ଜଳେଶ୍ୱର ଓ  ଚନ୍ଦନେଶ୍ୱରର ଚାଷୀମାନେ ପଶ୍ଚିମବଙ୍ଗ ବ୍ୟବସାୟୀଙ୍କୁ  ଅଳ୍ପ ଦାମରେ ଧାନ ବିକ୍ରି କରିବାକୁ ବାଧ୍ୟ ହେଉଛନ୍ତି ।  ଭଦ୍ରକରେ ମଧ୍ୟ ୨୭ ତାରିଖରେ ମଣ୍ଡି ଖୋଲିବାକୁ ଜିଲ୍ଲା  ପ୍ରଶାସନ ନିଷ୍ପତ୍ତି ନେଇଛି । ଫଳରେ ବହୁ ଚାଷୀ ମଣ୍ଡି  ଖୋଲିବା ପର୍ଯ୍ୟନ୍ତ ଅପେକ୍ଷା ନ କରି ଏବେ ସ୍ଥାନୀୟ  ସାହୁକାର କିମ୍ବା ଆଞ୍ଚଳିକ ବ୍ୟବସାୟୀଙ୍କୁ କମ ଦାମରେ  ଧାନ ବିକ୍ରି କରୁଛନ୍ତି । ଯାଜପୁରରେ ତ ଜାନୁଆରୀ ୭ରୁ  ମଣ୍ଡି ଖୋଲିବାକୁ ସ୍ଥାନୀୟ ପ୍ରଶାସନ ନିଷ୍ପତ୍ତି ନେଇଛି ।  ସୁନ୍ଦରଗଡ଼ରେ ୨୦ରେ ମଣ୍ଡି ଖୋଲିଥିଲେ ବି ଏ ପର୍ଯ୍ୟନ୍ତ  ମାତ୍ର ୯ଜଣ ଚାଷୀ ୩୩୨ କ୍ୟୁଣ୍ଟାଲ୍‌ ଧାନ ବିକ୍ରି କରିଥିବା  ବିଭାଗୀୟ ପୋର୍ଟାଲ୍‌ ଦର୍ଶାଉଛି । କନ୍ଧମାଳ ଜିଲ୍ଲାରେ ମଧ୍ୟ  ମଙ୍ଗଳବାରରୁ ଧାନ ମଣ୍ଡି ଖୋଲିବାକୁ  ସ୍ଥାନୀୟ ପ୍ରଶାସନ ନିଷ୍ପତ୍ତି ନେଇଛି । ଏଭଳି କିଛି ଜିଲ୍ଲାର  ସ୍ଥିତିରୁ ମଣ୍ଡି ପରିଚାଳନା କିଭଳି ଚାଲିଛି, ତାହା ସ୍ପଷ୍ଟ  ବାରି ହେଉଛି ।  

ଅପରପକ୍ଷେ ୩୦ଟି ଜିଲ୍ଲାରେ ପାଖାପାଖି  ୧୩ ଲକ୍ଷ ୪୫ ହଜାର ଚାଷୀ ମଣ୍ଡିରେ ଧାନ ବିକ୍ରି  କରିବାକୁ ଯୋଗ୍ୟ ବିବେଚିତ ହୋଇଛନ୍ତି । ୫୦୨  ପ୍ରାଥମିକ କୃଷି ସମବାୟ ସମିତି(ପାକ୍ସ), ୧୬୨ ସ୍ୱୟଂ  ସହାୟକ ଗୋଷ୍ଠୀ(ଏସଏଚଜି) ଓ କିଛି ସ୍ଥାନରେ  ପାଣି ପଞ୍ଚାୟତଗୁଡ଼ିକୁ ମଣ୍ଡିରେ ଧାନ ସଂଗ୍ରହ ଦାୟିତ୍ୱ  ଦିଆଯାଇଛି । ତେବେ ବରଗଡ଼ ଜିଲ୍ଲାରେ ସର୍ବାଧିକ  ୧ ଲକ୍ଷ ୫୩ ହଜାର ୩୮୧ ଚାଷୀ ଧାନ ବିକିବାକୁ ପଞ୍ଜୀକରଣ କରିଛନ୍ତି । ଏବେ ସୁଦ୍ଧା ୬୨ ହଜାରରୁ ଅଧିକ  ଚାଷୀ ଧାନ ବିକ୍ରି କରି ସାରିଲେଣି । ୨୮ ଲକ୍ଷ ୪୫ ହଜାର  କ୍ୟୁଣ୍ଟାଲ ଧାନ ସଂଗ୍ରହ ହୋଇସାରିଛି । ତେବେ ନୂଆ  ସରକାର ଆସିବା ପରେ ଚାଷୀଙ୍କଠୁ କୁଇଣ୍ଟାଲ ୩୧ଶହ  ଟଙ୍କାରେ ଧାନ କିଣିବେ ବୋଲି ଘୋଷଣା କରିଥିଲେ ।  ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ୨୩ଶହ ଟଙ୍କା  ଥିବା ବେଳେ ରାଜ୍ୟ ସରକାର କୁଇଣ୍ଟାଲ ପିଛା ୮ଶହ  ଟଙ୍କା ବୋନସ୍‌ ଭାବେ ଦେଉଛନ୍ତି । ତେଣୁ ଚାଷୀମାନେ  ମଣ୍ଡିରେ ଧାନ ବିକ୍ରି କରିବାକୁ ବେଶ ଉତ୍ସାହିତ ହୋଇ  ପଡ଼ିଥିଲେ । ମାତ୍ର ମଣ୍ଡି ଖୋଲିବାରେ ଅହେତୁକ ବିଳମ୍ବ  ଏବେ ଚାଷୀଙ୍କ ପାଇଁ ମୁଣ୍ଡବ୍ୟଥାର କାରଣ ପାଲଟିଛି।