ପ୍ରମୂଖ ଖବର
  • ଜନ୍ମବେଦିରୁ ବାହୁଡ଼ିଲେ ଦାରୁବ୍ରହ୍ମ,ବୁଧବାର ସୁନାବେଶ, ଗୁରୁବାର ଅଧରପଣା, ଶୁକ୍ରବାର ନୀଳାଦ୍ରି ବିଜେ
  • ||
  • ଝାରସୁଗୁଡ଼ା: ଧାର ଟଙ୍କା ଫେରସ୍ତକୁ ନେଇ ଗୁଳିକାଣ୍ଡ, ଜଣେ ଆହତ
  • ||
  • ବିଶ୍ୱ ସର୍ପ ଦିବସ: ବର୍ଷା ଦିନେ ସତର୍କତା ଜରୁରି, ୫ ବର୍ଷରେ ଗଲାଣି ୫୨୧୯ ଜୀବନ
  • ||
  • ବାରିପଦା : ସ୍କୁଟିକୁ ଧକ୍କା ଦେଲା ଟ୍ରକ୍, ୨ ମୃତ
  • ||
  • ମୁମ୍ବାଇ ଏକ୍ସପ୍ରେସ ହାଇୱେରେ ବସ୍-ଟ୍ରାକ୍ଟର ମୁହାଁମୁହିଁ ଧକ୍କା, ୫ମୃତ, ୪୨ ଆହାତ
  • ||
  • ସଇଁନ୍ତଳା ରାଇସମିଲ ନିକଟରେ ହାଇୱା ଟ୍ରକକୁ ପିଟିଲା ଯାତ୍ରୀବାହୀ ବସ୍‌, ଏକାଧିକ ଯାତ୍ରୀ ଆହତ
  • ||
  • ରାଜ୍ୟରେ ଲଘୁଚାପ ସକ୍ରିୟ: ୧୭ରୁ ବଢ଼ିବ ବର୍ଷା, ଉତ୍ତର ଓ ଦକ୍ଷିଣ ଓଡ଼ିଶାରେ ଅଧିକ ବର୍ଷିବ
  • ||

ତ୍ରିପୁରାରେ ଏଡ୍‌ସ ଆତଙ୍କ: ନିଶା ଇଞ୍ଜେକ୍ସନରେ ବ୍ୟାପୁଛି ସଂକ୍ରମଣ, ୮୨୮ ଛାତ୍ର ପଜିଟିଭ

ଅଗରତାଲା,୧୧/୦୭: ଉତ୍ତରପୂର୍ବ ରାଜ୍ୟ  ତ୍ରିପୁରାରେ ଭୟାବହ ରୂପ ନେବାରେ ଲାଗିଛି ଏଚ୍‌ଆଇଭି-ଏଡ୍‌ସ । ଏଡ୍‌ସ ମାମଲା ଲଗାତର ଭାବେ ବଢ଼ୁଛି । ସବୁଠୁ ଚିନ୍ତାଜନକ ବିଷୟ ହେଉଛି  ସ୍କୁଲ, କଲେଜ ଓ ବିଶ୍ୱବିଦ୍ୟାଳୟ କ୍ୟାମ୍ପସ୍‌ ସାଜିଛି  ମୃତ୍ୟୁଯନ୍ତା । ଏଠାରେ ୮୦୦ରୁ ଅଧିକ ଛାତ୍ର  ଏଚ୍‌ଆଇଭି ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି । ସେହି  ଅନୁସାରେ ମୃତ୍ୟୁ ସଂଖ୍ୟା ବି ବଢ଼ିବାରେ ଲାଗିଛି । 

ତ୍ରିପୁରାର ଏଡ୍‌ସ କଣ୍ଟ୍ରୋଲ ସୋସାଇଟିର  ଜଣେ ଅଧିକାରୀଙ୍କ କହିବାନୁସାରେ, ୨୦୦୭  ଏପ୍ରିଲରୁ ୨୦୨୪ ମେ ମଧ୍ୟରେ ୮୨୮ ଛାତ୍ର ଏଚ୍‌ଆଇଭି ସଂକ୍ରମିତ ହୋଇଛନ୍ତି । ଏମାନଙ୍କ ମଧ୍ୟରୁ  ୪୭ ଜଣ ପ୍ରାଣ ହରାଇଛନ୍ତି । ରାଜ୍ୟରେ ବର୍ତ୍ତମାନ  ପ୍ରତ୍ୟେକ ଦିନ ୫ରୁ ୭ ଜଣ ନୂଆ ରୋଗୀ ସୃଷ୍ଟି  ହେଉଛନ୍ତି । ତେବେ ୧୭ ବର୍ଷ ମଧ୍ୟରେ ୮୨୮ ଛାତ୍ର  ଏଚ୍‌ଆଇଭି ସଂକ୍ରମିତ ହୋଇଥିବା ରାଜ୍ୟର ସ୍ୱାସ୍ଥ୍ୟ  ମନ୍ତ୍ରଣାଳୟ ସଫେଇ ଦେଇ କହିଛି । 

ଏଡ୍‌ସ କଣ୍ଟ୍ରୋଲ ସୋସାଇଟି ଅଧିକାରୀ ଆହୁରି  କହିଛନ୍ତି, ଏଚ୍‌ଆଇଭି ସଂକ୍ରମିତ ଛାତ୍ରଙ୍କ ଦ୍ୱାରା  ବ୍ୟବହୃତ ଇଞ୍ଜେକ୍ସନକୁ ଅନ୍ୟ ଛାତ୍ର ବ୍ୟବହାର କରିବା  ଦ୍ୱାରା ସଂକ୍ରମଣ ବଢ଼ୁଛି । ଶିକ୍ଷାନୁଷ୍ଠାନ କ୍ୟାମ୍ପସ୍‌ରେ  ଛାତ୍ରମାନେ ନିଶା ଇଞ୍ଜେକ୍ସନ ନେଉଥିବାରୁ ସଂକ୍ରମଣ  ଦ୍ରୁତ ବେଗରେ ମାଡ଼ୁଛି । ତ୍ରିପୁରାର ୨୨୦ ସ୍କୁଲ ଓ ୨୪  କଲେଜ-ବିଶ୍ୱବିଦ୍ୟାଳୟରେ ଏହି ଏଚ୍‌ଆଇଭି ମାମଲା  ସାମ୍ନାକୁ ଆସିଛି । ଏଡ୍‌ସ କଣ୍ଟ୍ରୋଲ ସୋସାଇଟିର ଯୁଗ୍ମ  ନିର୍ଦ୍ଦେଶକ ଶୁଭ୍ରଜିତ ଭଟ୍ଟାଚାର୍ଜୀ କହିଛନ୍ତି, ଯେଉଁ  ଛାତ୍ର ଏଚ୍‌ଆଇଭି ସଂକ୍ରମିତ ହୋଇଛନ୍ତି, ସେମାନଙ୍କ ମଧ୍ୟରେ ଅଧିକାଂଶ ଧନୀକ ପରିବାରରୁ ଆସିଛନ୍ତି । 

ଭଟ୍ଟାଚାର୍ଜୀ ଆହୁରି କହିଛନ୍ତି, ଆଣ୍ଟିରେଟ୍ରୋଭାଇରାଲ୍‌ ଥେରାପି କେନ୍ଦ୍ରଗୁଡ଼ିକରେ  ୨୦୨୪ ମେ ସୁଦ୍ଧା ମୋଟ ୮,୭୨୯ ଲୋକ ପଞ୍ଜୀକୃତ ହୋଇଥିଲେ । ଏମାନଙ୍କ ମଧ୍ୟରୁ ୫,୬୭୪ ଜଣ  ଏଚ୍‌ଆଇଭି ପଜିଟିଭ୍‌ ଥିବା ଜଣାପଡ଼ିଥିଲା । ୪,୫୭୦  ଜଣ ପୁରୁଷ ଥିଲା ବେଳେ ୧,୧୦୩ ଜଣ ମହିଳା  ଥିଲେ । ଜଣେ କିନ୍ନର ରୋଗୀ ଚିହ୍ନଟ ହୋଇଥିଲେ । 

ବିଶେଷକରି ଅସୁରକ୍ଷିତ ଯୌନ ସମ୍ପର୍କ ଯୋଗୁ  ଏଚ୍‌ଆଇଭି ସଂକ୍ରମଣ ବ୍ୟାପିଥାଏ । ଭାରତରେ  ଏଚ୍‌ଆଇଭି ସଂକ୍ରମଣର ପ୍ରଥମ ମାମଲା ୧୯୮୬ରେ  ଚିହ୍ନଟ ହୋଇଥିଲା । ଜଣେ ଯୌନ କର୍ମୀ ଏଚ୍‌ଆଇଭି  ପଜିଟିଭ୍‌ ଥିବା ଜଣାପଡ଼ିଥିଲା । ଏହାଛଡ଼ା ଇଞ୍ଜେକ୍ସନ  ଦ୍ୱାରା ଡ୍ରଗ୍ସ ନେବା ଯୋଗୁ ମଧ୍ୟ ରୋଗ ବ୍ୟାପୁଛି ।  

ଜାତିସଂଘ ରିପୋର୍ଟ ଅନୁସାରେ ବିଶ୍ୱରେ ପ୍ରାୟ  ୧.୨୫ କୋଟି ଲୋକ ଇଞ୍ଜେକ୍ସନ ଦ୍ୱାରା ନିଶା ସେବନ  କରିଥାନ୍ତି । ଏହାଯୋଗୁ ବିଶ୍ୱବ୍ୟାପୀ ଏଚ୍‌ଆଇଭି ଦ୍ରୁତ  ବେଗରେ ବଢ଼ୁଛି । ନିଶା ଇଞ୍ଜେକ୍ସନ ନେଉଥିବା ଲୋକ  ସଂକ୍ରମିତ ହେବା ଆଶଙ୍କା ୨୨ ଗୁଣା ବଢ଼ିଯାଏ । ଆକଳନ ଅନୁସାରେ ଭାରତରେ ୨ ଲକ୍ଷ ଲୋକ  ଇଞ୍ଜେକ୍ସନ ଦ୍ୱାରା ନିଶା ସେବନ କରିଥାନ୍ତି ।

ନ୍ୟାସନାଲ ଏଡ୍‌ସ କଣ୍ଟ୍ରୋଲ ଅର୍ଗାନାଇଜେସନ (ନାକୋ)ର  ରିପୋର୍ଟ ମୁତାବକ ଭାରତରେ ଯେତେ ଏଚ୍‌ଆଇଭି  ସଂକ୍ରମିତ ଅଛନ୍ତି, ସେମାନଙ୍କ ମଧ୍ୟରୁ ୬%ରୁ ଅଧିକ  ରୋଗୀ ଇଞ୍ଜେକ୍ସନ ଦ୍ୱାରା ନିଶା ନେଉଥିଲେ । ୨୦୧୭ରେ ଏହି ରିପୋର୍ଟ ସାମ୍ନାକୁ ଆସିଥିଲା ।  ନାକୋ ମୁତାବକ ଭାରତରେ ନିଶା ଇଞ୍ଜେକ୍ସନ  ଜନିତ ଏଡ୍‌ସ ସଂକ୍ରମଣ ମାମଲା ସର୍ବାଧିକ ମିଜୋରାମରେ ଦେଖିବାକୁ ମିଳେ । ମିଜୋରାମରେ ମୋଟ ଏଚ୍‌ଆଇଭି ଆକ୍ରାନ୍ତଙ୍କ ମଧ୍ୟରୁ ୨୦% ରୋଗୀ  ନିଶା ଇଞ୍ଜେକ୍ସନ ନେଉଥିଲେ । 

ଦ୍ୱିତୀୟ ସ୍ଥାନରେ ଥିବା  ଦିଲ୍ଲୀରେ ଏହା ୧୬%ରୁ ଅଧିକ ରହିଛି । ଓଡ଼ିଶାରେ  ଏହା ୩.୪୦% ଥିବା ବେଳେ ପଶ୍ଚିମବଙ୍ଗରେ  ୧୦.୭୬%, ପଞ୍ଜାବରେ ୧୨.୦୯%, ଉତ୍ତରାଖଣ୍ଡରେ  ୮.୯୮%, ଛତିଶଗଡ଼ରେ ୧୦.୭୭% ରହିଛି । ନିଶା ଇଞ୍ଜେକ୍ସନ ନେଉଥିବା ୨,୬୯୭ ଲୋକଙ୍କ  ଉପରେ ୨୦୧୯ ଓ ୨୦୨୦ରେ ଏକ ଅଧ୍ୟୟନ  ହୋଇଥିଲା । ଏମାନଙ୍କର ଏଚ୍‌ଆଇଭି ପରୀକ୍ଷା ହେବାରୁ  ୨୧.୧୯% ପଜିଟିଭ୍‌ ଜଣାପଡ଼ିଥିଲା । 

ଅଧ୍ୟୟନରେ ସାମିଲ ଲୋକଙ୍କ ମଧ୍ୟରୁ ୯୯% ହେରୋଇନ ନେଉଥିବା  ମାନିଥିଲେ । ହେରୋଇନ ନେଇଥିବା ଲୋକଙ୍କ ମଧ୍ୟରୁ  ୨୧.୩% ଏଚ୍‌ଆଇଭି ପଜିଟିଭ୍‌ ଚିହ୍ନଟ ହୋଇଥିଲେ ।  ଏଚ୍‌ଆଇଭି ଭୂତାଣୁ ଶରୀରକୁ ଯିବା ପରେ ରୋଗ  ପ୍ରତିରୋଧକ କ୍ଷମତା ହ୍ରାସ ପାଇଥାଏ । ଫଳରେ ରୋଗୀର ଶୀଘ୍ର ମୃତ୍ୟୁ ଘଟିଥାଏ ।

  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Rath Yatra

    Copyright © 2024 - Summa Real Media Private Limited. All Rights Reserved.