ନୂଆଦିଲ୍ଲୀ: ସୁପ୍ରିମକୋର୍ଟରେ ୩ ନୂଆ ଜଜଙ୍କୁ ନିଯୁକ୍ତ କରିବାକୁ ତିନୋଟି ହାଇକୋର୍ଟର ମୁଖ୍ୟ ବିଚାରପତିଙ୍କ ନାଁ ସୁପାରିଶ କରିଛନ୍ତି ସର୍ବୋଚ୍ଚ ନ୍ୟାୟାଳୟଙ୍କ କଲେଜିୟମ । ସେମାନେ ହେଉଛନ୍ତି ଦିଲ୍ଲୀ ହାଇକୋର୍ଟର ମୁଖ୍ୟ ବିଚାରପତି ସତୀଶ ଚନ୍ଦ୍ର ଶର୍ମା, ରାଜସ୍ଥାନ ହାଇକୋର୍ଟର ମୁଖ୍ୟ ବିଚାରପତି ଅଗଷ୍ଟିନ୍ ଜର୍ଜ ମସୀହ ଏବଂ ଗୌହାଟି ହାଇକୋର୍ଟର ମୁଖ୍ୟ ବିଚାରପତି ସନ୍ଦୀପ ମେହେଟ୍ଟା । ସୁପ୍ରିମକୋର୍ଟରେ ୩୪ ଜଣ ଜଜଙ୍କ ନିଯୁକ୍ତି ଲାଗି ନିୟମ ଥିବା ବେଳେ ୩ଟି ପଦ ଖାଲି ଥିଲା । ତେବେ ସୁପ୍ରିମକୋର୍ଟଙ୍କ କଲେଜିୟମରେ ପ୍ରଧାନ ବିଚାରପତି ଡି.ଓ୍ବାଇ ଚନ୍ଦ୍ରଚୂଡ, ଜଷ୍ଟିସ୍ ସଞ୍ଜୟ କିଷାନ କୌଲ, ଜଷ୍ଟିସ୍ ସଂଜୀବ ଖାନ୍ନା, ଜଷ୍ଟିସ୍ ବିଆର ଗବଇ ଏବଂ ସୂର୍ଯ୍ୟକାନ୍ତ ସାମିଲ ଅଛନ୍ତି ।
ସତୀଶ ଚନ୍ଦ୍ର ଶର୍ମା
ସତୀଶ ଚନ୍ଦ୍ର ଶର୍ମାଙ୍କ ଜନ୍ମ ମଧ୍ୟପ୍ରଦେଶର ଭୋପାଳରେ ହୋଇଥିଲା। ସେ ୩୦ ନଭେମ୍ବର ୧୯୬୧ରେ ଜନ୍ମଗ୍ରହଣ କରିଥିଲେ । ୪୨ ବର୍ଷ ବୟସରେ ସେ ମଧ୍ୟପ୍ରଦେଶ ହାଇକୋର୍ଟରେ ବରିଷ୍ଠ ଓକିଲ ହୋଇପାରିଥିଲେ । ୨୦୦୮ରେ ମଧ୍ୟପ୍ରଦେଶ ହାଇକୋର୍ଟରେ ଅତିରିକ୍ତ ଜଜ୍ ହୋଇଥିଲେ । ଏହାର ୨ ବର୍ଷ ପରେ ଅର୍ଥାତ ୨୦୧୦ରେ ତାଙ୍କୁ ସେଠାରେ ସ୍ଥାୟୀ ନିଯୁକ୍ତି ମିଳିଥିଲା । ପରେ ୨୮ ଜୁନ ୨୦୨୨ରେ ଦିଲ୍ଲୀ ହାଇକୋର୍ଟର ମୁଖ୍ୟ ବିଚାରିପତି ନିଯୁକ୍ତ ହୋଇଥିଲେ ସତୀଶ ଚନ୍ଦ୍ର ଶର୍ମା ।
ଅଗଷ୍ଟିନ ଜର୍ଜ ମସୀହ
୧୨ ମାର୍ଚ୍ଚ ୧୯୬୩ରେ ଜନ୍ମ ଗ୍ରହଣ କରିଥିଲେ ଅଗଷ୍ଟିନ ଜର୍ଜ ମସୀହ । ୧୦ ଜୁଲାଇ ୨୦୦୮ରେ ପଞ୍ଜାବ ଏବଂ ହରିୟାଣା ହାଇକୋର୍ଟରେ ଅତିରିକ୍ତ ଜଜ୍ ଭାବେ ନିଯୁକ୍ତ ହୋଇଥିଲେ । ପରେ ୧୪ ଜାନୁଆରୀ ୨୦୧୧ରେ ସ୍ଥାୟୀ ନିଯୁକ୍ତି ମିଳିଥିଲା । ୩୦ ମେ’ ୨୦୨୩ରେ ମସୀହ ରାଜସ୍ଥାନ ହାଇକୋର୍ଟରେ ମୁଖ୍ୟ ବିଚାରପତି ହୋଇଥିଲେ ।
ସନ୍ଦୀପ ମେହେଟ୍ଟା
ସନ୍ଦୀପ ମେହେଟ୍ଟାଙ୍କୁ ୩୦ ମେ ୨୦୧୧ରେ ରାଜସ୍ଥାନ ହାଇକୋର୍ଟରେ ଅତିରିକ୍ତ ଜଜ୍ ଭାବେ ନିଯୁକ୍ତ କରାଯାଇଥିଲା । ୬ ଫେବୃଆରୀ ୨୦୧୩ରେ ତାଙ୍କୁ ସ୍ଥାୟୀ ନିଯୁକ୍ତି ମିଳିଥିଲା । ୧୫ ଫେବୃଆରୀ ୨୦୨୩ରେ ଗୌହାଟି ହାଇକୋର୍ଟର ମୁଖ୍ୟ ବିଚାରପତି ହୋଇଥିଲେ ସନ୍ଦୀପ ମେହେଟ୍ଟା ।