ମାଲକାନଗିରି, ୨୪/୮ : ମାଲକାନଗିରି ଜିଲ୍ଲାର ବଣ୍ଡା ଓ ଡିଡାଇ ଆଦିମଜନଜାତିଙ୍କ ଉନ୍ନତି ପାଇଁ ପ୍ରଧାନମନ୍ତ୍ରୀ ଜନମନ ଯୋଜନା ଓ ସଚେତନତା ରଥ ଉଦଘାଟିତ ହେବା ସହ ୩ଟି ଆଦିମ ଜନଜାତି ଗାଁକୁ ଆଦର୍ଶ ଗ୍ରାମ ଭାବେ ଚିହ୍ନଟ କରାଯାଇଛି । ଆଜି ଏ ସମ୍ପର୍କରେ ସମନ୍ବିତ ଆଦିବାସୀ ଉନ୍ନୟନ ସଂସ୍ଥା ସଭାଗୃହରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଜିଲ୍ଲାପାଳ ଆଶିଷ ଈଶ୍ୱର ପାଟିଲ ସୂଚନା ଦେଇଛନ୍ତି ।
ଆଦିବାସୀ ଅଧ୍ୟୁଷିତ ମାଲକାନଗିରି ଜିଲ୍ଲାର ୩ଟି ବ୍ଲକରେ ଥିବା ୧୨୫ଟି ପୁରାତନ ଆଦିମ ଜନଜାତି ଗ୍ରାମରେ ୨୦ ହଜାର ବହୁ ପୁରାତନ ଆଦିମ ଜନଜାତି ପରିବାରଙ୍କ ନିକଟରେ ସରକାରଙ୍କ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟ ପହଞ୍ଚିବା ପାଇଁ ଏହି ଅଭିଯାନ ଆରମ୍ଭ ହୋଇଛି । ଖଇରପୁଟ ବ୍ଲକସ୍ଥ ବଣ୍ଡାଘାଟିର ତୁଳାଗୁରମ, ମାଡକାଗୁଡା ଦିଡ଼ାଇ ଗ୍ରାମ ଓ କୋରକୁଣ୍ଡା ବ୍ଲକ ନାକାମାମୁଡ଼ି ପଞ୍ଚାୟତର ନୀଳାପାରି ଏହି ୩ଟି ଗାଁକୁ ସ୍ୱତନ୍ତ୍ର ଭାବେ ମଡେଲ ଭିଲେଜ ଭାବେ ଗ୍ରହଣ କରାଯାଇଛି ।
ମାଲକାନଗିରି ଜିଲ୍ଲା ପାଇଁ ଏହି ଅଭିଯାନ ଆଜିଠାରୁ ପ୍ରଥମ କରି ଆରମ୍ଭ ହୋଇଛି । ଜିଲ୍ଲାର ବଣ୍ଡା ଓ ଡିଡାଇ ଆଦିମ ଜନଜାତିଙ୍କ ଗ୍ରାମରୁ ଏହାର କାର୍ଯ୍ୟକାରି ହେବ। ସେମାନଙ୍କୁ ପକ୍କା ଘର, ମୌଳିକ ସୁବିଧା ଯୋଗାଇ ଦେବା ସହ ଗ୍ରାମକୁ ପକ୍କା ରାସ୍ତା, ଫୋନ ସୁବିଧା, ଡିଜିଟାଲ୍ ସଂଯୋଗ ସହ ଅନ୍ୟାନ୍ୟ ସୁବିଧା ସୁଯୋଗଯୋଗାଇ ଦିଆଯିବ । ପ୍ରଧାନମନ୍ତ୍ରୀଙ୍କ ଜନମନ ଯୋଜନା, ପିଏମ ଗରିବ କଲ୍ୟାଣ ଯୋଜନା, ଆୟୁଷ୍ମାନ କାର୍ଡ଼ ଭଳି ଆଦିମ ଜନଜାତିଙ୍କ ସାମଗ୍ରିକ ବିକାଶ ନିଶ୍ଚିତ କରିବ । କିସାନ୍ କ୍ରେଡିଟ୍ କାର୍ଡ, ବ୍ୟକ୍ତିଗତ ଏବଂ ସମ୍ପ୍ରଦାୟ ଜଙ୍ଗଲ ଅଧିକାରର ବିଚାରାଧୀନ ମାମଲା ଗୁଡ଼ିକର ସମାଧାନ ।
ସମସ୍ତଙ୍କ ଘର ପକ୍କା ଘର, ପ୍ରତ୍ୟେକ ଘରେ ଟ୍ୟାପରୁ ପାଣି, ଗାଁ ଗାଁରେ ପକ୍କା ସଡ଼କ ପ୍ରତ୍ୟେକ ଘରେ ବିଦ୍ୟୁତ୍, ଶିକ୍ଷା ପାଇଁ ହଷ୍ଟେଲ, କୌଶଳ ବିକାଶ ଗାଁର ପ୍ରତ୍ୟକଙ୍କ ଘର ଦ୍ଵାରକୁ ମୋବାଇଲ୍ ସେବା, ମେଡ଼ିକାଲ୍ ୟୁନିଟ୍, ସମସ୍ତଙ୍କର ପୋଷଣ, ଉନ୍ନତ ଜୀବିକା, ଗାଁର ପ୍ରତ୍ୟକଙ୍କ ଘରଦ୍ଵାରକୁ ମୋବାଇଲ୍ ନେଟୱାର୍କ ଯୋଗାଇ ଦିଆଯିବ ବୋଲି ଜିଲ୍ଲାପାଳ ଶ୍ରୀ ପାଟିଲ କହିଛନ୍ତି। ଏହି ଉପଲକ୍ଷେ ପ୍ରଧାନମନ୍ତ୍ରୀ ଜନମନ ଯୋଜନାର ଜନସଚେତନତା ରଥକୁ ଜିଲ୍ଲାପାଳ ଶ୍ରୀ ପାଟିଲ ସବୁଜ ପତକା ଦେଖାଇ ଉଦଘାଟନ କରିଥିଲେ। ଏହି କାର୍ଯ୍ୟକ୍ରମରେ ସମନ୍ବିତ ଆଦିବାସୀ ଉନ୍ନୟନ ସଂସ୍ଥା ପ୍ରକଳ୍ପ ପ୍ରଶାସକ ଜୟଶ୍ରୀ ଓ ଅନ୍ୟାନ୍ୟ ଅଧିକାରୀ ଉପସ୍ଥିତ ଥିଲେ ।