ନୂଆଦିଲ୍ଲୀ - ଆମେରିକୀୟ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ତାଜା ବୟାନ ଅନ୍ତର୍ଜାତୀୟ ରାଜନୀତିକୁ କରିଛି ସରଗରମ । ଭେନେଜୁଏଲାର ରାଷ୍ଟ୍ରପତି ନିକୋଲସ ମାଦୁରୋଙ୍କ ଗିରଫଦାରୀ ପରେ ସାମ୍ୱାଦିକଙ୍କ ସହ କଥା ହୋଇ ଟ୍ରମ୍ପ ଏବେ ତାଙ୍କର ଆଗାମୀ ଟାର୍ଗେଟ୍ ଗ୍ରୀନଲ୍ୟାଣ୍ଡ ବୋଲି କହିଛନ୍ତି। ଗ୍ରୀନଲ୍ୟାଣ୍ଡକୁ ନେଇ ଦିଆଯାଇ ଥିବା ଟ୍ରମ୍ପଙ୍କ ଧମକ ଉପରେ ଏବେ ପୂରା ୟୁରୋପୀୟ ଦେଶ ଏକାଠି ହୋଇଛି। ଫ୍ରାନ୍ସ ,ଜର୍ମାନୀ , ଇଟାଲୀ , ପୋଲାଣ୍ଡ, ସ୍ପେନ୍ , ବ୍ରିଟେନ ଓ ଡେନମାର୍କ ଏକ ମିଳିତ ବୟାନ ଜାରି କରି ସ୍ପଷ୍ଟ କରି ଦେଇଛି ଯେ, ଆର୍କଟିକ୍ ଅଞ୍ଚଳର ସୁରକ୍ଷା ୟୁରୋପର ଶୀର୍ଷ ପ୍ରାଥମିକତା ମଧ୍ୟରେ ଅଛି ଏବଂ ଗ୍ରୀନଲ୍ୟାଣ୍ଡର ଭବିଷ୍ୟତ ଉପରେ ନିଷ୍ପତ୍ତି କେବଳ ଡେନମାର୍କ ଓ ଗ୍ରୀନଲ୍ୟାଣ୍ଡର ଲୋକଙ୍କ ଅଧିକାର।
ଏହି ମିଳିତ ବୟାନରେ ଫ୍ରାନ୍ସର ରାଷ୍ଟ୍ରପତି ଇମାନୁଏଲ ମାକ୍ରୋନ୍ ,ଜର୍ମାନୀର ଚାନ୍ସଲର ମର୍ଜ , ଇଟାଲୀର ପ୍ରଧାନମନ୍ତ୍ରୀ ଜର୍ଜିଆ ମେଲୋନି , ପୋଲାଣ୍ଡର ପ୍ରଧାନମନ୍ତ୍ରୀ ଡୋନାଲ୍ଡ ଟୁସ୍କ , ସ୍ପେନର ପ୍ରଧାନମନ୍ତ୍ରୀ ପେଦ୍ରୋ ସାଞ୍ଚେଜ , ବ୍ରିଟେନର ପ୍ରଧାନମନ୍ତ୍ରୀ କିର ଷ୍ଟାରମର ଓ ଡେନମାର୍କର ପ୍ରଧାନମନ୍ତ୍ରୀ ମେଟେ ଫ୍ରେଡରିକ୍ସନଙ୍କ ଦସ୍ତକ୍ଷତ ରହିଛି। ବୟାନରେ କୁହାଯାଇଛି ଯେ, ଆର୍କଟିକ୍ର ସୁରକ୍ଷା କେବଳ ୟୁରୋପ ନୁହେଁ, ଅନ୍ତର୍ଜାତୀୟ ଓ ଟ୍ରାନ୍ସ-ଅଟଲାଣ୍ଟିକ୍ ସୁରକ୍ଷା ପାଇଁ ମଧ୍ୟ ଖୁବ୍ ପ୍ରମୁଖ ଅଛି। ନାଟୋ ପୂର୍ବରୁ ହିଁ ଆର୍କଟିକକୁ ନିଜର ପ୍ରାଥମିକତା ଗୁଡ଼ିକରେ ସାମିଲ କରି ସାରିଛି ଏବଂ ୟୁରୋପୀୟ ସହଯୋଗୀ ଦେଶ ସେଠାରେ ନିଜର ଉପସ୍ଥିତି, ସାମରିକ କାର୍ଯ୍ୟକଳାପ ଓ ନିବେଶ ବଢାଉଛି।
ୟୁରୋପୀୟ ନେତାମାନେ ସ୍ପଷ୍ଟ କରିଛନ୍ତି ଯେ, ଡେନମାର୍କ ସାମ୍ରାଜ୍ୟ, ଯେଉଁଥିରେ ଗ୍ରୀନଲ୍ୟାଣ୍ଡ ସାମିଲ ଅଛି, ନାଟୋର ସଦସ୍ୟ ଓ ଆର୍କଟିକ ଅଞ୍ଚଳରେ ସୁରକ୍ଷା ନାଟୋ ସହଯୋଗୀମାନେ , ବିଶେଷକରି ଆମେରିକା ସହ ମିଶି ସାମୂହିକ ରୂପେ ସୁନିଶ୍ଚିତ କରାଯିବା ଉଚିତ୍। ଏହି ଅନୁସାରେ ,ସଂଯୁକ୍ତ ରାଷ୍ଟ୍ର ଚାର୍ଟରର ସିଦ୍ଧାନ୍ତ ସାର୍ବଭୌମତ୍ୱ , କ୍ଷେତ୍ରୀୟ ଅଖଣ୍ଡତା ଓ ସୀମା ଗୁଡ଼ିକର ଅଖଣ୍ଡତାରେ କୌଣସି ବୁଝାମଣା ହେବ ନାହିଁ।
ବୟାନରେ ଏହା ମଧ୍ୟ କୁହାଯାଇଛି ଯେ, ୧୯୫୧ର ପ୍ରତିରକ୍ଷା ଚୁକ୍ତି ଅନୁସାରେ, ଆମେରିକା ଏହି ପ୍ରୟାସରେ ଏକ ପ୍ରମୁଖ ପାର୍ଟନର ଅଛି, କିନ୍ତୁ ଗ୍ରୀନଲ୍ୟାଣ୍ଡର ଭବିଷ୍ୟତ ସହ ଜଡ଼ିତ ନିଷ୍ପତ୍ତି ବାହ୍ୟ ଚାପରେ ନିଆଯିବ ନାହିଁ। ଏହି ମିଳିତ ବିବୃତ୍ତିର ସମୟକୁ ମଧ୍ୟ ଗୁରୁତ୍ୱପୂର୍ଣ୍ଣ ବୋଲି ବିବେଚନା କରାଯାଉଛି - କାରଣ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏୟାର ଫୋର୍ସ ୱାନରେ ଗଣମାଧ୍ୟମ ସହ କଥାବାର୍ତ୍ତା ସମୟରେ କହିଥିଲେ – ଆମେ ଗ୍ରୀନଲ୍ୟାଣ୍ଡ ଚାହୁଁଛୁ... ଏବେ ସେଠାରେ ରୁଷ ଓ ଚୀନ୍ ଜାହାଜ ଉପସ୍ଥିତ ରହିଛନ୍ତି।"
ଟ୍ରମ୍ପ୍ ଏହା ମଧ୍ୟ ଦାବି କରିଛନ୍ତି ଯେ , ୟୁରୋପୀୟ ସଂଘ ଚାହୁଁଛି ଯେ , ଆମେରିକା ଗ୍ରୀନଲ୍ୟାଣ୍ଡକୁ ନିଜ ନିୟନ୍ତ୍ରଣରେ ନେଉ ଏବଂ ଏହା ଆମେରିକାର ସୁରକ୍ଷା ଏବଂ ଆର୍ଥିକ ସ୍ୱାର୍ଥ ପାଇଁ ଅତ୍ୟାବଶ୍ୟକ। ତାଙ୍କ ବକ୍ତବ୍ୟକୁ ନେଇ ୟୁରୋପରେ ଗମ୍ଭୀର ଚିନ୍ତା ପ୍ରକାଶ ପାଉଛି।