ପ୍ରମୂଖ ଖବର
  • ଜାମ୍ମୁ-କାଶ୍ମୀରରେ ଏନକାଉଣ୍ଟର, ୩ ଯବାନ ଆହତ , ଜଣେ ଆତଙ୍କୀ ନିପାତ
  • ||
  • ମୁମ୍ବାଇରେ ଭୁଶୁଡିଲା ତିନି ମହଲା କୋଠା, ଏକାଧିକ ଆହତ
  • ||
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ସମ୍ପୂର୍ଣ୍ଣ ସୁରକ୍ଷିତ ରହିବ ବାରବାଟୀ ଐତିହ୍ୟ, ଷ୍ଟାଡିୟମ୍‌ ନବକଳେବରର ଶିଳାନ୍ୟାସ କଲେ ନବୀନ

କଟକ, ୨୮।୨: ଐତିହାସିକ ବାରବାଟୀ ଷ୍ଟାଡିୟମ୍‌କୁ ବିଶ୍ୱସ୍ତରୀୟ କରାଯିବ । ଏହାର ଐତିହ୍ୟକୁ ସୁରକ୍ଷିତ ରଖାଯାଇ ହେବ ନବୀକରଣ । ବାରବାଟୀର ମୁଖ୍ୟ ଆକର୍ଷଣ କ୍ଲକ୍‌ ଟାୱାର ପୂର୍ବ ଭଳି ଶୋଭା ପାଇବ । ରାଜ୍ୟରେ କ୍ରିକେଟର ବିକାଶ କରିବାକୁ ଆମେ ପ୍ରତିଶ୍ରୁତିବଦ୍ଧ । ବାରବାଟୀ ଷ୍ଟାଡିୟମ୍‌ ନବକଳେବର ପ୍ରକଳ୍ପର ଶିଳାନ୍ୟାସ କରି ଗତକାଲି ଏଭଳି ସ୍ପଷ୍ଟ ମତ ରଖି ଷ୍ଟାଡିୟମ୍‌କୁ ସମ୍ପୂର୍ଣ୍ଣ ଭଙ୍ଗାଯିବାର ଦ୍ୱନ୍ଦ୍ୱ ଓ ସଂଶୟ ଉପରୁ ପରଦା ହଟାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ବାରବାଟୀ ଷ୍ଟାଡିୟମ୍‌ ବିଶ୍ୱର ପ୍ରମୁଖ କ୍ରୀଡ଼ା କେନ୍ଦ୍ର ପାଲଟିବ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି । ମଙ୍ଗଳବାର ଅପରାହ୍ନରେ ବାରବାଟୀ ଷ୍ଟାଡିୟମ୍‌ ପରିସରରେ ଏକ ଭବ୍ୟ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ଭିତରେ ବହୁ ପ୍ରତୀକ୍ଷିତ ଷ୍ଟାଡିୟମ୍‌ ନବୀକରଣ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରାଯାଇଛି । ୬ଶହ କୋଟିରୁ ଅଧିକ ଟଙ୍କା ବିନିଯୋଗରେ ନୂଆ ରୂପ ନେବାକୁ ଥିବା ଏହି ଐତିହାସିକ ଷ୍ଟାଡିୟମ୍‌ର କାମ ଆସନ୍ତା ତିନି ବର୍ଷ ଭିତରେ ଶେଷ ହେବ । 

ଓଡ଼ିଶା ସରକାର, ଭାରତୀୟ କ୍ରିକେଟ ନିୟନ୍ତ୍ରଣ ବୋର୍ଡ (ବିସିସିଆଇ) ଓ ଓଡ଼ିଶା କ୍ରିକେଟ ଆସୋସିଏସନ୍‌(ଓସିଏ) ମିଳିତ ଭାବେ ଏହି ଷ୍ଟାଡିୟମ୍‌ର ନବବଳେବର ବାବଦରେ ଖର୍ଚ୍ଚ କରିବେ । ଷ୍ଟାଡିୟମ୍‌ର ଦର୍ଶକ ଧାରଣ କ୍ଷମତା ୬୦ହଜାରକୁ ବୃଦ୍ଧି ହେବ । ଏହାସହ ଭାରତର ପ୍ରଥମ ଇନ୍‌ଡୋର କ୍ରିକେଟ ଷ୍ଟାଡିୟମ୍‌ ଭାବେ ବାରବାଟୀ ଷ୍ଟାଡିୟମ୍‌ର ନବୀକରଣ କରିବାକୁ ବି ଓସିଏ ଲକ୍ଷ୍ୟ ରଖିଛି । ବାରବାଟୀ ଷ୍ଟାଡିୟମ୍‌ ନବୀକରଣ ପ୍ରକଳ୍ପ ଘୋଷଣା କରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଥିଲେ, ଓଡ଼ିଶା କ୍ରୀଡ଼ା ଦୁନିଆରେ ଏକ ନୂଆ ମାଇଲ୍‌ଖୁଣ୍ଟ ହାସଲ କରିବାକୁ ଯାଉଛି । ଐତିହାସିକ ବାରବାଟୀ ଷ୍ଟାଡିୟମ୍‌ର ରୂପାନ୍ତରଣ ଲାଗି ନୂଆ ପ୍ରକଳ୍ପ ଘୋଷଣା କରୁଛି । ଏଥିପାଇଁ ବିସିସିଆଇ, ଓସିଏ ଓ ବିଭିନ୍ନ କର୍ପୋରେଟ୍‌ମାନଙ୍କ ସହଯୋଗ ରହିଛି । ଏଥିପାଇଁ ସମସ୍ତଙ୍କୁ ଧନ୍ୟବାଦ । ନବୀକରଣ ପ୍ରକ୍ରିୟାରେ ଷ୍ଟାଡିୟମ୍‌ର ଐତିହ୍ୟ ଅକ୍ଷୂର୍ଣ୍ଣ ରହିବ । କ୍ଲକ୍‌ ଟାୱାର୍‌ ସମେତ ଏହାର ସମସ୍ତ ଐତିହ୍ୟକୁ ମର୍ଯ୍ୟାଦା ଦିଆଯାଇ ସୁରକ୍ଷିତ ରଖାଯିବ । ବାରବାଟୀ ଷ୍ଟାଡିୟମ୍‌କୁ ଏକ ୱାର୍ଲଡ୍‌ କ୍ଲାସ୍‌ ଷ୍ଟାଡିୟମ୍‌ରେ ପରିଣତ କରିବାକୁ ଯାଇ ଗ୍ୟାଲେରୀର ବିକାଶ ସହିତ ପବ୍ଲିକ୍‌ ପ୍ଲାଜା ଏବଂ ଅନ୍ୟାନ୍ୟ ଅତ୍ୟାଧୁନିକ ସୁବିଧା ସୁଯୋଗ ଖଞ୍ଜି ଦିଆଯିବ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଥିଲେ । ଏହି ଅବସରରେ ରାଜ୍ୟ କ୍ରୀଡ଼ା ମନ୍ତ୍ରୀ ତୁଷାରକାନ୍ତି ବେହେରା କହିଥିଲେ, ରାଜ୍ୟ କ୍ରୀଡ଼ା ଇତିହାସରେ ଏକ ନୂଆ ଅଧ୍ୟାୟ ଯୋଡ଼ି ହେବାକୁ ଯାଉଛି । ଅତ୍ୟାଧୁନିକ କ୍ରୀଡ଼ା ଭିତ୍ତିଭୂମି ନିର୍ମାଣ ଓ ତାଲିମ ପ୍ରଦାନକାରୀ ରାଜ୍ୟ ଭାବେ ଓଡ଼ିଶା ସାରା ଭାରତରେ ଆଗଧାଡ଼ିରେ ଛିଡ଼ା ହୋଇଛି । ମୁଖ୍ୟମନ୍ତ୍ରୀଙ୍କ ଦୂରଦୃଷ୍ଟି ସମ୍ପନ୍ନ ନେତୃତ୍ୱରେ ଓଡ଼ିଶା ଏକ କ୍ରୀଡ଼ା ହବ୍‌ର ମାନ୍ୟତାକୁ ନିରନ୍ତର ପ୍ରମାଣିତ କରିଆସିଛି । ରାଜ୍ୟରେ କ୍ରୀଡ଼ା କ୍ଷେତ୍ରରେ ଯେଉଁ ନିରନ୍ତର ରୂପାନ୍ତରଣ ପ୍ରକ୍ରିୟା ଚାଲିଛି ତାହା ଓଡ଼ିଶାକୁ ସାରା ବିଶ୍ୱରେ ପ୍ରତିଷ୍ଠିତ କରାଇଛି ବୋଲି ମନ୍ତ୍ରୀ ଶ୍ରୀ ବେହେରା ପ୍ରକାଶ କରିଥିଲେ । 

ଏହି ଅବସରରେ ଓସିଏ ସଭାପତି ତଥା ବିଧାୟକ ପ୍ରଣବ ପ୍ରକାଶ ଦାସ କହିଥିଲେ, ‘ମୁଁ ସବୁବେଳେ ମୁଖ୍ୟମନ୍ତ୍ରୀଙ୍କୁ କହୁଥିଲି ସାର୍‌, କଟକ ଆପଣଙ୍କ ଜନ୍ମମାଟି । ଏଠାକାର ଐତିହାସିକ ବାରବାଟୀ ଷ୍ଟାଡିୟମ୍‌ ଏତେ ଭବ୍ୟ ହେବା ଦରକାର ଯାହା ଭାରତରେ ନୁହେଁ ବିଶ୍ୱରେ ଶ୍ରେଷ୍ଠ ଷ୍ଟାଡିୟମ୍‌ର ମାନ୍ୟତା ହାସଲ କରିବ । ମୁଖ୍ୟମନ୍ତ୍ରୀ ଏହି ପ୍ରକଳ୍ପକୁ ଅନୁମୋଦନ କରିବା ପରେ, ସମସ୍ତେ ଯେଉଁ ସ୍ୱପ୍ନ ଦେଖିଥିଲେ ତାହା ଏବେ ପୂରଣ ହେବାକୁ ଯାଉଛି । ପୁରୀରେ ମହିଳା କ୍ରିକେଟ ଏକାଡେମୀ ପ୍ରତିଷ୍ଠା କରି ମହିଳା କ୍ରିକେଟରଙ୍କ ଦକ୍ଷତା ବୃଦ୍ଧି କରିବାକୁ ଭିତ୍ତିଭୂମି ଯୋଗାଇ ଦିଆଯାଉଛି ।’ ଏସବୁ ପ୍ରକଳ୍ପ ପାଇଁ ମୁଖ୍ୟମନ୍ତ୍ରୀ ଓ କ୍ରୀଡ଼ା ବିଭାଗକୁ ଧନ୍ୟବାଦ ଦେଇଥିଲେ ଶ୍ରୀ ଦାସ । ଏହି ଅବସରରେ ଲୋକପ୍ରିୟ ଅନ୍ତର୍ଜାତୀୟ କ୍ରିକେଟର ଇର୍‌ଫାନ୍‌ ପଠାନ୍‌, ପ୍ରଜ୍ଞାନ୍‌ ଓଝା, ଆଇପିଏଲ୍‌ ଗଭର୍ଣ୍ଣିଂ କାଉନସିଲ ଅଧ୍ୟକ୍ଷ ଅରୁଣ ସିଂହ ଧୂମଲ, ଦେବାଶିଷ ମହାନ୍ତି, ଶିବସୁନ୍ଦର ଦାସ, ଓଡ଼ିଶା ଟିମ୍‌ କୋଚ୍‌ ଦୀନେଶ ମୋଙ୍ଗିଆ, ଓସିଏ ସମ୍ପାଦକ ସଞ୍ଜୟ ବେହେରା, ଓଡ଼ିଶା ଅଲିମ୍ପିକ୍‌ ସଂଘ ସମ୍ପାଦକ ଅଭିଜିତ ପାଲ୍‌, ପୂର୍ବତନ ସମ୍ପାଦକ ଆଶୀର୍ବାଦ ବେହେରାଙ୍କ ସମେତ ଅନ୍ୟମାନେ ମଞ୍ଚରେ ଉପସ୍ଥିତ ଥିଲେ ।

  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.