ନୂଆଦିଲ୍ଲୀ, ୦୧/୦୨ : ସଂସଦରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଅନ୍ତରୀଣ ବଜେଟ୍ ଉପସ୍ଥାପନ କରୁଛନ୍ତି। ଏହି ସମୟରେ ସେ କହିଛନ୍ତି ଯେ, ଗରିବ, ମହିଳା, ଯୁବକ ଏବଂ ଅନ୍ନାଦାତାଙ୍କ କଲ୍ୟାଣ ସରକାରଙ୍କ ପ୍ରାଥମିକତା। ସମସ୍ତେ ସରକାରୀ ସୁବିଧା ପାଇବା ଉଚିତ, ଯାହା ଦ୍ବାରା ଆମ ଦେଶ ଶକ୍ତିଶାଳୀ ହୋଇପାରିବ। ଆଜିର ଦିନରେ ସରକାରୀ ଅନୁଦାନ ସିଧାସଳଖ ବ୍ୟାଙ୍କ ଆକାଉଣ୍ଟକୁ ପଠାଯାଇପାରୁଛି। ପ୍ରଧାନମନ୍ତ୍ରୀ ବିଶ୍ୱକର୍ମା ଯୋଜନା ମାଧ୍ୟମରେ କାରିଗରମାନଙ୍କୁ ସହାୟତା ଯୋଗାଇ ଦିଆଯାଉଛି।
୮୦ କୋଟି ଗରିବ ପରିବାରଙ୍କ ପାଖରେ ପହଞ୍ଚିଛି ମାଗଣା ରାସନ:
ମହାମାରୀ ସତ୍ତ୍ବେ ଭାରତ ଦ୍ରୁତ ଗତିରେ ଅଗ୍ରଗତି କରୁଛି। ଦେଶର ଲୋକମାନେ ଆମ ସରକାରକୁ ଆଗକୁ ନେଇଛନ୍ତି। ଗତ ୧୦ ବର୍ଷ ମଧ୍ୟରେ ଅନେକ ବିକାଶମୂଳକ କାର୍ଯ୍ୟକ୍ରମ ଚାଲିଛି। ପ୍ରତି ଘରକୁ ଆବାସ, ପ୍ରତି ଘରକୁ ପାଣି, ବ୍ୟାଙ୍କ ଆକାଉଣ୍ଟ ଖୋଲିବା ଆଦି ପ୍ରତ୍ୟେକ କ୍ଷେତ୍ରରେ ସରକାର କାର୍ଯ୍ୟ କରିଛନ୍ତି। ୮୦ କୋଟି ଲୋକଙ୍କୁ ମାଗଣା ରାସନ ଦିଆଯାଇଛି।
ଗରିବ ପରିବାରକୁ ୩୦୦ ୟୁନିଟ ମାଗଣା ବିଜୁଳି:
ସରକାର ମିଳିତ ଅଭିବୃଦ୍ଧିକୁ ପ୍ରୋତ୍ସାହିତ କରୁଛନ୍ତି। ପ୍ରତ୍ୟେକ ଭାରତୀୟଙ୍କ ଆକାଂକ୍ଷା ପୂରଣ ଉପରେ ଗୁରୁତ୍ୱ ଦିଆଯାଉଛି। ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ କରୋନାର ଚ୍ୟାଲେଞ୍ଜ ସତ୍ତ୍ବେ ଗ୍ରାମାଞ୍ଚଳରେ ୩ କୋଟି ଘର ନିର୍ମାଣ ଲକ୍ଷ୍ୟ ହାସଲ ହୋଇଛି। ଆସନ୍ତା ପାଞ୍ଚ ବର୍ଷ ମଧ୍ୟରେ ୨ କୋଟି ଅଧିକ ଗୃହ ନିର୍ମାଣ କାର୍ଯ୍ୟ ଶେଷ ହେବ। ଦେଶର ୧ କୋଟି ଘରକୁ ସୌର ଶକ୍ତି ମାଧ୍ୟମରେ ୩୦୦ ୟୁନିଟ୍ ମାଗଣା ବିଦ୍ୟୁତ୍ ଯୋଗାଇ ଦିଆଯିବ।