ପ୍ରମୁଖ ଖବର
  • ଭୁବନେଶ୍ଵର : ଲୁମ୍ବିନୀ ବିହାର ମା' ମଙ୍ଗଳା ବସ୍ତିରେ ବିଲ୍ ଗେଟ୍‌ସ, ଲୋକମାନଙ୍କୁ ଭେଟି ବିଭିନ୍ନ ମୌଳିକ ସୁବିଧା ସମ୍ପର୍କରେ ପଚାରି ବୁଝିଲେ
  • ||
  • ଭୁବନେଶ୍ଵର : ଓଡ଼ିଶା ଆସୁଛନ୍ତି ମହାମହିମ, ମା' କିଚକେଶ୍ଵରୀଙ୍କ ଦର୍ଶନ ସହ ବିଭିନ୍ନ କାର୍ଯ୍ୟକ୍ରମରେ ଦେବେ ଯୋଗ
  • ||

ଗାଜାରେ ଯୁଦ୍ଧ ବିରତି ପାଇଁ ଇସ୍ରାଏଲକୁ ହମାସର ପ୍ରସ୍ତାବ, ରଖିଲା ୩ ସର୍ତ୍ତ

ଜେରୁଜେଲମ୍, ୦୭/୦୨: ଗାଜା ପଟ୍ଟିରେ ଯୁଦ୍ଧ ବିରତି ପାଇଁ ପ୍ରସ୍ତାବ ଦେଇଛି ହମାସ୍ । ୩ଟି ପର୍ଯ୍ୟାୟରେ ଯୁଦ୍ଧ ସମ୍ପୂର୍ଣ୍ଣ ବନ୍ଦ ହମାସ୍ ପ୍ରସ୍ତାବ ଦେଇଛି । ହମାସ୍ ଦେଇଥିବା ପ୍ରସ୍ତାବ ଅନୁସାରେ, ଏହି ପ୍ରକ୍ରିୟା ସାଢ଼େ ୪ ମାସ ଧରି ଚାଲିବ ବୋଲି ରୟଟର୍ସ ରିପୋର୍ଟ ପ୍ରକାଶ କରିଛି ।

ଆମେରିକା, ଇସ୍ରାଏଲ୍, ଇଜିପ୍ଟ ଓ କତାର ଯୁଦ୍ଧ ବିରତି ନେଇ ପ୍ୟାରିସରେ କରିଥିବା ଆଲୋଚନା ପରେ ହମାସ୍ ଏହି ପ୍ରସ୍ତାବ ଦେଇଛି । ହମାସ୍ ପକ୍ଷରୁ କତାର ଆଲୋଚନା କରୁଛି । ଗାଜା ପଟ୍ଟିରେ ଇସ୍ରାଏଲ୍ ଆକ୍ରମଣ ୫ ମାସରେ ପହଞ୍ଚିଛି ।

୨୦୨୩ ଅକ୍ଟୋବର ୭ରେ ଦକ୍ଷିଣ ଇସ୍ରାଏଲ୍ ଅତର୍କିତ ଆକ୍ରମଣ କରିଥିଲେ ହମାସ୍ ଆତଙ୍କବାଦୀ । ଯେଉଁଥିରେ ୧୨୦୦ ଲୋକ ପ୍ରାଣ ହରାଇଥିବା ବେଳେ ୨୪୦ ଇସ୍ରାଏଲ୍ ନାଗରିକଙ୍କୁ ପଣବନ୍ଦୀ କରି ନେଇଥିଲେ । ପଣବନ୍ଦୀଙ୍କ ମଧ୍ୟରେ ଥିଲେ ଆମେରିକା ଓ ଥାଇ ନାଗରିକ ।

ଯୁଦ୍ଧରେ ଗାଜାରେ ୨୭ ହଜାର ୭୦୦ ଫିଲିସ୍ତୀନ ପ୍ରାଣ ହରାଇଛନ୍ତି । ୬୭ ହଜାରରୁ ଅଧିକ ଆହତ ହୋଇଛନ୍ତି । ଗାଜାରୁ ୮୫ ପ୍ରତିଶତ ଲୋକ ଘର ଛାଡ଼ି ପଳାଇଛନ୍ତି । ପ୍ରସ୍ତାବରେ ହମାସ୍ କହିଛି, ସମସ୍ତ ପଣବନ୍ଦୀଙ୍କୁ ମୁକ୍ତ କରି ଦିଆଯିବ ।

ପ୍ରଥମ ୪୫ ଦିନର ଅସ୍ତ୍ରବିରତିରେ ସମସ୍ତ ପଣବନ୍ଦୀ ଇସ୍ରାଏଲ୍ ମହିଳାଙ୍କ ସହ ୧୯ ବର୍ଷରୁ କମ୍ ପୁରୁଷ ମୁକ୍ତ ହେବେ । ପ୍ରତିବଦଳରେ ଇସ୍ରାଏଲ୍ ଜେଲରେ ଥିବା (ଫିଲିସ୍ତୀନ ନାଗରିକ) ଅସୁସ୍ଥ, ମହିଳା ଓ ଛୁଆଙ୍କୁ ଛାଡ଼ିବ । ଗାଜାର ଜନବସତି ଅଞ୍ଚଳରୁ ଇସ୍ରାଏଲ୍ ପର୍ଯ୍ୟାୟକ୍ରମେ ସୈନ୍ୟ ଅପସାରଣ କରିବ ।

ଏଥିସହ ଗାଜାରେ ଧ୍ୱଂସ ହୋଇ ଯାଇଥିବା ସ୍ୱାସ୍ଥ୍ୟ ଭିତ୍ତିଭୂମିକୁ ଇସ୍ରାଏଲ୍ ପୁନଃ ନିର୍ମାଣ କରିବାକୁ ହମାସ୍ ଦାବି କରିଛି । ଏଥିସହ ଲୋକଙ୍କ ରହଣୀ ଲାଗି ପ୍ରଥମ ୪୫ ଦିନରେ ରହଣୀ ଶିବିର ନିର୍ମାଣ କରାଯିବ । ମିଲିଟ୍ରି ଅପରେସନ୍ ବନ୍ଦ ପରେ ଆରମ୍ଭ ହେବ ଦ୍ୱିତୀୟ ପର୍ଯ୍ୟାୟ । ଏହି ପର୍ଯ୍ୟାୟରେ ସମସ୍ତ ପଣବନ୍ଦୀ ଓ ବନ୍ଧକ ମୁକ୍ତ ହେବେ । ଗାଜା ସୀମାନ୍ତରୁ ଇସ୍ରାଏଲ୍ ସମସ୍ତ ସୈନ୍ୟ ଅପସାରଣ କରି ନେବ । ଗାଜାରେ ନଷ୍ଟ ହୋଇଥିବା ଭିତ୍ତିଭୂମି ନିର୍ମାଣ ଆରମ୍ଭ କରିବ ।

ତୃତୀୟ ପର୍ଯ୍ୟାୟରେ ଉଭୟ ପକ୍ଷ ମଧ୍ୟରେ ମୃତକଙ୍କ ଶରୀର ଆଦାନ ପ୍ରଦାନ କରାଯିବ । ଏହି ପ୍ରସ୍ତାବ କାର୍ଯ୍ୟକାରୀ ହେଲେ ହମାସ୍ ନିୟନ୍ତ୍ରଣକୁ ସମ୍ପୂର୍ଣ୍ଣ ଭାବେ ଆସିବ ଗାଜା । ବୁଧବାର ଇସ୍ରାଏଲ୍ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତନ୍ୟାହୁଙ୍କୁ ନେଇ ଏ ସମ୍ପର୍କିତ ଆଲୋଚନା କରିଛନ୍ତି ଆମେରିକାର ପ୍ରତିରକ୍ଷା ମନ୍ତ୍ରୀ ଆଣ୍ଟୋନି ବ୍ଲିଙ୍କେନ୍ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.