• ହୀରାକୁଦ ପର୍ଯ୍ୟଟନ କ୍ଷେତ୍ରର ବିକାଶ ପାଇଁ ୯୯ କୋଟି ୯୦ ଲକ୍ଷ ଟଙ୍କା
  • ସାତକୋଶିଆର ବିକାଶ ଲାଗି ୯୯ କୋଟି ୯୯ ଲକ୍ଷ ଟଙ୍କା
  • ବର୍ତ୍ତମାନ ସୁଦ୍ଧା ୧୩୧ କୋଟି ୯୨ ଲକ୍ଷ ଟଙ୍କା ଅନୁଦାନ ଦିଆଯାଇଛି

ନୂଆଦିଲ୍ଲୀ, ୧୧ ।୧୨: ହୀରାକୁଦ ଏବଂ ସାତକୋଶିଆ ଅଞ୍ଚଳର ବିକାଶ ପାଇଁ କେନ୍ଦ୍ର ସରକାର ୧୯୯ କୋଟିରୁ ଅଧିକ ଟଙ୍କା ମଞ୍ଜୁର କରିଛନ୍ତି। ଓଡ଼ିଶାର ହୀରାକୁଦ ପର୍ଯ୍ୟଟନ କ୍ଷେତ୍ରର ବିକାଶ ପାଇଁ ୯୯ କୋଟି ୯୦ ଲକ୍ଷ ଟଙ୍କା ଏବଂ ସାତକୋଶିଆର ବିକାଶ ଲାଗି ୯୯ କୋଟି ୯୯ ଲକ୍ଷ ଟଙ୍କା ମଞ୍ଜୁର କରାଯାଇଛି। ୨୦୨୪-୨୫ ଆର୍ଥିକ ବର୍ଷରେ ବିଭିନ୍ନ କେନ୍ଦ୍ରୀୟ ଯୋଜନାରେ ପର୍ଯ୍ୟଟନ ମନ୍ତ୍ରଣାଳୟ ମଞ୍ଜୁର କରିଛି। ବର୍ତ୍ତମାନ ସୁଦ୍ଧା ୧୩୧.୯୨ କୋଟି ଟଙ୍କା ଅନୁଦାନ ଦିଆଯାଇଛି। ରାଜ୍ୟସଭାରେ ଏକ ଅଣତାରକା ପ୍ରଶ୍ନର ଉତ୍ତରରେ କେନ୍ଦ୍ର ପର୍ୟ୍ୟଟନ ମନ୍ତ୍ରୀ ଗଜେନ୍ଦ୍ର ସିଂ ଶେଖାୱତ ସୂଚନା ଦେଇଛନ୍ତି।

ପର୍ଯ୍ୟଟନ ସ୍ଥଳୀର ବିକାଶ ଦାୟିତ୍ୱ ସମ୍ପୃକ୍ତ ରାଜ୍ୟ ଓ କେନ୍ଦ୍ର ଶାସିତ ପ୍ରଦେଶର ହୋଇଥିଲେ ମଧ୍ୟ କେନ୍ଦ୍ର ପର୍ଯ୍ୟଟନ ମନ୍ତ୍ରଣାଳୟ ସ୍ୱଦେଶ ଦର୍ଶନ, ତୀର୍ଥସ୍ଥଳୀ ପୁନରୁଦ୍ଧାର ଏବଂ ଆଧ୍ୟାତ୍ମିକ ଐତିହ୍ୟ ବିକାଶ ଅଭିଯାନ (ପ୍ରସାଦ), ପର୍ଯ୍ୟଟନ ଭିତ୍ତିଭୂମି ବିକାଶ ପାଇଁ କେନ୍ଦ୍ରୀୟ ସହାୟତା (ଏସିଏଟିଆଇଡି) ଆଦି ଯୋଜନା ଓ କାର୍ଯ୍ୟକ୍ରମ ଜରିଆରେ ପ୍ରାଥମିକତା ଭିତ୍ତିରେ ପାଣ୍ଠି ଯୋଗାଇ ଦେଇଥାନ୍ତି ବୋଲି କେନ୍ଦ୍ର ପର୍ଯ୍ୟଟନ ମନ୍ତ୍ରୀ କହିଛନ୍ତି । ଏହାବ୍ୟତୀତ ପର୍ଯ୍ୟଟନ ସଂକ୍ରାନ୍ତ ପ୍ରକଳ୍ପର ବିକାଶ ପାଇଁ ରାଜ୍ୟମାନଙ୍କୁ କେନ୍ଦ୍ର ସରକାର ଆର୍ଥିକ ସହାୟତା ଯୋଗାଇ ଦିଅନ୍ତି। କେବଳ ସେତିକି ନୁହେଁ ମନ୍ତ୍ରଣାଳୟ ପକ୍ଷରୁ ସମ୍ପୃକ୍ତ ରାଜ୍ୟ ଏବଂ କେନ୍ଦ୍ର ଶାସିତ ପ୍ରଦେଶର ପର୍ଯ୍ୟଟନ ପ୍ରକଳ୍ପର କାର୍ଯ୍ୟକାରିତା ନିରନ୍ତର ଭାବେ ସମୀକ୍ଷା କରାଯାଇଥାଏ।