କୁନ୍ଦୁରା, ୧୫/୧୧ : ବିଗିଡ଼ି ଯାଇଛି ମାନସିକ ସନ୍ତୁଳନ । ଦୀର୍ଘ ୧୦ ବର୍ଷ ହେଲା ରଶିରେ ବନ୍ଧାପଡ଼ିଛି ଶୈଶବ । ଗରିବ ପରିବାର ପାଖରେ ଚିକିତ୍ସା ପାଇଁ ଅର୍ଥ ନାହିଁ । ଏଥିଲାଗି ଆଜି ପର୍ଯ୍ୟନ୍ତ କୌଣସି ବଡ଼ ମେଡିକାଲ୍ ନେଇପାରିନାହାନ୍ତି । ପୁଅର ଦୁଃଖକୁ ଆଖିରେ ଦେଖୁଥିଲେ ବି କିଛି କରିପାରୁନାହାନ୍ତି । କାମଧନ୍ଦା କରିବାକୁ ବାହାରକୁ ଯିବା ବେଳେ ବାଧ୍ୟ ହୋଇ ପୁଅର ହାତଗୋଡ଼ରେ ରଶି ବାନ୍ଧୁଛନ୍ତି । ଏ ଦୃଶ୍ୟ ଦେଖିବାକୁ ମିଳିଛି କୋରାପୁଟ ଜିଲ୍ଲା କୁନ୍ଦୁରା ବ୍ଲକ୍ ସଦର ପଞ୍ଚାୟତର କାଉଡ଼ିଆଗୁଡ଼ାରେ । ମାନସିକ ଭାରସାମ୍ୟ ହରାଇଥିବା ୧୨ ବର୍ଷର ବାଳକ ଜଣକ ହେଉଛି ଲକ୍ଷ୍ମୀ ପେଣ୍ଠିଆଙ୍କ ପୁଅ ଗୋକୁଳ ।
ଲକ୍ଷ୍ମୀଙ୍କ ସୂଚନା ଅନୁଯାୟୀ, ତାଙ୍କ ସ୍ୱାମୀଙ୍କର ମଧ୍ୟ ମାନସିକ ବିକୃତି ରହିଥିଲା । ୪ ବର୍ଷ ତଳେ ସେ ଆଖି ବୁଜିଦେଲେ । ତା’ପରଠୁ ବଡ଼ପୁଅ ରବି(୧୭), ଝିଅ ମମତା(୧୪) ଓ ସାନପୁଅ ଗୋକୁଳଙ୍କୁ ନେଇ ବଞ୍ଚିବା ଲାଗି ସଂଘର୍ଷ କରି ଆସୁଛନ୍ତି । ଝିଅ ଏକ ହଷ୍ଟେଲରେ ରହି ଅଷ୍ଟମରେ ପଢୁଥିବା ବେଳେ ବଡ଼ପୁଅ ରବି ସାନଭାଇ ଗୋକୁଳର ଦେଖାଶୁଣା ପାଇଁ ପଞ୍ଚମରୁ ପାଠରେ ଡୋରି ବାନ୍ଧିଥିଲେ । ଏବେ ଲକ୍ଷ୍ମୀଙ୍କ ସହ କୁଲି ମଜୁରି ଲାଗି ପରିବାର ଚଳାଇବାରେ ସାହାଯ୍ୟ କରି ଆସୁଛନ୍ତି । ଜନ୍ମରୁ ଗୋକୁଳ ସମ୍ପୂର୍ଣ୍ଣ ଠିକ୍ଠାକ୍ ଥିଲା । ମାତ୍ର ୨ ବର୍ଷ ପରେ ଧୀରେ ଧୀରେ ମାନସିକ ଭାରସାମ୍ୟ ହରାଇ ବସିଲା । କାହାର କିଛି ଅନିଷ୍ଠ ନକଲେ ବି ଏକୁଟିଆ ଛାଡ଼ି ଦେଲେ ଏଣେତେଣେ ଦୌଡ଼ି ପଳାଉଛି । ଖୋଜି କରି ଆଣିବା କାଠିକର ପାଠ ହେଉଥିବାରୁ ବାଧ୍ୟ ହୋଇ ଗୋଡ଼ରେ ରଶି ବାନ୍ଧିବାକୁ ପଡ଼ୁଛି । ଗରିବ ପରିବାର । ପାଖରେ ଜମିବାଡ଼ି କିଛି ନାହିଁ । ଶ୍ରମିକ ଭାବେ କାମ କଲେ ପରିବାରର ଚୁଲି ଜଳୁଛି । ବଖୁରିଏ କୁଡ଼ିଆ ଘରେ ମୁଣ୍ଡ ଗୁଞ୍ଜିଛନ୍ତି ୪ ପ୍ରାଣୀ କୁଟୁମ୍ବ ।
ଗୋକୁଳର ଚିକିତ୍ସା ପାଇଁ ଆଖପାଖ ସ୍ୱାସ୍ଥ୍ୟକେନ୍ଦ୍ରକୁ ନେଇଥିଲେ । ଚେରମୂଳି ଔଷଧ ବ୍ୟବସ୍ଥା କରିଥିଲେ । ଅଥଚ ସ୍ୱାସ୍ଥ୍ୟାବସ୍ଥାରେ ଉନ୍ନତି ପରିବର୍ତ୍ତେ ଅବନତି ହେବାରେ ଲାଗିଛି । ସରକାରଙ୍କ ତରଫରୁ ପରିବାରକୁ ମିଳୁଛି ୩୫ କେଜି ଚାଉଳ । ଗତ ୪ ମାସ ହେଲା ଲକ୍ଷ୍ମୀଙ୍କୁ ବିଧବା ଭତ୍ତା ଓ ଗୋକୁଳକୁ ଦିବ୍ୟାଙ୍ଗ ଭତ୍ତା ମିଳୁଛି । ସବୁବେଳେ ପୁଅକୁ ବାନ୍ଧିକରି ରଖିବାକୁ ପଡ଼ୁଥିବା ଅତ୍ୟନ୍ତ ଦୁଃଖର ସହ କହିଛନ୍ତି ଲକ୍ଷ୍ମୀ । ଜିଲ୍ଲା ପ୍ରଶାସନ ପକ୍ଷରୁ ତା’ର ମାଗଣା ଚିକିତ୍ସା ବ୍ୟବସ୍ଥା କରିବାକୁ ନିବେଦନ କରିଛନ୍ତି । ଆଶା ରଖିଛନ୍ତି, ସରକାର ସହାୟତାର ହାତ ବଢାଇଲେ ତାଙ୍କ ପୁଅ ଗୋକୁଳ ଅନ୍ୟ ପିଲାଙ୍କ ଭଳି ସୁସ୍ଥ ହୋଇ ପାଠ ଦି ଅକ୍ଷର ପଢନ୍ତା । ସବୁଦିନ ପାଇଁ ତାଙ୍କ ଦୁଃଖ ଯାଆନ୍ତା । ଗାଁର ସନିଆ ପେଣ୍ଠିଆ, ପଦଲାମ ପେଣ୍ଠିଆ, ଧନୁର୍ଜୟ ପେଣ୍ଠିଆ ଓ ଡମ୍ବରୁ ପେଣ୍ଠିଆ ମଧ୍ୟ ଗୋକୁଳର ଦୟନୀୟ ଜୀବନ ଦେଖି ସହାୟତାର ହାତ ବଢାଇବାକୁ ପ୍ରଶାସନକୁ ନିବେଦନ କରିଛନ୍ତି ।