ସିଓଲ: ଦକ୍ଷିଣ କୋରିଆରେ କୁକୁର ମାଂସ ଖାଇବା ଉପରେ ରୋକ ଲାଗିବ । କୁକୁର ମାଂସ ଖାଇବାକୁ ନେଇ ଦେଶରେ ବିରୋଧ ପ୍ରଦର୍ଶନ ଜୋରଦାର ହେବା ପରେ ଏଭଳି ନିଷ୍ପତ୍ତି ନେଇଛନ୍ତି ସରକାର। ଶାସକ ଦଳର ପଲିସି ମୁଖ୍ୟ ୟୁ-ୟୁଇ ଡୋଙ୍ଗ ଏନେଇ ଘୋଷଣା କରିଛନ୍ତି । ଦକ୍ଷିଣ କୋରିଆରେ କୁକୁର ମାଂସ ଖାଇବାକୁ ନେଇ ଦେଶ ସମେତ ସମଗ୍ର ବିଶ୍ବରେ ବିରୋଧ ହେଉଥିଲା । ଏପରିକି ଆନିମାଲ ରାଇଟସ୍ ସଂଗଠନ ମଧ୍ୟ ବିରୋଧ କରିଆସିଛି ।
ଆନିମାଲ ଓ୍ବେଲଫେୟାର ଇନଷ୍ଟିଚ୍ୟୁସନ୍ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ, ଦକ୍ଷିଣ କୋରିଆରେ ପ୍ରତିବର୍ଷ ମାଂସ ପାଇଁ ୨୦ ଲକ୍ଷ କୁକୁରଙ୍କୁ ହତ୍ୟା କରାଯାଉଛି। ଦେଶରେ ପ୍ରତିବର୍ଷ ଏକ ଲକ୍ଷ ଟନ୍ ଡଗ ମିଟ୍ (କୁକୁର ମାଂସ) ଖାଉଛନ୍ତି ଲୋକେ । ହେଲେ ଏବେ ସେଠାରେ କୁକୁର ଖାଉଥିବା ଲୋକଙ୍କ ସଂଖ୍ୟା କମ୍ ହେବାରେ ଲାଗିଛି । ଏବେ ସରକାର ୨୦୨୭ ସୁଦ୍ଧା ଦେଶରେ କୁକୁର ମାଂସ ଉପରେ ସମ୍ପୂର୍ଣ୍ଣ ବ୍ୟାନ୍ ଲଗାଇବାକୁ ପ୍ରସ୍ତୁତି କରୁଛନ୍ତି । ଏନେଇ ଚଳିତବର୍ଷ ବିଲ ଆଣିବେ ସରକାର।
ସେପଟେ କୁକୁର ପାଳୁଥିବା ଏବଂ ବେପାର କରୁଥିବା ବ୍ୟବସାୟୀଙ୍କୁ ଏନେଇ କ୍ଷତିପୂରର ଦେବେ ସରକାର। ଏହା ପୂର୍ବରୁ କୁକୁର ମାଂସ ବନ୍ଦ ନେଇ ଦେଶରେ ବହୁ ବାର ବିଲ ଆଗତ ହୋଇଛି । ହେଲେ ଚାଷୀ ଏବଂ ବ୍ୟବସାୟୀଙ୍କ ବିରୋଧ ଯୋଗୁଁ ଆଇନ ଆସିପାରିନାହିଁ । ହେଲେ ରୟଟର୍ସରେ ପ୍ରକାଶିତ ରିପୋର୍ଟ ଅନୁସାରେ, ଏଥର ବିଲ୍ରେ ଗ୍ରେସ ପିରିୟଡ ଏବଂ କ୍ଷତିପୂରଣ ଉପରେ ଗୁରୁତ୍ବ ଦିଆଯିବ ।
ସେପଟେ ଦକ୍ଷିଣ କୋରିଆର ଫାଷ୍ଟ ଲେଡି କିମ କିଓନ ମଧ୍ୟ କୁକୁର ମାଂସ ଖାଇବାକୁ ବିରୋଧ କରିଆସିଛନ୍ତି । ଏପରିକି ସେ ରାଷ୍ଟ୍ରପତିଙ୍କ ସହ ଅନେକ ବୁଲା କୁକୁରକୁ ପୋଷ୍ୟ ଭାବେ ଗ୍ରହଣ କରିଛନ୍ତି । ଅନ୍ୟପଟେ ସରକାରୀ ତଥ୍ୟ ଅନୁସାରେ, ଦେଶରେ ୧୧୫୦ କୁକୁର ପାଳିବା ଲାଗି ଫାର୍ମ ରହିଛି। ୧୬୦୦ ରେଷ୍ଟୁରାଣ୍ଟ ଏଭଳି ଅଛି ଯେୁଉଁଠି କୁକୁର ମାଂସ ରନ୍ଧାଯାଏ ଏବଂ ଲୋକମାନଙ୍କୁ ପରଷା ଯାଏ । ଦେଶରେ ୩୪ଟି କଂସେଇ ଖାନା ଥିବା ବେଳେ ୨୧୯ଟି କମ୍ପାନୀ କୁକୁର ମାଂସ ବିକ୍ରି କରନ୍ତି । ହେଲେ ଦେଶରେ କୁଗୁର ମାଂସ ଖାଉଥିବା ଲୋକଙ୍କ ସଂଖ୍ୟା କମିଛି । ୬୪ ପ୍ରତିଶତ ଲୋକେ କୁକୁର ମାଂସ ଖାଇବାକୁ ବିରୋଧ କରିଥିବା ବେଳେ ୨୦୧୫ରୁ ୨୨ ମଧ୍ୟରେ କୁକୁର ମାଂସ ଖାଉଥିବା ଲୋକଙ୍କ ସଂଖ୍ୟାରେ ୨୦ ପ୍ରତିଶତ ହ୍ରାସ ପରିଲକ୍ଷିତ ହୋଇଛି ।
ତେବେ ହ୍ୟୁମାନ ସୋସାଇଟ ଇଣ୍ଟରନ୍ୟାସନାଲ ଅନୁସାରେ, ଦକ୍ଷିଣ କୋରିଆ ବ୍ୟତୀତ ଚୀନ୍, ଫିଲିପାଇନ୍ସ, ଥାଇଲାଣ୍ଡ, ଲାଓସ, ଭିଏତନାମ, ଇଣ୍ଡୋନେସିଆ ଏବଂ ଭାରତର ନାଗାଲ୍ୟାଣ୍ଡରେ କୁକୁର ମାଂସ ଖାଉଛନ୍ତି ଲୋକେ । ହେଲେ ୪ ଜୁଲାଇ ୨୦୨୦ରେ ନାଗାଲ୍ୟାଣ୍ଡର ମୁଖ୍ୟ ସଚିବ ଅର୍ଡର ଜାରି କରି ରାଜ୍ୟରେ କୁମର ମାଂସ ରପ୍ତାନୀ ଏବଂ ଆମଦାନୀ ଉପରେ ରୋକ ଲଗାଇଦେଇଥିଲେ । ଏହା ସହ କୁକୁର ମାଂସ ବିକ୍ରି ଏବଂ ହୋଟେଲରେ କୁକୁର ମାଂସର ବ୍ୟବହାର ବନ୍ଦ ହୋଇଥିଲା।