କଟକ, ୧୫/୧୧ : କଟକକୁ ପୁଣି ଫେରିବ ହକିର ଗୌରବ । ଖେଳାଳିମାନେ ସିନ୍ଥେଟିକ୍ ଆଷ୍ଟ୍ରୋ ଟର୍ଫରେ ଖେଳିବାର ସୁଯୋଗ ପାଇବେ । କ୍ରୀଡ଼ାବିତ୍ଙ୍କ ସ୍ୱାର୍ଥକୁ ଦୃଷ୍ଟିରେ ରଖି ପ୍ରଥମଥର ପାଇଁ ଜର୍ମାନୀରୁ ସ୍ୱତନ୍ତ୍ର ଟର୍ଫ ଆଣି ସିଡିଏ ସେକ୍ଟର-୭ରେ ପ୍ରତିଷ୍ଠା ହେଉଛି ଆଷ୍ଟ୍ରୋ ଟର୍ଫ । କ୍ରୀଡ଼ା ବିଭାଗର ସ୍ୱତନ୍ତ୍ର ଅନୁଦାନରେ ଏହି ଟର୍ଫ ବିଛା ସରିଥିବାବେଳେ ବିଜୁ ପଟ୍ଟନାୟକ ଇନ୍ଡୋର ଷ୍ଟାଡିୟମ୍ ସହ ଏହାର ଲୋକାର୍ପଣ କରାଯିବ । କୁହାଯାଏ, କଟକରେ ଇଂରେଜମାନେ ପ୍ରଥମେ ହକି ଖେଳ ଆରମ୍ଭ କରିଥିଲେ । ରେଭେନ୍ସା କଲେଜରେ ପଢୁଥିବା କିଛି ଇଂରେଜ ଛାତ୍ର ହକି ଖେଳୁଥିଲେ । ସେବେଠାରୁ ଧୀରେଧୀରେ ହକି ଓଡ଼ିଶାରେ ପ୍ରସାର ଲାଭ କଲା ।
ବର୍ତ୍ତମାନ ପରିସ୍ଥିତିରେ ଯଦିଓ ପଶ୍ଚିମ ଓଡ଼ିଶା ହକିର ହବ୍ ପାଲଟିଛି, କିନ୍ତୁ ଏକଦା କଟକରେ ହକିର ଥିଲା ସ୍ୱତନ୍ତ୍ର ଆଦର ଓ ଆଦୃତି । ପୂର୍ବତନ ଖେଳାଳି, ସଂଗଠକ ଏବଂ କ୍ରୀଡ଼ାପ୍ରେମୀଙ୍କ ଦାବିକୁ ଗୁରୁତ୍ୱ ଦେଇ କଟକ ସିଡିଏ ସେକ୍ଟର-୭ ସ୍ଥିତ ପଡ଼ିଆରେ ହକି ଆଷ୍ଟ୍ରୋ ଟର୍ଫ ପ୍ରତିଷ୍ଠା କରାଯାଉଛି । ୫୮ ମିଟର ଚଉଡ଼ା ଏବଂ ୯୭ ମିଟର ଲମ୍ବ ଅଞ୍ଚଳରେ ଟର୍ଫ ବିଛାଯାଇଛି । ଅନ୍ତର୍ଜାତୀୟ ସ୍ତରର ଏହି ହକି ଷ୍ଟାଡିୟମ୍ କାମ ଆସନ୍ତା ୧୫ଦିନ ଭିତରେ ଶେଷ ହେବାକୁ ଯାଉଛି । ଜର୍ମାନୀରୁ ସ୍ୱତନ୍ତ୍ର ଟର୍ଫ ମଗାଯାଇ କାମ ହେଉଛି । ଟର୍ଫ ତଳେ ରବର୍ ଗୁଣ୍ଡ ଭଳି ଏକ ସାମଗ୍ରୀ ବିଛାଯାଇଛି³ ଯାହାଫଳରେ ଟର୍ଫ ନରମ ରହିବ ଏବଂ ଶୀଘ୍ର ଖରାପ ହେବନାହିଁ । ଟର୍ଫ ଅଞ୍ଚଳରେ ପାଣି ସ୍ପ୍ରେ କରିବାକୁ ସ୍ୱତନ୍ତ୍ର ବ୍ୟବସ୍ଥା ରହିଛି । ପାଣି ସ୍ପ୍ରେ ହେବା ଦ୍ୱାରା ଟର୍ଫ ଦୀର୍ଘସ୍ଥାୟୀ ହୋଇପାରିବ । ଟର୍ଫ ଚାରି ପଟରେ ଲୁହା ଜାଲି ଦିଆଯାଇଛି । ଏହା ବେଶ୍ ଆକର୍ଷଣୀୟ ହୋଇଥିବା ବେଳେ ଖୁବ୍ ଶୀଘ୍ର ଏହାର ଲୋକାର୍ପଣ ହେବ ବୋଲି ସୂଚନା ମିଳିଛି ।