ପ୍ରମୂଖ ଖବର
  • ଜାମ୍ମୁ-କାଶ୍ମୀରରେ ଏନକାଉଣ୍ଟର, ୩ ଯବାନ ଆହତ , ଜଣେ ଆତଙ୍କୀ ନିପାତ
  • ||
  • ମୁମ୍ବାଇରେ ଭୁଶୁଡିଲା ତିନି ମହଲା କୋଠା, ଏକାଧିକ ଆହତ
  • ||
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

୧୦ ବର୍ଷରେ ମଦ ରାଜସ୍ୱ ୪୧ ହଜାର କୋଟି ପାର୍, ନିଶା ନିବାରଣ ଦିଗରେ ବିଭାଗ କୁନ୍ଥୁକୁନ୍ଥୁ

ଭୁବନେଶ୍ୱର, ୬।୦୨: ମଦ ବିକି ସରକାର ଦ୍ରୁତବେଗରେ ରାଜସ୍ୱ କମାଉଛନ୍ତି । ଗତ ୧୦ ବର୍ଷରେ ସାଢ଼େ ୪୧ ହଜାର କୋଟି ଟଙ୍କା ରାଜସ୍ୱ ଆଦାୟ କରିଛନ୍ତି । ହେଲେ ମଦ ନିଶା ନିବାରଣ ଦିଗରେ ଲୋକ ସଚେତନ ପାଇଁ ଖର୍ଚ୍ଚ କରିବାକୁ ବିଭାଗ କୁନ୍ଥକୁନ୍ଥ ହେଉଛି । ମଦ ପିଇବା ଶରୀର ପ୍ରତି ହାନିକାରକ । ଲୋକଙ୍କ ନିକଟରେ ଏହି ସଚେତନତାର ବାର୍ତ୍ତା ପହଞ୍ଚାଇବା ଲାଗି ହାତ ଖୋଲା ଖର୍ଚ୍ଚ କରିବାକୁ ପ୍ରାବଧାନ ରହିଛି । ହେଲେ ବିଭାଗ କେବଳ ଆୟ ବଢ଼ାଇବା ନିଶାରେ ମତିଛି । ଗତ ୧୦ ବର୍ଷରେ ଜନ ସଚେତନ ପାଇଁ ଖର୍ଚ୍ଚ ହୋଇଛି ମାତ୍ର ୪.୭୦ କୋଟି ଟଙ୍କା । ମଦୁଆଙ୍କୁ ବାଟକୁ ଆଣିବା ପାଇଁ ସରକାରଙ୍କ ଉଦ୍ୟମ ଏଥିରୁ ଜଳଜଳ ଦେଖାଯାଉଛି । 

ମଦ ବିକ୍ରି ରାଜସ୍ୱ ଆଦାୟ କ୍ଷେତ୍ରରେ ୨୦୧୩- ୧୪ରୁ ୨୦୨୩-୨୪ (ଆର୍ଥିକ ବର୍ଷ) ମଧ୍ୟରେ ୫ ଥର ଟାର୍ଗେଟ୍‌ରେ ସଫଳ ହୋଇଛି ଅବକାରୀ ବିଭାଗ । ୨୦୧୩ରୁ ୨୦୧୪ରେ ୧୭୮୦.୨୯ କୋଟି ଓ ୧୪ରୁ୧୫ ଆର୍ଥିକ ବର୍ଷରେ ୨୦୩୮.୭୯ କୋଟି ରାଜସ୍ୱ ଆଦାୟ ହୋଇଥିଲା । ୨୦୧୫ରୁ ୨୦୧୬ରେ ୧୫୦୦ କୋଟି ଟାର୍ଗେଟ୍‌ ଥିଲା । ୨୫୬୮.୬୮ କୋଟି ରାଜସ୍ୱ ଆଦାୟ ହୋଇଥିଲା । ୨୦୧୬-୧୭ରେ ୨୭୮୬.୨୫ କୋଟି ଓ ୧୭-୧୮ରେ ୩୨୨୧.୦୩ କୋଟି ଟଙ୍କା ଆଦାୟ ହୋଇଥିଲା । ୧୦୧୮-୧୯ରେ ୩୮୦୦ କୋଟି ଟଙ୍କାର ଟାର୍ଗେଟ୍‌ ଥିବା ବେଳେ ୩୯୨୫.୪୧ କୋଟି ଟଙ୍କା ଆଦାୟ ହୋଇଥିଲା । ୨୦୧୯-୨୦ରେ ୪୪୫୯.୫୨ ଓ ୨୦-୨୧ରେ ୪୦୫୩.୫୧ କୋଟି ଆଦାୟ ହୋଇଥିଲା । ୨୦୨୧- ୨୨ ଆର୍ଥିକ ବର୍ଷରେ ୫୫୦୦ କୋଟି ଟଙ୍କା ଟାର୍ଗେଟ୍‌ ଥିବା ବେଳେ ୫୫୨୮.୪୧ କୋଟି ରାଜସ୍ୱ ଆଦାୟ ହୋଇଥିଲା । ୨୨-୨୩ରେ ୬୫୦୦ କୋଟି ଥିଲା ହେଲେ ୬୪୫୫.୦୬ କୋଟି ଆଦାୟ ହୋଇଥିଲା । ୨୦୨୩-୨୪ ଅର୍ଥିକ ବର୍ଷରେ ୭,୮୦୦ କୋଟି ରାଜସ୍ୱ ଆଦାୟ ଲକ୍ଷ୍ୟ ରଖିଛନ୍ତି ସରକାର । 

୨୦୨୩ ଡିସେମ୍ବର ଶେଷ ସୁଧା ୪୮୯୭.୭୪ କୋଟି ଟଙ୍କାର ରାଜସ୍ୱ ଆଦାୟ ସରିଥିବା ସରକାରୀ ତଥ୍ୟ କହୁଛି । ଏହି ୧୦ ବର୍ଷ ମଧ୍ୟରେ ସରକାର ଗଣଦୌଡ, କୁଇଜ, ବିଜ୍ଞାପନ, ପ୍ରବନ୍ଧ ପ୍ରତିଯୋଗିତା ମାଧ୍ୟମରେ ନିଶା ନିବାରଣ ପାଇଁ ବ୍ୟାପକ ଜନସଚେତନା ସୃଷ୍ଟି କରାଯାଇଛି । ସେଥିପାଇଁ ୪ କୋଟି ୬୯ ଲକ୍ଷ ୪୯ ହଜାର ଟଙ୍କା ଖର୍ଚ୍ଚ ହୋଇଛି । ୨୦୧୩-୧୪ରେ ୧୦ ଲକ୍ଷ ଟଙ୍କା, ୧୪-୧୫ରେ ୪୨.୫୦ ଲକ୍ଷ, ୧୫-୧୬ରେ ୨.୨କୋଟି, ୧୬-୧୭ରେ ୧୦ ଲକ୍ଷ, ୧୭-୧୮ରେ ୮୧ ଲକ୍ଷ, ୧୮-୧୯ରେ ୪୧ ଲକ୍ଷ, ୧୯-୨୦ରେ ୩୧.୬୯ ଲକ୍ଷ, ୨୦-୨୧ରେ ୮.୨୫ ଲକ୍ଷ ଟଙ୍କା ସଚେତନରେ ଖର୍ଚ୍ଚ କରିଛି ବିଭାଗ । ୨୦୨୧-୨୦୨୨ ମସିହା ଆର୍ଥିକ ବର୍ଷରେ କରୋନା କଟକଣା ପାଇଁ କୌଣସି ସଚେତନତା କାର୍ଯ୍ୟକ୍ରମ କରା ଯାଇନଥିଲା । ୨୦୨୨- ୨୦୨୩ ମସିହାରେ ୪୨.୨ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଛି । ୨୦୧୯ ମସିହା ଠାରୁ ୨୦୨୩ ଶେଷ (୫ ବର୍ଷ) ମଧ୍ୟରେ ବିଷାକ୍ତ ମଦ ପିଇ ୯ ଜଣଙ୍କର ମୃତ୍ୟୁ ହୋଇଥିଲା । ଏହି ୯ ଜଣଙ୍କ ଘର ଭଦ୍ରକ ଜିଲ୍ଳା ତିହିଡି ଓ ଚାନ୍ଦବାଲି ଅଞ୍ଚଳରେ । ମୃତକଙ୍କ ପରିବାରକୁ ସରକାର ୧୮ ଲକ୍ଷ ଟଙ୍କା ସହାୟତା ପ୍ରଦାନ କରିଥିଲେ । ବିଷାକ୍ତ ମଦ, ଚୋରାମଦ ଓ ମାଦକ ଦ୍ରବ୍ୟକୁ ପ୍ରତିହତ କରିବା ପାଇଁ ରାଜ୍ୟରେ ୪ଟି ଅବକାରୀ ଗୁଇନ୍ଦା ସଂସ୍ଥା, ୩୩ ଗୋଟି ଏମ୍‌ଡିଏସ୍‌, ୩୩ ଗୋଟି ଜିଲ୍ଳାରେ ମୋବାଇଲ୍‌ ଟିମ୍‌, ରାଜ୍ୟରେ ୨୦୨ଟି ଅବକାରୀ ଥାନା, ୭୧ଟି ଅବକାରୀ ରେଞ୍ଜ ଅଫିସ୍‌ କାମ କରୁଛି । 

ସେପଟେ ସ୍ୱାସ୍ଥ୍ୟ ବିଭାଗରୁ ମିଳିଥିବା ତଥ୍ୟ ଅନୁସାରେ ୨୦୧୫-୨୦୨୩ ମସିହା ପର୍ଯ୍ୟନ୍ତ ୧୧.୪୪୫ ଜଣ ନିଶାଗ୍ରସ୍ତ ରୋଗୀମାନଙ୍କୁ ରାଜ୍ୟ ସରକାରଙ୍କ ତରଫରୁ ମାଗଣାରେ ଚିହ୍ନଟ, ଚିକିତ୍ସା, ନିରାକରଣ, ଅନୁସରଣ ଏବଂ ପରାମର୍ଶ ଦିଆଯାଉଛି । ୩୦ଟି ଜିଲ୍ଳାରେ ଭ୍ରାମ୍ୟମାଣ ମାନସିକ ସ୍ୱାସ୍ଥ୍ୟ ୟୁନିଟ୍‌ ଯୋଗାଇ ଦିଆଯାଇଛି । ହେଲେ ତଥାପି ନିଶାଗ୍ରସ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି ।

  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.