ଭୁବନେଶ୍ୱର, ୨୫।୯: ଆମ ରାଜ୍ୟର ଜନସଂଖ୍ୟାର ୮୦ ପ୍ରତିଶତରୁ ଅଧିକ ଲୋକ ଗାଁରେ ରହୁଛନ୍ତି । ତେଣୁ ଗାଁର ଭାଗ୍ୟ ବଦଳିଲେ ରାଜ୍ୟର ଭାଗ୍ୟ ବଦଳିବ । ଯାହାକୁ ଲକ୍ଷ୍ୟ କରି କେନ୍ଦ୍ର ଓ ରାଜ୍ୟ ସରକାର ଗାଁର ବିକାଶ ଲାଗି ଆରମ୍ଭ କରିଛନ୍ତି ଭିନ୍ନ ଭିନ୍ନ ଯୋଜନା । ବିଶେଷ କରି ୭ଟି ଯୋଜନାକୁ ଅଧିକ ଗୁରୁତ୍ୱ ଦିଆଯାଇଛି । ଯେଉଁ ଗାଁକୁ ରାସ୍ତା ନ ଥିବ, ସେଠାରେ ରାସ୍ତା ହେବ । ପୋଲ ନ ଥିଲେ ପୋଲ ନିର୍ମାଣ ହେବ । ଅପହଞ୍ଚ ଇଲାକାର ଗାଁ ଚକାଚକ୍ ହେବ । ସେଥିମଧ୍ୟରୁ ପ୍ରଧାନମନ୍ତ୍ରୀ ଜନଜାତି ନ୍ୟାୟ ମହା ଅଭିଯାନ ଯୋଜନାରେ ରାଜ୍ୟରେ ଶହେରୁ ଅଧିକ ଜନସଂଖ୍ୟା ଥିବା ୭୩ଟି ପଡ଼ା ଗ୍ରାମକୁ ସବୁଦିନିଆ ରାସ୍ତା କରାଯିବ । ଏହି ଯୋଜନାରେ ଶହେରୁ ଅଧିକ ଜନସଂଖ୍ୟା ବିଶିଷ୍ଟ ଅନୁନ୍ନତ ଜନଜାତି ସମୁଦାୟ (ପିଭିଟିଜି) ରହୁଥିବା ବସତିଗୁଡ଼ିକୁ ବିଭିନ୍ନ ମୌଳିକ ସୁବିଧା ସହ ସବୁଦିନିଆ ରାସ୍ତା ତିଆରି କରାଯିବ । କେନ୍ଦ୍ରର ୬୦ ପ୍ରତିଶତ ଓ ରାଜ୍ୟ ସରକାରଙ୍କର ୪୦ ପ୍ରତିଶତ ଆର୍ଥିକ ସହାୟତାରେ ଏହିସବୁ ଉନ୍ନତିମୂଳକ କାର୍ଯ୍ୟ କରାଯିବ ।
ଚଳିତ ବର୍ଷ ବଜେଟରେ ଏଥିପାଇଁ ୧୦୦ କୋଟି ଟଙ୍କାର ପ୍ରସ୍ତାବ ରହିଛି । ସେତୁ ବନ୍ଧନ ଯୋଜନାରେ ନଦୀ ନାଳ ଘେରା ଅପହଞ୍ଚ ଅଞ୍ଚଳକୁ ଯୋଗାଯୋଗ ବ୍ୟବସ୍ଥା ପହଞ୍ଚାଇବାକୁ ରାଜ୍ୟ ସରକାର ଲକ୍ଷ୍ୟ ରଖିଛନ୍ତି । ସେହି ଗାଁଗୁଡ଼ିକୁ ସେତୁ ନିର୍ମାଣ ପାଇଁ ପ୍ରାଥମିକତା ଦେଇଛି ଗ୍ରାମ୍ୟ ଉନ୍ନୟନ ବିଭାଗ । ଏହି ଯୋଜନାରେ ଚଳିତ ଆର୍ଥିକ ବର୍ଷରେ ୩୫୦ ସେତୁ ପ୍ରକଳ୍ପ ସମ୍ପୂର୍ଣ୍ଣ କରାଯିବ । ଏହା ସହିତ ଚାଲୁ ରହିଥିବା ଏବଂ ନୂତନ ସେତୁ ପ୍ରକଳ୍ପର ନିର୍ମାଣ ପାଇଁ ୧୯୯୦ କୋଟି ରହିଛି । ମୌସୁମୀ ସମୟରେ ପର୍ଯ୍ୟାପ୍ତ ପରିମାଣର ଜଳ ସଂରକ୍ଷଣ କରିବା ପାଇଁ ଆଡ଼ିବନ୍ଧ ପ୍ରକଳ୍ପ ନିର୍ମାଣ କରାଯାଉଛି । ଫଳରେ କ୍ଷୁଦ୍ର ଜଳସେଚନ, ଘରୋଇ ବ୍ୟବହାର, ପଶୁପାଳନ, ଭୂତଳ ଜଳ ସଂରକ୍ଷଣ କରାଯାଇପାରିବ । ଏହିବର୍ଷ ୮୭ଟି ଆଡ଼ିବନ୍ଧ ପ୍ରକଳ୍ପ ସାରିବାର ଲକ୍ଷ୍ୟ ରଖାଯାଇଛି । ଏଥିପାଇଁ ୮୮ କୋଟିର ପ୍ରସ୍ତାବ ଦିଆଯାଇଛି । ପ୍ରଧାନମନ୍ତ୍ରୀ ଗ୍ରାମ ସଡ଼କ ଯୋଜନା (ପିଏମଜିଏସ୍ୱାଇ)ରେ ୧୭୨୧.୩୯ କିମି ରାସ୍ତା ନିର୍ମାଣ ପାଇଁ ଚଳିତ ବଜେଟରେ ୧୬ଶହ କୋଟିର ପ୍ରସ୍ତାବ ରହିଛି । ମୁଖ୍ୟମନ୍ତ୍ରୀ ସଡ଼କ ଯୋଜନା (ଏମ୍ଏମ୍ଏସ୍ୱାଇ)ରେ ଚଳିତ ଆର୍ଥିକ ବର୍ଷରେ ୩୧୯୪ କୋଟି ଖର୍ଚ୍ଚ ହେବ । ଯାହାଦ୍ୱାରା ପ୍ରାୟ ୩ ହଜାର କିମି ରାସ୍ତା ତିଆରି ହେବ ।
କେବଳ ନୂଆ ରାସ୍ତା, ପୋଲ ନିର୍ମାଣ ହେଲେ ଗାଁର ଭିତ୍ତିଭୂମି ବଦଳିଯିବନି । ଏହା ସହିତ ପୁରୁଣା ରାସ୍ତାର ମଧ୍ୟ ମରାମତି କରାଯିବ । ପ୍ରାୟ ୧ ଲକ୍ଷ କିଲୋମିଟର ରାସ୍ତାର ମରାମତି ହେବ । ଯାହାର ରକ୍ଷଣାବେକ୍ଷଣ ଓ ମରାମତି ବାବଦରେ ଏ ବର୍ଷ ୧୨୧୦ କୋଟି ଟଙ୍କା ଖର୍ଚ୍ଚ କରାଯିବ । ଏହା ସହିତ ଗ୍ରାମ୍ୟ ଉନ୍ନୟନ ବିଭାଗ ପକ୍ଷରୁ ବିଭିନ୍ନ ସ୍ଥାନରେ ନୂଆ କୋଠାବାଡ଼ି ମଧ୍ୟ ନିର୍ମାଣ ହେବ । ୯୩ କୋଟି ଖର୍ଚ୍ଚ କରି ଗ୍ରାମ୍ୟ ଉନ୍ନୟନ ବିଭାଗ ପକ୍ଷରୁ ୧୫୦ଟି କୋଠା ନିର୍ମାଣ କରାଯିବ ବୋଲି ବିଭାଗୀୟ ମନ୍ତ୍ରୀ ରବିନାରାୟଣ ନାୟକ ସୂଚନା ଦେଇଛନ୍ତି ।