ଭୁଲିଗଲେ ଶାଳୀନତା । ସଂଯମ ବି ଭୁଲିଲେ । ଡେଇଁଲେ ଲକ୍ଷ୍ମଣରେଖା । ମୁଣ୍ଡକୁ ଯାହା ଆସିଲା, ତୁଣ୍ଡରୁ ଅଜାଡ଼ି ଦେଲେ । ଶସ୍ତା ରାଜନୀତି ନାଁରେ କିଏ କାହାର ଚରିତ୍ର ସଂହାର କଲେ, ଆଉ କିଏ ବିଦ୍ୱେଷର ମଞ୍ଜି ବୁଣିଲେ । ପରସ୍ପର କାଦୁଅ ଫିଙ୍ଗା ରାଜନୀତିରେ ପାଟିରୁ ବରଷିଲା କେବଳ ଗରଳ । ଜାତିର ପିତା ମହାତ୍ମା ଗାନ୍ଧିଙ୍କୁ ଅସମ୍ମାନ କଲେ । ଗଣମାଧ୍ୟମକୁ ଗାଳି କରିବାକୁ ବି ପଛାଇଲେ ନାହିଁ । ରାଜନୀତି ପୃଷ୍ଠାରେ ଅନେକ କଟୁ ମନ୍ତବ୍ୟର ସାକ୍ଷୀ ହୋଇ ରହିଲା ୨୦୨୫ । 
ପ୍ରସ୍ତୁତି: ମୁକେଶ ପରିଡ଼ା, ରାମଜୀବନ ଗୋଚ୍ଛାୟତ

ଓଡ଼ିଶାରେ ମିଶିବା ଐତିହାସିକ ଭୁଲ୍‌ 
ଏ ବର୍ଷ ବି ବିବାଦ ବରିଷ୍ଠ ବିଜେପି ବିଧାୟକ ଜୟନାରାୟଣ ମିଶ୍ରଙ୍କ ପିଛା ଛାଡ଼ିଲାନି । ଓଡ଼ିଶା ଏବଂ ଉତ୍କଳକୁ ନେଇ ଜୟନାରାୟଣ ଏମିତି କିଛି କହିଦେଲେ, ଯାହାକୁ ନେଇ ବିଧାନସଭାରୁ ସଡ଼କ ଯାଏ ପ୍ରତିବାଦର ସ୍ୱର ଉଠିଲା । ଏକ ସଭାରେ କହୁ କହୁ ଜୟନାରାୟଣ କହିଲେ, ଉତ୍କଳ, କୋଶଳ ଓ କଳିଙ୍ଗ ମିଶି ଓଡ଼ିଶା ପ୍ରଦେଶ ଗଠନ ହୋଇଥିଲା । କେବଳ ଉତ୍କଳର ଜୟଗାନ କାହିଁକି ହେବ? ଉତ୍କଳ କହିଲେ, କେବଳ କଟକ, ପୁରୀ, ବାଲେଶ୍ୱର । ଆମ ଖଣି, ଫସଲ, ଜଙ୍ଗଲ ନେଇ ଆମକୁ ଶୋଷଣ କରାଯାଇଛି । ଓଡ଼ିଶା ପ୍ରଦେଶରେ ମିଶିବା ଆମର ଐତିହାସିକ ଭୁଲ୍‌ ଥିଲା ବୋଲି ଜୟନାରାୟଣ କହିଥିଲେ । ଏଭଳି ବୟାନକୁ ବିରୋଧୀ ଦଳ ବିଜେଡି ତୀବ୍ର ସମାଲୋଚନା କରିବା ସହ ବିଧାନସଭାରେ ଉଠିଥିଲା ବିବାଦର ଝଡ଼ ।

ଯେତେ ମାଠିବୁ ମାଠ 
ରାଜନୀତି, ସିନେମା, ଅର୍ଥନୀତି, କ୍ରୀଡ଼ା, ଭାଷା, ସଂସ୍କୃତି, ସାମାଜିକ ଚାଲିଚଳଣରୁ ନେଇ ସମସ୍ତ ପ୍ରସଙ୍ଗରେ ବୟାନବାଜି କରୁଥିବା ଚର୍ଚ୍ଚିତ ବ୍ୟକ୍ତିତ୍ୱ ହେଉଛନ୍ତି କଂଗ୍ରେସ ନେତା ସୁର ରାଉତରାୟ । ଏମିତି କେଉଁ ଦିନ ନାହିଁ, ଗଣମାଧ୍ୟମରେ ତାଙ୍କ ବୟାନ ପ୍ରକାଶ ନଥିବ । କହୁ କହୁ ଅନେକ ସମୟରେ ସେ ଏମିତି କିଛି କହିଯାଆନ୍ତି, ଯାହା ନା ତଥ୍ୟ ଆଧରିତ ନା କହିବାଯୋଗ୍ୟ । ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀଙ୍କ ପ୍ରତି ବିଭିନ୍ନ ସମୟରେ ଆପତ୍ତିଜନକ ମନ୍ତବ୍ୟ ଦେଇ ସୋସିଆଲ ମିଡିଆରେ ଏ ବର୍ଷ ବି ସେ ବାରମ୍ବାର ଟ୍ରୋଲ ହୋଇଛନ୍ତି ।

ବିସ୍କୁଟ ମିଡିଆ 
କେବେ ସଂସଦ, କେବେ ମିଡିଆ, ଆଉ କେବେ ସୋସିଆଲ ମିଡିଆ, ରାଜ୍ୟସଭା ସାଂସଦ ସୁଲତା ଦେଓଙ୍କ ବିବୃତି ବର୍ଷ ତମାମ ଚର୍ଚ୍ଚାରେ ଥିଲା । ପହଲଗାମ ଆତଙ୍କବାଦୀ ଆକ୍ରମଣ ଘଟଣା ସମୟରେ ଗଣମାଧ୍ୟମରେ ତାଙ୍କର ଏକ ବୟାନକୁ ବିଭିନ୍ନ ମହଲରେ ନାପସନ୍ଦ କରାଯାଇଥିଲା । ବିଭିନ୍ନ ସମୟରେ ଗଣମାଧ୍ୟମକୁ ବିସ୍କୁଟ ମିଡିଆ କହି ସୁଲତା ସୋସିଆଲ ମିଡିଆରେ ଟ୍ରୋଲ ବି ହୋଇଥିଲେ । ୱାକଫ ବିଲ୍‌ ପ୍ରସଙ୍ଗରେ ରାଜ୍ୟସଭା ସାଂସଦ ଦେବାଶିଷ ସାମନ୍ତରାୟ ଦଳୀୟ ନେତୃତ୍ୱଙ୍କ ନିଷ୍ପତ୍ତିକୁ ନେଇ ଅସନ୍ତୋଷ ଝାଡ଼ିଥିବାବେଳେ ମୁହଁ ତୋଡ଼ ଜବାବ ଦେଇ ସୁଲତା ଚର୍ଚ୍ଚା ବଢ଼ାଇଥିଲେ । ପାଣ୍ଡିଆନଙ୍କ ଆଶୀର୍ବାଦରୁ ଦେବାଶିଷ ରାଜ୍ୟସଭା ଯାଇଥିବା ନେଇ ସୁଲତା କହିବା ପରେ ଉଭୟ ନେତାଙ୍କ ଭିତରେ ବିବାଦ ବଢ଼ିଥିଲା । 

କ୍ଷମା ମାଗିଲେ ଶୁଭଙ୍କର 
ଟେଲିଭିଜନ୍‌ ଉପସ୍ଥାପକ ତଥା ୟୁଟ୍ୟୁବର ଶୁଭଙ୍କର ମିଶ୍ର ପୁରୀ ଶ୍ରୀଜଗନ୍ନାଥ ମନ୍ଦିରକୁ ନେଇ କିଛି ଭ୍ରମାତ୍ମକ ତଥ୍ୟ ଉପସ୍ଥାପନ କରିଥିଲେ । ଏହାକୁ ନେଇ ଓଡ଼ିଶା ସମେତ ବିଭିନ୍ନ ସ୍ଥାନରୁ ଜଗନ୍ନାଥପ୍ରେମୀ ତାଙ୍କୁ ପ୍ରବଳ ସମାଲୋଚନା କରିଥିଲେ । ଶେଷରେ ଶୁଭଙ୍କରଙ୍କୁ ଭୁଲ ମାଗିବାକୁ ପଡ଼ିଥିଲା । ବିବାହ ପୂର୍ବରୁ ପ୍ରେମୀ ଯୁଗଳ ଶ୍ରୀମନ୍ଦିରକୁ ଗଲେ, ପ୍ରେମ ସଫଳ ହୁଏନି ବୋଲି ଶୁଭଙ୍କର କହିଥିବାରୁ ବିବାଦ ଉଠିଥିଲା । 

ଆଳୁ ଆସୁଛି ଟ୍ରେନ୍‌ରେ 
ଓଡ଼ିଶାରେ ଆଉ ଆଳୁ ଅଭାବ ହେବନି । ପଞ୍ଜାବ ଓ ଉତ୍ତର ପ୍ରଦେଶରୁ ଓଡ଼ିଶାକୁ ଟ୍ରେନରେ ଆଳୁ ଆସିବ । ବିଧାନସଭା ଭିତରେ ଓ ବାହାରେ ବାରମ୍ବାର ଏକଥା ଦୋହରାଇ ଥିଲେ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର । ମାତ୍ର ଟ୍ରେନରେ ଆଳୁ ନ ଆସିବାରୁ ବିରୋଧୀ ବିଜେଡି ଓ କଂଗ୍ରେସ ବିଧାୟକମାନେ ବାରମ୍ବାର ତାଙ୍କୁ ଏ ପ୍ରଶ୍ନ ପଚାରି କଟାକ୍ଷ କରିଥିଲେ । ଏପରିକି ବିରୋଧୀ ଦଳର କିଛି ବିଧାୟକ ତାଙ୍କୁ ଆଳୁ ମନ୍ତ୍ରୀ କହିବାକୁ ପଛାଇନଥିଲେ । 

ଶାଳୀନତା ଗଲା ଚୁଲିକୁ 
ଗୋଟିଏ ପଟେ ବିଜେଡି ନେତ୍ରୀ ଲେଖାଶ୍ରୀ ସାମନ୍ତସିଂହାର, ଆରପଟେ ବିଜେପି ବିଧାୟକ ସନ୍ତୋଷ ଖଟୁଆ । ବୟାନବାଜି ଏମିତି ତେଜିଲା, ଶାଳୀନତା ଗଲା ଚୁଲିକୁ । ହାତୀ ଦାନ୍ତ ର‌୍ୟାକେଟ ମାମଲାରେ ବିଧାୟକ ସନ୍ତୋଷଙ୍କୁ ଟାଣିବା ସହ ଛୋଟ ଚୋରରୁ ବଡ଼ ଚୋର ବନିବାର ଇତିହାସ ବଖାଣିଲେ ଲେଖାଶ୍ରୀ । ପକେଟ ମାର୍‌ରୁ ନେଇ ଆହୁରି କେତେ କ’ଣ କଥା କହିଲେ । ଚିହିଁକି ଉଠିଲେ ନୀଳଗିରି ବିଧାୟକ । ସବୁ ସୀମା ଟପିଗଲେ । ଲେଖାଶ୍ରୀଙ୍କ ଚରିତ୍ର ସଂହାର କରିବାକୁ ପଛାଇଲେ ନାହିଁ ବିଧାୟକ ଶ୍ରୀ ଖଟୁଆ । ଏଭଳି ଆପତ୍ତିଜନକ ଶବ୍ଦ ପ୍ରୟୋଗ କଲେ, ଯାହା ପ୍ରକାଶ କରିବା ଯୋଗ୍ୟ ନୁହେଁ । ଏହାକୁ ନେଇ ତୁମ୍ବି ତୋଫାନ ଉଠିଥିଲା । ବିଜେଡି ରାସ୍ତାକୁ ଓହ୍ଲାଇଲା, ପ୍ରଧାନମନ୍ତ୍ରୀଙ୍କୁ ବି ଟ୍ୱିଟ୍‌ କଲା । ବର୍ଷ ତମାମ ଏ ବିବାଦ ଛାଇ ରହିଥିଲା । 

କଠୋର ଚିଠି, କଡ଼ା କାର୍ଯ୍ୟାନୁଷ୍ଠାନ 
ପୂର୍ବତନ ବିଧାୟକ ମହମ୍ମଦ ମୋକିମଙ୍କୁ ମହଙ୍ଗା ପଡ଼ିଲା ଚିଠି । ସୋନିଆ ଗାନ୍ଧିଙ୍କୁ ଚିଠି ଲେଖି ମୋକିମ ଦଳୀୟ ନେତୃତ୍ୱଙ୍କ ଉପରକୁ ଆଙ୍ଗୁଠି ଉଠାଇଥିଲେ । ପିସିସି ସଭାପତି ଭକ୍ତ ଦାସଙ୍କଠାରୁ ଆରମ୍ଭ କରି ଏଆଇସିସି ସଭାପତି ମଲ୍ଲିକାର୍ଜୁନ ଖଡଗେ ଓ ରାହୁଲ ଗାନ୍ଧିଙ୍କ ଦକ୍ଷତା ଉପରକୁ ପ୍ରଶ୍ନ ଉଠାଇଥିଲେ ମୋକିମ । କଡ଼ା ଶବ୍ଦରେ ମୋକିମ ଲେଖିଥିବା ଏହି ଚିଠି ଗଣମାଧ୍ୟମରେ ବେଶ୍‌ ଚର୍ଚ୍ଚିତ ହୋଇଥିଲା । ଖାଲି ସେତିକି ନୁହେଁ, ମୋକିମ ମଧ୍ୟ ଗଣମାଧ୍ୟମରେ ଦଳର ପରିଚାଳନାକୁ ନେଇ ଅନେକ କଥା କହିଥିଲେ । ଶେଷରେ ମୋକିମଙ୍କୁ କଂଗ୍ରେସ ବହିଷ୍କୃତ କରିଥିଲା । 

କଂଗ୍ରେସରେ ବିଭୀଷଣ ଖୋଜା 
କଂଗ୍ରେସ ଦଳରେ ବିଭୀଷଣ ଖୋଜା ନେଇ ପିସିସି ସଭାପତି ଭକ୍ତଚରଣ ଦାସଙ୍କ ବୟାନ ବେଶ୍‌ ବିବାଦ ଛିଡ଼ା କରିଥିଲା । ନୂଆପଡ଼ା ଉପନିର୍ବାଚନ ପରାଜୟ ପରେ ଗଣମାଧ୍ୟମ ପ୍ରଶ୍ନର ଉତ୍ତରରେ ଭକ୍ତ ଦେଇଥିବା ଏହି ବୟାନ ଦଳରେ ତୀବ୍ର ପ୍ରତିକ୍ରିୟା ସୃଷ୍ଟି କରିଥିଲା । ପୂର୍ବତନ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ, ବରିଷ୍ଠ ନେତା ନରସିଂହ ମିଶ୍ର ପ୍ରମୁଖ ଏହାକୁ ନାପସନ୍ଦ କରିଥିଲେ । କଟକ ବାରବାଟୀର ପୂର୍ବତନ ବିଧାୟକ ମହମ୍ମଦ ମୋକିମ ଏହାକୁ ନେଇ ଭକ୍ତଙ୍କ ବିରୋଧରେ ଯୁଦ୍ଧ ଡାକରା ଦେଇଥିଲେ । ଏହି ବିଭୀଷଣ ଶବ୍ଦ ପାଇଁ କଂଗ୍ରେସରେ ଝଡ଼ ଉଠିବା ସହ ଭକ୍ତ ବେଶ୍‌ ହଟହଟା ହୋଇଥିଲେ । 

ନେହରୁଙ୍କ ସହ ତୁଳନା 
ଭି କେ ପାଣ୍ଡିଆନଙ୍କୁ ପୂର୍ବତନ ପ୍ରଧାନମନ୍ତ୍ରୀ ଜୱାହାରଲାଲ ନେହରୁଙ୍କ ସହ ତୁଳନା କରି ବିବାଦରେ ଫସିଥିଲେ ବିଜେଡି ନେତା ସଂତୃପ୍ତ ମିଶ୍ର । ଗଣମାଧ୍ୟମରେ ସଂତୃପ୍ତଙ୍କ ଏ ସମ୍ପର୍କିତ ବୟାନକୁ ନେଇ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଥିଲେ କଂଗ୍ରେସ ନେତାମାନେ ।

ଅଶ୍ଳୀଳତାକୁ ଠେଙ୍ଗା ମାଡ଼ 
ସଂସ୍କୃତିର ସୁରକ୍ଷା ପାଇଁ ଏକାମ୍ର ଭୁବନେଶ୍ୱର ବିଧାୟକ ବାବୁ ସିଂଙ୍କ ଠେଙ୍ଗା ପାହାର ଉବାଚ ଏ ବର୍ଷ ବେଶ୍‌ ଚର୍ଚ୍ଚାକୁ ଆସିଥିଲା । ଖଣ୍ଡଗିରି ମେଳାରେ ଅଶ୍ଳୀଳତା ବନ୍ଦ କରିବାକୁ ଚେତାବନୀ ଦେଇ ବାବୁ କହିଥିଲେ, ଯିଏ ଅଶ୍ଳୀଳତା ପ୍ରଦର୍ଶନ କରିବେ, ଠେଙ୍ଗା ପାହାର ଖାଇବେ । ଏହାକୁ ନେଇ ମିଶ୍ର ପ୍ରତିକ୍ରିୟା ଆସିଥିଲା ବିଭିନ୍ନ ମହଲରୁ ।

ଗାନ୍ଧିଙ୍କୁ ଅପମାନ 
ବେଲଗାମ ବୟାନବାଜି ପାଇଁ ନୀଳଗିରିର ବିଜେପି ବିଧାୟକ ସନ୍ତୋଷ ଖଟୁଆ ବାରମ୍ବାର ବିବାଦରେ ଫସିଥିଲେ । ବିଧାନସଭାର ଗତ ଶୀତକାଳୀନ ଅଧିବେଶନରେ କହିବାବେଳେ ବିଧାୟକ ଶ୍ରୀ ଖଟୁଆ ଶାଳୀନତାର ସବୁ ସୀମା ଲଂଘି ଯାଇଥିଲେ । ଜାତିର ପିତା ମହାତ୍ମା ଗାନ୍ଧିଙ୍କୁ ନେଇ ସେ ଏମିତି କିଛି ଅପମାନସୂଚକ କଥା କହିଲେ, ଯାହାକୁ ନେଇ ତାତି ଉଠିଥିଲେ ବିରୋଧୀ ଦଳ । ସ୍ୱାଭାବିକ ଚାଲି ଆସିଥିବା ବିଧାନସଭା ହଠାତ୍‌ ଅଶାନ୍ତ ହୋଇ ପଡ଼ିଥିଲା । ବିରୋଧୀ ଦଳ କକ୍ଷତ୍ୟାଗ କରି ବିଧାନସଭା ପରିସରରେ ଥିବା ଗାନ୍ଧିଜୀଙ୍କ ପ୍ରତିମୂର୍ତ୍ତି ତଳେ ଧାରଣାରେ ବସିଲେ । ଶ୍ରୀ ଖଟୁଆଙ୍କ ଏଭଳି ବେପରୁଆ ଓ ବେଲଗାମ ମନ୍ତବ୍ୟ ପାଇଁ ସରକାର ବି ବେଶ୍‌ ହଟହଟା ହେଲେ । ବିରୋଧୀ ଦଳଙ୍କୁ ବୁଝାଇବାକୁ ନାକେମ ହେଲେ । ଶେଷରେ ଶ୍ରୀ ଖଟୁଆଙ୍କ ବିବାଦୀୟ ମନ୍ତବ୍ୟ ଗୃହର ବିବରଣୀରୁ ବାଦ୍‌ ପଡ଼ିଲା । କିନ୍ତୁ, ଏହି ବିବାଦୀୟ ମନ୍ତବ୍ୟ ବିରୋଧରେ ବିଧାନସଭାରୁ ରାଜରାସ୍ତା ଯାଏଁ ପ୍ରତିବାଦର ସ୍ୱର ଉଠିଥିଲା । 

ବେଇମାନୀ କହିବାରୁ ବିବାଦ 
ସାଧାରଣତଃ କମ୍‌ କହୁଥିବା, କଟୁ ମନ୍ତବ୍ୟ ଓ ବିବାଦଠାରୁ ଦୂରରେ ରହୁଥିବା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକଙ୍କ ଏକ ବୟାନ ଏଥର ବିବାଦକୁ ଆସିଥିଲା । ନୂଆପଡ଼ା ଉପନିର୍ବାଚନ ସମୟରେ ନବୀନଙ୍କ ‘ବେଇମାନ’ ମନ୍ତବ୍ୟକୁ ନେଇ ରାଜନୀତି ବେଶ୍‌ ସରଗରମ ହୋଇଥିଲା । ନୂଆପଡ଼ାରେ ଭାଷଣ ରଖି ନବୀନ କହିଥିଲେ, ବିଜେଡି ସହ, ଜନତାଙ୍କ ସହ ଏବଂ ମୋ’ ସହ ବେଇମାନୀ ହୋଇଛି । ଏହି ମନ୍ତବ୍ୟକୁ ନେଇ ଘେରିଥିଲା ବିଜେପି । ବେଇମାନ କିଏ ବୋଲି ପ୍ରଶ୍ନ କରିବା ସହ ଏହାକୁ ନୂଆପଡ଼ାବାସୀଙ୍କ ଭାବାବେଗ ସହ ଯୋଡ଼ିବାକୁ ଚେଷ୍ଟା କରିଥିଲା । 

ଫାୟାରିଂ କରିଦେବି 
“ଫାୟାରିଂ କରିଦେବି” । ଜଣେ ସରକାରୀ ଅଫିସରଙ୍କୁ ପୂର୍ବତନ ସାଂସଦ ପ୍ରଦୀପ ମାଝୀଙ୍କ ଏଭଳି ଧମକର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା । ଏକ ଆବାସିକ ବିଦ୍ୟାଳୟରେ ଆଦିବାସୀ ଛାତ୍ର ନିର୍ଯାତନାର ଶିକାର ହେବା ଅଭିଯୋଗ ଘଟଣାରେ ପ୍ରଦୀପ ଏଭଳି ଧମକ ଦେଇଥିଲେ । ସେ ନିଜେ ହଷ୍ଟେଲରୁ ଛାତ୍ରଙ୍କୁ ଉଦ୍ଧାର କରିବା ସହ ସରକାରୀ ଅଫିସରଙ୍କୁ ରାଗରେ ଧମକ ଦେଇଥିଲେ । ଏହାକୁ ନେଇ ନବରଙ୍ଗପୁର ଜିଲ୍ଲା ଜନ ମଙ୍ଗଳ ଅଧିକାରୀ ଥାନାରେ ଏତଲା ଦେଇଥିଲେ । 

ଅକଳରେ ମନ୍ମଥ 
ନୂଆପଡ଼ା ଉପନିର୍ବାଚନ ସମୟରେ ବିଜୁ ବାବୁଙ୍କ ପ୍ରତିମୂର୍ତ୍ତି ସାମ୍ନାରେ ଥିବା ବିଜେପିର କିଛି ହୋର୍ଡିଂ ନେଇ ତୀବ୍ର ପ୍ରତିକ୍ରିୟା ରଖିଥିଲେ ବିଜେଡି ନେତା ମନ୍ମଥ ରାଉତରାୟ । କହୁକହୁ ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀଙ୍କ ଉବ୍ଦେଶ୍ୟରେ ସେ କିଛି କଟୁ ମନ୍ତବ୍ୟ ଦେଇଥିଲେ । ଏହା ବିରୋଧରେ ଥାନାରେ ମାମଲା ହେବା ପରେ ଅକଳରେ ପଡ଼ିଥିଲେ ମନ୍ମଥ । 

କେବେ ମହାଭାରତ, କେବେ ସନ୍ନ୍ୟାସୀ 
କେବେ ମହାଭାରତର ଧୃତରାଷ୍ଟ୍ର-ଦୁର୍ଯ୍ୟୋଧନ, ପୁଣି କେବେ ଭଣ୍ଡ ସନ୍ନ୍ୟାସୀ ଆଉ କେବେ ଅନାମ ବାବୁ ଉବାଚ । ଶ୍ରୀମୟୀ ମିଶ୍ର ବିଜେଡିକୁ ଟାର୍ଗେଟ କରି ବାରମ୍ବାର ଏମିତି କିଛି ଉପାଖ୍ୟାନ ଉପସ୍ଥାପନ କରିଥିଲେ, ଯାହା ରାଜନୈତିକ ବିବାଦ ଛିଡ଼ା କରିଥିଲ । ୨୦୨୪ ନିର୍ବାଚନରେ ଟିକଟ ପାଇନଥିବା ଶ୍ରୀମୟୀ ଏ ବର୍ଷ ବିଜେଡି ନେତୃତ୍ୱଙ୍କୁ ବାରମ୍ବାର ସମାଲୋଚନା କରିଛନ୍ତି ବିଭିନ୍ନ କଥା ଛଳରେ । ଶେଷରେ ଶ୍ରୀମୟୀ ବିଜେଡିରୁ ବିଦା ହୋଇଥିଲେ । ତଥାପି ବିଭିନ୍ନ ସମୟରେ ବିଜେଡିକୁ ସମାଲୋଚନା ଜାରି ରଖିଥିଲେ ।