କଟକ/ଭୁବନେଶ୍ୱର, ୮।୫: ଅନ୍ଲାଇନ୍ ଟ୍ରେଡିଂ ନାଁରେ ଏକ ବଡ଼ ଟ୍ରାନ୍ସପୋର୍ଟ କମ୍ପାନିର ଏଚ୍ଆର୍ ମ୍ୟାନେଜରଙ୍କୁ ୬୧ ଲକ୍ଷ ଟଙ୍କାର ଚୂନ ଲଗାଇବା ଘଟଣାରେ ରାଜ୍ୟ କ୍ରାଇମ୍ବ୍ରାଞ୍ଚ୍କୁ ମିଳିଛି ଗୁରୁତ୍ୱପୂର୍ଣ୍ଣ ତଥ୍ୟ । ଉକ୍ତ ସାଇବର ଠକ ଗ୍ୟାଙ୍ଗ୍ କେବଳ ଓଡ଼ିଶାରେ ନୁହେଁ, ଦେଶର ୪ଟି ରାଜ୍ୟରେ ଏବେ ଉତ୍ପାତ କରୁଛି । ଏପରିକି ଗ୍ୟାଙ୍ଗ୍ର ମାଷ୍ଟର୍ମାଇଣ୍ଡ୍କୁ ଏହି ୪ ରାଜ୍ୟର ପୁଲିସ ବାନ୍ଧିବାକୁ ତନାଘନା ଜାରି ରଖିଛି । ରାଜ୍ୟ ପୁଲିସକୁ ମିଳିଥିବା ତଥ୍ୟ ଅନୁସାରେ ଖୁବ୍ ଶୀଘ୍ର ଏହି ମାଷ୍ଟରମାଇଣ୍ଡ୍ ଜଣକ ଜେଲ୍ର ଚାରିକାନ୍ଥ ଭିତରେ ଥିବ ବୋଲି ସାଇବର କ୍ରାଇମ୍ ୟୁନିଟ୍ ପକ୍ଷରୁ ସୂଚନା ଦିଆଯାଇଛି । ଅନ୍ୟପଟେ ପୁଲିସ ରିମାଣ୍ଡରେ ଜେରା ପରେ ମଙ୍ଗଳବାର ୪ ଅଭିଯୁକ୍ତଙ୍କୁ ଭୁବନେଶ୍ୱର ଏସ୍ଡିଜେଏମ୍ଙ୍କ କୋର୍ଟରେ ହାଜର କରାଯାଇଥିଲା । ଅଭିଯୁକ୍ତମାନେ ହେଲେ ଅହମ୍ମଦାବାଦ୍ ଫତେୱାଡ଼ିର ଫକିର ଅଲ୍ଫଜ୍ସା, ସେକ୍ ହୁମା ପରବିନ୍ ବିସ୍ମିଲ୍ଲାହ, ରଫିକ୍ ଅବଦୁଲ୍ ମାଜିଦ୍ ସେଖ୍ ଓ ଅହମଦ୍ ଖାନ୍ ଓରଫ ସରଦାର୍ ଖାନ୍ ବାଲୋଚ । ପରେ ୪ ଅଭିଯୁକ୍ତଙ୍କୁ ଝାରପଡ଼ା ଜେଲ୍କୁ ପଠାଇ ଦିଆଯାଇଛି । ରାଜ୍ୟ କ୍ରାଇମ୍ବ୍ରାଞ୍ଚ୍ ତଥ୍ୟ ଅନୁସାରେ, ୨୦୨୩ ନଭେମ୍ବର ମାସରେ ରାଜ୍ୟର ଏକ ବନ୍ଦର (ପୋର୍ଟ) ରେ କାମ କରୁଥିବା ଏଚ୍ଆର୍ ମ୍ୟାନେଜର୍ଙ୍କ ପାଖକୁ ହ୍ୱାଟ୍ସଆପ୍ରେ ଅଡିଓ କଲ୍ ଆସିଥିଲା । ଜଣେ ମହିଳା କଲ୍ କରି ମ୍ୟାନେଜରଙ୍କୁ (ସୋନି) ନାମକ ଏକ ଟ୍ରେଡିଂ ଆପ୍ ବିଷୟରେ କହିଥିଲେ । ଏହି ଆପ୍ରେ ନିବେଶ କଲେ ମୋଟା ଅଙ୍କର ଅର୍ଥ ମିଳିବ ବୋଲି ଜଣାଇଲେ । ମ୍ୟାନେଜର ଜଣକ ଆଗ୍ରହ ଦେଖାଇବାରୁ ତାଙ୍କୁ ଏକ ଲିଙ୍କ୍ ପଠାଗଲା । ସେ ଲିଙ୍କ୍ ଖୋଲି ମୋବାଇଲ୍ରେ ସୋନି ଆପ୍ ଲୋଡ୍ କରିବା ସହ ଏକ ହ୍ୱାଟସ୍ଆପ୍ ଗ୍ରୁପ୍ରେ ଯୋଡ଼ିହେଲେ । ଗ୍ରୁପ୍ରେ ଥିବା ଅନ୍ୟ ସଦସ୍ୟ ବଡ଼ ବଡ଼ ପରିମାଣର ଅର୍ଥ ରୋଜଗାର କରୁଥିବା ଦେଖି ମ୍ୟାନେଜର ଜଣକ ନିବେଶ ପାଇଁ ରାଜି ହେଲେ । ଆଉ ପ୍ରାୟ ୨୦ ଦିନ ମଧ୍ୟରେ ୬୦ ଲକ୍ଷ ୫୯ ହଜାର ଟଙ୍କା ନିବେଶ କରିଦେଲେ । ଏହି ସମୟରେ ତାଙ୍କୁ ଅବଗତ କରାଗଲା କି ତୁମ ୱାଲେଟ୍ରେ ୨ କୋଟିରୁ ଅଧିକ ଟଙ୍କା ହେଲାଣି । ଆହୁରି ଅଧିକ ନିବେଶ କରନ୍ତୁ ମୋଟା ଅର୍ଥ ପାଇବେ । ମାତ୍ର ମ୍ୟାନେଜର ଜଣକ ୱାଲେଟ୍ରୁ ଟଙ୍କା କାଢ଼ିବାକୁ ଚାହିଁବାରୁ ତାଙ୍କୁ ଟଙ୍କା ନକାଢ଼ି ଆହୁରି ନିବେଶ ପାଇଁ କୁହାଗଲା । ଏଭଳି ସ୍ଥିତିରେ ମ୍ୟାନେଜରଙ୍କର ସନ୍ଦେହ ହେଲା । ତେଣୁ ସେ ନିବେଶ ବନ୍ଦ କରି କ୍ରାଇମ୍ବ୍ରାଞ୍ଚ୍ର ସାଇବର କ୍ରାଇମ୍ ୟୁନିଟ୍ରେ ଅଭିଯୋଗ କଲେ । କ୍ରାଇମବ୍ରାଞ୍ଚ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା । ଇନ୍ସପେକ୍ଟର ଜୀବନାନନ୍ଦ ଜେନାଙ୍କୁ ତଦନ୍ତକାରୀ ଅଧିକାରୀ ନିଯୁକ୍ତ କରାଗଲା । ଗତ ଏପ୍ରିଲ୍ ମାସ ଶେଷ ସୁଦ୍ଧା ତଦନ୍ତକାରୀ ଟିମ୍ ଅଭିଯୁକ୍ତଙ୍କ ସଂପର୍କରେ ବହୁ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ପାଇଲେ । ଏପରିକି ଅଭିଯୁକ୍ତ ଗୁଜରାଟର ଅହମ୍ମଦାବାଦ ଜିଲ୍ଲାର ଫତେୱାଡ଼ି ଅଞ୍ଚଳରେ ଥିବା ଜାଣିବାକୁ ମିଳିଲା । କ୍ରାଇମବ୍ରାଞ୍ଚ୍ ଟିମ୍ ଅହମ୍ମଦାବାଦ୍ ଯାଇ ଗୁଜରାଟ୍ କ୍ରାଇମବ୍ରାଞ୍ଚର ସହଯୋଗରେ ୪ ସାଇବର ଠକଙ୍କୁ ଧରିଥିଲା । ଚଳିତ ମାସ ୪ ତାରିଖରେ ଅଭିଯୁକ୍ତ ଧରାପଡ଼ିବା ପରେ ତାଙ୍କୁ ସ୍ଥାନୀୟ କୋର୍ଟରେ ହାଜର କରାଯାଇ ଟ୍ରାନ୍ଜିଟ୍ ରିମାଣ୍ଡରେ ଓଡ଼ିଶା ଅଣାଗଲା । ଭୁବନେଶ୍ୱର ଏସ୍ଡିଜେଏମ୍ଙ୍କ କୋର୍ଟରେ ହାଜର ପରେ ଅଧିକ ଜେରା ପାଇଁ ୨ ଦିନିଆ ରିମାଣ୍ଡରେ ନିଆଯାଇଥିଲା । ଏହି ସମୟରେ ସାଇବର ୟୁନିଟ୍କୁ ବହୁ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ହସ୍ତଗତ ହୋଇଛି । ଗ୍ୟାଙ୍ଗ୍ର ମୁଖ୍ୟ ସଂପର୍କରେ ବି ପର୍ଯ୍ୟାପ୍ତ ତଥ୍ୟ ମିଳିଛି । ଏପରିକି ୪ ରାଜ୍ୟ ପୁଲିସ ପାଇଁ ସେ ମୋଷ୍ଟ ୱାଣ୍ଟେଡ୍ ଥିବା ଜଣାପଡ଼ିଛି । ସେହି ସୋନି ଆପ୍ ଯୋଗେ ଗ୍ୟାଙ୍ଗ୍ ମୁଖ୍ୟ ୪ଟି ରାଜ୍ୟରେ ପ୍ରାୟ ୨୦ କୋଟିରୁ ଅଧିକ ଟଙ୍କା ହଡ଼ପ କରିଥିବା ଜଣାପଡ଼ିଛି । ଖୁବ୍ଶୀଘ୍ର ଉକ୍ତ ମାଷ୍ଟରମାଇଣ୍ଡ୍ ବନ୍ଧା ହେବ ବୋଲି ସାଇବର କ୍ରାଇମ୍ ୟୁନିଟ୍ ସୂଚନା ଦେଇଛି ।
ପୁଣି କେଜ୍ରିୱାଲଙ୍କୁ ଟାର୍ଗେଟ କଲେ ରାହୁଲ ଗାନ୍ଧୀ; ଭ...