ବ୍ରହ୍ମପୁର, ୧୫/୯ : ବ୍ରହ୍ମପୁର ଅତିରିକ୍ତ ଜିଲ୍ଲା ଓ ଦୌରା ଜଜ ୧ ଡ. ଇନ୍ଦୁ ଶର୍ମା ଶୁକ୍ରବାର ବହୁ ଚର୍ଚ୍ଚିତ ଏକ ବର୍ଷର ଶିଶୁ ଅପହରଣ ଓ ପରେ ହତ୍ୟା ମାମଲାର ୯ବର୍ଷ ପରେ ଚୂଡାନ୍ତ ରାୟ ପ୍ରକାଶ କରିଛନ୍ତି। ଉପଯୁକ୍ତ ପ୍ରମାଣ ମିଳିଥିବାରୁ ଜଜ ମୁଖ୍ୟ ଅଭିଯୁକ୍ତ ନୟାଗଡ଼ ଟାଉନ୍ ଥାନା ଅନ୍ତର୍ଗତ ହରିହରପୁରର ସିରିୟା ଓରଫ ଶ୍ରୀଧର ମହାପାତ୍ର ଦୋଷୀ ସାବ୍ୟସ୍ତ କରିଛନ୍ତି । ସେହିପରି ପ୍ରମାଣ ଅଭାବରୁ ତାଙ୍କର ସହଯୋଗୀ ଲେଡ଼ି ଡ଼ନ ତଥା ଯଶୋଦା ପ୍ରଧାନଙ୍କୁ ନିର୍ଦ୍ଦୋଷ ସାବ୍ୟସ୍ତ କରିଛନ୍ତି । ଅଭିଯୁକ୍ତ ଶ୍ରୀଧର ମହାପାତ୍ରଙ୍କୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି । ଏହାସହ ମୁଖ୍ୟ ଅଭିଯୁକ୍ତଙ୍କୁ ୨୨ହଜାର ଟଙ୍କାର ଜରିମାନା ଦଣ୍ଡାଦେଶ ଶୁଣାଇଛନ୍ତି । ଜରିମାନା ଅନାଦେୟ ୨ବର୍ଷ ୮ମାସ ଅତିରିକ୍ତ ସଶ୍ରମ କାରାଦଣ୍ଡରେ ଦଣ୍ଡିତ କରାଯିବ ବୋଲି ଜଜ ତାଙ୍କ ରାୟରେ ଉଲ୍ଲେଖ କରିଛନ୍ତି ।
ମାମଲାର ବିବରଣୀରୁ ପ୍ରକାଶ ୨୦୧୪ ମସିହା ଜୁନ ୨୪ତାରିଖ ବିଳମ୍ବିତ ରାତିରେ ଉପରୋକ୍ତ ଦୁଇ ଅଭିଯୁକ୍ତ ଶ୍ରୀଧର ଓ ଯଶୋଦା କୁକୁଡ଼ାଖଣ୍ଡି ପଂଚାୟତ ଅନ୍ତର୍ଗତ ବଉଳଝୋଲି ଗାଁରେ ଚୋରି କରିବା ଉଦ୍ଦେଶ୍ୟରେ ବୁଲୁଥିଲେ । ସେମାନେ ଜୁନ ୨୪ତାରିଖ ବିଳମ୍ବିତ ରାତିରେ ଏହି ଗ୍ରାମର କଇରା ପାତ୍ରଙ୍କ ଘରେ ପଶିଥିଲେ । ସେତେବେଳେ କଇରା, ତାଙ୍କ ସ୍ତ୍ରୀ ଘରେ ଶୋଇଥିଲେ । ସେମାନଙ୍କ ପାଖରେ ଏକ ବର୍ଷର ପୁଅ ଅଂଶୁମାନ ପାତ୍ର ଶୋଇଥିଲେ । ସେମାନେ କଇରାଙ୍କ ଘରୁ କିଛି ଚୋରି କରିବାରେ ସକ୍ଷମ ହୋଇ ନ ଥିଲେ । ତେଣୁ କଇରାଙ୍କ ଏକ ବର୍ଷର ପୁଅ ଅଂଶୁମାନଙ୍କୁ ଅପହରଣ କରି ନେଇ ଆସିଥିଲେ । ଅଭିଯୋଗ ପରେ ସଦର ଥାନା ପୋଲିସ କୋ ନଂ୧୨୩ /୧୪ ରେ ଏକ ମାମଲା ରୁଜୁ କରିଥିଲା। ପରେ ମୁଖ୍ୟ ଅଭିଯୁକ୍ତ ଶ୍ରୀଧର ମହାପାତ୍ରଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା।
ଏ ନେଇ ସଦର ଥାନାର ତଦନ୍ତକାରୀ ଅଧିକାରୀ ତଥା ତତ୍କାଳୀନ ଏସଆଇ ସୁଶାନ୍ତ ସାହୁ କୋର୍ଟରେ ଅଭିଯୋଗଫର୍ଦ୍ଦ ଦାଖଲ କରିଥିଲେ । ବିଚାରଣାବେଳେ ୪୮ଜଣ ସାକ୍ଷୀଙ୍କ ବୟାନ ରେକର୍ଡ଼ କରାଯାଇଥିଲା । ରାୟ ପ୍ରକାଶବେଳେ ଗିରଫ ପରଠାରୁ ଵ୍ରହ୍ମପୁର ମଣ୍ଡଳକାରାଗାରରେ ବିଚାରାଧୀନ ବନ୍ଦୀ ଭାବେ ଥିବା ଶ୍ରୀଧର ମହାପାତ୍ରଙ୍କୁ କଡା ସୁରକ୍ଷାରେ ଅଣାଯାଇ କୋର୍ଟରେ ହାଜର କରାଯାଇଥିଲା। ସେହିପରି ଜାମିନରେ ଥିବା ଅନ୍ୟତମ ଅଭିଯୁକ୍ତ ଯଶୋଦା ପ୍ରଧାନଙ୍କୁ ମଧ୍ୟ କୋର୍ଟରେ ହାଜର କରାଯାଇଥିଲା। ସମସ୍ତ ସାକ୍ଷ୍ୟ ପ୍ରମାଣ ଓ ତଦନ୍ତକାରୀ କାରୀ ଅଧିକାରୀଙ୍କ ପକ୍ଷରୁ ଦାଖଲ ହୋଇଥିବା ଚାର୍ଜସିଟକୁ ଆଧାର କରି ଜଜ ଇନ୍ଦୁ ଶର୍ମା ଉପରୋକ୍ତ ରାୟ ପ୍ରକାଶ କରିଛନ୍ତି । ସରକାରଙ୍କ ପକ୍ଷରୁ ଅତିରିକ୍ତ ପବ୍ଲିକ ପ୍ରସିକ୍ୟୁଟର ଜ୍ଞାନେନ୍ଦ୍ର ନାଥ ଜେନା ମକଦ୍ଦମା ପରିଚାଳନା କରୁଥିଲେ ।