୪୬ ବର୍ଷ ପୁଅର ଦୁଃଖ ୮୦ ବର୍ଷର ମାଆ କାନ୍ଧରେ, ସମସ୍ୟାର ପାହାଡ଼ ଭିତରେ ବିତୁଛି ଜୀବନ

କେନ୍ଦୁଝର ସଦର,୨୪/୧: ପ୍ରଥମେ ବାପା ଆଉ ତା’ପରେ ସ୍ତ୍ରୀଙ୍କ ମୃତ୍ୟୁ। ହେଲେ ଏତିକିରେ ଏ ନିଷ୍ଠୁର ଭାଗବାନ କନ୍ଦେଇବା ବନ୍ଦ କରିନଥିଲେ। ବାପା ଓ ସ୍ତ୍ରୀ ପ୍ରାଣହରାଇବାର ଦୁଇ ବର୍ଷ ପରେ ପୁଣି ଭାଇଙ୍କ ମୃତ୍ୟୁ। ଆଉ ଏହାପରେ ନିଜେ ପଙ୍ଗୁ ହୋଇଗଲେ। ଏପରି ଦୁଃଖର ପାହାଡ଼ ଭିତରେ ୪୬ବର୍ଷୀୟ ତ୍ରିଲୋଚନ ବୟସ୍କା ମାଆଙ୍କ କାନ୍ଧରେ ବୋଝ ଲଦି ଜୀବନ ବିତାଉଛନ୍ତି।
କେନ୍ଦୁଝର ଜିଲ୍ଲା ସଦର ବ୍ଲକ୍ ଅନ୍ତର୍ଗତ ବାଉରୀପଦା ପଞ୍ଚାୟତ ବାଉରିପଦା ଗ୍ରାମର ଆଦିବାସି ଗରିବ ଯୁବକ ତ୍ରିଲୋଚନ ଦେହୁରୀ। ତ୍ରିଲୋଚନଙ୍କୁ ମାତ୍ର ୪୬ବର୍ଷ। ଯେଉଁ ବୟସରେ ସୁନାର ସଂସାର କରି ପିଲା ଛୁଆଙ୍କୁ ପାଠ ସାଠ ପଢ଼ାଇ ବଡ଼ କରିବା କଥା। ହେଲେ ସେ ଏବେ ବୟସ୍କା ମାଆଙ୍କ ସାହାରାରେ ବଞ୍ଚିଛନ୍ତି। ଯାହାକୁ ଆଖିରେ ନଦେଖିଲେ ବିଶ୍ୱାସ କରି ହେବ ନାହିଁ। ୨୦୧୨ ମସିହାରେ ତ୍ରିଲୋଚନଙ୍କ ବାପା ଆରପାରିକୁ ଚାଲିଗଲେ। ଏହାର ଠିକ୍ ଗୋଟିଏ ବର୍ଷ ପରେ ୨୦୧୩ରେ ସ୍ତ୍ରୀ ମଧ୍ୟ ଦୁନିଆ ଛାଡ଼ି ଚାଲିଗଲେ। ଆଉ ୨୦୧୫ ମସିହାରେ ଭାଇ ମଧ୍ୟ ଆରପାରିକୁ ଚାଲିଗଲେ। ଏହା ପରେ ତ୍ରିଲୋଚନ ଶ୍ରମିକ ଭାବେ କାମ କରି ମାଆଙ୍କୁ ନେଇ କିଛି ମାସ ଠିକ୍ ଠାକ୍ ଚଳୁଥିଲେ। ହେଲେ ଭାଇଙ୍କ ମୃତ୍ୟର ଗୋଟିଏ ବର୍ଷ ପରେ ପୁଣି ତ୍ରିଲୋଚନଙ୍କ ପାଇଁ ଦୁଃଖର ପାହାଡ଼ ଆସିଥିଲା।
ତ୍ରିଲୋଚନଙ୍କ ଅଣ୍ଟାରୁ ତଳକୁ ପୂରା ଅଚଳ ହୋଇପଡିଲା। ହାତ ଦୁଇଟି ୭୦ ପ୍ରତିଶତ ଅଚଳ। ଏହାରି ଭିତରେ ପ୍ରାୟ ଆଠ ବର୍ଷ ଧରି ମାଆ କୁକିଳ ଦେହୁରୀ ଲାଳନ ପାଳନ କରୁଛନ୍ତି। ମାଆ କୁକିଳ ବୟସ ୮୦ ବର୍ଷ ଉପରେ ଦେହ ତୁରୁ ତୂରୁ ହେଉଛି। ଆଖିକି ଭଲ ଦିଶୁନାହିଁ କଥା କହିବାକୁ ବଳ ନାହିଁ ତଥାପି ପୁଅକୁ ମାଆର କର୍ତ୍ତବ୍ୟ କରିଚାଲିଛି। ପୁଅକୁ ଗାଧୋଇବା ପାଇଁ ମାଆ ପାଣି ଆଣିବାକୁ ବଳ ପାଉନି। ସାହିର ଛୋଟ ଛୋଟ ପିଲାମାନେ ପାଣି ଆଣିଦେଲେ ସେଥିରେ ମାଆ ତ୍ରିଲୋଚନଙ୍କୁ ଗଧାନ୍ତି। ତ୍ରିଲୋଚନଙ୍କୁ ମାଆ ପକ୍ଷେ ଟେକିବା ସମ୍ଭବ ହୋଇନଥିବାରୁ ଅଣ୍ଟାର ଉଦା ଲୁଗା ଅଣ୍ଟାରେ ରହି ଆପେ ଆପେ ଶୁଖିଯାଏ। ଘରେ ଜାଳେଣି ନାହିଁ ବୋଲି ବର୍ଷା ଦିନରେ କେବଳ ଗୋଟିଏ ଥର ରୋଷେଇ ହୁଏ ଏବଂ ଥରେ ମାତ୍ର ଖିଆ ପିଆ କରନ୍ତି ଅଭୟ ମାଆ ପୁଅ।
ମାଆ ପାଉଥିବା ପାଞ୍ଚ ଶହ ଟଙ୍କା ଭତ୍ତା ଏବଂ ୩୫ କେଜି ସରକାରୀ ଚାଉଳ ହିଁ ଦୁହିଁଙ୍କ ସାହାରା। ଦେହକୁ ଭଲ ଲୁଗା ପଟା ତୋ ଦୂରର କଥା ଦେହକୁ ସାବୁନ ଟିକକ ମିଳୁନି ବୋଲି କାନ୍ଦି କାନ୍ଦି କହିଛନ୍ତି ବୁଢ଼ୀ ମାଆ କୁକୀଳ। ତ୍ରିଲୋଚନ ଆଠ ବର୍ଷ ହେଲାଣି କୌକିରେ ବସି ବସି ଜୀବନ ବିତୁଛି। ଭଙ୍ଗା ଦଦରା କୋଠରୀରେ ଶୁଆ ବସା ବିଛଣା ଆବାସ ପତ୍ର ଘର ଖଣ୍ଡେ ପାଇଁ ବୁଢ଼ୀ ମାଆ ବାରମ୍ବାର ପଞ୍ଚାୟତ ଠାରୁ ଆରମ୍ଭ କରି ଜିଲ୍ଲାପାଳ ପର୍ଯ୍ୟନ୍ତ ଗୁହାରି କରିଥିଲା ମଧ୍ୟ କାହାରି ଦୟା ପଡୁନି ବୋଲି କହିଛନ୍ତି। ଯେଉଁ ଘରେ ରହୁଛନ୍ତି ଛପର ଭାଙ୍ଗି ରୁଜି ଗଲାଣି କାଠ ଗୁଡିକ ଖଣ୍ଡ ଖଣ୍ଡ ହୋଇ ଉପରୁ ପଡୁଛି। ଗତ ବର୍ଷାରେ ସରକାରଙ୍କ ତରଫରୁ ଗୋଟିଏ ପଲିଥିନ ମିଳିଥିଲା ତାହା ଘର ଉପରେ ପକା ଯାଇଛି। ବିଜୁଳି ବତି ସାତ ସପନ ରାତି ହେଲେ ନିଆଁ ଖୁଣ୍ଟି ଭରସା।
ନିର୍ବାଚନ ଆସିଲେ ବହୁତ ନେତା ବହୁତ ବଡ଼ ବଡ଼ ପ୍ରତିଶ୍ରୁତି ଦିଅନ୍ତି ନିର୍ବାଚନରେ ଜିତିଲା ପରେ ନେତାଙ୍କ ଦେଖା ମିଳନ୍ତି ନାହିଁ ବୋଲି କହିଛନ୍ତି ବୁଢ଼ୀ ମାଆ। ତ୍ରିଲୋଚନକୁ ମେଡିକାଲ ହେଇ ଭିନ୍ନକ୍ଷମ ସାର୍ଟିଫିକେଟ କରିବା ପାଇଁ ମାଆ ପାଖରେ ଗାଡ଼ି କରିବାକୁ ଅର୍ଥ ସାଜିଛି ବାଧକ ସାଜିଛି।